ବାଲେଶ୍ୱରରୁ କୃଷ୍ଣକୁମାର ମହାନ୍ତି

  • ଚାନ୍ଦିପୁର ବେଳାଭୂମିର ଶୋଭା ବର୍ଦ୍ଧନ କରିଥାଏ ନୀଳରକ୍ତ କଙ୍କଡ଼ା
  • ପର୍ଯ୍ୟଟକଙ୍କ ମନ ମୋହିଥାଏ ଏହି ବିରଳ ପ୍ରଜାତିର ଜୀବ
  • ଏବେ ବିପଦରେ ପଡ଼ିଛନ୍ତି ଏହି ଦୁର୍ଲଭ କଙ୍କଡ଼ା
  • ସଚେତନତା ଅଭାବରୁ ହ୍ରାସ ପାଉଛି କଙ୍କଡ଼ାଙ୍କ ସଂଖ୍ୟା
  • ନୀଳରକ୍ତ କଙ୍କଡ଼ାରୁ ପ୍ରସ୍ତୁତ ହୋଇଥାଏ ଔଷଧ

ଓଡ଼ିଶାଲାଇଭ୍‌ ବ୍ୟୁରୋ:ନୀଳରକ୍ତ କଙ୍କଡ଼ା ପାଇଁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ପାଇଛି ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ବେଳାଭୂମି। ଏହି ବେଳାଭୂମି ସୁରକ୍ଷିତ ସ୍ଥାନ ହୋଇଥିବାରୁ ଏଠାକୁ ଅଧିକ ସଂଖ୍ୟାରେ ନୀଳରକ୍ତ କଙ୍କଡ଼ା ଆସିଥାନ୍ତି। ହେଲେ ଏବେ ଏହି ବେଳାଭୂମି ନୀଳରକ୍ତ କଙ୍କଡ଼ାଙ୍କ ପାଇଁ ବିପଦ ସାଜିଛି। ମତ୍ସଜୀବୀଙ୍କ ଜାଲ ମାଡ଼ରେ ଏହି ବିରଳ କଙ୍କଡ଼ାଙ୍କ ମୃତ୍ୟୁ ହେଉଥିବାରୁ ଏମାନଙ୍କ ସଂଖ୍ୟା କମି ଯାଉଛି।

ଅଗଭୀର ସମୁଦ୍ର ପାଇଁ ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ବିଶ୍ଵପ୍ରସିଦ୍ଧ। ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ ଚାନ୍ଦିପୁରର ଵିଶେଷତ୍ଵ ହେଉଛି ଏହାର ସମୁଦ୍ର। ଏଠାରେ ପ୍ରତିଦିନ ଦୁଇଥର ଜୁଆର ଭଟ୍ଟା ହୋଇଥାଏ। ଭଟ୍ଟା ସମୟରେ ସମୁଦ୍ର ପାଣି ଦୁଇରୁ ତିନି କିଲୋମିଟର ଭିତରକୁ ଘୁଞ୍ଚିଯିବା ଫଳରେ ପର୍ଯ୍ୟଟକମାନେ ସମୁଦ୍ର ବେଳାଭୂମିରେ ପ୍ରାୟ ତିନି ଚାରି କିଲୋମିଟର ଚାଲି ଚାଲି ଯାଇ ସମୁଦ୍ରକୁ ସମୁଦ୍ର ବକ୍ଷରେ ଉପଭୋଗ କରିବାର ମଜା ନିଅନ୍ତି।

ଜୁଆର ସମୟରେ ସମୁଦ୍ର ପାଣି କୂଳ ଛୁଇଁ ଫେରିଯିବା ବେଳେ ଆର୍ଦ୍ରଭୂମିରେ ବିରଳ ପ୍ରଜାତିର ଦୁର୍ଲଭ ନୀଳରକ୍ତ କଙ୍କଡ଼ାକୁ ଛାଡି ଦେଇଯାଏ। ଏହି ଦୁର୍ଲଭ କଙ୍କଡ଼ା ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ। ଏହି ଦୁର୍ଲଭ ନୀଳରକ୍ତ କଙ୍କଡ଼ା ଦେଖିବା ପାଇଁ ଦୂର ଦୂରାନ୍ତରୁ ପର୍ଯ୍ୟଟକମାନେ ଚାନ୍ଦିପୁରକୁ ଧାଇଁ ଆସନ୍ତି।

ଏହି ବିରଳ ନୀଳରକ୍ତ କଙ୍କଡା ହୁଏତ ଆଉ କିଛିବର୍ଷ ପରେ ଏଠାରେ ଦେଖିବାକୁ ମିଳିବେ ନାହିଁ। ଏହି ବିରଳ ପ୍ରଜାତିର କଙ୍କଡା ସମ୍ପର୍କରେ ଗବେଷଣା କରୁଥିବା ବୈଜ୍ଞାନିକଙ୍କ ଭିତରେ ଏପରି ଏକ ଆଶଙ୍କା ଦେଖାଦେଇଛି। ମାଛ ଧରାଳୀଙ୍କ ଜାଲ ମାଡ଼ରେ ଏମାନଙ୍କ ଅକାଳ ମୃତ୍ୟୁ ହେଉଥିବାରୁ କିଛିବର୍ଷ ମଧ୍ୟରେ ଏହି ବିରଳ ପ୍ରଜାତି ଲୋପ ପାଇବା ଆଶଙ୍କା ସୃଷ୍ଟି ହୋଇଛି।

କଣ ଏହି ନୀଳରକ୍ତ କଙ୍କଡ଼ା

ଏହି ବିରଳ କଙ୍କଡ଼ାର ରକ୍ତରୁ ବୈଜ୍ଞାନିକମାନେ ୨୫ ବର୍ଷ ପୂର୍ବେ ଜଟିଳ ରୋଗ ଆରୋଗ୍ୟ ପାଇଁ ଔଷଧୀୟ ସନ୍ଧାନ ପାଇଥିଲେ। ଏଥିପାଇଁ ଏହି ପ୍ରଜାତିର କଙ୍କଡ଼ାର ବଂଶ ବୃଦ୍ଧି ପାଇଁ ସରକାର ଯୋଜନା କରିଥିଲେ। ହେଲେ ବଂଶ ବୃଦ୍ଧି ହେବା ବଦଳରେ ଏହି ପ୍ରଜାତିର କଙ୍କଡ଼ା ଲୋପ ପାଇ ଯାଉଛନ୍ତି।

ସମଗ୍ର ବିଶ୍ୱରେ ଜୀବ ଜନ୍ତୁଙ୍କ ଦେହରେ ପ୍ରବାହିତ ହେଉଛି ଲାଲ ରକ୍ତ (ଲୌହ ରକ୍ତ କଣିକା) । ମାତ୍ର ଏହି କଙ୍କଡ଼ା ଦେହରେ ତମ୍ବା ରକ୍ତ କଣିକା ପ୍ରବାହିତ ହେଉଥିବାରୁ ଏହାର ରଙ୍ଗ ନୀଳ। ଏହି ନୀଳରକ୍ତରୁ ପ୍ରସ୍ତୁତ କରାଯାଉଥିବା ଔଷଧ ମଣିଷର ରକ୍ତସ୍ରାବ ତତ୍କାଳ ବନ୍ଦ କରିବାରେ ସକ୍ଷମ ହୋଇଥାଏ।

ନୀଳରକ୍ତ କଙ୍କଡ଼ା ବଂଶ ବୃଦ୍ଧି ପାଇଁ ଚାନ୍ଦିପୁର ବେଳାଭୂମିର ପରିବେଶ ଏବଂ ଆର୍ଦ୍ରଭୂମି ହେଉଛି ଉପଯୁକ୍ତ। ଏଣୁ ୪୦ ବର୍ଷ ପୂର୍ବେ ଏହି ପ୍ରଜାତିର କଙ୍କଡ଼ା ଏହି ଏଠାରେ ଅଧିକମାତ୍ରାରେ ଦେଖିବାକୁ ମିଳୁଥିଲେ। ଏହି କଙ୍କଡାକୁ ବୁଦ୍ଧିଜୀବୀ ଏବଂ ପରିବେଶବିତମାନେ ନୀଳ ରକ୍ତ କଙ୍କଡ଼ା କହୁଥିବା ବେଳେ ସ୍ଥାନୀୟ ଅଧିବାସୀମାନେ ଏହାକୁ ରାମଲକ୍ଷ୍ମଣ, ହର୍ଷସୁ କ୍ରାବ୍ (ଅଶ୍ୱଖୁରାକୃତି କଙ୍କଡ଼ା) ବୋଲି କହନ୍ତି। ତେବେ ବାଲେଶ୍ୱରୀ ଭାଷାରେ ମତ୍ସ୍ୟଜୀବୀମାନେ ଏହାକୁ ‘ଟେଳି’ କହିଥାନ୍ତି।

ନବେ ଦଶକରେ ବୈଜ୍ଞାନିକମାନେ ବାଲେଶ୍ୱରର ଚାନ୍ଦିପୁର ବେଳାଭୂମିରେ ଔଷଧୀୟ ଗୁଣ ଥିବା ଏହି ନୀଳରକ୍ତ କଙ୍କଡାକୁ ଠାବ କରି ପରେ ଗବେଷଣା ଆରମ୍ଭ କରିଥିଲେ। ଗବେଷଣାରୁ ଏହି କଙ୍କଡ଼ା ରକ୍ତରୁ ମଣିଷର ଅନ୍ତନଳୀ ଜନିତ ଆନ୍ତ୍ରିକ ରୋଗ ଓ ମସ୍ତିଷ୍କ ସନ୍ତୁଳନ ପାଇଁ ଏଥିରୁ ଅମୋଘ ଔଷଧ ପ୍ରସ୍ତୁତ ସମ୍ଭବ ବୋଲି ଜାଣିପାରିଥିଲେ। ଚାନ୍ଦିପୁର ଉପକୂଳରେ ବୈଜ୍ଞାନିକମାନେ ଏହି ବିରଳ ପ୍ରଜାତି କଙ୍କଡା ସମ୍ପର୍କରେ ଅନୁସନ୍ଧାନ ପାଇଁ ଦୀର୍ଘଦିନ ଧରି ଡେରା ପକାଇଥିଲେ। ନୀଳରକ୍ତ କଙ୍କଡାଙ୍କ ସୁରକ୍ଷା ଓ ବଂଶ ବୃଦ୍ଧି ପାଇଁ ସେମାନେ ଗୁରୁତ୍ୱ ଦେବା ପରେ ବାଲେଶ୍ୱର ପାଦଦେଶର ବଙ୍ଗୋପସାଗର ତଟରୁ ପ୍ରାୟ ୫୦ କିଲୋମିଟର ପର୍ଯ୍ୟନ୍ତ ଜାଲ ବସାଇବା ବେଆଇନ ବୋଲି ଘୋଷଣା କରିଥିଲେ ।

ପରିବେଶବିତ୍‌ ସିଦ୍ଧାର୍ଥ ପତି କହିଛନ୍ତି,“ନୀଳରକ୍ତ କଙ୍କଡ଼ା ହେଉଛି ଜୈବ ଜୀବାସ୍ମ। ଡାଇନୋସର ବହୁ ପୂର୍ବରୁ ଏହି ଜୀବ ଆସିଛି। ବହୁ ପ୍ରତିକୂଳ ପରିବେଶ ସତ୍ତ୍ୱେ ଏବେବି ଏହି ଜୀବ ସମୁଦ୍ରରେ ତିଷ୍ଠି ରହିଛନ୍ତି। ଏବେ ଆମର ପ୍ରଥମ କର୍ତ୍ତବ୍ୟ ଏହି ଜୀବକୁ ବଞ୍ଚାଇ ରଖିବା। ଏହାଛଡ଼ା ଏହି ଜୀବ ଉପରେ ଗବେଷଣା ପାଇଁ ଏକ ରିସର୍ଚ୍ଚ ସେଣ୍ଟର ନିର୍ମାଣ ହେବା ଜରୁରି।”

କଣ କୁହେ ପୌରାଣିକ କିମ୍ବଦନ୍ତୀ

ପୌରାଣିକ କଥାବସ୍ତୁ ଅନୁଯାୟୀ, ସୀତାଙ୍କୁ ଲଙ୍କାର ରାବଣ ହରଣ କରି ବଙ୍ଗୋପସାଗର ଅପରପାଶ୍ୱର୍ସ୍ଥ ଲଙ୍କା ରାଜ୍ୟର ଅଶୋକ ବନରେ ରଖିଥିଲେ। ଏ ପଟେ ଏହି ସମୁଦ୍ର ତଟରେ ଭଗବାନ ରାମଚନ୍ଦ୍ର ଡ଼େରା ପକାଇ ଏହି ରାମଲକ୍ଷଣ କଙ୍କଡ଼ା ମୁଣ୍ଡରେ ଥିବା ଏକ ଶୃଙ୍ଗ (ଏକ ଶକ୍ତ କଣ୍ଟା) ଦ୍ୱାରା ଶ୍ରୀରାମ୍ ଚିଟାଉ ଲେଖୁଥିଲେ । ତେଣୁ ଏହାର ନାମ ‘ରାମଲକ୍ଷଣ’ ଓ ପରେ ଅପଭ୍ରଂଶ ହୋଇ ‘ରାମଲେଖନୀ’ହୋଇଥିବା କୁହାଯାଉଛି।

ସ୍ଥାନୀୟ ଧୀବରମାନେ ପ୍ରତିଦିନ ସମୁଦ୍ରରେ ଜାଲ ବସାଇ ମାଛ ଧରିଥାନ୍ତି । ଧୀବରମାନେ ଜୁଆର ଛାଡ଼ୁଥିବା ସମୟ ସୀମାକୁ ଦୃଷ୍ଟିରେ ରଖି ଶୀଘ୍ରଶୀଘ୍ର ପାଣି ଭିତରେ ପାଦ କଚାଡ଼ି ଚାଲିଲେ ଏହି କଙ୍କଡ଼ାଙ୍କର ଶୃଙ୍ଗ ପାଦରେ ଗଳିଯାଇଥାଏ ଏବଂ ନିମିଷକେ ଉକ୍ତ ମଣିଷଟି ସେହିଠାରେ ଯନ୍ତ୍ରଣାରେ ଛଟପଟ ହୋଇ ଟଳିପଡେ। ସେଥିପାଇଁ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଭାଷାରେ ଏହାକୁ ‘ଟେଳି’ କୁହାଯାଏ। ଏହି କଙ୍କଡ଼ାର ଶୃଙ୍ଗଟି ଏତେ ବିଷାକ୍ତ ଯେ ଯଦି ତାହା ପାଦରେ ଭେଦ କରେ, ତେବେ ଲୋକର ମୃତ୍ୟୁ ସୁନିଶ୍ଚିତ। ଯଦି ଲୋକଟି ବଞ୍ଚିଯାଏ, ତେବେ ଗୋଡ଼ ଅଚଳ ହୋଇଯାଏ।

ଗବେଷକଙ୍କ ମତରେ ଏହି କଙ୍କଡ଼ାର ଖୋଳପା ଅତି ପତଳା ଓ ନମନୀୟ। ତେଣୁ ଆତ୍ମରକ୍ଷା ପାଇଁ କଙ୍କଡ଼ାଟି ୮ ଇଞ୍ଚ୍‍ ଲମ୍ବର ବିଷାକ୍ତ ଶୁଣ୍ଢକୁ ଉପରକୁ କରି ବାଲିରେ ଲାଖି ରହିଥାଏ। ଏବେ ଦୈନିକ ଏହି ନୀଳରକ୍ତ କଙ୍କଡାର ଖୋଳପା ସମୁଦ୍ର ଢ଼େଉରେ ଭାସିଆସି କୂଳରେ ଜମା ହୋଯାଉଛି। ଲୋକେ ଭାବୁଛନ୍ତି କଙ୍କଡ଼ାଙ୍କ ସଂଖ୍ୟା ବୃଦ୍ଧି ପାଉଛି। ହେଲେ ବାସ୍ତବରେ ସେମାନଙ୍କ ସଂଖ୍ୟା କମୁଛି। ଏମାନଙ୍କର ସୁରକ୍ଷା ପାଇଁ କେନ୍ଦ୍ର ସରକାର କୌଣସି ନୀତି ନିର୍ଦ୍ଧାରଣ ନକରିବା ଚିକିତ୍ସା ବିଜ୍ଞାନୀଙ୍କ ମନରେ ଉଦ୍‍ବେଗ ସୃଷ୍ଟି କରିଛି।

ଏହି ନୀଳରକ୍ତ କଙ୍କଡା ସମ୍ପର୍କରେ ବାଲେଶ୍ଵର ଫକୀରମୋହନ ବିଶ୍ଵବିଦ୍ୟାଳୟ ପକ୍ଷରୁ ପାଠ୍ୟକ୍ରମ ଓ ଗବେଷଣା କାର୍ଯ୍ୟକ୍ରମ ଚାଲୁ ରହିଛି। ଏବେ କିଛି ସାମାଜିକ କର୍ମୀ ଏହାର ସୁରକ୍ଷା ନିମନ୍ତେ ଜନ ସଚେତନତା ସୃଷ୍ଟି କରୁଥିବାର ଦେଖାଯାଏ। ଏ ଦିଗରେ ବାଲେଶ୍ଵରର ବିଶିଷ୍ଟ ଚିତ୍ରଶିଳ୍ପୀ କେଶୁ ଦାସ ନୀଳରକ୍ତ କଙ୍କଡ଼କୁ ସବଜେକ୍ଟ ଭାବେ ଗ୍ରହଣ କରି ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରୁଛନ୍ତି।

ଅଶ୍ଵଖୁରାକୃତି କଙ୍କଡା ବା Horseshoe crab  ଏକ ବିରଳ ପ୍ରଜାତିର ପ୍ରାଣୀ। ବିଶ୍ୱର ପ୍ରାୟ ସର୍ବ ପୁରାତନ ଜୀବାଷ୍ମ ଭାବେ ଏହାକୁ ବିବେଚନା କରାଯାଏ। ଏହାର ରକ୍ତର ରଙ୍ଗ ଧଳା। ମାତ୍ର ବାୟୁ ସଂସ୍ପର୍ଶରେ ଆସିଲେ ଏହାର ରକ୍ତ ନୀଳ ହୋଇଯାଏ। ସେଥିପାଇଁ ଏହି ବିରଳ ପ୍ରଜାତିର ପ୍ରାଣୀକୁ ନୀଳ ରକ୍ତ କଙ୍କଡ଼ା କୁହାଯାଏ।

କେଉଁଠି ଦେଖିବାକୁ ମିଳନ୍ତି

ଏହି ବିରଳ ପ୍ରଜାତିର କଙ୍କଡ଼ା ଆମେରିକା, ଇଣ୍ଡୋନେସିଆ, ଚୀନ ଓ ମାଲେସିଆ ବ୍ୟତୀତ ଭାରତର ସୁନ୍ଦରବନଠାରୁ ପାରାଦୀପ ମଧ୍ୟରେ ଦେଖିବାକୁ ମିଳନ୍ତି। ମାତ୍ର ସେମାନଙ୍କ ପାଇଁ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର, ବାହାବଳପୁର, ବଳରାମଗଡ଼ି ଓ ବାରହଜାରିଆ ବେଳାଭୂମି ସୁରକ୍ଷିତ ଥିବାରୁ ଏଠାରେ ଅଧିକ ପରିମାଣର କଙ୍କଡ଼ା ଦେଖିବାକୁ ମିଳନ୍ତି। ମାତ୍ର ଏବେ ଏମାନଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାର ଲାଗିଛି। ଏହି କଙ୍କଡ଼ା ହ୍ରାସ ପାଇବାର ପ୍ରକୃତ କାରଣ ଜଣାପଡ଼ି ନଥିଲେ ମଧ୍ୟ ପଶ୍ଚିମବଙ୍ଗ ଦେଇ ପଡ଼ୋଶୀ ଦେଶକୁ ଚାଲାଣ ହେଉଥିବା ସନ୍ଦେହ କରାଯାଉଛି।

ନୀଳରକ୍ତ କଙ୍କଡ଼ାର ରକ୍ତରୁ ତିଆରି ହୁଏ ଲାଲ୍‌ ଟେଷ୍ଟ୍‌ କିଟ୍‌

ନୀଳରକ୍ତ କଙ୍କଡ଼ାର ରକ୍ତରୁ ତିଆରି ହେଉଛି ଲାଲ ଟେଷ୍ଟ କିଟ୍‌ (lal test kit)। ୧୯୬୪ ମସିହାରେ ଆମେରିକାର ବିଶିଷ୍ଟ ବୈଜ୍ଞାନିକ ଲେଭି ଆଣ୍ଡ ମେଙ୍ଗ ଏହି କିଟ୍‌ ବାହାର କରିଥିଲେ। ଏହି କିଟ୍‌ ମାଧ୍ୟମରେ ଔଷଧର ନମୁନା ପରୀକ୍ଷା କରାଯାଏ। ପୂର୍ବରୁ ଔଷଧର ନମୁନା ଠେକୁଆ କାନରେ ପକାଇ ପରୀକ୍ଷା କରାଯାଉଥିଲା। ଏହାଦ୍ୱାରା ବହୁ ସଂଖ୍ୟକ ଠେକୁଆଙ୍କ ମୃତ୍ୟୁ ହେଲା। ସେଥିପାଇଁ ଏହାର ବିକଳ୍ପ ଭାବେ ଲାଲ୍‌ ଟେଷ୍ଟ୍‌ କିଟ୍‌ ବାହାର କରାଯାଇଥିଲା। ଏହି କିଟ୍‌ ମାଧ୍ୟମରେ ଅତି ସହଜରେ ଔଷଧର ନମୁନା ପରୀକ୍ଷା କରାଯାଉଛି। ଏହାଛଡ଼ା ଏହି କଙ୍କଡ଼ାରେ ଏକ ପ୍ରୋଟିନ୍‌ ଆବିଷ୍କାର କରାଯାଇଛି, ଯାହା ମଣିଷ ଶରୀରରେ ଭିଟାମିନ୍‌ ବି-୧୨ ପୂରଣ କରିଥାଏ। ଡାକ୍ତର ସି.ହୁରିଆନା ହୋମିଓପାଥିକ ଚିକିତ୍ସାରେ ଲିମୁଲୁସନରୁ ନିର୍ମିତ ଔଷଧ ତିଆରି କରିଛନ୍ତି, ଏହା ନୀଳରକ୍ତ କଙ୍କଡ଼ାର ହିମୋଲିମ୍ପରୁ ତିଆରି ହୋଇଥାଏ।

ଏଥିରେ ମାନସିକ କ୍ଲାନ୍ତି, ହଜମ ଜନିତ ସମସ୍ୟା ଓ ହଇଜା ଆଦି ଚିକିତ୍ସା ହୋଇପାରୁଛି। ଡାଇବେଟିସ୍‌ ରୋଗର ଚିକିତ୍ସା ପାଇଁ ଏବେ ଏହି କଙ୍କଡ଼ା ଉପରେ ରିସର୍ଚ୍ଚ ଚାଲିଛି। ସମଗ୍ର ବିଶ୍ୱରେ ଏବେ ନୀଳରକ୍ତ କଙ୍କଡ଼ା ଉପରେ ୫୦୦ ବୈଜ୍ଞାନିକ ଗବେଷଣା କରୁଛନ୍ତି। ସେମାନଙ୍କ ମଧ୍ୟରେ ଭାରତରୁ ୨୦ରୁ ୨୫ ଜଣ ବୈଜ୍ଞାନିକ ଅଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଆମେରିକା ଓ ଚୀନ ପରି ରାଷ୍ଟ୍ର ଏହି କଙ୍କଡ଼ାର ରକ୍ତରୁ ଔଷଧ ତିଆରି କରୁଥିବା ବେଳେ ଭାରତରେ ଏହା ସମ୍ଭବ ହୋଇପାରୁ ନାହିଁ।

ନୀଳରକ୍ତ କଙ୍କଡ଼ାକୁ କୁହାଯାଏ ହନିମୋନିକ୍‌ କ୍ରାବ

ନୀଳରକ୍ତ କଙ୍କଡ଼ାକୁ ହନିମୋନିକ କ୍ରାବ୍‌ କୁହନ୍ତି। କାରଣ-ଏମାନେ ସମୁଦ୍ର ଢେଉରେ ସାଥୀ (ପୁରୁଷ ଓ ସ୍ତ୍ରୀ) ହୋଇ ଆସନ୍ତି। ଯେତେ ଚେଷ୍ଟା କଲେ ସେମାନଙ୍କୁ ଅଲଗା କରିହୁଏ ନାହିଁ। ବିଶେଷଜ୍ଞଙ୍କ ମତରେ ସ୍ତ୍ରୀ କଙ୍କଡ଼ା ଦେହରେ ସୃଷ୍ଟି ହୋଇଥିବା ଫେନୋମେନା ପୁରୁଷ କଙ୍କଡ଼ାକୁ ଆକର୍ଷିତ ହୋଇଥାଏ। ସେଥିପାଇଁ ସେମାନେ ସବୁବେଳେ ସାଥୀ ହୋଇ ଆସନ୍ତି। ସ୍ତ୍ରୀ କଙ୍କଡ଼ା ବାଲିରେ ଗାତ କରି ଅଣ୍ଡା ଦେବା ପରେ ପୁରୁଷ କଙ୍କଡ଼ା ସ୍ପର୍ମ ଛାଡ଼ିଥାଏ। ପରେ ସେମାନେ ସାଥୀ ହୋଇ ନୀଳ ସମୁଦ୍ରକୁ ଚାଲି ଯାଆନ୍ତି। ସ୍ତ୍ରୀ ନୀଳରକ୍ତ କଙ୍କଡ଼ା ଥରକେ ଗୋଟିଏ ଜାଗାରେ ୫୦୦ ଅଣ୍ଡା ଦେଇଥାଆନ୍ତି। ଗୋଟିଏ ସିଜିନ୍‌ରେ ସ୍ତ୍ରୀ କଙ୍କଡ଼ା ୫୦୦୦ରୁ ୮୦୦୦ ଅଣ୍ଡା ଦେଇଥାଏ।

ଥାଇଲାଣ୍ଡରେ ରହିଛି ହର୍ଷକ୍ରାବ୍‌ ରେଷ୍ଟୁରାଣ୍ଟ

ଭାରତ ଛଡ଼ା ଆମେରିକା, ଚୀନ, ମାଲେସିଆ ଓ ଇଣ୍ଡୋନେସିଆରେ ନୀଳରକ୍ତ କଙ୍କାଡ଼ାକୁ ଖାଦ୍ୟ ରୂପେ ବ୍ୟବହାର କରାଯାଏ। ଏପରି ଥାଇଲାଣ୍ଡରେ ହର୍ଷକ୍ରାବ୍‌ ନାଁରେ ଗୋଟିଏ ରେଷ୍ଟୁରାଣ୍ଟ ରହିଛି। ଯେଉଁଠି ନୀଳରକ୍ତ କଙ୍କଡ଼ାର ବିଭିନ୍ନ ପ୍ରକାର ବ୍ୟଞ୍ଜନ ମିଳିଥାଏ। ଦୂରଦୂରାନ୍ତରୁ ଆସୁଥିବା ଲୋକେ କଙ୍କଡ଼ାର ସ୍ୱାଦ ଉଠାଇ ଥାନ୍ତି।

ସଚେତନତା ଜରୁରି

ନୀଳରକ୍ତ କଙ୍କଡ଼ାରେ ବହୁ ଔଷଧୀୟ ଗୁଣ ଥିବା ସତ୍ତ୍ୱେ ପ୍ରଶାସନ ଏହାର ସଂରକ୍ଷଣ ପ୍ରତି ଧ୍ୟାନ ଦେଉନି। ଫଳରେ ଏମାନଙ୍କ ସଂଖ୍ୟା ଧୀରେଧୀରେ କମିବାରେ ଲାଗିଛି। ଏବେ ଏହି କଙ୍କଡ଼ାର ସଂରକ୍ଷଣ ପାଇଁ ଅଣ୍ଟା ଭିଡ଼ିଛନ୍ତି ବାଲେଶ୍ୱରବାସୀ। ‘ଆସୋସିଏସନ୍‌ ଫର୍‌ ବାୟୋ ଡାଇଭରସିଟି କଞ୍ଜରଭେସନ୍‌’ ନାମକ ଏକ ସଂସ୍ଥା ନୀଳରକ୍ତ କଙ୍କଡ଼ାର ସଂରକ୍ଷଣ ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରୁଛି। ନିୟମିତ ଭାବେ ବେଳାଭୂମୀକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ପାଇଁ ସଚେତନତା କରାଯାଉଛି। ଏପରିକି ମତ୍ସ୍ୟଜୀବୀଙ୍କୁ ଏହି କଙ୍କଡ଼ା ଧରିବାକୁ ବାରଣ କରାଯାଉଛି। ଏହି କଙ୍କଡ଼ାର ଔଷଧୀୟ ଗୁଣ ସମ୍ପର୍କରେ ଲୋକଙ୍କୁ ଜଣାଇବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା ମଧ୍ୟ କରାଯାଉଛି।

“ପିଲାବେଳେ ବେଳାଭୂମିରେ ନୀଳରକ୍ତ କଙ୍କଡ଼ା ଦେଖି ଖେଳୁଥିଲି। ଯେତେବେଳେ ଏହାର ମହତ୍ୱ ଜାଣିଲି ଏହି କଙ୍କଡ଼ାର ସଂରକ୍ଷଣ ପାଇଁ ମନ ବଳାଇଲି। ସମୁଦ୍ର କୂଳବର୍ତ୍ତୀ ଲୋକଙ୍କ ମଧ୍ୟରେ ନୀଳରକ୍ତ କଙ୍କଡ଼ା ସମ୍ପର୍କରେ ଚିତ୍ରକଳା ମାଧ୍ୟମରେ ସଚେତନତା ସୃଷ୍ଟି କରୁଛି”, ଓଡ଼ିଶାଲାଇଭ୍‌କୁ କହିଛନ୍ତି ଶିଳ୍ପୀ କେଶୁ ଦାସ।

Comment