ଭାସ୍କର ପରିଚ୍ଛା

ନିକଟରେ ମାନ୍ୟବର ସୁପ୍ରିମ କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଏହି ରାୟ ଅନୁଯାୟୀ ସମଗ୍ର ଦେଶରେ ଥିବା ଡିମ୍ଡ ବିଶ୍ୱବିଦ୍ୟାଳୟ ଆସନ୍ତା ଶିକ୍ଷା ବର୍ଷଠାରୁ ପତ୍ର ବିନିମୟ ପାଠ୍ୟକ୍ରମ ବା ଡିଷ୍ଟାନସ୍ ଶିକ୍ଷା ମାଧ୍ୟମରେ କୌଣସି କୋର୍ସ ଚଳାଇପାରିବେ ନାହିଁ। ଏଥିପାଇଁ ସେମାନଙ୍କୁ ଆଗୁଆ ଅନୁମତି ନେବାକୁ ପଡ଼ିବ। ଏହି ବିଶ୍ଵବିଦ୍ୟାଳୟ ମାନେ ୨୦୧୮-୧୯ ବର୍ଷଠାରୁ ଯଦି ଦୂରଶିକ୍ଷା ଜରିଆରେ କୌଣସି ଡିଗ୍ରୀ ପ୍ରଦାନ କରନ୍ତି ସେଥିପାଇଁ ସେମାନେ ୟୁଜିସି ଓ ଏଆଇସିଟିଇ ଭଳି ନିୟନ୍ତ୍ରଣ ସଂସ୍ଥା ପାଖରୁ ଅନୁମତି ନେବାକୁ ବାଧ୍ୟ।ଏଥି ସହିତ ସୁପ୍ରିମକୋର୍ଟ ସିବିଆଇକୁ ନିର୍ଦେଶ ଦେଇଛନ୍ତି ଯେ ଯେଉଁ ୪ଟି ବିଶ୍ୱବିଦ୍ୟାଳୟକୁ ପିଛିଲା ତାରିଖରୁ ଅନୁମତି ଦିଆଯାଇଛି ତାହାର ବିଧି ବଦ୍ଧ ତଦନ୍ତ ହେବା ଦରକାର।

୨୦୦୧ ପରଠାରୁ ୪ଟି ବିଶ୍ୱବିଦ୍ୟାଳୟ ଡ଼ିଷ୍ଟାନ୍ସ ମୋଡ଼ରେ ପିଲାମାନଙ୍କୁ ଇଂଜିନିୟରିଂ ଡିଗ୍ରୀ ଦେଇ ଆସୁଛନ୍ତି।ଏଥି ମଧ୍ୟରୁ ୨ଟି ରାଜସ୍ଥାନରେ, ଗୋଟିଏ ଲେଖା ଉତ୍ତରପ୍ରଦେଶ ଓ ତାମିଲନାଡୁରେ ରହିଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ ରାୟ ଦେଇଛନ୍ତି ତାହା ଆଇନ ଦୃଷ୍ଟିରୁ ଠିକ୍ ହୋଇପାରେ। କିନ୍ତୁ ଯେଉଁମାନେ ୧୦ ବର୍ଷ ତଳେ ଏହି ୪ ବିଶ୍ଵବିଦ୍ୟାଳୟରୁ ଇଂଜିନିୟରିଂ ଡିଗ୍ରୀ ହାସଲ କରିଥିଲେ ଏହି ରାୟରେ ସେମାନଙ୍କ ପାଇଁ ଏକ ରକମ ଅନ୍ୟାୟ କରାଯାଇଛି। ଅବଶ୍ୟ ଛାତ୍ରଛାତ୍ରୀମାନେ ଜାଣିବା ଦରକାର ଥିଲା ଯେ ଦୂର ପାଠ୍ୟକ୍ରମ ଜରିଆରେ ଯେଉଁମାନେ ଡିଗ୍ରୀ ପ୍ରଦାନ କରୁଛନ୍ତି ତାହା ଆଇନ ଅନୁଯାୟୀ ବୈଧ ନୁହେଁ। ତେବେ ଏଥିରେ ପିଲାଙ୍କର ବି କିଛି ଭୁଲ ନାହିଁ କାରଣ ୟୁଜିସି ହିଁ ସେହି ୪ ବିଶ୍ବବିଦ୍ୟାଳୟକୁ ଡିମ୍ଡ ବିଶ୍ୱବିଦ୍ୟାଳୟର  ଅନୁମତି ପ୍ରଦାନ କରିଥିଲେ। ସେହିଭଳି ଏଆଇସିଟିଇ ମଧ୍ୟ ତଦାରଖ କରିବା ଉଚିତ ଥିଲା ଯେ ଏହି ୪ଟି ବିଶ୍ଵବିଦ୍ୟାଳୟ କେବଳ ଅନୁମତିପ୍ରାପ୍ତ ପାଠ୍ୟକ୍ରମ ହିଁ ଚଲା ଇବେ।

ଖାଲି ୟୁଜିସି ବା ଏଆଇସିଟିଇ ନୁହେଁ ସୁପ୍ରିମକୋର୍ଟ ମଧ୍ୟ ଏଥିପାଇଁ କିଛି ପରିମାଣରେ ଦାୟୀ। ୨୦୦୬ ମସିହାରେ ଏ ନେଇ  ଏକ ମାମଲା ରୁଜୁ ହୋଇଥିଲା ଯେଉଁଥିରେ କି ଡିମ୍ଡ ବିଶ୍ୱବିଦ୍ୟାଳୟର କାର୍ଯ୍ୟଧାରାକୁ ନିୟନ୍ତ୍ରଣ କରିବା ପାଇଁ ଆବେଦନ କରିଥିଲେ ଆବେଦନକାରୀ। କିନ୍ତୁ ସୁପ୍ରିମକୋର୍ଟରେ ଦୀର୍ଘ ୧୦ ବର୍ଷ କାଳ ଏହି ମାମଲାଟି ବିଚାର ନ ହୋଇ ପଡିଥିଲା ଯାହାର ରାୟ ଏବେ ପ୍ରକାଶ ପାଇଛି।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ନିଯୁକ୍ତ ପ୍ରୋଫେସର ପି ଏନ ଟଣ୍ଡନ କମିଟି ଦେଶର ୧୩୦ ମଧ୍ୟରୁ ୧୨୬ଟି ଡିମ୍ଡ ବିଶ୍ୱବିଦ୍ୟାଳୟର କାର୍ଯ୍ୟକଳାପକୁ ଅନୁଧ୍ୟାନ କରି କହିଥିଲା ଯେ ଏହି ୧୨୬ଟି ଡିମ୍ଡ ବିଶ୍ୱବିଦ୍ୟାଳୟ ମଧ୍ୟରୁ ମାତ୍ର ୩୮ଟି ସମସ୍ତ ଆବଶ୍ୟକତାକୁ ପୂରଣ କରୁଛନ୍ତି ଏବଂ ଡିମ୍ଡ ବିଶ୍ୱବିଦ୍ୟାଳୟ ଲେଖିବା ପାଇଁ ହକଦାର।ଏହା ୨୦୦୯ର କଥା।ଇତି ମଧ୍ୟରେ ଗଙ୍ଗା ଓ ମହାନଦୀରେ ବହୁ ପାଣି ବହି ଯାଇଛି ଓ ଡିମ୍ଡ ବିଶ୍ୱବିଦ୍ୟାଳୟ ଗୁଡ଼ିକ ବେଲଗାମ ସେମାନଙ୍କର ସନ୍ଦେହଜନକ କାର୍ଯ୍ୟ ଚଳାଇ ରଖିଛନ୍ତି। ଏଥିସହିତ ଟଣ୍ଡନ କମିଟି କହିଥିଲା ଯେ ୪୪ଟି ବିଶ୍ୱବିଦ୍ୟାଳୟକୁ ଡିମ୍ଡ ମାନ୍ୟତା ବଜାୟ ରଖିବାକୁ ହେଲେ ନିଜକୁ ଅପଗ୍ରେଡ଼ କରିବାକୁ ପଡ଼ିବ। ଆଉ ୪୪ଟି ଡିମ୍ଡ ବିଶ୍ବବିଦ୍ୟାଳୟର ସ୍ୱୀକୃତି ଫେରାଇ ଆଣିବା ପାଇଁ କମିଟି ସୁପାରିଶ କରିଥିଲେ। ଏଥିରୁ ଓଡିଶାର ୩ଟି ଡିମ୍ଡ ବିଶ୍ଵବିଦ୍ୟାଳୟ ରହିଛି ଯାହା ଉପରେ ଅଙ୍କୁଶ ଲାଗିଥିଲା।

ସନ୍ଦେହ ଘେରରେ ୪ ବିଶ୍ୱବିଦ୍ୟାଳୟ

ପ୍ରସଙ୍ଗକ୍ରମେ, ଯେଉଁ ୪ଟି ବିଶ୍ୱବିଦ୍ୟାଳୟ ଏବେ ସନ୍ଦେହ ଘେରରେ ପଡିଛନ୍ତି ସେଗୁଡ଼ିକର ନାମ ବି ଟଣ୍ଡନ କମିଟି ରିପୋର୍ଟରେ ଥିଲା। କିନ୍ତୁ ନା ୟୁଜିସି ନା ଏଆଇସିଟିଇ ନା ସୁପ୍ରିମକୋର୍ଟ କେହି ବି ଏହି ଡିଗ୍ରୀ ପ୍ରଦାନକୁ ବାତିଲ କରିବା ପାଇଁ କହିଥିଲେ। ଅନ୍ୟ ପକ୍ଷରେ ଏହି ବିଶ୍ୱବିଦ୍ୟାଳୟଗୁଡିକୁ ପୁଣି ଥରେ ଗ୍ରେଡ଼ିଂ କରିବା ପାଇଁ କୁହାଯାଇଥିଲା।ଏବେ ପାଞ୍ଚବର୍ଷ ପରେ ସେହି ସବୁ ଡିଗ୍ରୀକୁ ଅବୈଧ କହିଛନ୍ତି ସୁପ୍ରିମକୋର୍ଟ।

ଘଟଣାବଶତଃ, ଏହି ମାମଲାଟି ଓଡିଶାର। ଉଠା ଜଳସେଚନ ନିଗମ ବନାମ ରବି ଶଙ୍କର ପାତ୍ର ମାମଲାରେ ୫ ବର୍ଷ ପରେ ସର୍ବୋଚ୍ଚ ନ୍ୟାୟାଳୟ ଚେଇଁଛନ୍ତି ବୋଲି ଧରି ନେବାକୁ ପଡ଼ିବ। ଏତେ ବର୍ଷର ବ୍ୟବଧାନ ପରେ ଚାକିରିଆମାନଙ୍କ ଡିଗ୍ରୀକୁ ବାତିଲ ନିର୍ଦେଶ କଣ ନ୍ୟାୟୋଚିତ? କୌଣସି ମାଲପ୍ର।କ୍ଟିସ୍ କରିନ ଥିବା ବେଳେ ଓ ନିଜର କୌଣସି ଭୁଲ ନଥାଇ ପିଛିଲା ତାରିଖରୁ ସେମାନଙ୍କୁ ଦଣ୍ଡିତ କରିବା କଣ ଯଥାର୍ଥ? ପ୍ରକୃତରେ ଏହି ୪ ଅସାଧୁ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଠକିଥିଲେ। ଏଣୁ ସୁପ୍ରିମକୋର୍ଟ ଏହି ରାୟର ପୁନର୍ବିଚାର କରିବା ଦରକାର।

ଡିମ୍ଡ ବିଶ୍ଵବିଦ୍ୟାଳୟ ସମ୍ପର୍କିତ ସୁପ୍ରିମକୋର୍ଟ ରାୟର ଆଉ ଏକ ଦିଗ ମଧ୍ୟ ରହିଛି। କୋର୍ଟ କହିଛନ୍ତି ଯେ ୨୦୧୮ ପରଠାରୁ ପ୍ରତ୍ୟେକ ଡିଷ୍ଟାନ୍ସ ପାଠ୍ୟକ୍ରମ ତନ୍ନତନ୍ନ ଭାବେ ଯାଞ୍ଚ ନହେବା ଯାଏଁ କୌଣସି ବିଶ୍ୱବିଦ୍ୟାଳୟ ଏଭଳି ଡିଗ୍ରୀ ପ୍ରଦାନ କରିବେ ନାହିଁ। ଦେଶରେ ଗୁଣାତ୍ମକ ଶିକ୍ଷାର ବିକାଶ  ଦୃଷ୍ଟିରୁ ସୁପ୍ରିମକୋର୍ଟ ଠିକ୍ କହିପାରୁଥାନ୍ତି କିନ୍ତୁ ଏହା ଲାଭ ଅପେକ୍ଷା ଅଧିକ କ୍ଷତିକାରକ ହେବ। ଭାରତରେ ଉଚ୍ଚ ଓ ବୈଷୟିକ ଶିକ୍ଷା ବ୍ୟବସ୍ଥା ଯାହା ଓ ବିଶ୍ଵ ବିଦ୍ୟାଳୟର ଅଭାବ ଦେଖାଦେଇଥିବା ବେଳେ କୌଣସି ପ୍ରକାର ଶିକ୍ଷା ସଂକୋଚନ ନିର୍ଦେଶ ଠିକ୍ ନୁହେଁ। ଏହାର ଅର୍ଥ ନୁହେଁ ଯେ ଡିମ୍ଡ ବିଶ୍ଵବିଦ୍ୟାଳୟଗୁଡ଼ିକ ସେମାନଙ୍କ ଶିକ୍ଷା ପ୍ରଦାନରେ ଉନ୍ନତି ଆଣିବେ ନାହିଁ। ୟୁଜିସି ଏ ଦିଗରେ ତତ୍ପର ହେବା ଆବଶ୍ୟକ ଏବଂ ଡିମ୍ଡ ବିଶ୍ୱବିଦ୍ୟାଳୟ ଉପରେ ଯେଉଁ ସନ୍ଦେହର ବାଦଲ ଛାଇ ହୋଇଛି ତାହା ହଟିବା ଦରକାର।

Comment