ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ୍ ଗଡ଼କରୀ ଗୁରୁବାର ଭାରତୀୟ ନୌସେନାକୁ ଏକ ଶକ୍ତ ଚାପୁଡ଼ା ଦେଇଛନ୍ତି। ଦକ୍ଷିଣ ମୁମ୍ବାଇର ପ୍ରମୁଖ ଅଞ୍ଚଳରେ ନୌସେନା ଅଧିକାରୀଙ୍କ କ୍ଵାଟର୍ସ ନିର୍ମାଣ କିମ୍ବା ଆନୁଷଙ୍ଗିକ ଆବଶ୍ୟକତା ପାଇଁ ଆଉ ଇଞ୍ଚେ ଜାଗା ଦିଆଯାଇପାରିବ  ନାହିଁ ବୋଲି ଗଡ଼କରୀ ଧମକ ଦେଇଛନ୍ତି।

ଭାରତ-ପାକିସ୍ତାନ ସୀମାରେ ନୌସେନା ପ୍ରହରା ଉପରେ ଅଧିକ ଗୁରୁତ୍ଵ ଦେଉ ବୋଲି ସେ ପରାମର୍ଶ ଦେଇଛନ୍ତି। ଗଡ଼କରୀ ଅଭିଯୋଗ କରିଛନ୍ତି ଯେ, ନୌସେନା ମୁମ୍ବାଇରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତିରେ ପ୍ରତିବନ୍ଧକ ସୃଷ୍ଟି କରୁଛି।

”ଉଇଆର ଦ ଗର୍ଭମେଣ୍ଟ। ଦି ନାଭି ଆଣ୍ଡ ଦି ଡିଫେନ୍ସ ମିନିଷ୍ଟ୍ରି ଆର ନଟ୍ ଦି ଗର୍ଭମେଣ୍ଟ”। ଗଡକରୀ ଏଭଳି କଡ଼ା ଭାଷାରେ କହିଛନ୍ତି। ଗୁରୁବାର ମୁମ୍ବାଇରେ ଅନୁଷ୍ଠିତ ଅନ୍ତର୍ଜାତୀୟ ନିଆମି-ଷ୍ଟ୍ରାଇଲ୍ କ୍ରୁଜ୍ ଟର୍ମିନାଲର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେଇ ଗଡ଼କରୀ ତୀବ୍ର କ୍ଷୋଭ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭାରତୀୟ ନୌସେନା ପଶ୍ଚିମ କମାଣ୍ଡର ଚିଫ୍ ଭାଇସ୍ ଆଡମିରାଲ୍‌ ଗିରିଶ ଲୁଥ୍ରା ଉପସ୍ଥିତ ଥିଲେ।

ମୁମ୍ବାଇରେ ପ୍ରସ୍ତାବିତ ସାମୁଦ୍ରିକ ଉଡ଼ାଜାହାଜ(ସିପ୍ଳେନ୍) ସେବା ପାଇଁ ଆବଶ୍ୟକ ଜେଟି ନିର୍ମାଣ ପାଇଁ ଭାରତୀୟ ନୌସେନାର ଅନୁମତି ଲୋଡ଼ା ଯାଇଥିଲା। ତେବେ ସୁରକ୍ଷା କାରଣ ଦର୍ଶାଇ ନୌସେନା ସମ୍ପୃକ୍ତ ଅପରେଟରଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଫଳରେ ଦେଶରେ ସିପ୍ଲେନ୍ ସେବା ପ୍ରଚଳନ ପାଇଁ କେନ୍ଦ୍ର ସରକାର କରିଥିବା ଯୋଜନାକୁ ଲାଗିଥିଲା ଶକ୍ତ ଝଟକା।

ଗଡ଼କରୀ କହିଛନ୍ତି ଯେ ଆଗାମୀ ୨ବର୍ଷ ମଧ୍ୟରେ ଦେଶରେ ୧୦ହଜାରରୁ ଅଧିକ ସିପ୍ଲେନ୍ ଅପରେସନ୍ ପାଇଁ ସରକାର ପରିକଳ୍ପନା କରିଛନ୍ତି। ମୁମ୍ବାଇରେ ଏହି ଯୋଜନାକୁ ଆଗକୁ ନେବାରେ ନୌସେନା ବାଧା ଦେଇଥିବାରୁ ଗଡ଼କରୀ କଡ଼ା ସମାଲୋଚନା କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଭାଷଣ ଦେବା ବେଳେ ଗଡ଼କରୀ କହିଥିଲେ ” ଆପଣ ମୋ ପାଖକୁ କୌଣସି ପ୍ଲଟ୍ ମାଗିବା ପାଇଁ ଯଦି ଆସିବେ ମୁଁ ଇଞ୍ଚେ ଜାଗା ଦେବି ନାହିଁ।  ଦୟାକରି ମୋ ପାଖକୁ ଆଗାମୀ ଦିନରେ ଏଭଳି କୌଣସି ଅନୁରୋଧ ଧରି ଆସନ୍ତୁ ନାହିଁ। ଏକଥା କହିବା ବେଳେ ମନ୍ତ୍ରୀ ଅତି ସ୍ପଷ୍ଟ ଭାବେ କହିଥିଲେ ଯେ ଦକ୍ଷିଣ ମୁମ୍ବାଇର ସମୃଦ୍ଧଶାଳୀ ଅଞ୍ଚଳରେ ସମସ୍ତେ କ୍ଵାଟର୍ସ ଓ ଫ୍ଲାଟ୍ ନିର୍ମାଣ ପାଇଁ ଚାହୁଛନ୍ତି। ମାତ୍ର ଏହା ସମ୍ଭବ ନୁହେଁ।

Comment