ଓଡ଼ିଶାଲାଇଭ୍‌ ବ୍ୟୁରୋ

ନାଲ୍‌କୋ ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦଙ୍କୁ ଆଜି କାନାଡାର ପ୍ରତିନିଧି ଦଳ ଭେଟିଛନ୍ତି। ଭୁବନେଶ୍ବର ଅଫିସ୍‌ରେ ଏହି ଟିମ୍‌ ନାଲ୍‌କୋ ଅଧ୍ୟକ୍ଷଙ୍କୁ ଭେଟି ଉତ୍ପାଦନ ବୃଦ୍ଧି ନିମନ୍ତେ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ସମ୍ପର୍କରେ ଆଲୋଚନା କରିଥିଲେ।

କ୍ୟୁବେକ୍‌ ଷ୍ଟେଟ୍‌ସ୍‌ର କାନାଡିଆନ୍ କନ୍‌ସ୍ୟୁଲେଟ୍‌ ରୂପାଲି ସାଭେଙ୍କ ନେତୃତ୍ବରେ ଏହି ଟିମ୍‌ ଆସିଥିଲେ। ଏଥିରେ ବିଜ୍‌ନେସ୍‌ ଡେଭଲପ୍‌ମେଣ୍ଟ ଉପସଭାପତି କେଭିନ୍‌ ଓ୍ବିଲିୟମ୍‌ସ, ଆଲୁକ୍ୟୁବେକ୍‌ ସଭାପତି ମ୍ୟାରୀ ଲାପ୍‌ଏଣ୍ଟି, ଷ୍ଟାସ୍‌ ଇଙ୍କ୍‌ର ବିଜ୍‌ନେସ୍‌ ଡେଭଲପ୍‌ମେଣ୍ଟ  ମ୍ୟାନେଜର ଫ୍ରାଙ୍କଏସ୍‌ ମୋକ୍ୟୁ ସାମିଲ୍‌ ହୋଇଥିଲେ।

ଅନୁଗୁଳ ଆଲୁମିନିୟମ୍‌ ପାର୍କରେ ଯୌଥ ଉଦ୍ୟମରେ ପ୍ରସ୍ତାବିତ ଆନୁଷଙ୍ଗିକ ଶିଳ୍ପ ପ୍ରତିଷ୍ଠାର ସୁଯୋଗ ବିଷୟରେ ଆଲୋଚନା କରାଯାଇଥିଲା। ନାଲ୍‌କୋର ଅଭିବୃଦ୍ଧି, ପୁଞ୍ଜିନିବେଶ ଯୋଜନା, କୋଇଲା ଓ ବକ୍ସାଇଟ୍ ଖଣି ଅଧିଗ୍ରହଣ ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବାରୁ ଅଧ୍ୟକ୍ଷ ଡକ୍ଟର ଚାନ୍ଦଙ୍କୁ ଏହି ପ୍ରତିନିଧି ଦଳ ପ୍ରଶଂସା କରିଥିଲେ।

ନବରତ୍ନ କମ୍ପାନି ନାଲ୍‌କୋ ଦେଶର ଅନ୍ୟତମ ଅଗ୍ରଣୀ ବୈଦେଶିକ ମୁଦ୍ରା ଅର୍ଜନକାରୀ ଭାବେ ମାନ୍ୟତା ଲାଭ କରିଛି। ଅନ୍ତର୍ଜାତୀୟ ସ୍ତରରେ ଅଗ୍ରଣୀ ଆଲୁମିନିୟମ୍‌ ଉତ୍ପାଦକ ଭାବେ ପ୍ରତିଷ୍ଠା ଲାଭ କରିବା ପାଇଁ ଉଦ୍ୟମ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here