ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀ ଟ୍ରିବ୍ୟୁନାଲକୁ ନେଇ ବିବାଦ ଘନଉଛି। କେନ୍ଦ୍ର ସରକାର ଏଦିଗରେ କୌଣସି ପଦକ୍ଷେପ ନନେବାରୁ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କେନ୍ଦ୍ର ଉପରେ ବର୍ଷିଛନ୍ତି।
ଆବେଦନର ଅବଧିକୁ ପୁରିଲା ବର୍ଷେ। ହେଲେ ଗଠନ ହୋଇ ପାରିଲାନି ମହାନଦୀ ଟ୍ରିବ୍ୟୁନାଲ। ଏହାକୁ ନେଇ ବିଜେଡି ନେତା ଅସନ୍ତୋଷ ଜାହିର କରିଥିବା ବେଳେ ଆଜି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ବର୍ଷିଛନ୍ତି। ପ୍ରେସ୍ ବିଜ୍ଞପ୍ତି ଜାରି କରି ସିଧାସଳଖ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, “ଜଳ ବିବାଦ ଆଇନର ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ଆବେଦନ କରିବାର ବର୍ଷକ ମଧ୍ୟରେ କେନ୍ଦ୍ର ସରକାର ଏ ଦିଗରେ ନିଷ୍ପତ୍ତି ନେବାର ଆବଶ୍ୟକତା ଥିଲା। ହେଲେ କେନ୍ଦ୍ର ସରକାର ଆଇନ ଉଲ୍ଲଂଘନ କରିଛନ୍ତି। ଟ୍ରିବ୍ୟୁନାଲ ଗଠନ ସମ୍ପର୍କରେ କେନ୍ଦ୍ର କୌଣସି ନିଷ୍ପତ୍ତି ନନେଇ ସୁପ୍ରିମକୋର୍ଟଙ୍କ ନିକଟରେ ଦେଇଥିବା ପ୍ରତିଶ୍ରୁତି ଭଙ୍ଗ କରିଛନ୍ତି। ଓଡ଼ିଶାବାସୀଙ୍କୁ କେନ୍ଦ୍ର ଧୋକା ଦେଇଛି।”
୨୦୧୭ ନଭେମ୍ବର ୧୯ରେ ଟ୍ରିବ୍ୟୁନାଲ ଗଠନ ପାଇଁ ଓଡ଼ିଶା ସରକାର କେନ୍ଦ୍ର ନିକଟରେ ଆବେଦନ କରିଥିଲେ। ପରେ ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲେ। ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ସରକାର କ୍ୟାବିନେଟ ନୋଟ ପ୍ରସ୍ତୁତ କରିଥିଲେ। ସୁପ୍ରିମକୋର୍ଟରେ ଶୁଣାଣି ବେଳେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ପ୍ରସଙ୍ଗ କଥା କହିଥିଲେ। ହେଲେ ଏପର୍ଯ୍ୟନ୍ତ କିଛି ସୁଫଳ ମିଳିନି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାରମ୍ବାର ଚିଠି ଲେଖିଛନ୍ତି। ହେଲେ କେନ୍ଦ୍ର ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ।