ଓଡ଼ିଶାଲାଇଭ୍ ବ୍ୟୁରୋ


ଭୁବନେଶ୍ୱରରେ ଆୟୋଜିତ ହୋଇଛି ୨୨ତମ ବିଶୋଧନ ପ୍ରଯୁକ୍ତିବିଦ୍ୟା ଏବଂ ପେଟ୍ରୋକେମିକାଲ୍ ସମ୍ମିଳନୀ। ଏହାକୁ କେନ୍ଦ୍ର ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି। ଏହି ସମ୍ମିଳନୀର ବିଷୟବସ୍ତୁ ଥିଲା ‘ଏମର୍ଜିଂ ଟ୍ରେଣ୍ଡ୍ ଇନ୍ ଡାଉନଷ୍ଟ୍ରିମ୍ ହାଇଡ୍ରୋକର୍ବନ ସେକ୍ଟର’। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ଆନୁକୂଲ୍ୟରେ ସେଣ୍ଟର ଫର୍ ହାଇ ଟେକ୍ନୋଲୋଜି ଏବଂ ଭାରତୀୟ ତୈଳ ନିଗମ ଲିଃ ପକ୍ଷରୁ ଏହା ଆୟୋଜନ କରାଯାଇଛି।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ଭାରତରେ ୨୪୭ ମିଲିଅନ୍ ମେଟ୍ରିକ୍ ଟନ୍ ଅଶୋଧିତ ତୈଳ ବିଶୋଧନ କ୍ଷମତା ରହିଛି ।  ୨୦୪୦ ସୁଦ୍ଧା ୫ ଶହ ମିଲିୟନ୍ ମେଟ୍ରିକ୍ ଟନ୍ ଛୁଇଁବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ବିଶ୍ୱରେ ବିଦ୍ୟୁତ ପରିଚାଳିତ ଯାନବାହନ ଓ ଅନାନ୍ୟ ସୂତ୍ରରୁ ଶକ୍ତି ଆବଶ୍ୟକତା ପୂରଣ ହେବା ପରେ ବି ଦେଶରେ ୨୫୦ରୁ ୩୦୦ ମିଲିୟନ୍ ମେଟ୍ରିକ୍ ଟନ୍ ବିଶୋଧନ କ୍ଷମତା ବଢାଇବା ପାଇଁ ଆବଶ୍ୟକ ରହିଛିା”

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ବିଶ୍ୱ ବଜାରରେ ଭାରତର ଅର୍ଥନୈତିକ ପ୍ରଗତି ସହ ଦେଶରେ ତୈଳ ବିଶୋଧନ କ୍ଷମତା ବୃଦ୍ଧି ଏକ ଆହ୍ୱାନ ହୋଇଛିା ବିଶୋଧନ କ୍ଷମତା ବୃଦ୍ଧି ସହ ବିଶୋଧନାଗାର ସହ ଜଡ଼ିତ ହାଇଡ୍ରୋକାର୍ବନ କ୍ଷେତ୍ରରେ ଡାଉନ୍ ଷ୍ଟ୍ରିମ୍ ଶିଳ୍ପର ଦ୍ରୁତ ବିକାଶର ସମ୍ଭାବନା ଦେଖାଯିବ।

ସମଗ୍ର ବିଶ୍ୱରେ ଜ୍ଞାନକୌଶଳର ନୂଆ ଯୁଗ ଆରମ୍ଭ ହେଉଥିବାବେଳେ ଭୁବନେଶ୍ୱରରେ ଅନୁଷ୍ଠିତ ଏହି ତିନିଦିନିଆ ରିଫାଇନିଂ ଓ ପେଟ୍ରୋ କେମିକାଲ୍ ସମ୍ମିଳନୀ ଦେଶର ତୈଳ ଶିଳ୍ପ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି।

ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟର ସଚିବ କେ.ଡି ତ୍ରିପାଠୀ, ଯୁଗ୍ମ ସଚିବ (ବିଶୋଧନ) ସନ୍ଦିପ ପୌଣ୍ଡ୍ରିକ୍ ଉପସ୍ଥିତ ଥିଲେ, ଜାପାନ ରାଷ୍ଟ୍ରଦୂତ କେନ୍‌ଜି ହିର୍‌ମାତ୍‌ସୁ ଉପସ୍ଥିତ ଥିଲେ।

ଇଣ୍ଡିଆନ୍ ଅଏଲର ଚେୟାରମ୍ୟାନ ସଞ୍ଜିବ ସିଂ ସ୍ୱାଗତ ଭାଷଣ ଦେଇଥିଲେ। ସେଣ୍ଟର ଫର୍ ହାଇ ଟେକ୍ନୋଲୋଜିର ନିର୍ବାହୀ ନିର୍ଦ୍ଦେଶକ ବ୍ରିଜେଶ କୁମାର ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here