ଓଡ଼ିଶାଲାଇଭ୍‍ ବ୍ୟୁରୋ

ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ହେବା ରାସ୍ତା ସଫା ହୋଇଛି। ସୋମବାର ଦିନ ସୋନିଆ ଗାନ୍ଧିଙ୍କ ଘରେ ବସିଥିଲା କଂଗ୍ରେସ କାର୍ଯ୍ୟ ସମିତିର ଏକ ମାରାଥନ ବୈଠକ। ଏଥିରେ ରାହୁଲ ଗାନ୍ଧିଙ୍କ ସଭାପତି ଭାବେ ଅବସ୍ଥାପିତ ହେବା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ବହୁ ଦିନର ହଁ ନାହିଁ ପରେ ଏହି ନିଷ୍ପତ୍ତି ନିଆଯାଇଛି ଯେ ରାହୁଲ ଗାନ୍ଧିଙ୍କ ରାଜାଭିଷେକକୁ ଆଉ ଅଧିକ ସମୟ ଧରି ଗଡେଇ ଦିଆଯିବା ଠିକ୍ ହେବନି।

ସ୍ଥିର କରାଯାଇଛି ଯେ ଡିସେମ୍ବର ମାସ ପହିଲାରେ ନୂଆ ସଭାପତି ନିର୍ବାଚନ ସମ୍ପର୍କିତ ଅଧିସୂଚନା ଜାରି କରାଯିବ। ଏଥିପାଇଁ ୪ ଡିସେମ୍ବର ଦିନ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହେବ। ଡିସେମ୍ବର ୫ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ ହେବ ଓ ୧୧ ତାରିଖ ସୁଦ୍ଧା ପ୍ରାର୍ଥୀ ପତ୍ର ଫେରସ୍ତ ନିଆଯାଇପାରିବ। ୧୬ ତାରିଖରେ ଭୋଟ ଗ୍ରହଣ କରାଯିବ। ୧୯ ତାରିଖରେ ଭୋଟ ଗଣତି ହେବ ଏବଂ ସେହି ଦିନ ହିଁ ଫଳ ଘୋଷଣା କରାଯିବ। ଯଦି ସଭାପତି ପଦ ପାଇଁ ଅନ୍ୟ କେହି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ ନକରନ୍ତି ତେବେ ୧୧ ତାରିଖରେ ହିଁ ଆନୁଷ୍ଠାନିକ ଭାବେ ରାହୁଲ ଗାନ୍ଧିଙ୍କ ନାମ ଘୋଷଣା ହେବ।

ଅଭିଜ୍ଞ ମହଲର ଆଲୋଚନା ଅନୁସାରେ ରାହୁଲ ଗାନ୍ଧିଙ୍କ ବିପକ୍ଷରେ ଆଉ କେହି ପ୍ରାର୍ଥୀ ଭାବେ ଛିଡା ହେବେ ସେଇ ସମ୍ଭାବନା ଆଦୌ ନାହିଁ।

୧୧ ତାରିଖରେ ହିଁ ରାହୁଲ ଗାନ୍ଧି କଂଗ୍ରେସ ସଭାପତି ଭାବରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବୋଲି ଘୋଷଣା କରାଯିବ। ଆଲୋଚନା ଅନୁସାରେ ଯଦି ୧୧ ପୂର୍ବରୁ ରାହୁଲ କଂଗ୍ରେସ ସଭାପତି ଭାବେ ନିଯୁକ୍ତ ହୋଇଯାଉଛନ୍ତି ଏହା ଗୁଜରାଟ ନିର୍ବାଚନରେ ଦଳ ପାଇଁ ଫାଇଦା ହେବ। ଗୁଜରାଟରେ ୧୪ ଡିସେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବାକୁ ଯାଉଛି।

ଆକଳନ କରାଯାଇଛି ଯେ ‘ସର୍ବସମ୍ମତି କ୍ରମେ’ କଂଗ୍ରେସ ସଭାପତି ନିର୍ବାଚିତ ହେବା ନିଜେ ରାହୁଲ ଗାନ୍ଧି ଚାହୁଁଛନ୍ତି। ଦୀର୍ଘ ସମୟ ଧରି ଦଳର ବରିଷ୍ଠ ନେତା ତାଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଁ ଦାବି କରି ଆସୁଥିଲେ। ଏବେ ତାହା ବାସ୍ତବ ହେବାକୁ ଯାଉଛି।

ରାହୁଲ କଂଗ୍ରେସ ଅଧ୍ୟକ୍ଷ ଭାବେ କାର୍ଯ୍ୟ ଆରମ୍ଭ କରିବା ପରେ ଦଳରେ ନୂଆ ଜୀବନ ସଞ୍ଚାର ହେବା ଆଶା କରାଯାଉଛି। ଏହି ନୂଆ ଦାୟିତ୍ୱ ଗ୍ରହଣ ସହିତ ଦେଶର ରାଜନୀତିରେ ମଧ୍ୟ ହଲଚଲ ସୃଷ୍ଟି ହେବ ବୋଲି ଅନୁମାନ କରାଯାଉଛି।

Comment