ଓଡ଼ିଶାଲାଇଭ୍ ବ୍ୟୁରୋ
ନାଲ୍କୋ ପକ୍ଷରୁ ସ୍ୱଚ୍ଛତା ପକ୍ଷ ଆରମ୍ଭ ହୋଇଛି। ପୁରୀ ଜିଲ୍ଲା ଶ୍ରୀରାମଚନ୍ଦ୍ରପୁରର ନାରକୋଲି ଗୋରଡ଼ାଠାରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଛି। ସଫେଇ ସହ ସଚେତନତା, ସୌନ୍ଦର୍ଯ୍ୟକରଣ, ସ୍ୱଚ୍ଛ ପ୍ରଶାସନ, ବର୍ଜ୍ୟବସ୍ତୁ ପରିଚାଳନା, କର୍ମଶାଳା ଆଦି କାର୍ଯ୍ୟକ୍ରମ କରାଯାଇଛି।
ଏହି ଅବସରରେ ସହଯୋଗ ଯୋଜନା ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଚରଖା ପ୍ରଦାନ କରାଯାଇଛି। ସାକ୍ଷୀ ଗୋପିନାଥ ଗ୍ରାମଦ୍ୟୋଗ ସଂଘର ମହିଳା ବୁଣାକାରମାନଙ୍କୁ ୨୫ଟି ଚରଖା ପ୍ରଦାନ କରାଯାଇଛି। ଖଣି ବିଭାଗର ଯୁଗ୍ମ ସଚିବ ସୁବାସ ଚନ୍ଦ୍ରା, ନାଲ୍କୋ ସିଏମ୍ଡି ଡକ୍ଟର ତପନ କୁମାର ଚାନ୍ଦ, ମାନବ ସମ୍ବଳ ନିର୍ଦ୍ଦେଶକ ବି କେ ଠାକୁର, କେଭିଆଇସି ନିର୍ଦ୍ଦେଶକ ଉତ୍କଳ କେଶରୀ ପ୍ରମୁଖଙ୍କ ଉପସ୍ଥି୍ତିରେ ଚରଖା ବଣ୍ଟନ କରାଯାଇଛି। ବିପିଏଲ୍ ପରିବାରମାନଙ୍କୁ ହ୍ୟାଣ୍ଡ ୱାସ୍ ବଣ୍ଟନ କରାଯାଇଥିଲା।
ଡକ୍ଟର ତପନ କୁମାର ଚାନ୍ଦ କହିଛନ୍ତି, “ଚରଖା ହେଉଛି ପ୍ରଗତିର ପ୍ରତୀକ। ଏହା ମାଧ୍ୟମରେ ମହିଳାମାନଙ୍କର ବିକାଶ ହୋଇପାରିବ। ମହିଳା ସଶକ୍ତିକରଣ ମଧ୍ୟ ତ୍ୱରାନ୍ୱିତ ହୋଇପାରିବ। ମହିଳାମାନଙ୍କୁ ସହାୟତାର ହାତ ବଢ଼ାଇ ସେମାନଙ୍କୁ ସାମାଜିକ, ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବା ଆବଶ୍ୟକ।”
ଦେଶର ସବୁଠୁ କନିଷ୍ଠ ମହିଳା ସରପଞ୍ଚ ଆରତି ଦେବୀଙ୍କୁ ନାଲ୍କୋ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

















