ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରକୁ ନେଇ ବିବାଦ
  • ଅସନ୍ତୋଷ ପ୍ରକାଶ କଲେ ମହାଶ୍ୱେତା
  • କହିଲେ, “ଚିନି ଫିଲ୍ମରେ ତାଙ୍କ ଅଭିନୟ ଥିଲା ବଳିଷ୍ଠ”
  • ‘ଧରା ଦେଲେ କଥା ସରେ’ ଫିଲ୍ମ ପାଇଁ ପୁରସ୍କାର ମିଳିବା ମୋତେ ଆଶ୍ଚର୍ଯ୍ୟ କରିଛି କହିଲେ ମହାଶ୍ୱେତା

ଓଲିଉଡ୍ ଅଭିନେତ୍ରୀ ମହାଶ୍ବେତା ରାୟଙ୍କ ଫେସବୁକ୍ ପୋଷ୍ଟକୁ ନେଇ ଜୋର୍ ଧରିଛି ଚର୍ଚ୍ଚା। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଚୟନ ନେଇ ଆପତ୍ତି ଉଠାଇଛନ୍ତି ଏହି ଅଭିନେତ୍ରୀ। ଯେଉଁଭଳି ଭାବେ ପୁରସ୍କାର ଚୟନ କରାଗଲା ସେଥିରେ ସେ ମର୍ମାହତ ବୋଲି ଉଲ୍ଲେଖ କରିଛନ୍ତି। ଏଥିପାଇଁ ସେ ଶୁଭେଚ୍ଛୁ ଓ ପ୍ରଶଂସକଙ୍କ ସମର୍ଥନ ଲୋଡ଼ିଛନ୍ତି।

ମହାଶ୍ବେତା ଫେସବୁକ୍‌ରେ ଉଲ୍ଲେଖ କରିଛନ୍ତି ଯେ, “୪୦ ବର୍ଷ ଧରି ସେ ଅଭିନୟ ସହ ଜଡ଼ିତ। ଚିନି ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ବଳିଷ୍ଠ ଥିଲା। ସେ ଦୃଷ୍ଟିରୁ ତାଙ୍କୁ ଏହି ଚଳଚ୍ଚିତ୍ର ପାଇଁ ପୁରସ୍କାର ମିଳିବା କଥା। ହେଲେ ‘ଧରା ଦେଲେ କଥା ସରେ’ ଫିଲ୍ମ ପାଇଁ ତାଙ୍କୁ ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ ପୁରସ୍କାର ମିଳିବା ଆଶ୍ଚର୍ଯ୍ୟ କରିଛି।”

ମହାଶ୍ବେତାଙ୍କ ଫେସବୁକ ପୋଷ୍ଟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଜୁରି କମିଟି ଅଧ୍ୟକ୍ଷ ବିପିନ ବିହାରୀ ମିଶ୍ର। କହିଛନ୍ତି, ଦୁଇଟିଯାକ ଫିଲ୍ମରେ ମହାଶ୍ବେତାଙ୍କ ଅଭିନୟ ଉଚ୍ଚକୋଟୀର ଥିଲା। ହେଲେ ‘ଚିନି’ ତୁଳନାରେ ‘ଧରା ଦେଲେ କଥା ସରେ’ରେ ଅଭିନୟ ସବୁଠୁ ଭଲ ଥିଲା। ଜୁରି କମିଟି ତାଙ୍କ ପ୍ରତି ପକ୍ଷପାତିତା କରି ନାହାନ୍ତି।

ରାଜ୍ୟ ସଂସ୍କୃତି ବିଭାଗ ସୋମବାର ୨୮ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଥିଲେ। କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କୁ ସମ୍ମାନଜନକ ଜୟଦେବ ସମ୍ମାନ ମିଳିବ ବୋଲି ସରକାର ଘୋଷଣା କରିଥିଲେ। ଏହାସହ ଅଭିନେତ୍ରୀ ମହାଶ୍ବେତାଙ୍କୁ ‘ଧରା ଦେଲେ କଥା ସରେ’ ଫିଲ୍ମ ପାଇଁ ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ ଭାବେ ପୁରସ୍କାର ମିଳିବ ବୋଲି ଘୋଷଣା କରିଥିଲେ। ହେଲେ ମହାଶ୍ବେତା ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି।

 

Comment