ଅଶୋକ ବହିଦାର

ସାତ ଦଶନ୍ଧିର ଧନୁଯାତ୍ରାରେ ‘କଂସ’ ଚରିତ୍ର ପାଇଁ ଅନେକ ଅଭିନେତା ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚରେ ଅଭିନୟ କରିଛନ୍ତି। ସେମାନଙ୍କ ଭିତରୁ କେତେ ଜଣ ଆଉ ଇହଜଗତରେ ନାହାନ୍ତି। ଅଥଚ ଲୋକଙ୍କ ହୃଦୟରେ ଛାଡ଼ି ଯାଇଛନ୍ତି ତାଙ୍କର  ଅଭିନୟ ଦକ୍ଷତାର ଛାପ। ପ୍ରତି ଥର ଧନୁଯାତ୍ରାରେ ସେମାନେ ଖୁବ୍ ମନେପଡ଼ିଥାନ୍ତି।

ବୁନ୍ଦି ରଥ ଧନୁଯାତ୍ରାର ପ୍ରଥମ କଂସ

ଧନୁଯାତ୍ରାର ପ୍ରଥମ କଂସ ହେଉଛନ୍ତି ସ୍ୱର୍ଗତ ବୁନ୍ଦି ରଥ। ଷାଠିଏ ବର୍ଷ ବୟସରେ ସେ କଂସ ଚରିତ୍ରରେ ଅଭିନୟ କରିଥିଲେ।

ସେ ସମୟରେ ଧନୁଯାତ୍ରାରେ “ହାତୀ’ର ଆବିର୍ଭାବ ହୋଇନଥିଲା। ଏକ ଚାରିଚକିଆ ଯାନରେ କଂସ ଚରିତ୍ରର ଏଇ ଦିବଂଗତ ଅଭିନେତା  ଜରିଲୁଗା ପୋଷାକ ପରିଧାନ କରି ଭ୍ରମଣ କରୁଥିଲେ। ବୟସର ଚାପ ଯୋଗୁ ତାଙ୍କର ସଂଳାପ ଉଚ୍ଚାରଣ ଓ ଅଭିନୟ ସେତେ ପ୍ରଭାବଶାଳୀ ନ ଥିଲା ବୋଲି କୁହାଯାଇଥାଏ। ଧନୁଯାତ୍ରାର ପ୍ରଥମ କଂସ ଭାବେ ସେ ପ୍ରବାଦ ପୁରୁଷ ହୋଇ ରହିଯାଇଛନ୍ତି।

ଯୁଧିଷ୍ଠିର ଶତପଥୀଙ୍କ ଅଭିନୟ ଧନୁଯାତ୍ରାର ଟର୍ଣ୍ଣିଂ ପଏଣ୍ଟ

ତାଙ୍କ ପରେ ଭୀମ ତ୍ରିପାଠୀ କଂସ ଚରିତ୍ରରେ ଅଭିନୟ କରିଥିଲେ। ଯୁଧିଷ୍ଠିର ଶତପଥୀଙ୍କ କଂସ ଚରିତ୍ରରେ ଅଭିନୟ ବରଗଡ଼ ଧନୁଯାତ୍ରାର ଏକ ଟର୍ଣ୍ଣିଂ ପଏଣ୍ଟ ବୋଲି କୁହାଯାଇଥାଏ। ବିଶାଳବପୁ ସହିତ ଛଅ ଫୁଟିଆ ମଣିଷ ଥିଲେ ସେ। ତାଙ୍କର ଗୁରୁଗୟୀର ସ୍ୱର, ସଂଳାପ ଉଚ୍ଚାରଣର ଶୈଳୀ, ଜୀବନ୍ତ ଅଭିନୟ, ରାଜକୀୟ ଠାଣି ଉପସ୍ଥିତ ଦର୍ଶକ ମାନଙ୍କର ମନକୁ ଜିଣି ନେଇଥିଲା। ରାଜଦାଣ୍ଡରେ ଶତପଥୀ ହାତୀ ଉପରେ ବସି ନଗର ଭ୍ରମଣ କରୁଥିବା ବେଳେ ମନେ ହେଉଥିଲା, ସତେ ଯେପରି ଦ୍ୱାପରଯୁଗର କଂସ ମହାରାଜା ମଧୁରାନଗରୀରେ ଆବିର୍ଭୂତ ହୋଇଛନ୍ତି।

ବାସ୍ତବିକ ଯୁଧିଷ୍ଠିର ଶତପଥୀ ଧନୁଯାତ୍ରାକୁ ନେଇ ଏକ ସ୍ୱର୍ଣ୍ଣିଳ ଅଧ୍ୟାୟ ସୃଷ୍ଟି କରିଯାଇଛନ୍ତି ଇତିହାସ ପୃଷ୍ଠାରେ।

ଚର୍ଚ୍ଚାରେ ଗୋପାଳ ସାହୁ

ଯୁଧିଷ୍ଠିର ଶତପଥୀଙ୍କ ପରେ ଅନେକ ଅଭିନେତା କଂସ ଚରିତ୍ରରେ ଅଭିନୟ କରିଛନ୍ତି। ସେମାନଙ୍କ ଭିତରୁ ପୋଲିସ କର୍ମଚାରୀ ଗୋପାଳ ସାହୁ ଦୀର୍ଘ ବର୍ଷ ଧରି କଂସ ଭୂମିକାରେ ଅଭିନୟ କରି ଚର୍ଚ୍ଚାରେ ଥିଲେ। ଗୋପାଳ ସାହୁଙ୍କ ସଂଳାପ ଉଚ୍ଚାରଣ ଓ ଅଭିନୟର ଚାତୁରୀ ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ତାଙ୍କୁ କଂସ ଚରିତ୍ରରେ ଅଭିନୟ କରିବା ପାଇଁ ସୁଯୋଗ ଦେଇଛି।

ଗୋପାଳସାହୁ ଏବେ କଂସ ଚରିତ୍ରରେ ଅଭିନୟ କରୁନାହାନ୍ତି। ଗୋପାଳଙ୍କ ପରେ ହୃଷିକେଶ ଭୋଇ କଂସ ଚରିତ୍ରରେ ଅଭିନୟ କରିଛନ୍ତି। ହେଲେ ଗୋପାଳ ସାହୁଙ୍କ ଅଭିନୟ ଏକ ବିରଳ ରେକର୍ଡ ଭାବେ ସ୍ୱୀକାର କରାଯାଇଥାଏ।

ଗୋପାଳ ସାହୁ ବରଗଡ଼ ଧନୁଯାତ୍ରାରେ ସିନା କଂସ ରଚିତ୍ରରେ ଆଉ ଅଭିନୟ କରୁନାହାନ୍ତି ହେଲେ ଅନ୍ୟାନ୍ୟ ସ୍ଥାନର ଧନୁଯାତ୍ରାରେ ମଧ୍ୟ ଦର୍ଶକମାନଙ୍କ ପାଇଁ ପାଲଟିଛନ୍ତି ପ୍ରିୟକଂସ ମହାରାଜ।

ଗୋପାଳ ସାହୁଙ୍କ ପରେ ଆଠବର୍ଷ ଧରି ଅଭିନେତା ହୃଷୀକେଶ ଭୋଇ ନିଜସ୍ୱ ଶୈଳୀରେ “କଂସ’ ଚରିତ୍ରରେ ଅଭିନୟ କରି ଚର୍ଚ୍ଚାକୁ ଆସିବା ପାଇଁ ସଫଳ ହୋଇପାରିଛନ୍ତି।

ସେ ଗୋପାଳ ସାହୁଙ୍କୁ ନିଜର ଗୁରୁବୋଲି ମାନିଥାନ୍ତି। ମିଡିଆରେ ହୃଷିକେଶ ଭୋଇ ବେଶ୍ ପରିଚିତ। ଚଳିତବର୍ଷ ବରଗଡ଼ ଧନୁଯାତ୍ରାର କଂସ ଚରିତ୍ରରୁ ହୃଷିକେଶ ଓହରି ଯାଇଛନ୍ତି, ତଥାପି ତାଙ୍କର ଅଭିନୟକୁ ନେଇ ଏକ ସ୍ୱତନ୍ତ୍ର ପୃଷ୍ଠା ବରଗଡ଼ ଧନୁଯାତ୍ରା ଇତିହାସରେ ନିଶ୍ଚୟ ଯୋଡ଼ି ହୋଇ ରହିବ।

ବରଗଡ଼ ଧନୁଯାତ୍ରା ଉପରେ ଓଡ଼ିଶାଲାଇଭ୍‌ ପକ୍ଷରୁ ଆୟୋଜିତ ଏହି ମିଡିଆ ଅଭିଯାନର ମୁଖ୍ୟ ପ୍ରାୟୋଜକ ହେଉଛନ୍ତି ‘ନାଲ୍‌କୋ‘, ସହ ପ୍ରାୟୋଜକ ‘ଓଡ଼ିଶା ଖଣି ନିଗମ‘ (ଓଏମ୍‌ସି)।

LEAVE A REPLY

Please enter your comment!
Please enter your name here