ଓଡ଼ିଶାଲାଇଭ୍ ବ୍ୟୁରୋ

- ସ୍ୱଚ୍ଛତା ଉପରେ ସଚେତନତା ପକ୍ଷ ପାଳନ
- ସଫେଇ, ବୃକ୍ଷରୋପଣ, ସ୍ୱଚ୍ଛତା ଲାଗି ଶପଥ
- ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା
- ପାଇକ ବିଦ୍ରୋହ ଉପରେ ୱାଲ ପେଣ୍ଟିଂ
ନବରତ୍ନ ଆଲୁମିନିୟମ୍ କମ୍ପାନି ନାଲକୋ ପକ୍ଷରୁ ରବିବାର ଦିନ ସକାଳେ କଳିଙ୍ଗ ହସ୍ପିଟାଲ ଛକରୁ ନାଲକୋ ନଗର ପର୍ଯ୍ୟନ୍ତ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କେନ୍ଦ୍ର ସରକାରଙ୍କ ଆହ୍ୱାନ ଚାଲିଥିବା ସ୍ୱଚ୍ଛତା ପକ୍ଷ ଅବସରରେ ନାଲ୍କୋ ଶନିବାରଠାରୁ ଏହି ଅଭିଯାନ ଆରମ୍ଭ କରିଛି।
ରବିବାର ଦିନ ସକାଳୁ ଏହି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ନାଲ୍କୋର କର୍ମଚାରୀ ଓ ଅଧିକାରୀମାନଙ୍କ ସହ ସମାଜର ବହୁ ପ୍ରତିଷ୍ଠିତ ବ୍ୟକ୍ତି ଯୋଗ ଦେଇଥିଲେ। ନାଲକୋ ସିଏମ୍ଡି ଡକ୍ଟର ତପନ କୁମାର ଚାନ୍ଦଙ୍କ ନେତୃତ୍ୱରେ ସଫେଇ କାର୍ଯ୍ୟକ୍ରମ ହୋଇଥିଲା।
ସଫେଇ କାର୍ଯ୍ୟକ୍ରମ ବେଳେ ସ୍ୱଚ୍ଛତା ସମ୍ପର୍କରେ ବ୍ୟାପକ ସଚେତନତା ପାଇଁ ଉଦ୍ୟମ କରାଯାଇଥିଲା। ବହୁ ବ୍ୟକ୍ତିଙ୍କ ହାତରେ ଝାଡ଼ୁ, ଆବର୍ଜନା ଉଠାଇବା ପାଇଁ ପଲିଥିନ୍ ସହ ବିଭିନ୍ନ ବାର୍ତ୍ତା ଲେଖା ହୋଇଥିବା ପ୍ଲାକାର୍ଡ ଦେଖିବାକୁ ମିଳିଥିଲା।
ଏହି ସ୍ୱଚ୍ଛ ଭାରତ ଅଭିଯାନରେ ଭୁ୍ବନେଶ୍ୱରର ବହୁ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।
ଏହି ଅବସରରେ ନାଲକୋ ସିଏମ୍ଡି ଡକ୍ଟର ତପନ କୁମାର ଚାନ୍ଦ କହିଛନ୍ତି ଯେ, “ଏହି କାର୍ଯ୍ୟକ୍ରମ ଚାଲୁ ରହିବା ଫଳରେ ଦେଶରେ ସ୍ୱଚ୍ଛତା ଉପରେ ଏକ ଜାଗୃତି ଆସି ପାରିଛି। ୨୦୧୯ ବାପୁଙ୍କ ଜୟନ୍ତୀ ବେଳକୁ ଭାରତରେ ସ୍ୱଚ୍ଛତାର ଚିତ୍ର ବେଶ୍ ଉଲ୍ଲେଖନୀୟ ହୋଇପାରି ଥିବ।”
କମ୍ପାନି ପକ୍ଷରୁ ସ୍ୱଚ୍ଛତା ପକ୍ଷ ଅବସରରେ ଭୁ୍ବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଚାଲିଥିବା ସଫେଇ ଓ ଜନକଲ୍ୟାଣ କାର୍ଯ୍ୟକ୍ରମ ସମ୍ପର୍କରେ ଡକ୍ଟର ଚାନ୍ଦ ଗଣମାଧ୍ୟମକୁ ଜଣାଇଥିଲେ।
ଏହି ସ୍ୱଚ୍ଛତା ଅଭିଯାନରେ ଯୋଗଦେଇ ନାଲକୋ ମହିଳା ସମିତିର ସଭାନେତ୍ରୀ ପ୍ରୀତି ରଏ କହିଛନ୍ତି ଯେ, “ଏହା ଏକ ନାଗରିକ ଜାଗରଣ। ସ୍ୱଚ୍ଛତା ପ୍ରସଙ୍ଗରେ ସମସ୍ତେ ମିଳିମିଶି କାମ କଲେ ଦେଶ ଆଗକୁ ବଢ଼ିବ। ନହେଲେ କିଛି ଲୋକ ଆବର୍ଜନା ସୃଷ୍ଟି କରୁଥିବେ ଏବଂ ଅନ୍ୟମାନେ ତାହା ଦେଖି ନୀରବ ରହୁଥିବେ। ତେଣୁ ସ୍ୱଚ୍ଛତାର କାମ ନିଜ ଘର ଓ ନିଜ ପରିବେଶରୁ ଆରମ୍ଭ ହେବା ଦରକାର।”
ସଫେଇ କାର୍ଯ୍ୟକ୍ରମ ମଧ୍ୟରେ ଡକ୍ଟର ଚାନ୍ଦ ପାଇକ ବିଦ୍ରୋହ ଉପରେ ହୋଇଥିବା ୱାଲ ପେଣ୍ଟିଂରେ ଶେଷ ସ୍ପର୍ଶ ଦେଇଥିଲେ। ସେହିପରି ଡକ୍ଟର ଚାନ୍ଦ ଓ ତାଙ୍କ ସହଧର୍ମିଣୀ ପ୍ରୀତି ରଏ ବୃକ୍ଷରୋପଣ କରିଥିଲେ।
କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟରେ ନାଲକୋ କଲୋନିରେ ଥିବା ପ୍ରେକ୍ଷାଳୟରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଠାରେ ସ୍କୁଲ ପିଲାମାନେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ସ୍ୱଚ୍ଛତା ଉପରେ ବାର୍ତ୍ତା ଦେଇଥିଲେ। ସେହିପରି ଉପସ୍ଥିତ ଅତିଥି ଏବଂ ଅଂଶଗ୍ରହଣକାରୀ ସ୍ୱଚ୍ଛତା ବଜାୟ ରଖିବା ସମ୍ପର୍କରେ ଅନ୍ୟମାନଙ୍କୁ ଏ ଦିଗରେ ଉତ୍ସାହିତ କରିବାକୁ ଶପଥ ନେଇଥିଲେ।
ସ୍ୱଚ୍ଛତା କାର୍ଯ୍ୟକ୍ରମରେ ନିମନ୍ତ୍ରିତ ହୋଇ ଯୋଗ ଦେଇଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ନାଲକୋ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସମ୍ବର୍ଦ୍ଧିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ସି ଭି ରମଣ କଲେଜ ଅଫ୍ ଇଞ୍ଜିନିୟରିଂର ପ୍ରତିଷ୍ଠାତା ସଞ୍ଜୀବ ରାଉତ, ଓଡ଼ିଶା ଲାଇଭ୍ର ପ୍ରତିଷ୍ଠାତା ଏବଂ ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ, ସମାଜର ବ୍ୟୁରୋ ମୁଖ୍ୟ ସମରେନ୍ଦୁ ଦାସ, ଗାୟିକା ସୁସ୍ମିତା ଦାସ ପ୍ରମୁଖ।
ଏହି କାର୍ଯ୍ୟକ୍ରମରେ ନାଲକୋ କମ୍ପାନିର ନିର୍ଦ୍ଦେଶକମାନଙ୍କ ମଧ୍ୟରେ ଭି ବାଲାସୁବ୍ରମନ୍ୟମ, ବି କେ ଠାକୁର, କେ ସି ସାମଲ, ସଞ୍ଜୀବ କୁମାର ରଏ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି କ୍ରୀଡ଼ାବିତ ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ, ଅନୁରାଧା ବିଶ୍ୱାଳ, କିରଣ ମନିଷା ମହାନ୍ତି, ଭାଲେନା ଭାଲେଣ୍ଟିନା ପ୍ରମୁଖ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଯୋଗଦେଇ ସଚେତନତା ବାର୍ତ୍ତା ପ୍ରଚାର କ୍ଷେତ୍ରରେ ସାମିଲ୍ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାଲାଇଭ୍ ନିର୍ଦ୍ଦେଶକ ପ୍ରଣତୀ ପରିଡ଼ା, ବିଜ୍ଞାପନ ନିର୍ଦ୍ଦେଶକ ମନୋଜ ପୃଷ୍ଟି ଏବଂ କବି ଅକ୍ଷୟ ବେହେରା ପ୍ରମୁଖ ଯୋଗ ଦେଇଥିଲେ।

















