ଓଡ଼ିଶାଲାଇଭ୍‌ ବ୍ୟୁରୋ


ଭୁବନେଶ୍ୱରରେ ଶୁଭାରମ୍ଭ ହୋଇଛି ସିଏନ୍‌ଜି ଷ୍ଟେସନ୍। ଏହାକୁ ଉଦଘାଟନ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ଓ ନାଚୁରାଲ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଥମ ପର୍ଯ୍ୟାୟରେ ଚନ୍ଦ୍ରଶେଖରପୁର ଏବଂ ପଟିଆ ପେଟ୍ରୋଲ ପମ୍ପ୍‌ରେ ସିଏନ୍‌ଜି ଷ୍ଟେସନ ଖୋଲା ଯାଇଛି। କଟକ-ଭୁବନେଶ୍ୱର ଟ୍ବିନ ସିଟିରେ ୨୫ଟି ସିଏନ୍‌ଜି ଷ୍ଟେସନ ଖୋଲାଯିବାର ଲକ୍ଷ୍ୟ ରହିଛି।

ଭୁବନେଶ୍ୱରରେ ୧୫ଟି ସିଏନ୍‌ଜି ଷ୍ଟେସନ୍ ଏବଂ କଟକରେ ୧୦ଟି ଷ୍ଟେସନ ଖୋଲାଯିବ। ଏହି ଷ୍ଟେସନ ଜରିଆରେ ୧.୫ ଲକ୍ଷ ଲୋକଙ୍କୁ ସ୍ୱଚ୍ଛ ଇନ୍ଧନ ଯୋଗାଇ ଦିଆଯିବ।

ଉଦଘାଟନ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ଓଡ଼ିଶାବସୀଙ୍କୁ ସ୍ୱଚ୍ଛ ଇନ୍ଧନ ଯୋଗାଇ ଦେବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି।ସ୍ୱଚ୍ଛ ଇନ୍ଧନ ଅଭାବରୁ ଦେଶରେ ୫ ଲକ୍ଷ  ମହିଳା ପ୍ରାଣ ହରାଉଛନ୍ତି। ସେମାନଙ୍କ ସୁରକ୍ଷା ନିମନ୍ତେ ଆମେ ସବୁ ପ୍ରକାର ବ୍ୟବସ୍ଥା କରୁଛୁ। ସିଏନ୍‌ଜି ଗ୍ୟାସ୍ ମାଧ୍ୟମରେ ଅଟୋ ଏବଂ ସ୍କୁଟର ଚାଲି ପାରିବ। ଏହାସହ ସିଏନ୍‌ଜି ମାଧ୍ୟମରେ ୩୦ ପ୍ରତିଶତ ଇନ୍ଧନ କମ୍ ଖର୍ଚ୍ଚ ହୋଇପାରିବ।”

ଭୁବନେଶ୍ୱରର ତମାଣ୍ଡୋ ଏବଂ ଖଣ୍ଡିଗରିରେ ଆଉ ଦୁଇଟି ସିଏନଜି ଷ୍ଟେସନ ନିର୍ମାଣ ଚାଲିଛି। ଏହା ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ। ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ମାଧ୍ୟମରେ ଏହି ଷ୍ଟେସନ ଖୋଲାଯାଉଛି। ୧ କେଜି ଗ୍ୟାସ୍‌ରେ ଅଟୋ ୪୦ ଏବଂ ସ୍କୁଟି ୮୦ କିମି ଯାଇ ପାରିବ। ପରିବେଶ ଉପରେ ଏହା କୌଣସି ପ୍ରଭାବ ପକାଇବ ନାହିଁ। ଲୋକାର୍ପଣ ଉତ୍ସବରେ ଗେଲ୍‌ ଇଣ୍ଡିଆ ଲିମିଟେଡ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ କର୍ଣ୍ଣାଟକା ଉପସ୍ଥିତ ଥିଲେ।

ଓଡ଼ିଶାରେ ୪ ହଜାର କୋଟି ଟଙ୍କା ବ୍ୟୟରେ ପ୍ରଧାନମନ୍ତ୍ରୀ ପ୍ରାକୃତିକ ବାଷ୍ପ ପାଇପ୍ ଲାଇନ୍ ନିର୍ମାଣ କରାଯାଉଛି। ଏହି ପାଇପ୍ ଲାଇନ୍ ଓଡ଼ିଶାର ୧୩ ଜିଲ୍ଲା ଦେଇ ଗତି କରିବ।

Comment