କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ଓରଫ୍ ସୁରଭାଇ ରୋଚକ ମନ୍ତବ୍ୟକୁ ନେଇ ବେଶ୍ ପରିଚିତ। ‘ଓଡ଼ିଶାଲାଇଭ୍‌’ ସହ ସ୍ବତନ୍ତ୍ର ସାକ୍ଷାତକାର ବେଳେ ରାଜ୍ୟ କଂଗ୍ରେସର ଦୟନୀୟ ସ୍ଥିତି କଥାକୁ ସମ୍ପୂର୍ଣ୍ଣ ଉଡ଼ାଇ ଦେଇ କହିଛନ୍ତି ଯେ, ଓଡ଼ିଶାରେ ବିଜେପିର କୌଣସି ପ୍ରଭାବ ନାହିଁ। କେବଳ ସେତିକି ନୁହେଁ, ଲଗାତାର ଚାରି ଚାରି ଥର ଶାସନରେ ଥିବା ବିଜେଡିକୁ ମଧ୍ୟ ସେ ଲୋକପ୍ରିୟତା କ୍ଷେତ୍ରରେ ଦ୍ବିତୀୟ ବୋଲି କହି କଂଗ୍ରେସର କଟା ଘାରେ ମଲମ ଲଗାଇବାକୁ ଚେଷ୍ଟା କରିଛନ୍ତି।

 

ଓଡ଼ିଶା କଂଗ୍ରେସର ସ୍ଥିତି କାହିଁକି ଦୁର୍ବଳ?

ଓଡ଼ିଶା କଂଗ୍ରେସର ସ୍ଥିତି ଆଦୌ ଦୁର୍ବଳ ନାହିଁ। ବିଜେଡି ବିଜେପି ଅପେକ୍ଷା କଂଗ୍ରେସର ସ୍ଥିତି ମଜଭୁତ। ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ବରେ ଓଡ଼ିଶା କଂଗ୍ରେସ ପୁରା ମଜଭୁତ।

୧୭ ବର୍ଷ ବିଜେଡି ଶାସନକୁ ମୁକାବିଲା କରିବାରେ କଂଗ୍ରେସ କାହିଁକି ସମର୍ଥ ହେଉନି?

ବିଜେଡିକୁ ଆମେ ଭଲଭାବେ ମୁକାବିଲା କରୁଛୁ। ଆମ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଜଣେ ଜ୍ଞାନୀ ଗୁଣି ବ୍ୟକ୍ତି। ବିଧାନସଭାରେ ବିରୋଧୀ ଦଳର ସଭ୍ୟଙ୍କୁ ଏକାଠି କରି ସେ ଯେଉଁ କାମ କରୁଛନ୍ତି ତାହା ପ୍ରଶଂସନୀୟ। ପ୍ରସାଦ ହରିଚନ୍ଦନ ଜଣେ ଯୁବ ପିସିସି ସଭାପତି। ତାଙ୍କ ପାଖରେ ଅଗାଧ ଜ୍ଞାନ ରହିଛି। ଜାନକୀ ପଟ୍ଟନାୟକ ମଧ୍ୟ ଜଣେ ଜ୍ଞାନୀ ଗୁଣି ଲୋକ ଥିଲେ। ତାଙ୍କ ନେତୃତ୍ବରେ କଂଗ୍ରେସ କ୍ଷମତାକୁ ଆସିବ ବୋଲି କେହି ଜାଣିପାରୁ ନଥିଲେ। କିନ୍ତୁ କଂଗ୍ରେସ କ୍ଷମତାକୁ ଆସିଲା ଏବଂ ଜାନକୀବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଲେ। ଠିକ୍ ସେମିତି ଏବେ ପ୍ରସାଦ ହରିଚନ୍ଦନଙ୍କୁ କେହି ଜାଣିପାରୁନାହାନ୍ତି। ପ୍ରସାଦଙ୍କ ନେତୃତ୍ବରେ ଆଗାମୀ ଦିନରେ କଂଗ୍ରେସ ସରକାରକୁ ଆସିବ।

ଓଡ଼ିଶା କଂଗ୍ରେସ ସଙ୍ଗଠନରେ କନ୍ଦଳ ଅଛି କି?

ଆମ ଦଳରେ କନ୍ଦଳ ନାହିଁ। କେବଳ ମିଡିଆ ଓ ବିରୋଧୀ ଦଳ କନ୍ଦଳ ଅଛି ବୋଲି ଚର୍ଚ୍ଚା କରୁଛନ୍ତି। କଂଗ୍ରେସ ଏକାଠି ହୋଇ ରହିଛି। କଂଗ୍ରେସର ସବୁ ନେତା ଏକାଠି ବସି ସରକାରଙ୍କ ବିଫଳତା ସମ୍ପର୍କରେ ଆଲୋଚନା କରୁଛୁ। କଂଗ୍ରେସ ହେଉଛି ମଇଁଷୀ ଶିଙ୍ଘ। ଖାଲି ଗାର ଦେଖାଯାଏ, ହେଲେ ପଦାକୁ ଫାଟ ଦେଖାଯାଏ ନାହିଁ।

ପିସିସି ଚୌକିରେ କଣ ଅଛି ଯେ ନେତାଙ୍କ ଭିତରେ ଟଣାଟଣି ଚାଲିଛି?

ପିସିସି ସଭାପତି ପଦ ହେଉଛି ରାଜ୍ୟ କଂଗ୍ରେସର ହେଡ୍। ତେଣୁ ଯେଉଁମାନଙ୍କ ପାଖରେ ପ୍ରଚୁର ଟଙ୍କା ଅଛି ସେମାନେ ଏହି ଚୌକି ଉପରେ ଆଖି ପକାଉଛନ୍ତି। ସେମାନେ ଭାବୁଛନ୍ତି କାଳେ ପିସିସି ସଭାପତି ହୋଇଗଲେ କଂଗ୍ରେସ କ୍ଷମତାକୁ ଆସିବ ଏବଂ ଆମେ ନେତୃତ୍ବ ନେବୁ। ଏହି କାରଣ ପାଇଁ ବାଡ଼ିଆପିଟା ଚାଲିଛି।  ଏହା ସବୁ ଦଳରେ ଅଛି।

ପ୍ରସାଦଙ୍କୁ ନେଇ କଂଗ୍ରେସରେ ଗୋଳମାଳ ସୃଷ୍ଟି ହେଉଛି କି?

ପ୍ରସାଦ ହରିଚନ୍ଦନ ଜଣେ ଭଦ୍ର ଏବଂ ଜ୍ଞାନୀ ଲୋକ। ନିଷ୍ଠାପର ଭାବେ ସେ କାମ କରନ୍ତି। ସେଥିପାଇଁ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧି ତାଙ୍କୁ ପ୍ରଦେଶ କଂଗ୍ରେସର ସଭାପତି କରିଛନ୍ତି। ସଙ୍ଗଠନକୁ ମଜବୁତ କରିବା ପାଇଁ ସେ ପଦକ୍ଷେପ ନେଉଛନ୍ତି। ଓଡ଼ିଶାରେ କଂଗ୍ରେସର ସାଙ୍ଗଠନିକ ନିର୍ବାଚନ ହେଲା। ଏଥିରେ ପିସିସି ମେମ୍ବର, ବ୍ଲକ୍ ସଭାପତି, ତୃଣମୂଳ ସ୍ତରର କର୍ମୀ ଖୁସି ଜାହିର କରିଛନ୍ତି। ପ୍ରସାଦ ଜଣେ ଭଲ ଲୋକ ବୋଲି ସବୁ ବର୍ଗର ନେତା ତାଙ୍କ ସହ ମିଶନ୍ତି।

ବିଜେପି ପ୍ରଭାବରେ ଓଡ଼ିଶାରୁ କଂଗ୍ରେସ ନିଶ୍ଚିହ୍ନ  ହେଲା ଭଳି ଲାଗୁଛି?

ଓଡ଼ିଶାରେ ବିଜେପିର କିଛି ପ୍ରଭାବ ନାହିଁ। କଂଗ୍ରେସ ହେଉଛି ରାଜ୍ୟର ୧ ନମ୍ବର ଦଳ। ବିଜେଡି ୨ ନମ୍ବର ଏବଂ ବିଜେପି ୩ ନମ୍ବର ଦଳ।

ଆପଣ ଥରେ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ। ଦଳ ଛାଡ଼ିବାକୁ ମନ ବଳାଇଥିଲେ କି?

ନବୀନ ପଟ୍ଟନାୟକଙ୍କ ପାଖକୁ ଗୋଟିଏ କାମ ନେଇ ଯାଇଥିଲି। ଜଟଣୀ ଓ ଖୋର୍ଦ୍ଧାବାସୀଙ୍କୁ ଶୁଦ୍ଧ ପାଣି ଦେବା ପାଇଁ ପ୍ରସ୍ତାବ ଦେଇଥିଲା। ଏହି ପ୍ରକଳ୍ପ ପାଇଁ ୧୭୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଆଉ କାମ ଚାଲିଛି। ନବୀନବାବୁ ମୋ ଅନୁରୋଧ ରଖିଥିବାରୁ ମୁଁ ତାଙ୍କୁ ପ୍ରଶଂସା କଲି।

ବହୁ ବରିଷ୍ଠ ନେତା କଂଗ୍ରେସ ଛାଡ଼ିଲେଣି। ଆପଣ କୌଣସି ପଦବୀ ନ ପାଇ ଦଳରେ ରହିବାର କାରଣ କ’ଣ?

କେହି ଜଣେ ହେଲେ କଂଗ୍ରେସ ଛାଡ଼ି ନାହାନ୍ତି। ଦଳରେ ଥିବା କିଛି ଅଗାଡ଼ି ଅନ୍ୟ ଦଳକୁ ଭାସି ଯାଉଛନ୍ତି। କୌଣସି ବରିଷ୍ଠ ନେତା ଏଯାଏଁ ଦଳ ଛାଡ଼ି ନାହାନ୍ତି। ଏହାଛଡ଼ା ମୋର କୌଣସି ପଦ ପଦବୀ ଆବଶ୍ୟକ ନାହିଁ। ମୁଁ ଲୋକଙ୍କ ସାଙ୍ଗରେ ଅଛି ସେଇଟା ହେଉଛି ମୋ ପାଇଁ ସବୁଠୁ ବଡ଼ ପଦବୀ। ଭଗବାନ ମୋତେ ଭଲରେ ରଖିଛନ୍ତି, ମୁଁ ପ୍ରତିଦିନ ଅନେକ କାର୍ଯ୍ୟ କରୁଛି।

ଲୁଲୁ ପରିବାରକୁ କଂଗ୍ରେସ ଅବହେଳା କରିଛି କି?

ଲୁଲୁ ମହାପାତ୍ରଙ୍କୁ କଂଗ୍ରେସ କେବେ ଅବହେଳା କରିନି। କଂଗ୍ରେସ ତାଙ୍କୁ ରାଜ୍ୟର ଛାତ୍ର ସଭାପତି କରିଛି। ଯୁବ ସଭାପତି ସହ ପିସିସିର କାର୍ଯ୍ୟକାରୀ ସଭାପତି କରିଛି। କଂଗ୍ରେସ ତାଙ୍କୁ ସବୁବେଳେ ଟିକେଟ ଦେଇ ଆସୁଥିଲା। ଲୁଲୁ ମହାପାତ୍ରଙ୍କ ଭଳି ସଙ୍ଗଠକ ଏବଂ ତାଙ୍କ ପରିବାରଙ୍କୁ ଅବହେଳାର ପ୍ରଶ୍ନ ଉଠୁନି।

ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଭୋଟରଙ୍କ ଆସ୍ଥା ହାରଇବାର କାରଣ କ’ଣ?

ଆମ ଦଳରେ ଟିକେ ମତଭେଦ ହୋଇଯାଇଥିଲା। ସେ ସମୟରେ ମହାନଦୀ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ନେତାଙ୍କ ନେତୃତ୍ବରେ  କିଛି କଂଗ୍ରେସ ନେତା ରାଷ୍ଟ୍ରପତିଙ୍କୁ ଦେଖା କରିବା ପାଇଁ ଯାଇଥିଲେ। ହଠାତ୍ ଆମ ଦଳର କିଛି ନେତା ପ୍ରସାଦ ହରିଚନ୍ଦନଙ୍କୁ ପିସିସି ସଭାପତି ପଦରୁ ହଟାଯାଉ ବୋଲି ଦାବି କଲେ। ଏହା ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଲା। ଏଣୁ ପ୍ରସାଦ ହଟିଯିବେ ବୋଲି ଲୋକଙ୍କ ମନରେ ଧାରଣା ସୃଷ୍ଟି ହେଲା।  ଏହି କାରଣ ପାଇଁ କଂଗ୍ରେସ ପଞ୍ଚାୟତ ଭୋଟରେ ବିଫଳ ହେଲା। ଏବେ ଆମେ ସମସ୍ତେ ଏକାଠି ହୋଇଛୁ। ଆଗାମୀ ନିର୍ବାଚନରେ କଂଗ୍ରେସ ଜିତିବ।

ଆଗାମୀ ନିର୍ବାଚନରେ କଂଗ୍ରେସ ପୁଣି କ୍ଷମତାକୁ ଫେରିବ କି?

ଆଗାମୀ ଦିନରେ ହେବାକୁ ଥିବା ପୌର ଏବଂ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ନିଶ୍ଚିତ ଜିତିବ। ବିଧାନସଭା ଭୋଟରେ କଂଗ୍ରେସ ୮୫ ଆସନରେ ଜିତିବ ଏବଂ ୧୫ଟି ଲୋକସଭା ଆସନ ମଧ୍ୟ ଆମେ ଦଖଲ କରିବୁ।

ସାକ୍ଷାତକାର: ସତ୍ୟବ୍ରତ ପାଢ଼ୀ

Comment