ପ୍ରୀତୀଶ ଆଚାର୍ଯ୍ୟ

ଭାଷାର ନାଁ

‘କୋଶଳି-ସମ୍ବଲପୁରୀ’ ଭାଷା–ସାହିତ୍ୟ ଆନ୍ଦୋଳନକୁ ନେଇ ଚର୍ଚ୍ଚା କଲାବେଳେ ପ୍ରଥମେ ଏହାର ନାଁରୁ ଆଲୋଚନା ଆରମ୍ଭ କରିବା ଉଚିତ ହେବ, କାରଣ ଏହାଦ୍ୱାରା ଭାଷା ଆନ୍ଦୋଳନର ପୃଷ୍ଠଭୂମି ସମ୍ବନ୍ଧରେ ଧାରଣା ସୁସ୍ପଷ୍ଟ ହେବ ।

କୋଶଳ ଏକ ଭୂଗୌଳିକ କ୍ଷେତ୍ର, ଯାହାର ବିସ୍ତୃତି ବର୍ତ୍ତମାନର ପୂର୍ବ-ଛତିଶଗଡ଼ ଓ ପଶ୍ଚିମ ଓଡ଼ିଶା ଅଞ୍ଚଳ। ପୂର୍ବ–ଛତିଶଗଡ଼ର ଅଞ୍ଚଳ ହେଲା; ସରଗୁଜା, ରାୟଗଡ଼, ସାରଂଗଡ଼ ଓ ବସ୍ନା, ଆଦି, ଏବଂ ପଶ୍ଚିମ ଓଡ଼ିଶାର ଅଞ୍ଚଳ ହେଲା; ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ବଉଦ ଓ ସୁବର୍ଣ୍ଣପୁର ବା ସୋନପୁର ଜିଲ୍ଲା। ଏହାକୁ ଗୋଟାଏ କ୍ଷେତ୍ର କହିବା ପଛରେ ଦୁଇଟି ପ୍ରମୁଖ ଆଧାର; ଗୋଟାଏ ହେଲା ଭାଷା ଓ ଅନ୍ୟଟି ଐତିହାସିକ ପୃଷ୍ଠଭୂମି। ଏହି ଅଞ୍ଚଳର କଥିତ ଭାଷା ଗୋଟାଏ, ଯଦିଓ ତା’ ଭିତରେ ବହୁ କିସମ ରହିଛି। କ୍ଷେତ୍ରର ନାଁ ହିସାବରେ ଭାଷାର ନାଁ କୋଶଳି ହେବା କଥା। ତହିଁରେ ଅନେକ କିସମ ରହିବା ସତ୍ତ୍ଵେ ମୌଳିକ ସାମଞ୍ଜସ୍ୟ ରହିଛି , ଯାହା ଉକ୍ତ ଭାଷାକୁ ଅନ୍ୟ ଭାଷାରୁ ପୃଥକ କରେ। ଉଦାହରଣ ସ୍ୱରୂପ, ‘କୋଶଳି’ରେ ନାହିଁ ର ପ୍ରୟୋଗ ବାକ୍ୟର କ୍ରିୟା ପୂର୍ବରୁ ହୁଏ। ଓଡ଼ିଆରେ ନାହିଁର ପ୍ରୟୋଗ ପ୍ରାୟତଃ କ୍ରିୟା ପରେ ହୁଏ। ହିନ୍ଦୀରେ ‘ନାହିଁ’ ଅବଶ୍ୟ କ୍ରିୟା ପୂର୍ବରୁ ବ୍ୟବହୃତ ହୁଏ, ମାତ୍ର କୋଶଳି କେବେ ହିନ୍ଦୀ ମଧ୍ୟ ନୁହେଁ, କାରଣ ଏଥିରେ ବ୍ୟବହୃତ ଶବ୍ଦ, ଉପମା, ଅଳଙ୍କାର ଆଦି ଓଡ଼ିଆର ନିକଟତର ମନେ ହୁଅନ୍ତି। ସେହି ସୂତ୍ରରେ କୋଶଳି ଉଭୟ ଓଡ଼ିଆ ଓ ଛତିଶଗଡ଼ରେ ବ୍ୟବହୃତ ଭାଷା, ସ୍ଥାନୀୟ ଲରିଆ, ମଧ୍ୟରେ ଏକ ସେତୁ ଭଳି ପ୍ରତୀତ ହୁଏ। ଏହା ସ୍ୱତନ୍ତ୍ର, ପୁଣି ଉଭୟ ପଡେ଼ାଶୀ ଭାଷା ସହ ସୁସମ୍ପର୍କିତ। ଯଦି ମୋଟ କୋଶଳ ଅଞ୍ଚଳର ବିବିଧ କିସମକୁ ଦେଖାଯାଏ, ତେବେ ଜଣାଯିବ ଯେ ଛତିଶଗଡ଼ର ନିକଟତର ଅଞ୍ଚଳର କୋଶଳି ଯଦି ଲରିଆର ପାଖାପାଖି, ବଉଦ-ଆଠମଲ୍ଲିକର କୋଶଳି ଅପେକ୍ଷାକୃତ ଭାବେ ଓଡ଼ିଆର ଅଧିକ ନିକଟତର। ଏଠାରେ ଆଉ ଗୋଟାଏ କଥା ସ୍ପଷ୍ଟ ହେବା କଥା ଯେ ଉଲ୍ଲିଖିତ କୋଶଳ ଅଞ୍ଚଳରେ ଆଦ୍ୟରୁ କୋଶଳି ବ୍ୟତୀତ ଅନ୍ୟ ଭାଷାର ମଧ୍ୟ ଉପସ୍ଥିତି ରହିଛି। ଯେମିତି ଆଦିବାସୀ ଓ ଲରିଆ ଭାଷା। ଛତିଶଗଡ଼ ସୀମାରେ ରିଷିଡ଼ା, ପୁରତ, ଲେଂଧ୍ରା, ବସ୍ନା ଆଦି ଅଞ୍ଚଳରେ ସେହି ଗୋଟାଏ ଗାଁରେ ଉଭୟ କୋଶଳି ଓ ଲରିଆ ଭାଷୀ ଲୋକ ବସବାସ କରନ୍ତି, ଯାହା ସେମାନଙ୍କୁ ଜନ୍ମଜାତ ବହୁଭାଷୀ କରିଥାଏ। ପୁଣି, ଅନ୍ୟ ଅଞ୍ଚଳ ଭଳି, କୋଶଳ କ୍ଷେତ୍ରରେ ମଧ୍ୟ ଆଦିବାସୀର ଭାଷା ଗୋଟାଏ ନୁହେଁ; ଅନେକ। ଫଳରେ ଭାଷାର ପ୍ରାଚୀନତା ସତ୍ତ୍ଵେ ଆଦିବାସୀର Linguistic Minority ବା ଭାଷା-ସଂଖ୍ୟାଲଘୁ ହେବା ହେଲା ଯେମିତି  ନିୟତି !

‘କୋଶଳ’ ନାଁର ଐତିହାସିକ ପୃଷ୍ଠଭୂମି ହେଲା ଯେ ପ୍ରାଚୀନ ସମୟରେ କୋଶଳ ନାମରେ ଏକ ରାଜ୍ୟ ଥିଲା, ଯାହାର ବିସ୍ତୃତି କ୍ଷେତ୍ର ମୋଟାମୋଟି ଭାବେ ଏହି କ୍ଷେତ୍ରରେ। କାଳକ୍ରମେ ମଧ୍ୟଯୁଗରେ ଦକ୍ଷିଣ କୋଶଳ ବା ବର୍ତ୍ତମାନର ପଶ୍ଚିମ ଓଡ଼ିଶା ମୂଳ କୋଶଳରୁ ବିଚ୍ଛିନ୍ନ ହେଲା। ସପ୍ତଦଶ ଶତାବ୍ଦୀର ଉତ୍ତରାର୍ଦ୍ଧ୍ଵରୁ ସମ୍ବଲପୁର ଉଲ୍ଲିଖିତ ଦକ୍ଷିଣ କୋଶଳର ରାଜନୀତିକ କେନ୍ଦ୍ର ସାବ୍ୟସ୍ତ ହେଲା। ସମ୍ବଲପୁରର ରାଜା ବଳିଆର ସିଂହ (ରାଜତ୍ୱ କାଳ ୧୬୫୦ ରୁ ୧୬୮୮) ନିଜକୁ ‘ହୀରାକୁଦ ଛତ୍ରପତି ମହାରାଜା ଅଠରଗଡ଼ ମଉଡ଼ମଣି’ ବୋଲି ମାନ୍ୟତା ଦାବି କଲେ। (ଶିବପ୍ରସାଦ ଦାସ, ସମ୍ବଲପୁର ଇତିହାସ, ସମ୍ବଲପୁର, ୧୯୬୨, ପୃ. ୨୩୬) ଯେଉଁ ଅଠରଟି ‘ଗଡ଼’ ବା ସାମନ୍ତ ରାଜ୍ୟର ସେ ନିଜକୁ ‘ମଉଡ଼ମଣି’ ବା ମୁଖ୍ୟ ରାଜା ବୋଲି ଦାବି କଲେ, ସେଗୁଡ଼ିକ ହେଲା: ସମ୍ବଲପୁର, ପାଟଣାଗଡ଼ (ବର୍ତ୍ତମାନର ବଲାଙ୍ଗୀର), ସୋନପୁର, ବଉଦ, ଆଠମଲ୍ଲିକ, ଖରିଆର, ରେଢ଼ାଖୋଲ, ବାମଣ୍ଡା, ଗାଙ୍ଗପୁର, ବଣାଇ, ରାୟଗଡ଼, ବିଂଦ୍ରା-ନୂଆଗଡ, ସରଗୁଜା, ଚନ୍ଦ୍ରପୁର, ବରଗଡ଼, ସାରଂଗଡ଼, ଶକ୍ତି ଓ ଫୁଲଝର। ଏହି ମାନ୍ୟତା ଲାଗି ସମ୍ବଲପୁର ରାଜାଙ୍କୁ ଯୁଦ୍ଧ ଜୟ କରିବାକୁ ପଡ଼ି ନ ଥିଲା। ରାଜ୍ୟଗୁଡ଼ିକ ସମନ୍ୱିତ ରାଜ୍ୟ ବ୍ୟବସ୍ଥା (Integrative Polity) ଆଧାରରେ ବର୍ହିସମ୍ବନ୍ଧ ପାଇଁ ତଥା ଆନ୍ତରିକ କଳହ ବେଳେ ଆପୋଷ ସମାଧାନ ଉଦ୍ଦେଶ୍ୟରେ ସମ୍ବଲପୁରକୁ ଜ୍ୟେଷ୍ଠର ମାନ୍ୟତା ଦେଇଥିଲେ। ଏହା ଏକ ନୂଆଁ ବ୍ୟବସ୍ଥା ନୁହେଁ ଏବଂ ପୁରୀର ଗଜପତି ରାଜାଙ୍କୁ ମଧ୍ୟ ଉତ୍କଳର ଅନ୍ୟ ରାଜ୍ୟମାନେ ପାରମ୍ପରିକ ଭାବେ ଜ୍ୟେଷ୍ଠର  ମାନ୍ୟତା ଦେଇ ଆସୁଥିଲେ। ଅନ୍ୟ ଶବ୍ଦରେ କହିଲେ, ସମ୍ବଲପୁରର ଏହି ପ୍ରତିନିଧି ସ୍ଥାନୀୟ ମାନ୍ୟତା କୋଶଳ କ୍ଷେତ୍ରର ରାଜ୍ୟଗୁଡ଼ିକୁ ଏକ ରାଜନୈତିକ ସଙ୍ଘର ମର୍ଯ୍ୟାଦା ଦେଲା। ଫଳରେ ଉକ୍ତ ଭୂଗୌଳିକ କ୍ଷେତ୍ର ଏକ ରାଜନୈତିକ କ୍ଷେତ୍ର ମଧ୍ୟ ହେବାର ଅବସର ପାଇଲା। ଏଠାରେ ସ୍ପଷ୍ଟ ହେବା କଥା ଯେ, ସପ୍ତଦଶ ଶତାବ୍ଦୀ ପୂର୍ବରୁ ସମ୍ବଲପୁରକୁ ମୂଳ ପାଟଣା ରାଜ୍ୟର ଭାଇଭାଗ କୁହାଯାଉଥିଲା। ଅର୍ଥାତ ସମ୍ବଲପୁରର ଅଭିବୃଦ୍ଧି ଆଗରୁ ମଧ୍ୟ ଉକ୍ତ ହୁଗୁଳା ସଂଙ୍ଘୀୟ ବ୍ୟବସ୍ଥା (Loose Federation) କୋଶଳରେ ମୋଟାମୋଟ ଭାବେ ପ୍ରଚଳିତ ରହିଥିଲା।

ସପ୍ତଦଶ ଶତାବ୍ଦୀରେ ବଳିଆର ସିଂହଂକ ରାଜକବି ଥିଲେ ଗଙ୍ଗାଧର ମିଶ୍ର, ଯିଏ ସଂସ୍କୃତରେ “କୋଶଳାନନ୍ଦମ” କାବ୍ୟ (୧୬୬୪) ରଚନା କରିଥିଲେ।  ରାଜ ପୃଷ୍ଠପୋଷକତାରେ ଏହି ଅବଧିରେ ‘ଜୟ ଚନ୍ଦ୍ରିକା’ “ନୃସିଂହ ମାହତ୍ମ୍ୟ”, “ରମାଇ ଦେବ” (ଦ୍ୱାଦଶ ଶତାବ୍ଦୀରେ ପାଟଣା ରାଜ୍ୟର ପ୍ରତିଷ୍ଠାତା) ଏବଂ “ରାବଣ-ଅଙ୍ଗଦ ଉବାଚ” ଆଦି କାବ୍ୟର ରଚନା ହୋଇଥିଲା, ଯାହାର ଉଦ୍ଦେଶ୍ୟ ଥିଲା ସମ୍ବଲପୁର ରାଜାଙ୍କୁ ଉଚ୍ଚ ମାନ୍ୟତା (Legitimacy) ପ୍ରଦାନ କରିବା। (Fanindam Deo, The Setting and Historical Experience, in Srinivas Udgata, et al (ed), Cultural Legacy of Western Odisha, Bolangir, 2010, P. 119) ଲକ୍ଷ୍ୟ କରିବା କଥା ଯେ, ପଞ୍ଚଦଶ ଓ ଷୋଡ଼ଶ ଶତାବ୍ଦୀରେ ଓଡ଼ିଆ ସାହିତ୍ୟ ଓ ଅନ୍ୟାନ୍ୟ ଭାରତୀୟ ଭାଷାର ସାହିତ୍ୟ ବିକାଶ ଲାଭ କରିଥିଲା। ମାତ୍ର ଏହାର ଶହେ ବର୍ଷ ପରେ ମଧ୍ୟ କୋଶଳ ଅଞ୍ଚଳର ଚାରଣ କବିମାନେ (Bard poet) ସ୍ଥାନୀୟତାକୁ ମାନ୍ୟତା ଦେବାଲାଗି ସଂସ୍କୃତରେ କାବ୍ୟ ଲେଖିଥିଲେ। ଫଳରେ କଥିତ କୋଶଳି ଭାଷାକୁ ଲେଖା ସାହିତ୍ୟ ହେବାର ଆବଶ୍ୟକୀୟ  ଅବକାଶ ମିଳି ନ ଥିଲା। ଏହି ସମୟରେ ‘କୋଶଳାନନ୍ଦମ’ କାବ୍ୟ ସୂତ୍ରରୁ କ୍ଷେତ୍ର ପାଇଁ ‘କୋଶଳ’ ନାଁକୁ ବୌଦ୍ଧିକ ମାନ୍ୟତା ମିଳିଲା, ହେଲେ ବାହାରର ଲୋକ ଅଞ୍ଚଳଟିକୁ ସମ୍ବଲପୁର ବୋଲି ଜାଣିଲେ। ଏହା ପଛରେ କାରଣ ହେଲା ଯେ, ମହାନଦୀ କୂଳରେ ସ୍ଥାପିତ ସମ୍ବଲପୁର ସହର ମହାନଦୀ ନଦୀବ୍ୟବସ୍ଥା (River System)ର ଉପଯୋଗ  କରି ପୂର୍ବ ଓ ପଶ୍ଚିମ ଓଡିଶା କ୍ଷେତ୍ରର ପ୍ରମୁଖ  ବ୍ୟବସାୟିକ କେନ୍ଦ୍ର ହେଲା। ପୁଣି, ସ୍ଥଳପଥରେ ମଧ୍ୟ-ଭାରତ(ନାଗପୁର) ଓ ଛୋଟନାଗପୁର(ରାଞ୍ଚି) ପାଇଁ ସମ୍ବଲପୁର ହେଲା ସଂଯୋଗ ସ୍ଥଳ। ସପ୍ତଦଶ ଶତାବ୍ଦୀରେ ୟୁରୋପୀୟଙ୍କ ଭାରତ ଆଗମନ ସମେତ ବିଭିନ୍ନ ପରିସ୍ଥିତି ଯୋଗୁଁ  କ୍ଷେତ୍ରର ବର୍ହିବାଣିଜ୍ୟ ବୃଦ୍ଧି ପାଇଲା। ପଶ୍ଚିମ ଓଡ଼ିଶାର ହସ୍ତତନ୍ତ ଲୁଗା ଦେଶ-ବିଦେଶକୁ, ଏପରିକି ୟୁରୋପରେ ଯାଇ ପହଞ୍ଚିଲା। ସେତେବେଳେ ସମ୍ବଲପୁର ହେଲା ପଶ୍ଚିମ ଓଡ଼ିଶା ପାଇଁ ଦ୍ୱାର ସଦୃଶ। ଫଳରେ ମୋଟ ପଶ୍ଚିମ ଓଡ଼ିଶାକୁ ବାହାର ଲୋକ ‘ସମ୍ବଲପୁର’ ନାଁରେ ଜାଣିଲେ। ସେହି ସୂତ୍ରରେ ଭାଷାର ନାଁ ହେଲା ‘ସମ୍ବଲପୁରୀ’, ଲୋକଗୀତର  ନାଁ ସମ୍ବଲପୁରୀ ଗୀତ; ପୁଣି ଶାଢ଼ିର ନାଁ ‘ସମ୍ବଲପୁରୀ ଶାଢ଼ି’ ।

ବିଂଶ ଶତାବ୍ଦୀର ଅଶୀ ଦଶକ ଯାଏଁ ଅନ୍ତତଃ କୋଶଳି ଭାଷାକୁ ଲୋକ ‘ସମ୍ବଲପୁରୀ’ ନାଁ ରେ ଜାଣୁଥିଲେ। ନାଁ କୁ ନେଇ କୌଣସି ଭିନ୍ନମତ ମଧ୍ୟ ନ ଥିଲା। ମାତ୍ର ଅଶୀ ଦଶକରୁ କୋଶଳି ଭାଷା ଆନ୍ଦୋଳନ ତେଜିଲା। ଆନ୍ଦୋଳନ ପଛରେ ଥିଲା ଆଞ୍ଚଳିକ ଅସ୍ମିତା ଓ ସ୍ୱାଭିମାନର ପ୍ରସଙ୍ଗ। ସେତେବେଳେ ପଶ୍ଚିମ ଓଡ଼ିଶାର ଭାଷା, ସଂସ୍କୃତି, ପରମ୍ପରା ଏବଂ ସର୍ବୋପରି ବିବିଧତାକୁ ସମନ୍ୱିତ କରି ଧରି ରଖିବା ପାଇଁ ଏକ ସର୍ବମାନ୍ୟ ନାମର ଲୋଡ଼ାପଡ଼ିଲା। ସମୟାନ୍ତରରେ ସମ୍ବଲପୁର ମଧ୍ୟ ଆଉ ପଶ୍ଚିମ ଓଡ଼ିଶା ପାଇଁ ମୁଖ୍ୟଦ୍ୱାର ହୋଇ ରହିଲା ନାହିଁ। ଅଞ୍ଚଳର ଆଉ ଅନେକ ସହର ଏକାମାତ୍ରାରେ ବାଣିଜ୍ୟ ଓ ବ୍ୟବସାୟର କେନ୍ଦ୍ର, ଶିକ୍ଷା ଓ ସଂସ୍କୃତିର ଅନ୍ୟତମ ପୀଠଭୂମି ହେଲେ। ୧୯୫୦ ଦଶକରେ ରାଉରକେଲାର ନୂଆଁ କରି ନିର୍ମାଣ ହେବା ଉତ୍ତାରୁ ସମ୍ବଲପୁର ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ଼ ସହର ବି ରହିଲା ନାହିଁ। ଏହି ସ୍ଥିତିରେ ପଶ୍ଚିମ ଓଡ଼ିଶାର ଭାଷାର ନାଁ ‘କୋଶଳି’ ହେଉ ବୋଲି ମତ ଶୁଣିବାକୁ ମିଳିଲା। ଏବେ ୧୯୯୩ରୁ ଉଭୟ ନାମକୁ ମିଶାଇ ‘କୋଶଳି-ସମ୍ବଲପୁରୀ’ ନାଁରେ ଏହାକୁ ଗ୍ରହଣ କରାଯାଇଛି। ମାତ୍ର ଉଭୟ ‘ସମ୍ବଲପୁରୀ’ ଓ ‘କୋଶଳ’ ନାଁ ର ରହିବାରେ କୌଣସି ଅସ୍ୱାଭାବିକତା ନଥିଲା। ଏମିତିରେ ଆମର ପ୍ରଦେଶ, ଦେଶ ଓ ଦେବା-ଦେବୀଙ୍କର ଯଦି ଏକାଧିକ ନାଁ, ଭାଷାର ନାଁ ଉଭୟ ‘କୋଶଳି’ ଓ ‘ସମ୍ବଲପୁରୀ’ ରହିବାରେ ଆଦୌ ସମସ୍ୟା-ପୂର୍ଣ୍ଣ ନୁହେଁ। ବରଂ ତାହା ଆନ୍ଦୋଳନର ପୃଷ୍ଠଭୁମିକୁ ଦର୍ଶାନ୍ତା। ଲୋକ ନିଜ ଇଚ୍ଛା ମତେ ଗୋଟାକୁ ବାଛି ନିଅନ୍ତେ। ବ୍ୟକ୍ତିଗତ ଭାବେ ମୁଁ ଏହି ଭାଷା–ସାହିତ୍ୟ ଆନ୍ଦୋଳନକୁ ଚର୍ଚ୍ଚା ବେଳେ ନିଜ ସୁବିଧାମତେ ଉଭୟରୁ ଗୋଟାଏ ନାଁ ର ବ୍ୟବହାର କରିଛି। ନାଁ ଯୋଗୁଁ  ଚର୍ଚ୍ଚା ବାଧିତ ହୋଇନାହିଁ। ତା’ ପଛରେ ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ।

ଭାଷା ଚର୍ଚ୍ଚାର ଆରମ୍ଭ କେବେ ?

ମନେହୁଏ, ପ୍ରଥମେ ବରଗଡ଼ ଅଞ୍ଚଳର କବି ସ୍ୱପ୍ନେଶ୍ୱର ଦାସ ସମ୍ବଲପୁରୀ ଭାଷାକୁ ନେଇ ଚର୍ଚ୍ଚା ଆରମ୍ଭ କରିଥିଲେ। ଏହା ୧୯୨୦ ଦଶକର ପୂର୍ବାର୍ଦ୍ଧ କଥା। ସେତେବେଳେ କୋଶଳି ନାଁର ପ୍ରଚଳନ ନ ଥିଲା। ନିଜ ସମ୍ପାଦିତ ‘ସାଧନା’ ପତ୍ରିକାରେ ଏକାଧିକ ପ୍ରବନ୍ଧରେ ପଶ୍ଚିମ ଓଡ଼ିଶାର ଭାଷା-ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ କବି ଦାସ ଆଲୋକପାତ କଲେ। ତାଙ୍କ ମତରେ, ପଶ୍ଚିମ ଓଡ଼ିଶାରେ ପ୍ରଥମେ ଆଦିବାସୀ ଏବଂ ତଦୁତ୍ତାରୁ ତଥାକଥିତ ‘ତଳ’ ଜାତିର ଲୋକ ଜନବସତିମାନ ସ୍ଥାପନ କଲେ। ସମୟକ୍ରମେ ବାହାର ଲୋକ ଆସି କୃଷି କର୍ମ କଲେ। ଶେଷରେ ବ୍ରାହ୍ମଣ ମଧ୍ୟ ଆସିଲେ। କବିଙ୍କ ମତ ନିରାଧାର ମନେ ହୁଏ ନାହିଁ। ହଳ ନ କରୁଥିବା ସତ୍ତ୍ଵେ ବ୍ରାହ୍ମଣର କୃଷି ପରିଚାଳନାଗତ ଦକ୍ଷତା ଯୋଗୁଁ କୃଷି ଉତ୍ପାଦନ ଓ ଆର୍ଥିକ ଗତିବିଧି ବୃଦ୍ଧି ପାଇଲା। ଆମ  ଆଲୋଚନା ଦୃଷ୍ଟିରୁ ମହତ୍ତ୍ଵପୂର୍ଣ୍ଣ ହେଲା ଯେ ଗାଁ ସମାଜରେ ଏକ ସମ୍ପର୍କର ଭାଷା ରୂପରେ ସମ୍ବଲପୁରୀ ବିକାଶ ଲାଭ କଲା। ଏକ ନିରୋଳା ସାଂସ୍କୃତିକ ଓ ଭାଷା ଭିତ୍ତିକ ଖଣ୍ଡ ଭାବରେ ବହୁଦିନ ଧରି ଅଞ୍ଚଳଟି ରହିଥିଲା ବୋଲି ତା’ର ଭାଷା ଓ ସଂସ୍କୃତିରେ ସ୍ୱାତନ୍ତ୍ର୍ୟ ଦେଖିବାକୁ ମିଳିଲା। କଥିତ ଭାଷାରୁ ଜାତ ହେଲା ଲୋକ ସାହିତ୍ୟ ଏବଂ ତେଣିକି ଲେଖା ସାହିତ୍ୟ। ଭାଷା ତତ୍ତ୍ଵବିଦମାନେ ସମ୍ଭବତଃ ଏକମତ ହେବେ ଯେ ସବୁ ଭାଷା-ସଂସ୍କୃତିର ବିକାଶର ଏହା ହିଁ ସ୍ୱାଭାବିକଧାରା। ଅନ୍ୟ ଶବ୍ଦରେ କହିଲେ, ଗୋଟାଏ ଦୃଷ୍ଟିରୁ ଦେଖିଲେ, ପ୍ରତ୍ୟେକ ଭାଷା-ସଂସ୍କୃତି ସ୍ୱତନ୍ତ୍ର, ପୁଣି ଅନ୍ୟ ଦୃଷ୍ଟିରୁ ପ୍ରତ୍ୟେକଟି ଗୋଟାଏ ଗୋଟାଏ ମିଶ୍ର ଭାଷା-ସଂସ୍କୃତି। ସଂସ୍କୃତ ବି ଏହାର ବ୍ୟତିକ୍ରମ ନୁହେଁ। ଗ୍ରାମୀଣ ସମାଜରେ ଆଦିବାସୀ, ‘ତଳ’ ଜାତି, କୃଷି କର୍ମ ପାଇଁ ଆସିଥିବା ବାହାର ଲୋକ ଏବଂ ସର୍ବୋପରି ‘ଉଚ୍ଚ’ ଜାତିର ସମାଗମ ଯୋଗୁଁ ଏକ ମିଶ୍ରିତ ଭାଷା-ସଂସ୍କୃତି ରୂପେ ସମ୍ବଲପୁରୀ ଅସ୍ତିତ୍ୱ ଲାଭ କଲା।

ଲେଖା ସାହିତ୍ୟର ଉନ୍ମେଷ

କୋଶଳି ଲେଖା ସାହିତ୍ୟର ଉନ୍ମେଷ ଊନବିଂଶ ଶତାବ୍ଦୀର ଶେଷ ଦଶକ ବୋଲି ଆକଳନ କରିହୁଏ। ୧୮୯୧ ରେ ‘ସମ୍ବଲପୁର ହିତୈଷିଣୀ’ ପତ୍ରିକାରେ କବି ମଧୁସୂଦନ ନାମରେ ଜଣେ ‘ଦୂତି ଲୋ’ ଶୀର୍ଷକରେ କବିତାଟିଏ ପ୍ରକାଶ କରିଥିଲେ। ଅବଶ୍ୟ ଗୀତି-କବିତା ମାଧ୍ୟମରେ ସମ୍ବଲପୁରୀ -କୋଶଳି ଲୋକ ସାହିତ୍ୟ ବହୁ ପ୍ରାଚୀନ ନିଶ୍ଚୟ। ୧୯୦୦ରୁ ୧୯୧୦ର ଅନୁମାନିକ ଅବଧି ମଧ୍ୟରେ ଚଇତନ ଦାସ ଲେଖିଥିବା ‘ଚଢ଼େଇ ଚଉତିଶା’ର ମଧ୍ୟ ଚର୍ଚ୍ଚା ହୋଇଥାଏ। ସେହି ସମୟରେ (୧୯୧୦-୨୦) ବାଲାଜୀ ମେହେରଙ୍କ ‘ଗୁଡ଼ିଁଆ’, ‘କୁମ୍ଭାର ପସରା’ ଓ ‘ସୁନାରି ପସରା’ ମଧ୍ୟ ଲେଖା ହୋଇଥିଲା। ଲକ୍ଷ୍ମଣ ପତି ୧୯୧୫ରୁ ୨୫ ମଧ୍ୟରେ ‘ଆଦି ବନ୍ଦନା’,‘ମୁନୁଷ ବରନ’, ‘ମାଏଝି ବରନ’, ‘ତେଲି ପସରା’, ‘ଭୁଲିଆ ପସରା’ ଓ ‘ଶବର ଲୀଲା’ ଆଦି ଶୀର୍ଷକରେ କ୍ଷୁଦ୍ର କଳେବର ବିଶିଷ୍ଟ କେତୋଟି ଚଟି ଗୀତ ଲେଖିଥିଲେ। ଗ୍ରାମ୍ୟ ମଞ୍ଚରେ ଏହି ସବୁ ଛନ୍ଦବଦ୍ଧ ଗୀତର ପ୍ରଦର୍ଶନ ହେଉଥିଲା। ନାଟକ ଅଭିନୟ ଭିତରେ ମଧ୍ୟ କ୍ଷୁଦ୍ର କଳେବର ବିଶିଷ୍ଟ ସମ୍ବଲପୁରୀ ରଚନାକୁ ସ୍ଥାନିତ କରାଯାଉଥିଲା। ସେଗୁଡିକ ମୁଦ୍ରିତ ହୋଇଥିଲା ଯଦି, ଏବେ ଉପଲବ୍ଧ ନୁହେଁ। ଏହି ସନ୍ଦର୍ଭରେ କପିଳ ମହାପାତ୍ର (୧୮୯୧-୧୯୪୭)ଙ୍କ ସମ୍ବଲପୁରୀ କାବ୍ୟ ‘ଗାଉଁଲିଆ ରାମାୟଣ’ (୧୯୨୫) ହେବ ଏକ ଅନବିଦ୍ୟ କୃତି। ଚଟି ଗୀତ ଆକାରର ଏହି ସଂକ୍ଷିପ୍ତ ରାମାୟଣ କାବ୍ୟକୁ କବି ମୁଦ୍ରଣ କରି ନିଜେ ଗାଇ ଗାଇ ବିକ୍ରୀ କରୁଥିଲେ।

ଖଗେଶ୍ୱର ଶେଠ: ଯୁଗାନ୍ତକାରୀ କବି ପ୍ରତିଭା

ଖଗେଶ୍ୱର ଶେଠ(୧୯୦୬-୧୯୮୭) ହେବେ କୋଶଳିର ଜଣେ ଯୁଗାନ୍ତକାରୀ କବି ପ୍ରତିଭା। ଖଗେଶ୍ୱର ୧୯୨୯-୩୦ ରୁ ନିରନ୍ତର ଉଭୟ ସମ୍ବଲପୁରୀ ଓ ଓଡ଼ିଆରେ ଅନେକ କାବ୍ୟ କବିତା  ଲେଖିଥିଲେ। ତାଙ୍କ ସମ୍ବଲପୁରୀ କୃତି ମଧ୍ୟରେ ରହିଛି –  ‘ପଏର୍ଚ୍ଛା ସତୀ’, ‘ଭୋଟ ବିଚାର’, ‘ଦଲେଇ ପଡ଼ାର ସମଲେଇ’, ‘ପାପର ମା-ବାପ’, ‘ଠାଙ୍ଗରୁ ବାବା’ ଓ ‘ମୁନୁଷ ଜାତିର ସ୍ଵଭାବ’। ସେହିଭଳି ତାଙ୍କର କେତେ ଗୋଟି ଓଡ଼ିଆ କୃତି ହେଲା; ‘ଅଶ୍ରୁତର୍ପଣ’, ‘ଆମେ ଗରିବ କାହିଁକ’, ‘ମୁକ୍ତାବଳୀ’, ‘ମୁକ୍ତ’, ‘ସୁରଙ୍ଗୀ’, ‘ମହାପ୍ରଭୁ’, ‘ଧନ୍ୟ କଳିକାଳ’, ‘ବିଶାଦ ନିଶା’ ଓ ‘ଉତ୍କଳ କବିତା’। ଖଗେଶ୍ୱର ଗ୍ରାମ୍ୟ ମଞ୍ଚ ପାଇଁ ନାଟକ ଲେଖୁଥିଲେ; ତା’ର ନିର୍ଦ୍ଦେଶନା ଦେଉଥିଲେ ତଥା ତହିଁରେ ନିଜେ ମଧ୍ୟ ଅଭିନୟ କରୁଥିଲେ। ତାଙ୍କ ଲିଖିତ ନାଟକ ମଧ୍ୟରେ ‘ଦାନବୀର ହରିଶ୍ଚନ୍ଦ୍ର’, ‘ମାୟାବିନୀ’ ଓ ‘ସତି ସାବିତ୍ରୀ’  ଅନ୍ୟତମ। ତାଙ୍କ ନାଟକ ଭିତରେ ସମ୍ବଲପୁରୀ ଗୀତି-କାବ୍ୟର ପରିବେଷଣ ନାଟ୍ୟ ପରିବେଶକୁ  ମନୋରମ କରୁଥିଲା।

କୋଶଳି ଭାଷା-ସାହିତ୍ୟ ଆନ୍ଦୋଳନର ବ୍ୟାପକ ପରିପ୍ରେକ୍ଷୀରେ ଖଗେଶ୍ୱରଙ୍କ ବ୍ୟକ୍ତିତ୍ୱ ଓ ସାହିତ୍ୟ କୃତିର ଅନେକ ମହତ୍ତ୍ଵ ରହିଛି। ସେ ଥିଲେ ଦଳିତ କେଉଟ ଜାତିର ଏବଂ ଜମିହୀନ;  ସମଗ୍ର ଜୀବନ ଧାନ କୁଟି, ଜଂଗଲରୁ କାଠ କାଟି, ମୁଢ଼ି ଭାଜି ଶ୍ରମଜୀବୀର ଜୀବିକା ନିର୍ବାହ କରୁଥିଲେ। ତାଙ୍କର କୌଣସି ଔପଚାରିକ ଶିକ୍ଷା ନ ଥିଲା। ଆର୍ଯ୍ୟ ସମାଜ ଓ ଗାନ୍ଧୀ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ସମାଜ ସଂସ୍କାରର ଦୃଷ୍ଟି ରଖୁଥିଲେ। ଗ୍ରାମୀଣ ସମାଜରେ ଜାତି ଭେଦ, ଧାର୍ମିକ କୁସଂସ୍କାର ଓ ଲିଙ୍ଗଗତ ପକ୍ଷପାତ ବିରୁଦ୍ଧରେ ମୁଖର ଥିଲେ ବୋଲି ତାଙ୍କୁ ବାରମ୍ବାର ସାମାଜିକ ବାସନ୍ଦର ଶିକାର ହେବାକୁ ପଡ଼ୁଥିଲା। ନିଜ ଜୀବଦଶାରେ ସେ ଅନ୍ୟୁନ ଦଶଥର ଗ୍ରାମାନ୍ତରୀ ହୋଇଛନ୍ତି ଏବଂ ଘୋର ଆର୍ଥିକ ଓ ସାମାଜିକ ଅସୁବିଧା ଭୋଗିଛନ୍ତି। ଶ୍ରମଜୀବୀ ଚଳଣି, ବୈଚାରିକ ସଂଘର୍ଷ  ଓ ସୃଜନଶୀଳତାର ଏକ ଅପୂର୍ବ ସମନ୍ୱୟ ତାଙ୍କ ରଚନାରେ ଦେଖିବାକୁ ମିଳିଥାଏ।

ଖଗେଶ୍ୱର ନିଜ କାବ୍ୟ କବିତାରେ ନିଡର ହୋଇ ସାମାଜିକ ଓ ଆର୍ଥିକ ପକ୍ଷପାତିତା ବିରୁଦ୍ଧରେ ସ୍ୱର ତୋଳିଛନ୍ତି। ଧାର୍ମିକ କୁସଂସ୍କାର,  ଜାତିଭେଦ ଓ ଲିଙ୍ଗଗତ ଅସାମ୍ୟ ବିରୁଦ୍ଧରେ ସେ ଯେଉଁ ମାତ୍ରାରେ ସ୍ୱର ତୋଳିଥିଲେ ତାହା ତାଙ୍କ ସମସାମୟିକ ବୌଦ୍ଧିକ ଜଗତରେ ବିରଳ ପ୍ରାୟ। ସେତେବେଳେ ବୌଦ୍ଧିକ ଚର୍ଚ୍ଚାରେ ପଶ୍ଚିମ ଓଡ଼ିଶାରେ ମଧ୍ୟ ସଂସ୍କୃତ ଓ ଓଡ଼ିଆର ମାତ୍ରାଧିକ କର୍ତୃତ୍ୱ ରହିଥିଲା। ଲୋକ ସେହି ଯୋଗୁଁ ସମ୍ବଲପୁରୀକୁ ଅପାଠୁଆ, ମୁର୍ଖସ୍ତରର ସାହିତ୍ୟ ବୋଲି ହେୟଜ୍ଞାନ କରୁଥିଲେ। ଅର୍ଥାତ ୧୯୩୦ ରେ ସମ୍ବଲପୁରୀରେ ଲେଖିବା ତଥା ଓଡ଼ିଆ ଲେଖାରେ ସମ୍ବଲପୁରୀ ଶବ୍ଦ ଓ ଉପମା ଅଲଙ୍କାରର ବ୍ୟବହାରକୁ ବୌଦ୍ଧିକ ମାନ୍ୟତା ଦିଆଯାଉ ନଥିଲା। ପୁଣି, ଖଗେଶ୍ୱର ଦଳିତ କେଉଟ ଜାତିର ବୋଲି ବୌଦ୍ଧିକ କାର୍ଯ୍ୟ ଲାଗି ତାଙ୍କ ଉପରେ ଏକ ଅଘୋଷିତ ବାରଣ ବି ରହିଥିଲା। ଏହିଭଳି ଏକ ବିପରୀତ ସ୍ଥିତିରେ ନିଡ଼ର ହୋଇ ସେ ସମ୍ବଲପୁରୀରେ ଲେଖିଥିଲେ। ସଂସ୍କାର କଥା କହୁଥିଲେ; ନିଜ ରଚନାର ମଞ୍ଚାଭିନୟ କରୁଥିଲେ। ଶିକ୍ଷିତ ଓ ଉଚ୍ଚ ବର୍ଗ ସମ୍ବଲପୁରୀ ସାହିତ୍ୟକୁ ‘ତଳ’ ଦୃଷ୍ଟିରେ ଦେଖୁଥିଲେ ବୋଲି ତା’ର ପଠନ-ପାଠନକୁ ପ୍ରୋତ୍ସାହନ ଦେଉନଥିଲେ। ବାଲାଜୀ ମେହେର ଏବଂ  ଖଗେଶ୍ୱର ଶେଠ, ଆଦି ‘ତଳ’ ଜାତିର ଲୋକ ହିଁ ସମ୍ବଲପୁରୀ ସାହିତ୍ୟିକ ଆନ୍ଦୋଳନକୁ ଗତିଶୀଳ କଲେ। ‘ଗାଉଁଲିଆ ରାମାୟଣ’ର ରଚୟିତା କପିଳ ମହାପାତ୍ର ସମ୍ବଲପୁରୀରେ ଲେଖି ଏକ ରକମର ନିଜର ବ୍ରାହ୍ମଣ ଜାତି ମର୍ଯ୍ୟାଦା ହରାଇଥିଲେ ବୋଲି କୁହାଯାଏ। ଖଗେଶ୍ୱରଙ୍କ ଓଡ଼ିଆ ରଚନା ‘ଗ୍ରନ୍ଥାବଳୀ’ ଆକାରରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ଓ ସଂଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ୧୯୫୮ରେ ପ୍ରକାଶିତ ହୋଇଥିଲା ସତ; ମାତ୍ର, ତହିଁରେ ମଧ୍ୟ କବିଂକର କୌଣସି ସମ୍ବଲପୁରୀ ରଚନାକୁ ସ୍ଥାନିତ କରାଯାଇନଥିଲା। ଓଡିଆ ରୂପାନ୍ତରଣ ପରେ ଯାଇ ତାଙ୍କର ବହୁ ଚର୍ଚ୍ଚିତ କାବ୍ୟ ‘ପଏର୍ଛା ସତୀ’ର ଗ୍ରନ୍ଥାବଳୀରେ ସ୍ଥାନ ନିଶ୍ଚିତ ହୋଇଥିଲା ।

୧୯୮୦ ଦଶକରୁ ଭାଷା ସାହିତ୍ୟର ବିକାଶ

୧୯୬୦ ଦଶକରେ ସମ୍ବଲପୁରରେ ଆକାଶବାଣୀ କେନ୍ଦ୍ରର ସ୍ଥାପନ କୋଶଳି ସାହିତ୍ୟର ବିକାଶରେ ଖୁବ ସହାୟକ ହେଲା । ଗୀତି କବିତାର ମଧୁରତା ସମ୍ବଲପୁରୀକୁ ସମଗ୍ର ଓଡ଼ିଶାରେ ଏବଂ ଓଡ଼ିଶା ବାହାରେ ମଧ୍ୟ ପରିଚିତ କରାଇଲା। ସେତେବେଳର ଜନପ୍ରିୟ କବିଙ୍କ ମଧ୍ୟରେ ଥିଲେ: ଲାଲ ରତ୍ନାକର ସିଂ, ରାମପ୍ରସାଦ ପୁରୋହିତ, ମିତ୍ରଭାନୁ ଗୌନ୍ତିଆ, ମଙ୍ଗଳୁ ଚରଣ ବିଶ୍ଵାଳ ତଥା ମୁରାରୀ ପ୍ରସାଦ ମିଶ୍ର। ଅନ୍ୟ ଚର୍ଚ୍ଚିତ କବି-ଲେଖକଙ୍କ ମଧ୍ୟରେ ଥିଲେ; ଶଶିଭୂଷଣ ମିଶ୍ରଶର୍ମା, ସତ୍ୟ ନାରାୟଣ ବହିଦାର (ସମ୍ବଲପୁରୀ ବ୍ୟାକରଣ), ଅଟଳବିହାରୀ ପଣ୍ଡା (ନାଟକ- ଫଟା କପାଲ), ଆଦି। ମାତ୍ର, ଏହି ସମୟରେ ବି ସମ୍ବଲପୁରୀରେ କୌଣସି ପତ୍ର-ପତ୍ରିକା ନ ଥିଲା। ଗୀତ ଓ ନାଟକର ପରିବେଷଣ ତଥା ସ୍ଥାନୀୟ ଭାଷା-ସଂସ୍କୃତି ବିଷୟକ ଚର୍ଚ୍ଚା ପାଇଁ ଆକାଶବାଣୀକୁ ହିଁ ପ୍ରମୁଖ ମଞ୍ଚ ମନେ କରାଯାଉଥିଲା। ତା’ ଛଡ଼ା ନାଟକ ଓ ‘ସଂଚାର’ ଆଦି ଲୋକ କଳା ମାଧ୍ୟମରେ ସମ୍ବଲପୁରୀର ଲୋକ ସ୍ତରରେ ପ୍ରଚାର ପ୍ରସାର ହେଉଥିଲା। ଏଦିଗରେ ଆଶାନୁରୂପ ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ  ଆକାଶବାଣୀର ମାନଭଞ୍ଜନ ହୋତା, ଅଭୟ ପାଢୀ ଏବଂ ଗ୍ରାମ୍ୟମଞ୍ଚର ନାଟ୍ୟକାର ଭଗବାନ ସାହୁ, ଶିଶୁପାଳ ସାହୁ ଓ ସଂଚାର କଳାକାର ଗଜେନ୍ଦ୍ର ପସାୟତ, ଅଲେଖ ସାହୁ, ଦୁଃଖନାଶନ ସାହୁ, ମହିଳା କଳାକାର ରାଧା, ଚନ୍ଦ୍ରମା, ଆଦି ଅନ୍ୟତମ। ଯେହେତୁ ଏସବୁ ମାଧ୍ୟମ ବିଶେଷ କରି ଗୀତି-କବିତାର ପ୍ରସାରଣରେ ସାହାଯ୍ୟ କରିଥିଲା, ୧୯୮୦ ଦଶକ ଯାଏଁ ସମ୍ବଲପୁରୀରେ ଗଦ୍ୟ ସାହିତ୍ୟର ଆଶାନୁରୂପ ବିକାଶ ହୋଇ ନ ଥିଲା ବୋଲି କହିବା ଠିକ ହେବ।

ବିଂଶ ଶତାବ୍ଦୀର ଅଶୀ ଓ ନବେ ଦଶକକୁ ସମ୍ବଲପୁରୀର ଏକ ବିଶିଷ୍ଟ କାଳଖଣ୍ଡ ବୋଲି କୁହାଯାଇପାରିବ। ପ୍ରଥମ ଚଳଚିତ୍ର‘ଭୁଖା’ (ନିର୍ଦ୍ଦେଶକ ସବ୍ୟସାଚି ମହାପାତ୍ର), ପ୍ରଥମ ଉପନ୍ୟାସ ‘ବିଲାସିନୀ’ (ଧନପତି ମହାପାତ୍ର, ୧୯୯୦), କୋଶଳି ଭାଷାର ସଂକ୍ଷିପ୍ତ ପରିଚୟ (ପ୍ରୟାଗଦତ୍ତ ଯୋଷୀ, ୧୯୯୧), ଟିଟିଲାଗଡ଼ରେ ଦୋଳଗୋବିନ୍ଦ ବିଶିଙ୍କ ଉଦ୍ୟମରେ ‘କୋଶଳ ସାହିତ୍ୟ ଏକାଡେ଼ମୀ’ ର ସ୍ଥାପନା, ପ୍ରଫୁଲ୍ଲ ତ୍ରିପାଠୀଙ୍କ ‘ସମ୍ବଲପୁରୀ-ଓଡ଼ିଆ ଭାଷାକୋଷ’, ନୀଳମାଧବ ପାଣିଗ୍ରହୀଙ୍କ ‘ମହାଭାରତ କଥା’ ଓ ପତ୍ରିକା ‘ନିସାନ’ ର ପ୍ରକାଶନ, ହେମଚନ୍ଦ୍ର ଆଚାର୍ଯ୍ୟଙ୍କ ସାତଖଣ୍ଡରେ ଲିଖିତ ରାମାୟଣ ‘ରାମରାହା’, ଓ କାବ୍ୟ ‘ନୁନୀ’ ଓ ‘ସତରସତୀ ବୃନ୍ଦବତୀ’ ତଥା ଗଳ୍ପ ସଙ୍କଳନ‘କଥାନି ଲେଖେଁ ଲାଗସି’ ଏବଂ ‘କଥାନି ସତସତାନି’, ପ୍ରହଲ୍ଲାଦ ଦାସଙ୍କ ସମ୍ପାଦନାରେ ସମ୍ବଲପୁରରୁ ପ୍ରକାଶିତ ପତ୍ରିକା ‘ଆର୍ଟ ଓ ଆର୍ଟିଷ୍ଟ’, ଉତ୍ପନ୍ନ ଭୋଇଙ୍କ ସମ୍ପାଦନାରେ ବରଗଡ଼ରୁ ପ୍ରକାଶିତ ‘କଥା ଆର କଥାନି’, ମଙ୍ଗଳୁ ଚରଣ ବିଶ୍ଵାଳ ଓ ଦ୍ୱାରିକା ନାୟକଙ୍କ ମିଳିତ ଉଦ୍ୟମରେ ସମ୍ପାଦିତ ‘ଭରନି’ ତଥା ହଳଧର ନାଗଙ୍କ ଗ୍ରନ୍ଥାବଳୀ ଲଗଭଗ ଏହି ସମୟର ସୃଷ୍ଟି। ଅନ୍ୟ ଶବ୍ଦରେ କହିଲେ, ସଂଖ୍ୟା ବେଶି ନ ହେଲେ ବି, ୧୯୮୦ ଦଶକରୁ ନିୟମିତ ଭାବେ ସମ୍ବଲପୁରୀରେ ନାଟକ, କାବ୍ୟ, ଆଲୋଚନା, ଗଳ୍ପ, ଗୀତ- କବିତା, ଭାଷାକୋଷ ଓ ବ୍ୟାକରଣ ଆଦି ଲେଖା ଚାଲିଛି। ସଭା ସମିତିରେ ସ୍ଥାନୀୟ ବକ୍ତା କୋଶଳିରେ କହିବା ଲାଗି ଆଗ୍ରହ ଦେଖାଉଛନ୍ତି। ସମ୍ବଲପୁରୀ ନାଟକ, କବିତା ପାଠୋତ୍ସବ  ଓ କ୍ୟାସେଟ ଗୀତର  ଲୋକପ୍ରିୟତା ସମଗ୍ର ଓଡ଼ିଶାକୁ ବ୍ୟାପିଛି। ଏକ ଭାଷା ଆନ୍ଦୋଳନକୁ ଗଢିବାରେ ଏ ସବୁ ଉଦ୍ୟମ ଯେ ମହତ୍ତ୍ଵପୂର୍ଣ୍ଣ – ତାହା ଅନସ୍ୱୀକାର୍ଯ୍ୟ ।

କୋଶଳି-ସମ୍ବଲପୁରୀ  ସାହିତ୍ୟର ସମ୍ବୃଦ୍ଧି ପଛର କାରଣ

ସମକାଳୀନ ସମୟରେ ସାରା ଭାରତରେ ଆଞ୍ଚଳିକ ସ୍ୱାଭିମାନ ଓ ସ୍ୱାୟତ୍ତତା ଏକ ପ୍ରମୁଖ ପ୍ରସଙ୍ଗ। ଓଡ଼ିଶାରେ ମଧ୍ୟ ଏହା ଏକ କାରଣ। ଲୋକଙ୍କ ପାଇଁ ଯେମିତି ରାଷ୍ଟ୍ରୀୟତା, ସେମିତି ଆଞ୍ଚଳିକତା ମଧ୍ୟ କେବେ ଉପେକ୍ଷଣୀୟ ପ୍ରଶ୍ନ ହୋଇ ନପାରେ। ଦ୍ୱିତୀୟତଃ, ରାଷ୍ଟ୍ରୀୟତା କିମ୍ବା ଆଞ୍ଚଳିକତା ଯଦି କେବଳ ପ୍ରଦର୍ଶନୀୟ ସ୍ତରରେ ସୀମିତ ନ ରହେ, କେବଳ ସ୍ଳୋଗାନ ସ୍ତରକୁ ସଙ୍କୁଚିତ ନହୋଇ ସମାବେଷ୍ଟୀ (Inclusive) ହୁଏ, ଘୃଣାକୁ ଅସ୍ତ୍ର ନକରେ, ତେବେ ଉଭୟ ପ୍ରଶ୍ନ ସମ୍ପୂର୍ଣ୍ଣ ରୂପେ ପରସ୍ପରର ପରିପୂରକ। କେବଳ ସେତିକି ନୁହେଁ, ତାହା ବିଶ୍ୱମୈତ୍ରୀ ପାଇଁ ମଧ୍ୟ ଅନ୍ତରାୟ ନୁହେଁ। ସେହି ଆଧାରରେ ଦେଖିଲେ କୋଶଳି ଭାଷା ଆନ୍ଦୋଳନ ନା ଭାରତୀୟତାର ବିରୋଧୀ, ନା ଓଡ଼ିଆ ପ୍ରାନ୍ତୀୟତାର ପରିପନ୍ଥୀ ! ଆଞ୍ଚଳିକ ସ୍ୱାଭିମାନ ରକ୍ଷାର୍ଥେ ଏହା ଏକ ଉଦ୍ୟମ ମାତ୍ର। ସ୍ୱାଭିମାନ ଓ ଅସ୍ମିତା ବ୍ୟକ୍ତିର ଏକ ମୌଳିକ ଆବଶ୍ୟକତା। ତହିଁରୁ ବ୍ୟକ୍ତିକୁ ବଞ୍ଚିତ କରାଯାଇନପାରେ। ଯେଉଁମାନେ ଭିନ୍ନ ଉଦ୍ଦେଶ୍ୟ ନେଇ ଏଥିରେ ସାମିଲ ହୋଇଛନ୍ତି, ସେମାନେ ମଧ୍ୟ ଏହାର ସୃଜନଶୀଳ ଦିଗକୁ ହୃଦୟଙ୍ଗମ କରିବା ସର୍ବାଦୌ ବିଧେୟ ।

କିଛି ଲୋକ ଓଡ଼ିଆ ଏବଂ କୋଶଳିକୁ ପରସ୍ପରର ପ୍ରତିଯୋଗୀ ଭାଷା ମନେ କରନ୍ତି। କୋଶଳିର ପକ୍ଷଧରମାନଙ୍କ ଯୁକ୍ତି ଯେ, ଏହା ଓଡ଼ିଆର ଉପଭାଷା ନୁହେଁ, ଏକ ସ୍ୱତନ୍ତ୍ର ଭାଷା; ଏହାର ଶବ୍ଦାବଳୀ ମୂଳ ସଂସ୍କୃତରୁ ଆନୀତ ! ସମ୍ବଲପୁରୀ ଭାଷା-ଭଣ୍ଡାର ମଧ୍ୟ ଓଡ଼ିଆ ପରି ଦୃଢ଼ ଓ ବଳିଷ୍ଠ ! ଠିକ ସେହିଭଳି, କେତେକ ଓଡ଼ିଆର ପକ୍ଷଧର, କୋଶଳିକୁ ଏକ ସ୍ୱତନ୍ତ୍ର ଭାଷା ବୋଲି ତର୍କ ଦିଆଗଲେ, ତାକୁ ସହ୍ୟ କରିପାରନ୍ତି ନାହିଁ। ଏହି ସନ୍ଦର୍ଭରେ ପଣ୍ଡିତ ପ୍ରୟାଗଦତ୍ତ ଯୋଷୀଙ୍କ ଉଲ୍ଲେଖ ପ୍ରଣିଧାନ ଯୋଗ୍ୟ। ୧୯୮୬ରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀର ଏକ ସମ୍ପାନରେ କୋଶଳି ପକ୍ଷରେ ଯୁକ୍ତି ବାଢ଼ିବାରୁ ସେଠାରେ ଉପସ୍ଥିତ ଓଡ଼ିଆ ସାହିତ୍ୟିକମାନେ ଏତେ ମାତ୍ରାରେ ତାଙ୍କ ପ୍ରତି କଟୁକ୍ତି ପ୍ରକାଶ କଲେ ଯେ ଅନନ୍ୟୋପାୟ ହୋଇ ଆୟୋଜକଙ୍କୁ ସଭା ଅଧାରୁ ଭାଙ୍ଗିବାକୁ ପଡ଼ିଲା। (ପ୍ରୟାଗଦତ୍ତ ଯୋଷୀ, କୋଶଳୀ ଭାଷାର ସଂକ୍ଷିପ୍ର ପରିଚୟ, ଟିଟିଲାଗଡ଼, ୧୯୯୧) ସେହିଭଳି, ୧୯୮୨ ଜୁଲାଇ ସଂଖ୍ୟାର ‘ଝଙ୍କାର’ ସମ୍ପାଦକୀୟରେ ଲେଖିଥିଲା, ‘ଯଦି ଉଦ୍ୟମ କରାହୁଏ ସମ୍ବଲପୁରୀ ଏକ ସ୍ୱତନ୍ତ୍ର ଭାଷା ରୂପେ ଗୃହୀତ ହେଉ, ତେବେ ଏହା ଅବାସ୍ତବ ଏବଂ ବିଚ୍ଛିନ୍ନତା ଭାବ ବ୍ୟଞ୍ଜକ – ଏଥିରେ ସନ୍ଦେହ ନାହିଁ।’ ଏହି ଧରଣର ଅସୂୟା ଭାବ ସାଧାରଣ କଥାବାର୍ତ୍ତାରେ ଅଧିକ ଉଗ୍ର ଭାବରେ ଶୁଣିବାକୁ ମିଳିଥାଏ। ଅବଶୋଷର କଥା ଯେ  ଅନୁରୂପ ଓଡ଼ିଆ ବିରୋଧୀ ମନୋଭାବ ଅନେକ ସମ୍ବଲପୁରୀ ପକ୍ଷଧର ମଧ୍ୟ ପ୍ରଦର୍ଶିତ କରିଥାନ୍ତି ।

ଭାଷାତାତ୍ତ୍ଵିକ ଦୃଷ୍ଟିରୁ କୋଶଳି ଏକ ସ୍ୱତନ୍ତ୍ର ଭାଷା ନା ନୁହେଁ, ତାହା ଯୁକ୍ତି କରିବା ଅବଶ୍ୟ ଭାଷାତତ୍ତ୍ଵବିଦଙ୍କ କାମ। ମାତ୍ର ସାଧାରଣ ସ୍ଥୁଳ ଦୃଷ୍ଟିରେ ମଧ୍ୟ ପ୍ରସଙ୍ଗଟିକୁ ବିଚାର କରାଯାଇପାରେ। ଯଦି କିଛି ଲୋକ ନିଜ କଥିତ ଭାଷାକୁ ସାହିତ୍ୟିକ ଭାଷାରେ ରୂପାନ୍ତରିତ କରିବେ, ତହିଁରେ ସାହିତ୍ୟ ଲେଖିବେ, ତାକୁ ନେଇ ଆପତ୍ତି ହେବ ବା କାହିଁକି ? ଏହା ସେମାନଙ୍କ ସ୍ୱାଭିମାନ ଓ ଅସ୍ମିତାକୁ ଆହତ କରିବ ନାହିଁ କି? ଓଡ଼ିଆ ଭାଷା- ସାହିତ୍ୟ ଆବଶ୍ୟକ ମାତ୍ରାରେ ଉଦାର ଓ ନମନୀୟ ହୋଇଥିଲେ କଣ ସମ୍ବଲପୁରୀ ଭାଷା ଆନ୍ଦୋଳନର ଉନ୍ମେଷ  ଘଟିଥାନ୍ତା ? ଏହା ବି ଏକ ବିଚାର୍ଯ୍ୟ ପ୍ରଶ୍ନ। ମାତ୍ର, ସେହି ଅନୁକୂଳ ସ୍ଥିତିରେ ମଧ୍ୟ ଭାଷା ଆନ୍ଦୋଳନ ସ୍ୱାଗତଯୋଗ୍ୟ। ପ୍ରଥମ କଥା, ଓଡ଼ିଶା ନାମକ ଭୂଗୌଳିକ କ୍ଷେତ୍ରରେ ବିକଶିତ ସମସ୍ତ କଥିତ ଭାଷାକୁ ସମାବେଷ୍ଟୀ (Inclusive) ଭାବ ନେଇ ଓଡିଆ ନିଜ ଭିତରେ ସମାହିତ କରି ପାରିବା କଥା। ଅନ୍ୟଥା ଏହା ଓଡିଆ ପଦବାଚ୍ୟ ହେବ କେମିତି? ଏହା କ’ଣ ବିଡ଼ମ୍ବନା ନୁହେଁ ଯେ ଓଡ଼ିଶା ଭୂଗୌଳିକ କ୍ଷେତ୍ରର ସମସ୍ତ ଅଧିବାସୀ ଓଡ଼ିଆ, ମାତ୍ର ସେମାନଙ୍କ ମଧ୍ୟରେ ଅନେକଙ୍କର ଶବ୍ଦ, ଉପମା ଓ ଅଳଙ୍କାରକୁ ଓଡ଼ିଆ ସାହିତ୍ୟ ଗ୍ରହଣୀୟ ମନେ କରେ ନାହିଁ ? କଣ ଏଭଳି ଅନୁଦାର ମନୋଭାବ ଯୋଗୁଁ ଓଡିଶାର ଜଣେ ବି ଆଦିବାସୀ ଆଜିଯାଏଁ ଓଡିଆରେ ଉପନ୍ୟାସଟିଏ ଲେଖିପାରିନାହାନ୍ତି ? ବାସ୍ତବିକତା ହେଲା ଯେ ଓଡ଼ିଆର କଥିତ ପ୍ରାରୂପ ଗୋଟାଏ ନୁହେଁ; ତହିଁରେ ଅନକେ କିସମ। ତନ୍ମଧ୍ୟରୁ କେତୋଟି କିସମ ଅନ୍ୟଠାରୁ ଏତେ ଅଲଗ ଯେ ସେମାନେ ସ୍ୱତନ୍ତ୍ର ଭାଷା ଓ ସାହିତ୍ୟର ମର୍ଯ୍ୟାଦା ଦାବି କରନ୍ତି। ସାଧାରଣ ଦୃଷ୍ଟିରେ ଏହା ଆଦୌ ବିସଙ୍ଗତିପୂର୍ଣ୍ଣ ମନେ ହୁଏ ନାହିଁ। ବରଂ ତାହା ଓଡ଼ିଆର ପରିପୂରକ। ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶା, ଆଦିବାସୀ ଓଡ଼ିଶା ତଥା ଓଡ଼ିଶା ଭିତରେ ଥିବା ଅନ୍ୟାନ୍ୟ ଭାଷା ସଂଖ୍ୟାଲଘୁ ଗୋଷ୍ଠୀର ଆଞ୍ଚଳିକ ଶବ୍ଦ, ତଥା ଉପମା, ଅଲଙ୍କାରର ଓଡ଼ିଆ ଭାଷା-ସାହିତ୍ୟରେ ସମାହିତ ହେବାରେ ହିଁ ଓଡ଼ିଆ ଓ ଓଡ଼ିଶାର ଭବିଷ୍ୟତ ସୁରକ୍ଷିତ!

ଅନ୍ୟ ପକ୍ଷରେ, ସେସବୁ ଭାଷା-ସାହିତ୍ୟର ସ୍ୱତନ୍ତ୍ର ଆନ୍ଦୋଳନ ସାଧାରଣ ଲୋକଙ୍କୁ ସାହିତ୍ୟ ଅନୁରାଗୀ ହେବାରେ ସାହାଯ୍ୟ କରିବ। କୋଶଳି ସାହିତ୍ୟର ଜଣେ ଜଣା ଶୁଣା କବି ହେଲେ ହଳଧର ନାଗ। ପଶ୍ଚିମ ଓଡ଼ିଶାର ଯାହିଁ ଯେଉଁଠି ସେ କବିତା ପାଠ କରନ୍ତି, ଶହ ନୁହେଁ ହଜାର ହଜାର ଲୋକ ଆକୃଷ୍ଟ ହୋଇ କବିତା ଶୁଣିବାକୁ ଆସନ୍ତି।  ବାସ୍ତବିକତା ହେଲା ଯେ ହଳଧରଙ୍କ ଔପଚାରିକ ଶିକ୍ଷା ନାହିଁ। ଆଜି ମଧ୍ୟ ସମ୍ବଲପୁରୀକୁ ବାଦ ଦେଲେ ଅନ୍ୟ ଭାଷାରେ ସେ କଥା କହିପାରିବେ ନାହିଁ। ଲେଖିବା ତ ଦୂରର କଥା। କୋଶଳି ଭାଷା ଆନ୍ଦୋଳନ ନ ଥିଲେ କ’ଣ ହଳଧର ନାଗ ଭଳି  ଲୋକ ଗୀତ-କବିତା ଲେଖି ପାରିଥାନ୍ତେ ? ୧୯୩୦ ଦଶକରେ ଖଗେଶ୍ୱର ଶେଠଙ୍କ ପାଇଁ ସମ୍ବଲପୁରୀରେ ଲେଖିବା ଏକ ଦୁଃସାହସପୂର୍ଣ୍ଣ କାର୍ଯ୍ୟ ଥିଲା, ପଶ୍ଚିମ ଓଡ଼ିଶାର ଗ୍ରାମୀଣ ସମାଜରେ ମଧ୍ୟ ସମ୍ବଲପୁରୀ ଲେଖକଙ୍କୁ ବିଦ୍ରୂପର ଶିକାର ହେବାକୁ ପଡ଼ୁଥିଲା। ଆଜି ଏକବିଂଶ ଶତାବ୍ଦୀରେ କୋଶଳି ସାହିତ୍ୟ ଚର୍ଚ୍ଚା ଏକ ମର୍ଯ୍ୟାଦାପୂର୍ଣ୍ଣ କାର୍ଯ୍ୟ; ଏକ ସ୍ୱାଭିମାନ ଏବଂ ଅସ୍ମିତାର ସୂଚକ। ଅନ୍ୟଥା ସାହିତ୍ୟ ଚର୍ଚ୍ଚାରୁ ବଞ୍ଚିତ ଅନୁଭବ କରୁଥିବା ବର୍ଗ ବି କୋଶଳି ସାହିତ୍ୟର ଆଗ ଧାଡ଼ିରେ।  ଓଡ଼ିଆ ବିରୋଧତାକୁ ସମୟକ୍ରମେ କୋଶଳି ସାହିତ୍ୟିକ ବି ଛାଡିବାକୁ ଲାଗିଲେଣି। ନାଟକ, କବିତା ପାଠୋତ୍ସବ ଓ ସମ୍ବଲପୁରୀ ଗୀତ ଆଦି ସାଧାରଣ ଲୋକଙ୍କୁ ମଧ୍ୟ ସାହିତ୍ୟ ଓ ସଂସ୍କୃତି ଅନୁରାଗୀ କରିବାର ସମ୍ଭାବନା ରହିଛି। ସବୁଠାରୁ ବଡ଼ କଥା, ଲୋକ ସାହିତ୍ୟର ନିକଟତର ହୋଇଥିବାରୁ  କୋଶଳି-ସମ୍ବଲପୁରୀ ‘ଉଚ୍ଚ’ ଓ  ‘ତଳ’ ଜାତି  ତଥା  ଦଳିତ ବର୍ଗକୁ ମଧ୍ୟ ସହଜରେ ପରିବ୍ୟାପ୍ତ ହେଉଛି ।

ଏଠାରେ ଏକଥା ମଧ୍ୟ ସ୍ପଷ୍ଟ ହେବା ଦରକାର ଯେ କୋଶଳି ସାହିତ୍ୟ ଭଣ୍ଡାର ଆଦୌ ଭରପୂର ନୁହେଁ। ଗଦ୍ୟ ସାହିତ୍ୟ କ୍ଷେତ୍ରରେ ଉଭୟ ଗୁଣାତ୍ମକ ଓ ପରିମାଣାତ୍ମକ ଅଭିବୃଦ୍ଧି ଲୋଡ଼ା। କୋଶଳି କେବଳ ସାହିତ୍ୟ ଯାଏଁ ସୀମିତ ନ ରହି ଇତିହାସ, ବିଜ୍ଞାନ, ଦର୍ଶନ, କଳା, ଗଣିତ, ଅନୁବାଦ ଆଦି ଆହୁରି ଅନେକ ବିଭାଗରେ ସାମଗ୍ରୀ ତିଆରିବା କଥା। ଦ୍ୱିତୀୟତଃ, ଓଡ଼ିଆରେ ସମାବେଷ୍ଟୀ ମନୋଭାବର ଅଭାବ ଯଦି କୋଶଳି ଭାଷା ଆନ୍ଦୋଳନ ପଛର ଅନ୍ୟତମ କାରଣ ହେଲା, ସେହି ଭାବର ଅଭାବ କୋଶଳିରେ ମଧ୍ୟ ଦୃଶ୍ୟମାନ ହେବା କଥା ନୁହେଁ। ଉଦାହରଣ ସ୍ୱରୂପ, କୋଶଳିର ବିଭନ୍ନ କିସମର ଆଦୌ ଅନାଦର ହେବା କଥା ନୁହେଁ। କୋଶଳିର ଆଦିବାସୀ ମୂଳକୁ ଅଣଦେଖା କରାଯିବା କଥା ନୁହେଁ। ଆଦିବାସୀ ଭାଷା ଭାରତରେ ସଂସ୍କୃତଠାରୁ ମଧ୍ୟ ପୁରୁଣା। ଓଡ଼ିଆରେ ମଧ୍ୟ ଅନ୍ତତଃ ୨୮ ପ୍ରତିଶତ ଶବ୍ଦ ଆଦିବାସୀ ଭାଷାରୁ ବୋଲି ଅନୁମାନ। କୋଶଳି-ସଂବଲପୁରୀରେ ଆଦିବାସୀ  ଭାଷାର ପ୍ରଭାବ ଅଧିକ ହୋଇପାରେ। ସେହିଭଳି, କୋଶଳିରେ ଓଡ଼ିଆର ମଧ୍ୟ ପ୍ରଭାବକୁ ଯଥୋଚିତ ମହତ୍ତ୍ଵ ଦିଆଯିବା କଥା। ଏହି ପରିପ୍ରେକ୍ଷୀରେ ଖଗେଶ୍ୱର ଶେଠଙ୍କ ରଚନା ଆଜିର ଲେଖକକୁ ମାର୍ଗ ଦେଖାଇପାରେ। ଖଗେଶ୍ୱର ଓଡ଼ିଆ ଲେଖାରେ ସମ୍ବଲପୁରୀ ଶବ୍ଦର ଏବଂ ସମ୍ବଲପୁରୀ ଲେଖାରେ ଓଡ଼ିଆ ଶବ୍ଦର ବ୍ୟବହାର ବେଳେ ଆଦୌ କାର୍ପଣ୍ୟ କରନ୍ତି ନାହିଁ। ତାଙ୍କ ଲିଖିତ ନାଟକରେ ମିଶ୍ରିତ ଭାଷାର ପ୍ରୟୋଗ ଦେଖିବାକୁ ମିଳେ। ହେମଚନ୍ଦ୍ର ଆଚାର୍ଯ୍ୟ (୧୯୨୬-୨୦୦୯)ଙ୍କ ‘କୃଷ୍ଣକେଳି’ରେ (ରଚନା କାଳ ୧୯୭୩; ପ୍ରକାଶନ ୨୦୧୨, ହେମଚନ୍ଦ୍ର ଚୟନ) ମଧ୍ୟ ଉଭୟ ସମ୍ବଲପୁରୀ ଓ ଓଡ଼ିଆର ପ୍ରୟୋଗ ରହିଛି। ସବୁଠାରୁ ବଡ଼କଥା, ଏହି ଧରଣର ନାଟକ-ନାଟିକାରେ ସେହି ଏକା ଚରିତ୍ର, ଉଭୟ ଭାଷାର ବ୍ୟବହାର କରିପାରେ, ଯାହା ଭାଷାକୁ ‘ଉଚ୍ଚ’ କୀ ‘ନୀଚ’ ହେବାକୁ ଦିଏ ନାହିଁ। ଅର୍ଥାତ୍, ‘ପାତ୍ରୋଚିତ ଭାଷା’ର ଅବଧାରଣା ତହିଁରେ  ନାହିଁ।

ଏକଥା ସତ ଯେ, ଆଜି ମଧ୍ୟ କୋଶଳି ଶବ୍ଦକୁ ଓଡ଼ିଆ ସାହିତ୍ୟରେ ପ୍ରବେଶ ଲାଗି ରୀତିମତ ସଂଘର୍ଷ କରିବାକୁ ପଡେ଼। ଏହା ଓଡ଼ିଆ ଭାଷା-ସାହିତ୍ୟର ଅନମନୀୟତାକୁ ଦର୍ଶାଏ। ଗଙ୍ଗାଧର ମେହେର (୧୮୬୨-୧୯୨୪) ଥିଲେ ଓଡ଼ିଆରେ ଲେଖୁଥିବା ପଶ୍ଚିମ ଓଡ଼ିଶାର ବ୍ୟକ୍ତି। ତାଙ୍କ ଓ ତାଙ୍କ ଭଳି ‘ସୀମାନ୍ତ ପ୍ରହରୀ’ କବି-ଲେଖକଙ୍କ ଓଡ଼ିଆ ସାହିତ୍ୟକୁ ଯୋଗଦାନ ଯୋଗୁଁ ଏକଦା ଓଡ଼ିଶା ବାହାରେ ରହିଥିବା ପଶ୍ଚିମ ଓଡ଼ିଶା କ୍ଷେତ୍ର ଓଡ଼ିଶାରେ ୧୯୦୫ରେ ସମ୍ମିଶ୍ରିତ ହେଲା। ମାତ୍ର, ସାଙ୍ଗରେ ଏକଥା ବି ସତ ଯେ ଉଦାର ଓ ଅକୁଣ୍ଠ ଭାବରେ ସେ ଯଦି ନିଜ କାବ୍ୟ–କବିତାରେ ପଶ୍ଚିମ ଓଡ଼ିଶାର ସାହିତ୍ୟ ଭଣ୍ଡାରରୁ ଶବ୍ଦ ଆଦି ବ୍ୟବହାର କରିଥାନ୍ତେ, ତେବେ ହୁଏତ ଉକ୍ତ ଶବ୍ଦ ଆଦିକୁ ଆଜି ଓଡ଼ିଆରେ ପ୍ରବେଶ ଲାଗି ସଂଙ୍ଘର୍ଷ କରିବାକୁ ପଡ଼ୁନଥାନ୍ତା। ସଂବଲପୁର ହିତ୍ୟେଷିଣୀର ପ୍ରୋତ୍ସାହନ ଥିଲେ ୧୮୮୦-୯୦ ଦଶକରେ ସମ୍ବଲପୁରୀରେ ସାହିତ୍ୟ ଭଣ୍ଡାର କଣ ଧନୀ ହୋଇନଥାନ୍ତା?  ସେହି ସ୍ଥିତିରେ ହିନ୍ଦୀ ଓ ହିନ୍ଦୀତେର ଭାଷା (ଯେମିତି ରାଜସ୍ଥାନୀ, ଅବଧି, ଭୋଜପୁରୀ, ମୈଥିଳି ବା ମରାଠି, ଗୁଜରାଟି ଆଦି) ଭଳି ଓଡ଼ିଆ ଓ କୋଶଳି ପରସ୍ପରର ପରିପୂରକ ଭାଷା ହେବାର ବାଟ ସୁଗମ ହୋଇଥାନ୍ତା ! ଏହି ଦୃଷ୍ଟିରୁ ଦରିଦ୍ର, ଔପଚାରିକ ଶିକ୍ଷାରୁ ବଞ୍ଚିତ, ଶ୍ରମଜୀବୀ, ସମାଜ ସଂସ୍କାରକ, ଆଚରଣ ଓ ଉଚ୍ଚାରଣରେ ପାର୍ଥକ୍ୟ ରଖୁନଥିବାରୁ ବାରମ୍ବାର ସାମାଜିକ ବାସନ୍ଦ ଭୋଗିଥିବା ଦଳିତ ଜାତିର କବି ଖଗେଶ୍ୱର ଶେଠ କ’ଣ ଉଭୟ କୋଶଳି ଓ ଓଡ଼ିଆରେ ନିରନ୍ତର ଲେଖି ସାହିତ୍ୟସେବୀଙ୍କ ଲାଗି ଆଦର୍ଶ ମନେହୁଅନ୍ତି ନାହିଁ ? ଏହା ବି ଏକ ବିଚାର୍ଯ୍ୟ ପଶ୍ ।

(ଲେଖକ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଜଣେ ପ୍ରଫେସର)

Comment