ଓଡ଼ିଶାଲାଇଭ୍‌ ବ୍ୟୁରୋ

୭୯ ବର୍ଷ ବୟସରେ ଶେଷ ନିଶ୍ୱାସ ଛାଡ଼ିଛନ୍ତି ବଲିଉଡର ଜଣାଶୁଣା ଅଭିନେତା ଶଶି କପୁର। ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ଆଖିବୁଜିଛନ୍ତି ଏହି ଅଭିନେତା।

ବଲିଉଡ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତା ଶଶି କପୁର ଆଉ ନାହାନ୍ତି। ସୋମବାର ୭୯ ବର୍ଷ ବୟସରେ ସେ ଆରପାରିକୁ ଚାଲି ଯାଇଛନ୍ତି। ଗତ ୩ ସପ୍ତାହ ଧରି ସେ ଅସୁସ୍ଥ ହୋଇ ଯାଇଥିବାରୁ ତାଙ୍କୁ ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର ଦେହାନ୍ତ ହୋଇଛି।

୬୦ ଏବଂ ୭୦ ଦଶକର ହିନ୍ଦୀ ସିନେମାରେ ଚମତ୍କାର ଅଭିନୟ କରି ସ୍ୱତନ୍ତ୍ରସ୍ଥାନ ସୃଷ୍ଟି କରିଥିଲେ ଲୋକପ୍ରିୟ ଅଭିନେତା ଶଶି କପୁର। ତାଙ୍କ ସମୟର ସେ ସବୁଠାରୁ ବ୍ୟସ୍ତ କଳାକାର ଥିଲେ।

୧୯୩୮ ମାର୍ଚ୍ଚ ୧୮ ତାରିଖରେ ଜନ୍ମ ହୋଇଥିଲେ ଶଶି କପୁର। ୨୦୧୧ରେ ତାଙ୍କୁ ପଦ୍ମଭୂଷଣ ସମ୍ମାନ ମିଳିଥିଲା। ୨୦୧୫ରେ ଶଶି କପୁରଙ୍କୁ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ପୃଥିବୀରାଜ କପୁରଙ୍କ ସାନପୁଅ ଶଶି କପୁର  ପୃଥିବୀ ଥିଏଟରରେ ଶକୁନ୍ତଳା ନାଟକରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ରାଜ କପୁରଙ୍କ ପ୍ରଥମ ଚଳଚ୍ଚିତ୍ର ‘ଆଗ’ ଓ ତୃତୀୟ ଚଳଚ୍ଚିତ୍ର ‘ଆୱାରା’ରେ ଶଶି କପୁର ବଡଭାଇ ରାଜକାପୁରଙ୍କ ସହିତ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ ।

ୟାଶ ଚୋପ୍ରାଙ୍କ ଚିତ୍ର ଧର୍ମପୁତ୍ରରେ ଶଶି ବଲିଉଡରେ ପ୍ରବେଶ କରିଥିଲେ। ଶିଶି ତାଙ୍କ କ୍ୟାରିଅରେ ୧୬୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ‘ଜବ ଜବ୍ ଫୁଲ୍ ଖିଲେ’ ଫିଲ୍ମ ଜରିଆରେ ଶଶିଙ୍କ ଚଳଚ୍ଚିତ୍ରର କ୍ୟାରିୟର ସଫଳ ଯାତ୍ରା ଆରମ୍ଭ ହୋଇଥିଲା। ଏହି ଫିଲ୍ମଟି  ସ୍ୱର୍ଣ୍ଣଜୟନ୍ତୀ ପାଳନ କରିଥିଲା। ଶଶି ଏଭଳି ଜଣେ ଅଭିନେତା ଥିଲେ ଯିଏ ବ୍ରିଟିଶ ଓ ଆମେରିକାରେ ମଧ୍ୟ ଫିଲ୍ମରେ କରିଥିଲେ। ‘ଦ ହାଉସ୍ ହୋଲ୍ଡର, ‘ସେକ୍ସପିୟର ୱାଲା’ ଆଦି ଫିଲ୍ମରେ ସେ ଅଭିନୟ କରିଛନ୍ତି। ଶଶିଙ୍କର ସବୁଠାରୁ ଲୋକପ୍ରିୟ ଡାଇଲଗ୍ ‘ମେରେପାସ୍ ମା ହେ’ ଆଜି ପର୍ଯ୍ୟନ୍ତ ଲୋକଙ୍କ ମନରେ ରହିଛି।

Comment