ଓଡ଼ିଶାଲାଇଭ୍ ସ୍ୱତନ୍ତ୍ର ପ୍ରତିନିଧି

 ଫେସବୁକରେକଟକରୁ ରାଜଧାନୀଗୀତକୁ ନେଇ ସପକ୍ଷ ବିପକ୍ଷ ପ୍ରତିକ୍ରିୟାରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ ଅକ୍ଷୟ ମହାନ୍ତିଙ୍କ ଲେଖା ସଂଗୀତରେ ଦମ୍ ଅଛି ନହେଲେ ମାତ୍ର ୭୨ ଘଣ୍ଟା ଭିତରେ ହଜାରରୁ ଅଧିକ ଲୋକ ଏହାକୁ ସୋସିଆଲ୍ ମିଡିଆରେ ସେୟାର କରିନଥାନ୍ତେ କି ଏହା ଚଟାପଟ୍ ୬୭ ହଜାରରୁ ଅଧିକ ଭିଡିଓ ଭ୍ୟୁଜରେ ପହଞ୍ଚିପାରି ନଥାନ୍ତା

ଲୋକପ୍ରିୟ ବଲିଉଡ୍ ଗାୟିକା ଊଷା ଉଥୁପ ଗାଇଥିବା ଆଧୁନିକ ଓଡ଼ିଆ ଗୀତ ‘କଟକରୁ ରାଜଧାନୀ’କୁ ନେଇ ସୋସିଆଲ୍ ମିଡିଆରେ ଝଡ଼। ଓଡ଼ିଶାଲାଇଭ୍ ଫେସବୁକ୍‌ ପେଜ୍‌ରେ ପୋଷ୍ଟ ହୋଇଥିବା ଏହି ଗୀତ ଉପରେ ଦର୍ଶକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି।

ଅନେକ ଦର୍ଶକ ଏହାକୁ ଏକ ଚମତ୍କାର ସଂଗୀତ ବୋଲି କହି ତା’ର ମଜା ନେଉଥିବା ବେଳେ ଅନ୍ୟ କେତେ ଜଣ ଏହି ଗୀତରେ ଭୁବନେଶ୍ୱର ତୁଳନାରେ କଟକକୁ ନ୍ୟୂନ କରି ଦେଖାଯାଇଛି ବୋଲି ପ୍ରଶ୍ନ ଉଠାଇଛନ୍ତି।

ଓଡ଼ିଶାଲାଇଭ୍ ଫେସବୁକ୍ ପେଜରେ ପୋଷ୍ଟ ହେବାର ମାତ୍ର ୭୨ ଘଣ୍ଟାରେ ଏହି ଗୀତଟି ୬୭ ହଜାରରୁ ଅଧିକ ଭ୍ୟୁଜ୍‌ରେ ପହଞ୍ଚିପାରିଛି। ସେହିପରି ଏହାକୁ ଏକ ହଜାରରୁ ଅଧିକ ଫେସବୁକ୍ ୟୁଜର ସେୟାର କରିଛନ୍ତି। କେବଳ ସେତିକି ନୁହେଁ ୧,୭୦,୧୫୮ଜଣ ଦେଖିଥିବା ଏହି ଭିଡିଓ ପୋଷ୍ଟକୁ ୨୦୦୦ରୁ ଅଧିକ ଲୋକ ଲାଇକ୍ କରିଛନ୍ତି।

ଗୀତ ନେଇ ଉଭୟ ସମାଲୋଚନା ଓ ପ୍ରଶଂସା

ଭୁବନେଶ୍ୱରର ପ୍ରତିବର୍ଷ ଅନୁଷ୍ଠିତ ଜାତୀୟ ତୋଶାଳୀ କ୍ରାଫ୍ଟସ ମେଳାରେ ଊଷା ଉଥୁପ କିଛି ବର୍ଷ ତଳେ ଏହି ଗୀତଟି ଗାଇଥିଲେ। ଓଡ଼ିଶାଲାଇଭ୍ ପକ୍ଷରୁ ଏହି ଗୀତଟି ୟୁଟ୍ୟୁବରେ ମଧ୍ୟ ଆଗରୁ ପୋଷ୍ଟ ହୋଇଛି। ଏହାକୁ ୟୁଟ୍ୟୁବରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୪ ହଜାର ଦର୍ଶକ ଦେଖିଛନ୍ତି।

ଓଡ଼ିଶାଲାଇଭ୍ ଫେସବୁକ୍ ପେଜରେ ଊଷା ଉଥୁପଙ୍କ ଏହି ଗୀତ ଉପରେ ୬୦ରୁ ଅଧିକ କମେଣ୍ଟ ଓ କାଉଣ୍ଟର କମେଣ୍ଟ ଆସିଛି। ଯେପରି ଜଣେ ଫେସବୁକ୍ ୟୁଜର ମନୋଜ ପଣ୍ଡା ଲେଖିଛନ୍ତି ଯେ କଟକକୁ ତଳିଆ ନଜରରେ ଦେଖିବା ସହ ଭୁବନେଶ୍ୱରକୁ ଉଚ୍ଚାକରି ବର୍ଣ୍ଣନା କରାଯାଇଛି। କଟକ ହେଉଛି ଭାଇଚାରାର ସହର।

ତେବେ ଅନ୍ୟପକ୍ଷରେ ଆଉ ଜଣେ ଫେସବୁକ୍ ୟୁଜର ମାନସୀ ଦାସ ତାଙ୍କ କମେଣ୍ଟରେ ଲେଖିଛନ୍ତି ଯେ କଟକକୁ ଭୁବନେଶ୍ୱର ସହ ତୁଳନା କରନ୍ତୁ ନାହିଁ କାରଣ ପ୍ରତ୍ୟେକ ସହରର ନିଜସ୍ୱ ପରିଚୟ ରହିଛି।

ଏହିସବୁ ମନ୍ତବ୍ୟ ବାଦ୍‌ କେହି କେହି ଗୀତର ସଂଗୀତକୁ ପସନ୍ଦ କରିଥିବା ବେଳେ ଅନ୍ୟ କେହି ଊଷା ଉଥୁପଙ୍କ ଗାୟିବା ଶୈଳୀକୁ ‘ସୁପର’ ବୋଲି କହି ପ୍ରଶଂସା କରିଛନ୍ତି।

ଅକ୍ଷୟ ମହାନ୍ତିଙ୍କ ଗୀତ ଓ ସଂଗୀତ

‘କଟକରୁ ରାଜଧାନୀ’ ଅକ୍ଷୟ ମହାନ୍ତିଙ୍କ ଏକ ଲୋକପ୍ରିୟ ଆଧୁନିକ ଗୀତ। ଆଜିଠୁ ପ୍ରାୟ ୨୫/ ୩୦ ବର୍ଷ ତଳେ ଖୋକାଭାଇଙ୍କ ଲେଖା ଓ ସଂଗୀତରେ ପ୍ରସ୍ତୁତ ଏହି ଗୀତଟି ଊଷା ଉଥୁପଙ୍କ ସ୍ୱରରେ ଗ୍ରାମୋଫୋନ୍ ରେକର୍ଡ ଆକାରରେ ମୁକ୍ତିଲାଭ କରିଥିଲା। ଊଷା  ଉଥୁପ ଏହି କିଛି ବର୍ଷ ତଳେ ଭୁବନେଶ୍ୱର ଆସିଥିବା ବେଳେ ଅକ୍ଷୟ ମହାନ୍ତିଙ୍କୁ ମନେପକାଇ ଏହାକୁ ଗାଇଥିଲେ।

“ଅକ୍ଷୟ ମହାନ୍ତିଙ୍କ ହୃଦୟ ବେଶ୍ ବଡ଼। ସେ କଟକ ବା ଭୁବନେଶ୍ୱରର କୌଣସି ସଂକୀର୍ଣ୍ଣତା ଭିତରେ ବାନ୍ଧି ହୋଇ ରହିନଥିଲେ। ଅସଲରେ ‘କଟକ’ର ଅର୍ଥ ହେଉଛି ରାଜଧାନୀ। ଭୁବନେଶ୍ୱର ହେଉଛି ନୂଆ ରାଜଧାନୀ। ସେତେବେଳେ ଅକ୍ଷୟ ମହାନ୍ତି ଏକ ସାମାଜିକ ବ୍ୟଙ୍ଗ ଛଳରେ ଏହି ଗୀତଟିକୁ ପରିବେଷଣ କରିଥିଲେ। ତେଣୁ ଗୀତରେ କଟକ ସହରକୁ ନ୍ୟୂନ କରି ଦେଖାଯାଇଛି ବୋଲି ଭାବିବା ଠିକ୍ ନୁହେଁ’’, କହିଛନ୍ତି ସଂଗୀତ ନିର୍ଦ୍ଦେଶକ ଓମ୍ ପ୍ରକାଶ ମହାନ୍ତି।

“ଆଜିର ସୋସିଆଲ୍ ଯୁଗରେ ଆମେ କୌଣସି ବିଷୟର ପୃଷ୍ଠଭୂମି ବା ଗଭୀରତାକୁ ନଯାଇ ଚଟାପଟ୍ କମେଣ୍ଟ ଦେବାରେ ସିଦ୍ଧହସ୍ତ। ସେତେବେଳର କଟକ ସହରର ସାମାଜିକ ଓ ଭୌଗୋଳିକ ଚିତ୍ର ତଥା ନୂଆ ରାଜଧାନୀ ଭୁବନେଶ୍ୱରର ନୂଆ ଆକର୍ଷଣକୁ ଆଖି ଆଗରେ ରଖି ଅକ୍ଷୟ ମହାନ୍ତି ହୁଏତ ଏଭଳି ଏକ ଗୀତ ଲେଖିଥିଲେ। ତେଣୁ ଗୀତ ଓ ସଂଗୀତ ସହ ସବୁବେଳେ ତା’ର କନଟେକ୍ସଟକୁ ଦେଖି ବିଚାର କଲେ ହୁଏତ ଏଭଳି ପ୍ରଶ୍ନ ଉଠନ୍ତା ନାହିଁ’’, କହିଛନ୍ତି କବି ଡକ୍ଟର ଦୀପକ ସାମନ୍ତରାୟ।

ଡକ୍ଟର ଦୀପକ ସାମନ୍ତରାୟ ଦୀର୍ଘ ଦିନ ରେଡିଓରେ କାମ କରିବା ସହ ପରବର୍ତ୍ତୀ ସମୟରେ ଆକାଶବାଣୀ ଓ ଦୂରଦର୍ଶନ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ତାଲିମ ପ୍ରତିଷ୍ଠାନର (ଏନଏବିଏମ) ନିର୍ଦ୍ଦେଶକ ଭାବେ ଅବସର ଗ୍ରହଣ କରିଛନ୍ତି। ସେହିପରି ଓମ୍ ପ୍ରକାଶ ମହାନ୍ତି ଜଣେ ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ଏବଂ ଆକାଶବାଣୀ କଟକ ସହ ଦୀର୍ଘ ଦିନରୁ ସମ୍ପୃକ୍ତ। ଉଭୟ କଟକର ସ୍ଥାୟୀ ବାସିନ୍ଦା।

“କଟକକୁ ନେଇ ଅକ୍ଷୟ ମହାନ୍ତି ସାହିତ୍ୟ ଓ ସଂଗୀତ ମାଧ୍ୟମରେ ଯେତିକି କଥା କରିଯାଇଛନ୍ତି ତାହା ହୁଏତ ଆଉ କେହି ଚିନ୍ତା କରିପାରିବେନି। ତାଙ୍କ ପରି ହୁଏତ କଟକ ସହରକୁ କେହି ଏତେ ପାଖରୁ ଦେଖିନଥିବେ କି ଭଲ ପାଇନଥିବେ। ସେ ଆଧୁନିକ ଗୀତରେ ବ୍ୟଙ୍ଗ ଛଳରେ ଅନେକ ସମୟରେ ବିଭିନ୍ନ ତୀର୍ଯ୍ୟକ ମାରିଛନ୍ତି ଯାହା ଶ୍ରୋତାମାନେ ବେଶ୍ ଉପଭୋଗ କରିବେ’’, କହିଛନ୍ତି ଡକ୍ଟର ଦୀପକ ସାମନ୍ତରାୟ।

କୌଣସି ସର୍ଜନାତ୍ମକ କାମକୁ ମୁଖ୍ୟତଃ ତିନୋଟି ଥାକରେ ବିଚାର କରାଯିବା କଥା। ପ୍ରଥମ କଥା ହେଉଛି ବିଷୟର ପୃଷ୍ଠଭୂମି ଛାଡ଼ି ବିଚାର କରିବା ଉଚିତ୍ ନୁହେଁ। ସେହିପରି ସାହିତ୍ୟ ଓ ସଂଗୀତରେ ବ୍ୟବହୃତ ଶଦ୍ଦର ଆକ୍ଷରିକ ଅର୍ଥ ଅପେକ୍ଷା ଅସଲରେ ଜଣେ ସ୍ରଷ୍ଟା ତାହା ମଧ୍ୟରେ କ’ଣ କହୁଛନ୍ତି ତାହା ବୁଝିବା ଜରୁରୀ ଏବଂ ତୃତୀୟ କଥା ହେଉଛି ଗୀତ ଓ ସଂଗୀତ ମୁଖ୍ୟତଃ ଶ୍ରୋତାମାନଙ୍କର ମନୋରଞ୍ଜନ ପାଇଁ । ତେଣୁ ଖୋକା ଭାଇଙ୍କ ଗୀତକୁ ଖାଲି ଶୁଣିଲେ ହେବ ନାହିଁ ବୁଝିବା ପାଇଁ ହୃଦୟ ଦରକାର ବୋଲି କହିଛନ୍ତି ଡକ୍ଟର ସାମନ୍ତରାୟ।

ସଂଗୀତକାର ଓମ ପ୍ରକାଶ ମହାନ୍ତି ଆହୁରି କହିଛନ୍ତି ଯେ କଟକ ହେଉଛି ହଜାର ବର୍ଷର ସହର। ଗୋଟିଏ ସହର ପୁରୁଣା ହେଲେ ସଂକୀର୍ଣ୍ଣ ଓ ମଇଳା ଦିଶିପାରେ। ଭୁବନେଶ୍ୱର ଦିନେ ଯେ ମଇଳା ଦିଶିବନାହିଁ ସେ କଥା ନୁହେଁ। ତେବେ ଗୀତର ଏହି ଅକ୍ଷରକୁ ନେଇ ଜଣେ ସଂଗୀତକାରର ସୃଷ୍ଟି ଉପରେ ପ୍ରଶ୍ନ ପଚାରିବାକୁ ସେ ନାପସନ୍ଦ କରିଛନ୍ତି।

ସଂଗୀତକାର ମହାନ୍ତି କହିଛନ୍ତି ଯେ ଅତୀତରେ ଏମଏଫ ହୁସେନଙ୍କ ଚିତ୍ର ଉପରେ ଏଭଳି ଲୋକେ ପ୍ରଶ୍ନ ଉଠାଇଥିଲେ। ଏବେ ସଞ୍ଜୟ ଲୀଳା ଭନସାଲୀଙ୍କ ପଦ୍ମାବତୀ ଚଳଚ୍ଚିତ୍ରକୁ ନେଇ କିଛି ଲୋକ ମଧ୍ୟ ପ୍ରଶ୍ନ ପଚାରୁଛନ୍ତି। “ଜଣେ ସର୍ଜନଶୀଳ ମଣିଷର ସ୍ୱାଧୀନ ଚିନ୍ତାଧାରା ଉପରେ ପ୍ରଶ୍ନ ପଚାରିବାର ଅଧିକାର କାହାର ନାହିଁ। ଜଣେ ଦର୍ଶକ, ଶ୍ରୋତା ବା ପାଠକ ନିଜର ମନ୍ତବ୍ୟ ଦେଇପାରନ୍ତି । ହେଲେ ଏ ବାବଦରେ ସମାଲୋଚନାଧର୍ମୀ ହୋଇ ନିଜକୁ ପକ୍ଷଭୁକ୍ତ କରିବାର ବିଶେଷ କିଛି କାରଣ ନାହିଁ’’, କହିଛନ୍ତି ଓମ୍ ପ୍ରକାଶ ମହାନ୍ତି।

ଫେସବୁକରେ ‘କଟକରୁ ରାଜଧାନୀ’ ଗୀତକୁ ନେଇ ସପକ୍ଷ ଓ ବିପକ୍ଷ ପ୍ରତିକ୍ରିୟାରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ ଅକ୍ଷୟ ମହାନ୍ତିଙ୍କ ଲେଖା ଓ ସଂଗୀତରେ ଦମ୍ ଅଛି। ନହେଲେ ମାତ୍ର ୭୨ ଘଣ୍ଟା ଭିତରେ ୧ ହଜାରରୁ ଅଧିକ ଲୋକ ଏହାକୁ ସୋସିଆଲ୍ ମିଡିଆରେ ସେୟାର କରିନଥାନ୍ତେ କି ଏହା ଚଟାପଟ୍ ୬୭ ହଜାରରୁ ଅଧିକ ଭିଡିଓ ଭ୍ୟୁଜରେ ପହଞ୍ଚିପାରି ନଥାନ୍ତା।

ଆଉ ଗୋଟିଏ କଥା ମଧ୍ୟ ସତ ଯେ ଓଡ଼ିଶାରେ ଆଜିବି ଅକ୍ଷୟ ମହାନ୍ତିଙ୍କର ଲୋକପ୍ରିୟତା କିଛି କମିନାହିଁ। ଯେଉଁ ଫେସବୁକ୍ ବ୍ୟବହାରକାରୀ ଏହି ଗୀତ ଉପରେ ପ୍ରତିକୂଳ ମନ୍ତବ୍ୟ ଦେଇଛନ୍ତି ସେମାନେ କମେଣ୍ଟ ଲେଖିଲା ବେଳେ ଏହି ଗୀତ ଖୋକାଭାଇଙ୍କର ବୋଲି ହୁଏତ ଜାଣି ନଥିବେ!

Comment