ଓଡ଼ିଶାଲାଇଭ୍ ବ୍ୟୁରୋ

ଶନିବାର ଭୋରୁ ପୁରୀ ଗସ୍ତରେ ଯାଇଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ। ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଶ୍ରୀମନ୍ଦିର ଚତୁପାର୍ଶ୍ଵରେ ପରିକ୍ରମା ମାର୍ଗ ବୁଲି ଦେଖିଛନ୍ତି। ଉତ୍ତରଦ୍ଵାରରୁ ପଶ୍ଚିମଦ୍ଵାର ଓ ଦକ୍ଷିଣ ଦ୍ଵାରରେ ଜାରି ରହିଥିବା ନିର୍ମାଣ ସମ୍ପର୍କରେ ପଚାରି ବୁଝିଛନ୍ତି।

ଏହାପରେ ସେ ବାଲିଗୁଆଳିସ୍ଥିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି। ପୁରୀରେ ୬୫୦ ବେଡ୍ ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରାଯାଉଛି। ୫୮ ପ୍ରତିଶତ ନିର୍ମାଣ କାମ ଶେଷ ହୋଇଥିବା ନିର୍ମାଣକାରୀ ସଂସ୍ଥା ପକ୍ଷରୁ ୫-ଟି ସଚିବଙ୍କୁ ଅବଗତ କରାଯାଇଛି। ଏହାଛଡ଼ା ମେଡିକାଲ କଲେଜରେ ଫାର୍ମାସିଷ୍ଟମାନଙ୍କ କ୍ଵାର୍ଟର୍ସ ଓ ନର୍ସିଂ କ୍ଵାର୍ଟର ବ୍ଲକ୍ ବୁଲି ଦେଖିଛନ୍ତି। ନିର୍ମାଣକାର୍ଯ୍ୟକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ଭି.କେ ପାଣ୍ଡିଆନ। ଆଗାମୀ ଅଗଷ୍ଟ ମାସ ସୁଦ୍ଧା ନିର୍ମାଣ କାମ ଶେଷ କରିବାକୁ ୫-ଟି ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ଏହାପରେ ୫ଟି ସଚିବ କୋଣାର୍କ ଚନ୍ଦ୍ରଭାଗାରେ ପହଞ୍ଚି ପାରିପାର୍ଶ୍ଵିକ ଉନ୍ନତିମୂଳକ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି। କୋଣାର୍କ ଚନ୍ଦ୍ରଭାଗାରେ ଏନ୍‌ଏଚ୍ ସମ୍ପ୍ରସାରଣ କାମ ତଦାରଖ କରିବା ସହ କାର୍ଯ୍ୟର ଅଗ୍ରଗତି ନେଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହାପରେ ୫ଟି ସଚିବ ପୁରୀ ଜିଲ୍ଲା କାକଟପୁରର ପ୍ରସିଦ୍ଧ ମା’ ମଙ୍ଗଳାଙ୍କ ପୀଠରେ ପହଞ୍ଚି ସେଠାକାର ସୌନ୍ଦର୍ଯ୍ୟକରଣ କାମର ସମୀକ୍ଷା କରିଛନ୍ତି। ୫ଟି ସଚିବ ସକାଳ ୭ଟା ୧୦ ମିନିଟ ସମୟରେ ମଙ୍ଗଳାଙ୍କ ପୀଠରେ ପହଞ୍ଚି ମାଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ତାଙ୍କ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଜିଲ୍ଲାପାଳ ସମର୍ଥ ବର୍ମା ପ୍ରମୁଖ ବି ଉପସ୍ଥିତ ଥିଲେ।

ମନ୍ଦିରରେ ପହଞ୍ଚିବା ମାତ୍ରେ ୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ ସେବକ ସଂଘ ପକ୍ଷରୁ ସ୍ଵାଗତ କରାଯାଇଥିଲା। ସେଠାକାର ପାର୍କିଂ ବ୍ୟବସ୍ଥା, ରୋଷଶାଳା ଓ ପାରିପାର୍ଶ୍ଵିକ ସ୍ଥିତିର ଅନୁଧ୍ୟାନ କରିଥିଲେ ୫ଟି ସଚିବ।

Tags: #VKPandian #5TSecretary #Review #Puri #JagannathTemple #KonarkTemple #KakatapurTemple #SriJagannathMedicalCollegeAndHospital

Comment