ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଶାଶ୍ଵସ ଦେବବ୍ରତ ଦାଶ): ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ବୌଦ୍ଧ ଜିଲ୍ଲା ଗସ୍ତକୁ ବିରୋଧ କରି ତାଙ୍କ କାର ଉପରକୁ ବୁଧବାର ଦିନ ଅଣ୍ଡାମାଡ଼ କରାଯାଇଛି। ଆଜି ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଆସିଥିବା ୫-ଟି ସଚିବଙ୍କୁ ବିଜେପି ଏବଂ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଥିଲା।

୫-ଟି ସଚିବ ପ୍ରଥମେ ବୌଦ୍ଧ ଷ୍ଟାଡିୟମଠାରେ ପହଞ୍ଚି ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ସହ ଆଲୋଚନା କରିବା ପରେ କାର ଯୋଗେ କଚେରୀ ଛକ ଦେଇ କୃଷି ବଜାର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିଲେ। ଏହି ସମୟରେ ୫-ଟି ସଚିବଙ୍କ କାର ଉପରକୁ ଅଣ୍ଡାମାଡ଼ କରାଯାଇଥିଲା।

କଣ୍ଟାମାଳ ନିର୍ବାଚନ ମଣ୍ଡଳି ଆମ୍ବଗାଁଠାରେ ସଚିବଙ୍କ ଗସ୍ତକୁ ବିଜେପି ପକ୍ଷରୁ ବିରୋଧ କରାଯାଇଥିବାବେଳେ କଚେରୀ ଛକ ନିକଟରେ ହାତରେ କଳା ପତାକା ଧରି ‘ପାଣ୍ଡିଆନ ଗୋ-ବ୍ୟାକ୍’ ନାରା ଲଗାଇଥିଲେ କଂଗ୍ରେସ କର୍ମୀ। ଏହି ସମୟରେ ସଚିବଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଥିଲା।

କଂଗ୍ରେସ କର୍ମୀଙ୍କୁ ବିରୋଧ ପ୍ରଦର୍ଶନ ପାଇଁ ପୋଲିସ ଅଟକାଇଥିଲେ ମଧ୍ୟ ସେମାନେ ଶୁଣି ନଥିଲେ। ପରେ ପ୍ରାୟ ୨୫ ଜଣ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଥିଲା ବୌଦ୍ଧ ଜିଲ୍ଲା ପୋଲିସ।

ଏହା ପୂର୍ବରୁ ମଙ୍ଗଳବାର ଦିନ ୫-ଟି ସଚିବଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତକୁ ଆମଆଦମୀ ପାର୍ଟି ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯିବା ସହ ଅଣ୍ଡାମାଡ଼ ହୋଇଥିଲା।

Tags: #Boudh #5TSecretary #Protest #Congress #BJP

Comment