ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାରଙ୍କ ବିନା ଅନୁମତିରେ ମହାରାଷ୍ଟ୍ରରେ ତଦନ୍ତ କରିପାରିବନି ସିବିଆଇ। ଯେତେଥର ତଦନ୍ତ କରିବାକୁ ଆସିବ ସେତେଥର ମହାରାଷ୍ଟ୍ର ସରକାରଙ୍କ ଅନୁମତି ନେବାକୁ ପଡ଼ିବ। ବୁଧବାର ଦିନ ସିବିଆଇର ରାଜ୍ୟ ପ୍ରବେଶ ଅଧିକାରକୁ ମହାରାଷ୍ଟ୍ର ସରକାର ପ୍ରତ୍ୟାହାର କରିନେଇଛନ୍ତି। ଟିଆରପି ସ୍କାମରେ ସିବିଆଇ ଏକ ମାମଲା ରୁଜୁ କରିବାର ଦିନକ ପରେ ମହାରାଷ୍ଟ୍ର ସରକାର ଏ ନିଷ୍ପତ୍ତି ନେଇଛନ୍ତି। ଏହି ଦୁର୍ନୀତିର ମୂଳ ମାମଲା ଲକ୍ଷ୍ନୌରେ ପଞ୍ଜୀକୃତ ହୋଇଥିବା ବେଳେ ଉତ୍ତରପ୍ରଦେଶ ସରକାର ଏହାକୁ ସିବିଆଇକୁ ହସ୍ତାନ୍ତର କରିଛନ୍ତି।

arnab goswami republic bharat

ଅକ୍ଟୋବର ୮ରେ ମୁମ୍ବାଇ ପୁଲିସ ଏକ ଟିଆରପି ଦୁର୍ନୀତି ରାକେଟକୁ ଧରିଥିବା ଦାବି କରିଥିଲା। ଏଥିରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ରିପବ୍ଲିକ ଟିଭି ସମେତ ୩ଟି ଚ୍ୟାନେଲ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଏ ମାମଲାରେ ଏପର୍ଯ୍ୟନ୍ତ 6ଜଣଙ୍କୁ ମୁମ୍ବାଇ ପୁଲିସ ଗିରଫ କରିସାରିଛି। ଅଭିଯୋଗ ଅନୁସାରେ ଟିଆରପି ମାପୁଥିବା ମେସିନ ଲାଗିଥିବା ଟିଭିଗୁଡ଼ିକ ସମ୍ପର୍କରେ ଏହି ଚ୍ୟାନେଲ ନିକଟରେ ଖହର ରହିଥିଲା। ସେମାନେ ଏହି ନିର୍ଦ୍ଦିଷ୍ଟ ଘରଗୁଡ଼ିକରେ ଯେପରି ସେମାନଙ୍କ ଚ୍ୟାନେଲ ଦେଖାଯିବ ତାହା ସୁନିଶ୍ଚିତ କରିଥିଲେ।

ମୁମ୍ବାଇ ପୁଲିସ ଏହି ମାମଲାର ତଦନ୍ତ କରୁଥିବା ବେଳେ ସିବିଆଇର ପ୍ରବେଶକୁ ରୋକିବା ପାଇଁ ମହାରାଷ୍ଟ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ଏହା ପୂର୍ବରୁ ପଶ୍ଚିମବଙ୍ଗ ଓ ରାଜସ୍ଥାନ ସରକାର ମଧ୍ୟ ସିବିଆଇର ରାଜ୍ୟ ପ୍ରବେଶ ଅନୁମତିକୁ ପ୍ରତ୍ୟାହାର କରିନେଇଛନ୍ତି। ତା ପୂର୍ବରୁ ଆନ୍ଧ୍ର ସରକାର ମଧ୍ୟ ସମାନ ନିଷ୍ପତ୍ତି ନେଇଥିଲେ।

Comment