ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଏବଂ ସୂର୍ଯ୍ୟନାରାୟଣ ପାତ୍ର। ଫସଲ କ୍ଷୟକ୍ଷତି ଆକଳନକୁ ନେଇ ବିଜେଡିର ଏହି ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଛି ବାକ୍‌ଯୁଦ୍ଧ। ଏହାକୁ ନେଇ ରାଜ୍ୟ ରାଜନୀତି ପୁଣି ସରଗରମ୍‌ ହୋଇଯାଇଛି।

  • ସୂର୍ଯ୍ୟ କହିଲେ, “ଠିକରେ ହେଉନି କ୍ଷୟକ୍ଷତି ଆକଳନ।”
  • ଦାମ କହିଲେ, “ସେ ରାଜସ୍ବ ମନ୍ତ୍ରୀ ଥିଲେ। ଏଣୁ ସେ ଜାଣିଛନ୍ତି କ୍ଷୟକ୍ଷତି ଆକଳନ କିପରି ହୁଏ।”

ଅଦିନିଆ ବର୍ଷା ଛଡ଼ାଇ ନେଇଛି ଚାଷୀ ମୁହଁରୁ ହସ। ଭାଙ୍ଗି ଦେଇଛି ମେରୁଦଣ୍ଡ। ଏହାର କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ନିର୍ଦ୍ଦେଶ। ହେଲେ କୃଷି ଅଧିକାରୀମାନେ କ୍ଷେତ୍ର ପରିଦର୍ଶନରେ ଯାଉ ନାହାନ୍ତି କହି ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କୃଷି ବିଭାଗ ଉପରେ ଆଙ୍ଗୁଳି ଉଠାଇଛନ୍ତି। ଏପଟେ ସୂର୍ଯ୍ୟଙ୍କ ମୁରବୀ ପଣିଆକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଦାମ। ସୂର୍ଯ୍ୟଙ୍କ ମନ୍ତବ୍ୟ ଉପରେ ଦାମ ଦେଇଛନ୍ତି ମୁହଁତୋଡ ଜବାବ।

ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, “କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରି କୃଷି ଅଧିକାରୀମାନେ ୨୫ ତାରିଖ ପୂର୍ବରୁ ରିପୋର୍ଟ ଦେବାକୁ କହିଥିଲେ ମୁଖ୍ୟମନ୍ତ୍ରୀ। ହେଲେ କୃଷି ଅଧିକାରୀମାନେ କ୍ଷେତ୍ର ପରିଦର୍ଶନରେ ଯାଉ ନାହାନ୍ତି। ଲୋକମାନେ ମୋତେ ଅଭିଯୋଗ କରିବା ପରେ କୃଷି ଅଧିକାରୀଙ୍କୁ ଗାଳି ଦେବାରୁ ସେମାନେ ଆଜି କ୍ଷେତ୍ର ପରିଦର୍ଶନରେ ଯାଇଛନ୍ତି।”

ଡାକ୍ତର ଦାମୋଦର ରାଉତ କହିଛନ୍ତି, “ସେ ରାଜସ୍ବ ବିଭାଗ ମନ୍ତ୍ରୀ ଥିଲେ। ଏଣୁ ସେ ଜାଣିଥିବେ କେମିତି କ୍ଷୟକ୍ଷତି ଆକଳନ ହୁଏ। କ୍ଷୟକ୍ଷତି ଆକଳନ ରିପୋର୍ଟ କୃଷି ବିଭାଗ ଦିଏ ନାହିଁ। ତହସିଲଦାର ଏହି ରିପୋର୍ଟ ଦେଇଥାନ୍ତି। ତାଛଡ଼ା କ୍ଷୟକ୍ଷତି ଆକଳନ ଠିକଠାକ୍ ଚାଲିଛି। ଠିକ୍‌ ସମୟରେ ରିପୋର୍ଟ ଆସିବ।”

ପୂର୍ବରୁ ଦାମ-ସୂର୍ଯ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି। ବିଧାନସଭାଠୁ ଆରମ୍ଭ କରି ବିଧାନସଭା ବାହାରେ ଦାମ-ସୂର୍ଯ୍ୟଙ୍କ କଳି ବିଗତ ଦିନରେ ଉଗ୍ରରୂପ ଧାରଣ କରିଥିଲା। ଏବେ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଦାମଙ୍କ କୃଷି ବିଭାଗରେ ମୁଣ୍ଡ ଖେଳାଇ ନୂଆ ବିବାଦ ସୃଷ୍ଟି କରିଛନ୍ତି।

ଅଦିନିଆ ଫସଲଜନିତ କ୍ଷୟକ୍ଷତି ଆକଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିଲେ ନିର୍ଦ୍ଦେଶ। ୨୫ ତାରିଖ ଭିତରେ ରିପୋର୍ଟ ଦେବାକୁ କୁହାଯାଇଥିଲା। ମାତ୍ର ୨୫ ତାରିଖ ହେବାକୁ ଆଉ ଗୋଟିଏ ଦିନ ବାକି ଥିବା ବେଳେ ଏପର୍ଯ୍ୟନ୍ତ ରିପୋର୍ଟ ଆସିନାହିଁ।

 

LEAVE A REPLY

Please enter your comment!
Please enter your name here