ନୀଳାମ୍ବର ରଥ

କୋଣାର୍କ ମନ୍ଦିର ବୁଲିବା ପରେ ପାଖରେ ଥିବା କୋଣାର୍କ ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟ ନ ବୁଲିବା ପର୍ଯ୍ୟନ୍ତ ସମ୍ଭବତଃ ଆପଣ କୋଣାର୍କ ମନ୍ଦିର ଦେହରେ ଦିନେ ସ୍ଥାନ ପାଉଥିବା ଅପୂର୍ବ କାରୁକଳାର ପୂର୍ଣ୍ଣାଙ୍ଗ ଚିତ୍ର ପାଇପାରିବେ ନାହିଁ!

କୋଣାର୍କ ସୂର୍ଯ୍ୟ ମନ୍ଦିର ପୃଥିବୀର ଅନ୍ୟତମ ଆଶ୍ଚର୍ଯ୍ୟ। କିନ୍ତୁ ଆଜି ଆମେ ମନ୍ଦିରକୁ ଯେଉଁ ଅବସ୍ଥାରେ ଦେଖୁ, ତାହା ତା’ର ଆଧୁନିକ ରୂପ। ସମୟର ପ୍ରଭାବରେ କୋଣାର୍କ ମନ୍ଦିର ଦେହରୁ ଖସିପଡ଼ିଛି ଅନେକ ପଥର। ପଥର ନୁହେଁ ତ ନିର୍ଜୀବ ପଥର ଦେହରେ ଜୀବନ୍ତ ଭାସ୍କର୍ଯ୍ୟର କବିତା। ଆଜି ଯଦି ଜଣେ ପର୍ଯ୍ୟଟକ କୋଣାର୍କ ମନ୍ଦିର ପରିଦର୍ଶନ କରିବା ପରେ ପାଖରେ ଥିବା ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟ ବା ମ୍ୟୁଜିୟମ୍‍ ଥରେ ବୁଲିଆସେ, ତାହାଲେ ଆଖି ଆଗରେ କୋଣାର୍କର ବିଶାଳତା ସହ ତା’ର ଏହି କାବ୍ୟିକ ରୂପ ଆହୁରି ଜୀବନ୍ତ ହୋ‍ଇଉଠିବ।

କୋଣାର୍କ ମନ୍ଦିରର ଉତ୍ତର ପଟକୁ ରହିଛି ଆଜିର ନୂତନ ନାଟ୍ୟମଣ୍ଡପ। ୧୯୮୯ ମସିହାରୁ ଏଠାରେ ଆୟୋଜିତ ହୋ‍ଇଆସୁଛି କୋଣାର୍କ ଉତ୍ସବ। ଏହି ମୁକ୍ତାକାଶ ମଣ୍ଡପ ପରିସରର ଠିକ୍‍ ସାମନାରେ ରହିଛି କୋଣାର୍କ ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟ। କୋଣାର୍କ ପାନ୍ଥନିବାସର ଠିକ୍‍ ପୂର୍ବରୁ, ସହରକୁ ପ୍ରବେଶ କଲାବେଳେ ଆରମ୍ଭରୁ ବାଁ ପଟେ ପଡ଼ିବ। ଏହି ମ୍ୟୁଜିୟମରେ ସଂରକ୍ଷିତ କରି ରଖାଯାଇଛି କୋଣାର୍କ ମନ୍ଦିରରୁ ଉଦ୍ଧାର କରାଯାଇଥିବା କିଛି ପୂର୍ଣ୍ଣାବୟବ ଓ ଅନେକ ଅର୍ଦ୍ଧଭଗ୍ନ ମୂର୍ତ୍ତି ଓ ବିଭିନ୍ନ ଭାସ୍କର୍ଯ୍ୟ।

ସଂଗ୍ରହାଳୟ ପରିସରରେ ପଶିଗଲା ମାତ୍ରେ ଯେଉଁଠି ଆଖି ପଡ଼ିବ ଦିଶିଯାଉଛି କୋଣାର୍କ ଛବି। ବଗିଚା ସାରା ଗୋଟି ଗୋଟି ମୂର୍ତ୍ତି ବା ଭାସ୍କର୍ଯ୍ୟ ପର୍ଯ୍ୟଟକମାନଙ୍କୁ ଯେମିତି ପାଖକୁ ଡାକୁଛନ୍ତି। ଇତିହାସ, ପୂରାତନ ଐତିହ୍ୟ ଏବଂ କଳା ଓ ଭାସ୍କର୍ଯ୍ୟରେ ଆଗ୍ରହ ରଖୁଥିବା ଲୋକଙ୍କ ପାଇଁ ଏହା ଏକ ବଡ଼ ଆକର୍ଷଣ।

ସଂଗ୍ରହାଳୟ ଭିତରେ ପଶିବା ଆଗରୁ ଆପଣଙ୍କ ଡାହାଣ ପଟେ ଆଖି ପଡ଼ିବ ଧାଡ଼ି ହୋ‍ଇ ରଖାହୋ‍ଇଥିବା ପଥର ଖଣ୍ଡ ଉପରେ। ଶହ ଶହ ଛୋଟ ବଡ଼ ଆକୃତିର ପଥର। ପଥର ନୁହେଁ, ଏହା ଅସଲରେ କୋଣାର୍କ ମନ୍ଦିରର ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟ ବେଳେ ଉଦ୍ଧାର କରାଯାଇଥିବା ଭଗ୍ନଶିଳା-ଭାସ୍କର୍ଯ୍ୟ। ଯଦି ଆପଣ ତା’ର ପାଖକୁ ଯାଇ କ୍ୟାମେରାରେ ଛବି ନିଅନ୍ତି ଓ ଆପଣଙ୍କ ବନ୍ଧୁ ଓ ପରିଜନଙ୍କ ସହ ସେୟାର କରନ୍ତି, ତେବେ ହଠାତ୍‍ ଅନେକ ଏହାକୁ ଏକ ଚିତ୍ର ବୋଲି ଭାବିପାରନ୍ତି। ବାସ୍ତବିକ କୋଣାର୍କ ମନ୍ଦିରର ପ୍ରତି ଖଣ୍ଡ ଶିଳା ମଧ୍ୟରେ ରହିଛି କଳିଙ୍ଗ ଶିଳ୍ପୀର କାରୁକଳା ଏବଂ ଚିତ୍ରଶିଳ୍ପ। ପଥର ଦେହରେ ଚିତ୍ରକାବ୍ୟ।

ସଂଗ୍ରହାଳୟ ପରିସରରେ ରଖାଯାଇଛି ଏକ ସୂର୍ଯ୍ୟଘଡ଼ି। ଏହା ୧୯୦୬ ମସିହାର।

ବହୁ ବିରଳ କାରୁକଳା

କୋଣାର୍କ ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟ ମଧ୍ୟରେ ଚାରୋଟି କୋଠରୀରେ ସଂରକ୍ଷିତ ରହିଛି ଏକଦା ମନ୍ଦିର ଦେହରୁ ଖସିପଡ଼ିଥିବା ଏହିସବୁ କାରୁକୃତି। ସଂଗ୍ରହାଳୟ ଭିତରକୁ ପ୍ରବେଶ କଲେ ଆଖିରେ ପଡ଼ିବ ବାଲୁକାପ୍ରସ୍ତରରେ ତିଆରି ସୂର୍ଯ୍ୟଙ୍କର ଏକ ବିଶାଳ ପ୍ରତିମା। ତା’ ସହିତ ମନ୍ଦିରର ବିଭିନ୍ନ ଭଗ୍ନ-ଚକକୁ ଉଦ୍ଧାରକରି ଏବଂ ତାହାକୁ ଯୋଡ଼ି ଯେଉଁ ନୂତନ ଚକ ପୁର୍ନଗଠନ କରାଯାଇଛି, ତାହା ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବ।

ବ‌ଉଳା ପଥରରେ ତିଆରି ତ୍ରିମୁଖ ଭୈରବ ମୂର୍ତ୍ତି, ମୁଗୁନି ପଥରର ବିଭିନ୍ନ ଭାସ୍କର୍ଯ୍ୟ, ନବଗ୍ରହଙ୍କ ଖଣ୍ଡିତ ପ୍ରତିମା, ଗଜବିଡ଼ାଳ ଓ ସିଂହବିଡ଼ାଳ ଆଦି ମୂର୍ତ୍ତି ଏହି ସଂଗ୍ରହାଳୟରେ ସଜାଇ ରଖାଯାଇଛି। ତା’ ସହିତ ଶେଷଦେବ, ଅଗ୍ନି, ବୀଣାବାଦିନୀ, ସୂର୍ଯ୍ୟ, ଯମ ଆଦି ବିରଳ ମୂର୍ତ୍ତି ଯେ ଦିନେ ସୂର୍ଯ୍ୟ ମନ୍ଦିରର ଶୋଭାବର୍ଦ୍ଧନ କରୁଥିଲା, ଏକଥା ଏହି ସଂଗ୍ରହାଳୟକୁ ଗଲେ ବୁଝିହୁଏ।

ଦିନେ କୋଣାର୍କ ସୂର୍ଯ୍ୟମନ୍ଦିରରେ ସ୍ଥାନ ପାଇଥିଲା ନବଗ୍ରହଙ୍କ ମୂର୍ତ୍ତି। ସେହି ମୂର୍ତ୍ତିସମୂହ ମଧ୍ୟରୁ ଆଜି ଶୁକ୍ର, ଶନି, ରାହୁ ଓ କେତୁ ପଟର ଖଣ୍ଡିତ ମୂର୍ତ୍ତି କୋଣାର୍କ ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟରେ ରଖାଯାଇଛି।

ମନ୍ଦିର ଗାତ୍ରରେ ସମାଜର ଚିତ୍ର

ମନ୍ଦିର ଏକ ଜୀବନ୍ତ କଳା। ଏହା ମାଧ୍ୟମରେ ତତ୍କାଳୀନ ସମାଜର ସାମାଜିକ, ରାଜନୈତିକ, ସାଂସ୍କୃତିକ ଧାରା ସହ ଜନଜୀବନର ଚିତ୍ର ଦେଖିବାକୁ ମିଳେ। କୋଣାର୍କ ତା’ର ମଧ୍ୟ ଏକ ନମୁନା। ଏହି ସଂଗ୍ରହାଳୟରେ ଏଭଳି କେତେକ ମୂର୍ତ୍ତି ବା ଭାସ୍କର୍ଯ୍ୟ ସ୍ଥାନ ପାଇଛି, ଯେଉଁଠି ସେ ସମୟର ସାମାଜିକ ଛବି ପଥର ଦେହରେ ଚିତ୍ରିତ ହୋ‍ଇଛି। ଆଲୋଚନାରତ ରାଜା ନରସିଂହ ଦେବଙ୍କ ମୂର୍ତ୍ତ ହେଉ ବା ଜଣେ ସମ୍ଭ୍ରାନ୍ତ ବ୍ୟକ୍ତି ଅନ୍ୟମାନଙ୍କୁ ପରାମର୍ଶ ଦେବା ଗୋଟିଏ ଗୋଟିଏ ନମୁନା। ସେହିପରି ସଂଗ୍ରହାଳୟରେ ରହିଛି ଏକ ବ‍ଉଳା ପଥର ତିଆରି ସୁସଜ୍ଜିତ ନାରୀ ମସ୍ତକ। ଏହି କଳାକୃତିଟି ଦେଖିଲେ ତା’ ଭିତରେ ସେ ସମୟର ନାରୀର ମଥାଭରଣ ଜଣଙ୍କୁ ଆକର୍ଷିତ କରିବ।

କୋଣାର୍କ ମନ୍ଦିର ଦେହରେ ବିଭିନ୍ନ ଆକର୍ଷଣୀୟ କାରୁକଳା ସହ ଏକଦା ଥିଲା ନାରୀ-ପୁରୁଷଙ୍କ ମୈଥୁନରତ ମୂର୍ତ୍ତି। ଏହି ମୂର୍ତ୍ତି ମଧ୍ୟରୁ ଏବେବି ଅନେକ ମନ୍ଦିରରେ ରହିଥିବା ବେଳେ କେତେକ ଭଗ୍ନ ଭାସ୍କର୍ଯ୍ୟକୁ କୋଣାର୍କ ସଂଗ୍ରହାଳୟରେ ରଖାଯାଇଛି।

ଉତ୍କଳୀୟ ଶିଳ୍ପୀର ପ୍ରାଣବନ୍ତ କଳ୍ପନା

ଗଙ୍ଗବଂଶର ପ୍ରଥମ ନରସିଂହ ଦେବ (ଖ୍ରୀଷ୍ଟାବ୍ଦ ୧୨୩୮-୬୪) ଥିଲେ କୋଣାର୍କ ମନ୍ଦିରର ପ୍ରାଣଦାତା। ତାଙ୍କରି ପୃଷ୍ଠପୋଷକତାରେ ତଥା ଉତ୍କଳୀୟ ଶିଳ୍ପୀର ପ୍ରାଣବନ୍ତ କଳ୍ପନାରେ ଗଢ଼ିଉଠିଥିଲା ପୃଥିବୀର ଏହି ଅଦ୍ୱିତୀୟ କୋଣାର୍କ। ସ୍ଥାପତ୍ୟ କଳା ଦୃଷ୍ଟିରୁ ଦେଖିଲେ କୋଣାର୍କ ହେଉଛି ଓଡ଼ିଶୀ ମନ୍ଦିର ନିର୍ମାଣ ପଦ୍ଧତି ବା ଧାରାର ଏକ ପୂର୍ଣ୍ଣାଙ୍ଗ ପରିପ୍ରକାଶ। କୋଣାର୍କ ମନ୍ଦିର ଦେହରେ ଖୋଦିତ ଚକଗୁଡ଼ିକୁ ଦେଖିଲେ ଏବଂ ତା’ ସହିତ ମନ୍ଦିରର ଆକୃତିକୁ ଅନୁମାନ କଲେ ତାହା ଏକ ବିରାଟ ରଥ ଭଳି ମନେହୁଏ। ଏକଦା ସେହି ରଥର ଈଶ୍ୱର ଥିଲେ ସୂର୍ଯ୍ୟ। ମନ୍ଦିରର କାରୁକାର୍ଯ୍ୟମଣ୍ଡିତ ସ୍ତମ୍ଭଗୁଡ଼ିକରେ ଆକର୍ଷଣୀୟ ନୃତ୍ୟ ରଙ୍ଗ ଏବଂ ସଙ୍ଗୀତ ଚର୍ଚ୍ଚାର ଚିତ୍ର ଖୋଦେଇ କରାଯାଇଛି।

ବିଭିନ୍ନ ଦେବଦେବୀଙ୍କ ପ୍ରତିମା, ଅପ୍‌ସରା-କିନ୍ନରୀ, ଜୀବଜନ୍ତୁ, ବିଭିନ୍ନ ପୌରାଣିକ କଥା, କାରୁକଳା ଏବଂ ପ୍ରସିଦ୍ଧ ବନ୍ଧ-ଚିତ୍ର କୋଣାର୍କ ମନ୍ଦିର ଗାତ୍ରରେ ଏବେବି ଦର୍ଶକକୁ ଆକର୍ଷିତ କରେ। ତେବେ ମୂଳ ମନ୍ଦିରର ଅନେକ ଭଗ୍ନାଂଶ ଆଜି କୋଣାର୍କରେ ଥିବା ଏହି ସଂଗ୍ରହାଳୟରେ ରଖାଯାଇଥିବାରୁ ମନ୍ଦିର ସହ ଏହି ମ୍ୟୁଜିଅମ ବୁଲିଆସିଲେ ସମ୍ଭବତଃ ଆପଣଙ୍କ କୋଣାର୍କ-ଟୁର୍‍ ପୂର୍ଣ୍ଣାଙ୍ଗ ହେଲା ବୋଲି କୁହାଯାଇପାରେ।

କୋଣାର୍କ ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟ ସପ୍ତାହର ଶୁକ୍ରବାର ଦିନ ବନ୍ଦ ରହେ। ଏହା ପ୍ରତିଦିନ ୯ଟାରୁ ୫ଟା ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ଖୋଲା ରହୁଛି।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ)

LEAVE A REPLY

Please enter your comment!
Please enter your name here