ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱପ୍ରସିଦ୍ଧ ବରଗଡ଼ ଧୁନଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛନ୍ତି ମଥୁରା ନରେଶ କଂସ। ୧୧ ଦିନ ଧରି ବରଗଡ଼ରେ ଚାଲେ କଂସ ରାଜାଙ୍କ  ରାଜୁତି। ଏହି ୧୧ ଦିନରେ ୧୧ ରକମର ପୋଷାକ ପରିଧାନ କରି ଦରବାରରେ ବିଜେ କରନ୍ତି ପ୍ରବଳ ପ୍ରତାପୀ କଂସ।

  • ଡିସେମ୍ବର ୨୩ରୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା
  • ୧୧ ଦିନ ଧରି ଚାଲିବ କଂସ ରାଜୁତି
  • ପୋଷାକରେ ଲାଗେ ମୋତି, ଜରି ଏବଂ ପିତ୍ତଳ ସାମଗ୍ରୀ
  • ଚେନ୍ନାଇରୁ ଆସେ ରତ୍ନ ପଥର
  • ୧୧ ଦିନରେ ୧୧ ରକମର ପୋଷାକ ପିନ୍ଧନ୍ତି କଂସ

ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଡିସେମ୍ବର ୨୩ରୁ ୧୧ ଦିନ ଧରି ଚାଲିବ କଂସ ଦରବାର। ମଥୁରା ନଗରୀ ପାଲଟିଯିବ ବରଗଡ଼ର ପରିବା ମାର୍କେଟ ନିକଟସ୍ଥ ପେଣ୍ଡାଲ। ସହରର ପଶ୍ଚିମରେ ବହି ଯାଉଥିବା ଜୀରା ନଦୀ ଯମୁନା ନଈ ସାଜୁଥିବା ବେଳେ ଅମାପାଲି ଗାଁ ପାଲଟିଯିବ ଗୋପପୁର।

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛନ୍ତି ମଥୁରା ନରେଶ କଂସ ମହାରାଜ। କଂସ ରାଜାଙ୍କର ଗେଟ୍‌ଅପ୍‌ ଏବଂ କହିବାର ଶୈଳୀ ହିଁ ବରଗଡ଼ ଧନୁଯାତ୍ରାକୁ ଅଧିକ ଲୋକପ୍ରିୟ କରିପାରିଛି। ଏହି କଂସ ମହାରାଜଙ୍କୁ ଦେଖିବା ପାଇଁ ଭାରତ ସମେତ ଭାରତ ବାହାରୁ ବହୁ ପର୍ଯ୍ୟଟକ ବରଗଡ଼କୁ ଛୁଟି ଆସନ୍ତି। ୧୧ ଦିନର ଯାତ୍ରାରେ ୧୧ ପ୍ରକାରର ପୋଷାକ ପିନ୍ଧି କଂସ ମହାରାଜ ରଙ୍ଗମହଲରେ ବିଜେ କରିଥାନ୍ତି। ମଥୁରା ନରେଶଙ୍କର ପୋଷାକ, ଆଭୂଷଣ ପ୍ରତିବର୍ଷ କିପରି ଆକର୍ଷଣୀୟ ହେବ ସେଥିପାଇଁ ଦୀର୍ଘ ୬୦ ବର୍ଷ ହେଲା ଘାସିରାମ ସାହୁ ଉଦ୍ୟମ କରି ଆସୁଛନ୍ତି।

ପୋଷାକ ତିଆରି ପଛରେ ଘାସିରାମ

୮୧ ବର୍ଷରେ ପଦାର୍ପଣ କଲେଣି ଘାସିରାମ ସାହୁ। ଏହି ପରିଣତ ବୟସରେ ଘାସିରାମଙ୍କ ଗୋଡ଼ ହାତ ଥରୁଥିଲେ ମଧ୍ୟ କଂସ ମହରାଜଙ୍କ ପାଇଁ ଆକର୍ଷଣୀୟ ପୋଷାକ ତିଆରି କରିବା ଲାଗି ସେ କେବେ ପଛଘୁଞ୍ଚା ଦେଇ ନାହାନ୍ତି। ଧୁନୁଯାତ୍ରା ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଘାସିରାମ ଏବଂ ତାଙ୍କ ଦୁଇ ପୁଅ ପୋଷାକ ତିଆରି କାମରେ ଲାଗି ପଡ଼ନ୍ତି। ଘାସିରାମଙ୍କ ଦ୍ୱରା ପ୍ରସ୍ତୁତ ପୋଷାକ ପିନ୍ଧି ବରଗଡ଼ କଂସ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ପାଇଛନ୍ତି।

୧୯୫୭ ମସିହାରୁ ଧନୁଯାତ୍ରା ସହ ଯୋଡ଼ି ହୋଇ ରହିଛନ୍ତି ଘାସିରାମ। କୃଷ୍ଣ ଏବଂ ବଳରାମଙ୍କ ପୋଷାକରେ ଶେଷ ସ୍ପର୍ଶ ଦେବା ସହ କଂସ ମହାରାଜଙ୍କ ପାଇଁ ପୋଷାକ ତିଆରି କରିଥାନ୍ତି। ୧୧ ଦିନ ପାଇଁ ସେ ଭିନ୍ନ ଭିନ୍ନ ଢଙ୍ଗର ପୋଷାକ ତିଆରି କରିଥାନ୍ତି। କେବଳ ଘାସିରାମ ନୁହନ୍ତି, ତାଙ୍କ ପରିବାରର ସଦସ୍ୟମାନେ ଧନୁଯାତ୍ରା ସହ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ରହିଛନ୍ତି। କେବଳ କଂସ ନୁହନ୍ତି, ମଥୁରା ରାଜ ଦରବାରର ଅନ୍ୟ ମନ୍ତ୍ରୀଙ୍କ ପାଇଁ ମଧ୍ୟ ୧୧ ଦିନରେ ୧୧ ପ୍ରକାରର ପୋଷାକ ତିଆରି କରିଥାନ୍ତି ଘାସିରାମ।

ଘାସିରାମଙ୍କ ବଡ଼ଭାଇ ଲଳିତ ଥିଲେ ମୁଖ୍ୟ ମେକ୍‌ଅପ୍‌ ମ୍ୟାନ୍‌

୧୯୪୮ ମସିହାରୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆରମ୍ଭ ହୋଇଛି। ଘାସିରାମଙ୍କ ବଡ଼ଭାଇ ଲଳିତ ମୁଖ୍ୟ ମେକ୍‌ଅପ୍‌ ମ୍ୟାନ୍‌ ଭାବେ ଦାୟିତ୍ବ ତୁଲାଇ ଆସୁଥିଲେ। ଏହି କାମରେ ଘାସିରାମ ତାଙ୍କୁ ସେତେବେଳେ ସହଯୋଗ କରୁଥିଲେ। ହେଲେ ୧୯୫୭ରେ ଲଳିତ ଚାଲିଯିବା ପରେ ଘାସିରାମଙ୍କ ଉପରେ ଉଭୟ ମେକ୍‌ଅପ୍‌ ଏବଂ ପୋଷାକ ତିଆରିର ଦାୟିତ୍ୱ ନ୍ୟସ୍ତ କରାଗଲା।

“ଯୁଧିଷ୍ଠିର ଶତପଥୀ ଯେତେବେଳେ କଂସ ଭୂମିକାରେ ଅଭିନୟ କରୁଥିଲେ ମୁଁ ତାଙ୍କ ଆଭୂଷଣ ତିଆରି କରିବା ସହ ତାଙ୍କୁ କଂସ ବେଶରେ ସଜେଇ ଦେଉଥିଲି”, କହିଛନ୍ତି ଘାସିରାମ।

ପ୍ରତିବର୍ଷ କଂସଙ୍କ ପାଇଁ ନୂଆ ନୂଆ ପୋଷାକ ତିଆରି କରାଯାଇଥାଏ। ଏଥିରେ କିଛି ନୂଆ ଡିଜାଇନ୍‌ର ଛାପ ଦେଖିବାକୁ ମିଳିଥାଏ। ଏହାସହ ୧୧ ଦିନ ଧରି ସମସ୍ତ କଳାକାରଙ୍କୁ ଘାସିରାମ ଭିନ୍ନ ଭିନ୍ନ ଗେଟଅପ୍‌ରେ ସଜେଇ ଦିଅନ୍ତି।

କଟକ ଏବଂ କଲିକତାରୁ ଆସେ ମୋତି-ଜରି 

ଘାସିରାମ ଯେତେବେଳେ କଂସଙ୍କ ପାଇଁ ପୋଷାକ ଡିଜାଇନ୍ ଆରମ୍ଭ କରିଥିଲେ ସେତେବେଳେ ତାଙ୍କୁ ପାରିଶ୍ରମକି ବାବଦରେ ମିଳୁଥିଲା ୪୮ ଟଙ୍କା। ସମୟ ବଦଳିବା ସହ ଏବେ ଏହି ପାରିଶ୍ରମିକରେ ବୃଦ୍ଧି ଘଟିଛି। ଘାସିରାମ ଏବେ ଏଥିପାଇଁ ୫୦ ହଜାର ଟଙ୍କା ନେଉଛନ୍ତି।

କଂସ ମହାରାଜ ଏବଂ କଂସ ଦରବାରର ଅନ୍ୟ ସଦସ୍ୟମାନଙ୍କ ପୋଷାକକୁ ଆକର୍ଷଣୀୟ କରାଯାଇଥାଏ। ପୋଷାକରେ ଲାଗୁଥିବା ମୋତି-ଜରି କଟକ ଏବଂ କଲିକତାରୁ ଆସୁଥିବା ବେଳେ ପିତ୍ତଳ ସାମଗ୍ରୀ ଏବଂ କିଛି ରତ୍ନ ପଥର ଚେନ୍ନାଇରୁ ଆସିଥାଏ।

ବରଗଡ଼ ଧନୁଯାତ୍ରାରେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି ଘାସିରାମ। ଏପରିକି ଏହି ବିଶ୍ବପ୍ରସିଦ୍ଧ ଯାତ୍ରା ପାଇଁ ସେ ତାଙ୍କର ଗୋଟିଏ ଆଖି ହରାଇଛନ୍ତି। ତଥାପି ଏଥିରେ ହାରି ନଯାଇ ଘାସିରାମ ପ୍ରତିବର୍ଷ ଧନୁଯାତ୍ରା ଆସିଲେ ତତ୍ପର ହୋଇ ଉଠନ୍ତି। ଆଉ ମଥୁରା ନରେଶଙ୍କ ପାଇଁ ପୋଷାକ ତିଆରିରେ ଲାଗି ପଡ଼ନ୍ତି।

କଂସ ଭୂମିକାରେ ଅଭିନୟ କରିଛନ୍ତି ୭ ଜଣ

ଧନୁଯାତ୍ରା ଆରମ୍ଭ ହେବା ବେଳେ ବୁନ୍ଦି ରଥ ହେଉଥିଲେ ମଥୁରା ନରେଶ। ଏହାପରେ ଭିମ ଦାସ ଏବଂ ଯୁଧିଷ୍ଠିର ଶତପଥୀ ରଙ୍ଗମହଲରେ କଂସ ଭୂମିକାରେ କରିଥିଲେ ଅଭିନୟ। ଯୁଧିଷ୍ଠିର ୨୦ ବର୍ଷ ଧରି କଂସ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କ ଅଭିନୟ ଉଚ୍ଚକୋଟୀର ଥିବାରୁ ତାଙ୍କୁ ସମସ୍ତେ ମହାରାଜ ଭାବେ ସମ୍ବୋଧନ କରୁଥିଲେ। ଏହାପରେ ନୀଳାଚଳ ନାୟକ, ରାଧେଶ୍ୟାମ ଗଉନ୍ତିଆ, ଗୋପାଳ ସାହୁ, ହୃଷିକେଶ ଭୋଇ କଂସ ଭୂମିକାରେ ଅଭିନୟ କରିଛନ୍ତି। ଏବେ ଅଡିସନ୍ ଜରିଆରେ ଭୁବନେଶ୍ୱର ପ୍ରଧାନଙ୍କୁ କଂସ ଭୂମିକାରେ ଅଭିନୟ କରିବା ଲାଗି ଚୟନ କରାଯାଇଛି।

 

Comment