ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣ ଜାଣନ୍ତି କି ଖରାଦିନ ଅପେକ୍ଷା ଶୀତଦିନେ ଆପଣଙ୍କ ଓଜନ ବଢ଼ିବାର ଆଶଙ୍କା ଅଧିକ କାହିଁକି ? ଏ କଥାର ରହସ୍ୟ ଏବେ ଉନ୍ମୋଚିତ ହୋଇଛି। କାନାଡ଼ାସ୍ଥିତ ଆଲବର୍ଟ ବିଶ୍ଵବିଦ୍ୟାଳୟର ପ୍ରଫେସର ପିଟର ଲାଇଟ୍ ଏହି ରହସ୍ୟ ଉପରୁ ପରଦା ହଟାଇଛନ୍ତି। ବିଶେଷ କରି ପୃଥିବୀର ଯେଉଁ ଅଞ୍ଚଳରେ ଅଧିକ ଦିନଧରି ଶୀତ ଓ ହିମ ପ୍ରବାହ ଲାଗିରହେ ଏବଂ ଲୋକମାନେ ସୂର୍ଯ୍ୟାଲୋକଠାରୁ ଦୂରେଇ ରହନ୍ତି, ସେ ସ୍ଥାନରେ ଏହି ସମସ୍ୟା ଅଧିକ।

ପ୍ରଫେସର ଲାଇଟ୍‌ଙ୍କ ଗବେଷଣା ଅନୁଯାୟୀ, ଆମେ ଯେତେବେଳେ ଦିନରେ ଚଳପ୍ରଚଳ ହେଉ ସୂର୍ଯ୍ୟାଲୋକରେ ଥିବା ନୀଳ ଆଲୋକ ଆମ ଆଖି ଦେଇ ଶରୀରରେ ପ୍ରବେଶ କରିଥାଏ। ଫଳରେ ଏହା ମଣିଷର ଚର୍ମତଳେ ଥିବା ଫ୍ୟାଟ୍ ସେଲ୍ ଉପରେ ପ୍ରଭାବ ପକାଇଥାଏ। ଏହି ଫ୍ୟାଟ୍ ସେଲ ବା ମେଦରେ ଥିବା ଲିପିଡ଼୍ ବୁନ୍ଦାର ଆକାର କମାଇ ଦିଏ, ଯାହାକି ଚର୍ମରନ୍ଧ୍ର ଦେଇ ବାହାରିଯାଇଥାଏ। ଅନ୍ୟଅର୍ଥରେ କହିବାକୁ ଗଲେ ସୂର୍ଯ୍ୟାଲୋକରୁ ଆସୁଥିବା ଏହି ହିତକାରୀ ଶକ୍ତି ମଣିଷ ଶରୀରର ମେଦବୃଦ୍ଧି କରିବାକୁ ଦିଏ ନାହିଁ।

ପ୍ରଫେସର ଲାଇଟଙ୍କ ଏହି ଗବେଷଣା ଲବ୍ଧ ତଥ୍ୟ ସାଇଣ୍ଟିଫିକ୍ ରିପୋର୍ଟ ପ୍ରତ୍ରିକାରେ  ପ୍ରକାଶିତ ହୋଇଛି। ସେ ଏଥିରେ ଦର୍ଶାଇଛନ୍ତି ଯେ ପୃଥିବୀର ଉତ୍ତର ଗୋଲୋର୍ଦ୍ଧର ଅନେକ ଅଞ୍ଚଳରେ ଲୋକମାନେ ପ୍ରାୟ ୮ମାସ ଯଥେଷ୍ଠ  ସୂର୍ଯ୍ୟାଲୋକ  ପାଇନଥାନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଏହି କାରଣରୁ ମେଦବୃଦ୍ଧିର ଶିକାର ହୋଇଥାନ୍ତି।

ତେବେ ପ୍ରଫେସର ଲାଇଟ୍ କହିଛନ୍ତି ଯେ ଏହା ତାଙ୍କ ଗବେଷଣାର ପ୍ରାଥମିକ ଫଳାଫଳ। ତେଣୁ ଓଜନ କମାଇବା ପାଇଁ ଲୋକେ ଅଧିକ କିମ୍ବା ତୀବ୍ର ସୂର୍ଯ୍ୟାଲୋକରେ ଅଧିକ ସମୟ ନରହିବାକୁ ସେ ପରାମର୍ଶ ଦେଇଛନ୍ତି।

ପ୍ରଫେସର ଲାଇଟଙ୍କ ଏହି ଗବେଷଣା ସମ୍ପୃକ୍ତ ବିଷୟରେ ଏକ ଭିତ୍ତିପ୍ରସ୍ତର ସ୍ଥାପନ କରିଛି। ଆଗକୁ ଅଧିକ ଗବେଷଣା ହେଲେ ମଣିଷ ଶରୀରରେ ମେଦ ବହୁଳତା ହ୍ରାସ ଦିଗରେ ସୂର୍ଯ୍ୟାଲୋକ କେତେ ଗୁରୁତ୍ଵପୂର୍ଣ୍ଣ ସେ କଥା ସ୍ପଷ୍ଟ ହୋଇପାରିବ। ଏହି ଗବେଷଣା ମେଦବହୁଳତା ନିୟନ୍ତ୍ରଣ ଲାଗି ଔଷଧ ପ୍ରୟୋଗ କିମ୍ବା ଆଲୋକ ମାଧ୍ୟମରେ ଚିକିତ୍ସା ପଦ୍ଧତି ଉଦ୍ଭାବନ କ୍ଷେତ୍ରରେ ସହାୟକ ହୋଇପାରିବ। କେବଳ ମେଦ ବହୁଳତା ନୁହେଁ, ଏହି ନୂତନ ବୈଜ୍ଞାନିକ ଦିଗ ଭବିଷ୍ୟତରେ ମଧୁମେହ ରୋଗର ଚିକିତ୍ସା କ୍ଷେତ୍ରରେ ବିଶେଷ ଭୂମିକା ଗ୍ରହଣ କରିବାର ସମ୍ଭାବନା ରହିଛି।

1 COMMENT

Comment