ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋମବାର ସକାଳେ ନିଖୋଜ ହୋଇଯାଇଥିବା ବିଶ୍ୱହିନ୍ଦୁ ପରିଷଦ ନେତା ପ୍ରବୀଣ ତୋଗାଡିଆଙ୍କୁ ସନ୍ଧ୍ୟାରେ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଅହମ୍ମଦାବାଦର ସାହିବାଗ୍‌ ଅଞ୍ଚଳରୁ ତାଙ୍କୁ ଉଦ୍ଧାର କରାଯାଇଛି। ଚିକିତ୍ସା ପାଇଁ ତୋଗାଡିଆଙ୍କୁ ଚନ୍ଦ୍ରମଣି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଚିକିତ୍ସା କରୁଥିବା ଡାକ୍ତର ଆର୍‌ଏମ୍‌ ଅଗ୍ରୱାଲ୍‌ କହିଛନ୍ତି, “ତୋଗାଡ଼ିଆଙ୍କୁ ଅଚେତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ସୁଗାର୍‌ କମି ଯାଇଛି।”

ବିଶ୍ୱହିନ୍ଦୁ ପରିଷଦ ମୁଖପାତ୍ର ବିନୋଦ୍ ବନ୍‌ସଲ୍‌ କହିଛନ୍ତି, “ତୋଗାଡିଆଙ୍କୁ ନେଇ ସମଗ୍ର ଦେଶ ଚିନ୍ତିତ ହୋଇ ଯାଇଥିଲା। ସେ କେଉଁଆଡେ ଯାଇଛନ୍ତି ସେ ସମ୍ପର୍କରେ କାହାକୁ ଜଣା ନଥିଲା। ସମସ୍ତେ ଧୈର୍ଯ୍ୟର ସହ ତୋଗାଡିଆଙ୍କୁ ଖୋଜୁଥିଲୁ।”

ସୋମବାର ସକାଳୁ ତୋଗାଡିଆ ନିଖୋଜ ହୋଇଯାଇଥିବା ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଥାନାରେ ଏନେଇ ଅଭିଯୋଗ କରିଥିଲା। ଚାରିଆଡେ ଖୋଜାଖୋଜି କରିଥିଲେ ମଧ୍ୟ ତୋଗାଡିଆଙ୍କ ପତ୍ତା ମିଳିନଥିଲା। ଅହମ୍ମଦାବାଦରେ ଅଚେତ ଅବସ୍ଥା ଥିବା ଭିଏଚପି କର୍ମକର୍ତ୍ତାଙ୍କ ପାଖକୁ ଖବର ଆସିଥିଲା। କର୍ମକର୍ତ୍ତାମାନେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ମେଡିକାଲକୁ ଆଣିଥିଲେ।

ଏପଟେ ରାଜସ୍ଥାନ ପୋଲିସର ଏକ ଟିମ୍‌ ସମ୍ବିଧାନ ଧାରା ୧୮୮ ଅନୁଯାୟୀ ପୁରୁଣା କେସ୍‌ରେ ହିନ୍ଦୁତ୍ବବାଦୀ ନେତା ତୋଗାଡ଼ିଆଙ୍କୁ ଗିରଫ କରିଥିବା ଭିଏଚପି ପକ୍ଷରୁ କୁହାଯାଉଛି। ହେଲେ ରାଜସ୍ଥାନ ପୋଲିସ ଏହାକୁ ଅସ୍ବୀକାର କରିଥିଲା। ଏହାକୁ ନେଇ ବିଶ୍ୱହିନ୍ଦୁ ପରିଷଦ କର୍ମକର୍ତ୍ତା ସୋଲା ପୋଲିସ ଷ୍ଟେସନ ଘେରାଉ କରିଥିଲା।  ତୋଗାଡିଆଙ୍କୁ ପୋଲିସ ଖୋଜି ବାହାର କରୁ ବୋଲି ସେମାନେ ଦାବି କରିଥିଲେ।

Comment