ଓଡ଼ିଶାଲାଇଭ୍‍ ବ୍ୟୁରୋ

ରାଜ୍ୟରେ ନିଯୁକ୍ତ ଥିବା ହୋମ୍ ଗାର୍ଡଙ୍କର ସବୁ କିଛି ବଦଳିବାକୁ ଯାଉଛି – ୟୁନିଫର୍ମଠୁ ଟୋପି ଓ ଦରମା ଇତ୍ୟାଦି। ସେମାନଙ୍କୁ ଭଲ ଦରମା ତ ମିଳିବ ଏଥିସହିତ ଆବଶ୍ୟକୀୟ ତାଲିମ ବି ଦିଆଯିବ। ଖାଲି ସେତିକି ନୁହେଁ, ସେମାନଙ୍କୁ ଅଗ୍ନିଶମ କାର୍ଯ୍ୟରେ ମଧ୍ୟ ଲଗାଯିବ। ଦୀର୍ଘଦିନ ଧରି ଅବହେଳିତ ହୋଇରହିବା ପରେ ଆଗାମୀ ଦିନରେ ପ୍ରାୟ ୧୫ ହଜାର ହୋମ୍ ଗାର୍ଡଙ୍କ ଭାଗ୍ୟ ଖୋଲିବ ବୋଲି ଜଣାପଡିଛି।

ଓଡ଼ିଶାରେ ୧୯୬୧ ମସିହାରେ ପ୍ରଥମେ  ହୋମଗାର୍ଡ ନିଯୁକ୍ତି ଆରମ୍ଭ ହୋଇଥିଲା। ସହାୟକ ପୋଲିସ ସେବା ଭାବରେ ଏହା ପ୍ରଚଳନ କରଯାଇଥିଲା। କିନ୍ତୁ ଏଯାଏଁ ସେମାନଙ୍କର ଚାକିରୀ, ଦରମାରେ କୌଣସି ସ୍ଥିରତା ନଥିଲା। ଦିନ ମଜୁରି ହିସାବରେ ଦରମା ମିଳୁଥିବା ବେଳେ ଏମାନଙ୍କୁ ଅନେକ ସମୟରେ ହେୟଜ୍ଞାନ କରାଯାଉଥିଲା।

ଏବେ ଏହା ବଦଳିବାକୁ ଯାଉଛି। ହୋମ୍ ଗାର୍ଡ ଓ ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମା କହିଛନ୍ତି, “ହୋମଗାର୍ଡମାନଙ୍କ ଆତ୍ମସମ୍ମାନ ଓ ସେମାନଙ୍କର କାମର ପରିଧିକୁ ଆମେ ବଢାଇବା ପାଇଁ ଚାହୁଁଚୁ। ପୋଲିସ କର୍ମଚାରୀ ଭାବରେ ସେମାନଙ୍କୁ ତିଆରି କରିବା ପାଇଁ ଏକ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି ଯାହାଫଳରେ ସେମାନେ ପୋଲିସର ସହଯୋଗୀ ଭାବରେ ନିଜ କର୍ତ୍ତବ୍ୟ ସମ୍ପାଦନ କରିପାରିବେ।”

ଯେହେତୁ କୁଶଳୀ ହୋମ୍ ଗାର୍ଡମାନଙ୍କୁ ନିୟମିତ ପୋଲିସ କର୍ମଚାରୀ ଭାବେ ନିଯୁକ୍ତି ଦେବାର ବ୍ୟବସ୍ଥା ରହିଛି ସେହି କାରଣରୁ ସେମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରାଯିବ। ସବୁ ଏସପି ଏଣିକି ନିଜ ନିଜ ଜିଲ୍ଲାରେ ହୋମ୍ ଗାର୍ଡଙ୍କୁ ନିଯୁକ୍ତି ଦେବେ। ବିଶେଷକରି ଯୁବକ ଯେଉଁମାନଙ୍କ ଡ୍ରାଇଭିଂ, କମ୍ପ୍ୟୁଟର, ରାଜମିସ୍ତ୍ରୀ ଓ କାଠ କାମ ଆଦିରେ ଦକ୍ଷତା ରହିଛି ସେମାନଙ୍କୁ ନୂଆ ଚାକିରିରେ ଅଗ୍ରାଧିକାର ଦିଆଯିବ। ସେହିଭଳି ଦମକଳ କେନ୍ଦ୍ରଗୁଡିକରେ କର୍ମଚାରୀ ଅଭାବ ଯୋଗୁଁ ଏମାନଙ୍କୁ ସେଠି ବି ଭର୍ତ୍ତି କରାଯିବ।

ଶ୍ରୀ ଶର୍ମା କହିଛନ୍ତି ଯେ ହୋମଗାର୍ଡମାନଙ୍କୁ ଭଲ ପୋଷାକ, ଜୋତା ଓ କ୍ୟାପ୍ ଦିଆଯିବ। ଆଗରୁ ଯେମିତି ଖାକି ପିନ୍ଧୁଥିଲେ ତାହା ଚାଲୁ ରହିବ, କିନ୍ତୁ କପଡାର ମାନ ଉନ୍ନତ ହେବ। ତା’ଛଡ଼ା ସେମାନଙ୍କ ଆତ୍ମସମ୍ମାନ ରକ୍ଷା କରିବା ପାଇଁ ପୋଲିସ ବାବୁମାନେ ହୋମ୍ ଗାର୍ଡଙ୍କୁ ଆଉ ଘର କାମରେ ବ୍ୟବହାର କରିପାରିବେ ନାହିଁ। ଉଲ୍ଲେଖ କରିବାର କଥା ଯେ ଆଜି ପର୍ଯ୍ୟନ୍ତ ହୋମଗାର୍ଡମାନଙ୍କୁ ଆଇଏଏସ ଓ ଆଇପିଏସ ଅଫିସରଙ୍କ ଘରେ କାମ କରିବାକୁ ପଡୁଥିଲା।

ହୋମ୍ ଗାର୍ଡ ବା ଗୃହରକ୍ଷୀ ସଂଘର ଭୁବନେଶ୍ୱର ସଭାପତି ଉପେନ୍ଦ୍ର ମହାପାତ୍ର କ୍ଷୋଭ ପ୍ରକାଶକରି କହିଲେ ଯେ, “ଆମକୁ ମଣିଷ ପରି ବ୍ୟବହାର କରାଯାଏ ନାହିଁ। କିଛି ବରିଷ୍ଠ ଅଧିକାରୀଙ୍କ ଘରେ ଆମ ଭାଇମାନେ ଗଧ ଖଟଣି ଖଟିଥା’ନ୍ତି। ଯଦିଓ ଆମ କାମ ପୋଲିସ କର୍ମଚାରୀଙ୍କ ସହିତ ସମାନ ଦରମା କିନ୍ତୁ ବହୁତ କମ୍‍। ଆମ ଦରମା ନିହାତି କମରେ ୬୨୦ ଟଙ୍କା ବୃଦ୍ଧି ପାଇବା ଦରକାର।”

ହୋମ୍ ଗାର୍ଡ ଡିଜି କହିଛନ୍ତି ଯେ ଦରମା ବୃଦ୍ଧି ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here