ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏକଦା ଦୁର୍ନୀତି ହଟାଓ ନାରା ଦେଇ ଭାରତୀୟ ରାଜନୀତିରେ ପ୍ରବେଶ କରିଥିବା ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଆମ ଆଦମୀ ପାର୍ଟି ଉପରେ ଏବେ ଝାଡ଼ୁ ମାରିଛି ସିବିଆଇ।

ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସହ ଦୁର୍ନୀତି ବିରୋଧୀ ଲଢ଼େଇ ଆରମ୍ଭ କରିଥିବା ମନୀଷ ସିସୋଦିଆ ଏବେ ଦୁର୍ନୀତି କରିଥିବା ଅଭିଯୋଗରେ ଜେଲ୍‌ରେ। କେଜ୍ରିଓ୍ୱାଲଙ୍କ ଆମ ଆଦମୀ ପାର୍ଟି ଉପରେ ସିବିଆଇର ଆଟାକ ପରେ ଏହାକୁ ନେଇ ଏବେ ଆପ୍-ବିଜେପି ଭିତରେ ଆରମ୍ଭ ହୋଇଛି ରାଜନୈତିକ ଲଢ଼େଇ। ଏହା ଆଗକୁ କେଉଁ ମୋଡ଼ ନେବ ତା’ ଉପରେ ସମସ୍ତଙ୍କ ନଜର।

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଡାହାଣ ହାତ ଓ ମୁଖ୍ୟ ପରାମର୍ଶଦାତା। ଦିଲ୍ଲୀର ‘ମଦନୀତି’କୁ ବଦଳାଇ କିଛି ନିର୍ଦ୍ଦିଷ୍ଟ ଲୋକ ଓ ସଂସ୍ଥାକୁ ଫାଇଦା ଦେବା ଏବଂ ରାଜକୋଷକୁ କ୍ଷତି ପହଞ୍ଚାଇବା ଭଳି ସାଂଘାତିକ ଅଭିଯୋଗ ରହିଛି ମନୀଷଙ୍କ ବିରୋଧରେ। ସତରେ କ’ଣ ମନୀଷ ଏ ଦୁର୍ନୀତିରେ ସଂପୃକ୍ତ ଅଛନ୍ତି? ଏଭଳି ପ୍ରଶ୍ନ ଉଠିଛି ଲୋକଙ୍କ ମନରେ। ରାଜନେତା ଦୁର୍ନୀତିରେ ସମ୍ପୃକ୍ତ ହେବା କିଛି ନୂଆ କଥା ନୁହେଁ। କିନ୍ତୁ ମନୀଷଙ୍କ ଭଳି ଦୁର୍ନୀତି ବିରୋଧୀ ଲଢ଼େଇରେ ସମ୍ପୃକ୍ତ ଥିବା ବ୍ୟକ୍ତି ଦୁର୍ନୀତି ଅଭିଯୋଗରେ ଜେଲ୍ ଯିବା ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ଦିଲ୍ଲୀ ମଦ ନୀତି ଓ ଦୁର୍ନୀତି

ଦିଲ୍ଲୀ ମଦନୀତି ଦୁର୍ନୀତି ମାମଲାରେ ଆପ୍‌ ସରକାରଙ୍କୁ ବଡ଼ ଝଟକା ଲାଗିଲା ୨୬ ଫେବ୍ରୁଆରୀ ୨୦୨୩ରେ। କିନ୍ତୁ ଏହାକୁ ନେଇ ବିବାଦ ସେବେଠାରୁ ଆରମ୍ଭ ହୋଇଥିଲା ଯେବେଠାରୁ ଦିଲ୍ଲୀ ସରକାର ନୂଆ ମଦ ନୀତି ପ୍ରଣୟନ କରିଥିଲେ। ମନୀଷ ସିସୋଦିଆ ନିଜେ ଅବକାରୀ ବିଭାଗର ମୁଖ୍ୟ ଥିଲେ। ତାଙ୍କ ପ୍ରତ୍ୟକ୍ଷ ସୁପାରିସରେ ଦିଲ୍ଲୀ ମଦନୀତି – ୨୦୨୧-୨୨ ପ୍ରସ୍ତୁତ ହୋଇଥିଲା। ଏହି ମଦନୀତିକୁ ସରକାର ପରେ ବାତିଲ୍ କରିଦେଇଥିଲେ ମଧ୍ୟ ଏହାର ଫାଶରୁ ଦିଲ୍ଲୀ ସରକାର ମୁକୁଳିବାକୁ ସଂଘର୍ଷ କରୁଛନ୍ତି।

ଦିଲ୍ଲୀ ସରକାର ଦାବି କଲେ ଯେ ନୂଆ ମଦନୀତି ପାଇଁ  ରାଜକୋଷକୁ ଏଥିପାଇଁ ୮,୯୦୦ କୋଟି ଟଙ୍କା ଲାଭ ହୋଇଛି। କିନ୍ତୁ ଏ ମଦନୀତି କେବଳ କିଛି ବ୍ୟବସାୟୀଙ୍କୁ ଫାଇଦା ଦେଇଥିବା ବେଳେ ସରକାର ରାଜସ୍ଵ ହରାଇଥିବା ନେଇ ଏକ ରିପୋର୍ଟ ମୁଖ୍ୟ ଶାସନ ସଚିବ ଦିଲ୍ଲୀ ଉପରାଜ୍ୟପାଳ ବିନୟ ସକ୍ସେନାଙ୍କୁ ଦେବା ପରେ ସେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଦେଲେ।

କ’ଣ ରହିଛି ଦୁର୍ନୀତିର ଫର୍ଦ୍ଦ

  • ମନମୁଖୀ ଭାବେ କ୍ୟାବିନେଟରେ ପ୍ରସ୍ତାବ ପାରିତ ହେଲା
  • ୧୪୪.୩୬ କୋଟିର ଲାଇସେନ୍ସ ଫିକୁ ଛାଡ଼ କରିଦିଆଗଲା
  • ଠିକାପ୍ରାପ୍ତ କମ୍ପାନିକୁ ୩୦ କୋଟିର ଇଏମ୍‌ଡି ଫେରସ୍ତ କରାଗଲା
  • ବିଦେଶୀ ମଦ ଓ ବିୟର ଉପରେ ମନମୁଖୀ ରିହାତି ଦିଆଗଲା
  • ଏକ ବ୍ଲାକ୍‌ଲିଷ୍ଟେଡ କମ୍ପାନିକୁ ମଦ ଲାଇସେନ୍ସ ପ୍ରଦାନ କରାଗଲା
  • ଡ୍ରାଇ ଡେ ସଂଖ୍ୟା ୨୧କୁ ହ୍ରାସ କରି ୩ କରିଦିଆଗଲା
  • ନିଷିଦ୍ଧାଞ୍ଚଳରେ ବି ମଦ ବିକ୍ରି ପାଇଁ ଲାଇସେନ୍ସ ଦିଆଗଲା

ଅନ୍ୟ ପଟେ ଏହି ମାମଲାରେ ଇଡି ମଧ୍ୟ ତଦନ୍ତ ଚଳାଇଛି। ଏକ ମଦ କମ୍ପାନି ସାଉଥ୍ ଗ୍ରୁପ ଆମ୍‌ ଆଦ୍‌ମୀ ପାର୍ଟିକୁ ୧୦୦ କୋଟି ଟଙ୍କାର ଲାଞ୍ଚ ଦେଇଥିବା ଇଡି ଦାବି କରିଛି। ଏହି ମାମଲାରେ ଇଡି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍‌ଙ୍କ ଝିଅ କବିତାଙ୍କ ପୂର୍ବତନ ଆକାଉଣ୍ଟାଣ୍ଟଙ୍କୁ ଗିରଫ କରିସାରିଛି। ସାଉଥଗ୍ରୁପ୍‌ର ଭୂମିକାକୁ ନେଇ ତଦନ୍ତ ଜୋରଦାର ହେବା ପରେ ଏହି ଗ୍ରୁପ ସହ ଜଡ଼ିତ ଥିବା କବିତାଙ୍କ ପାଇଁ ମଧ୍ୟ ଅଡୁଆ ବଢ଼ିବାରେ ଲାଗିଛି। ଏଥିରେ ଅନେକ ଲୋକଙ୍କ ନାମ ଥିବା କୁହାଯାଉଥିବା ବେଳେ ଆଗକୁ ସେ ସବୁ ବାହାରକୁ ଆସିବାର ସମ୍ଭାବନା ରହିଛି।

କାହା ପାଇଁ ନୀତି, କାହା ପାଇଁ ଦୁର୍ନୀତି

ମଦନୀତି ଦୁର୍ନୀତିର ତଦନ୍ତ ସିବିଆଇ ଓ ମନିଲଣ୍ଡରିଂର ତଦନ୍ତ କରୁଛି ଇଡି। ଏହାକୁ ନେଇ ଦିଲ୍ଲୀ ରାଜୀନୀତି ଉଠୁଛି ପଡୁଛି। ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ କେଜ୍ରିଓ୍ଵାଲ ସିସୋଦିଆଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ। ସେ କହିଛନ୍ତି ବିଜେପି ସିବିଆଇ ଓ ଇଡିକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଛି। ଯଦି ମନୀଷ ଏବେ ବିଜେପିରେ ଯୋଗଦେବେ ତେବେ ତୁରନ୍ତ ତାଙ୍କୁ ସବୁ ଅଭିଯୋଗରୁ ମୁକ୍ତି ମିଳିଯିବ।

ଦୁର୍ନୀତି ଆଦୌ ପ୍ରସଂଗ ନୁହେଁ, ଆପ୍‌ର ପ୍ରଗତିକୁ ରୋକିବା ଏବଂ ଦିଲ୍ଲୀ ସରକାରକୁ ଅସୁବିଧାରେ ପକାଇବା ବିଜେପି ସରକାରଙ୍କ ଉଦ୍ଦେଶ୍ୟ। ପଞ୍ଜାବ ଜିତିବା ପରଠାରୁ ବିଜେପି ଅସହିଷ୍ଣୁ ହୋଇ ଆପ୍ ଉପରେ ଆକ୍ରମଣ କରୁଛି। ସିବିଆଇକୁ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରୁଛି। କେଜ୍ରିଓ୍ଵାଲ କହିଛନ୍ତି ଯଦି ମନିଷ ପଇସା ଖାଇଛନ୍ତି ତେବେ ତାଙ୍କ ଘର ଓ ଅନ୍ୟ ୩୯ଟି ସ୍ଥାନରେ ଚଢ଼ଉ କରିଥିଲେ ମଧ୍ୟ ସିବିଆଇକୁ କାହିଁକି କିଛି ମିଳିଲା ନାହିଁ।

ଚାର୍ଜସିଟ୍‌ରେ ସିସୋଦିଆଙ୍କ ନାମ ନ ଥିଲେ ମଧ୍ୟ ତାଙ୍କୁ କାହିଁକି ଗିରଫ କରାଗଲା ବୋଲି ପ୍ରଶ୍ନ କରିଛନ୍ତି କେଜ୍ରିଓ୍ଵାଲ। ଆଗକୁ ଏ ପ୍ରସଙ୍ଗକୁ ନେଇ ଆମ୍‌ ଆଦ୍‌ମୀ ପାର୍ଟି ଦିଲ୍ଲୀର ସମସ୍ତ ନାଗରିକଙ୍କ ପାଖକୁ ଯିବ ଓ ଏ ଦୁର୍ନୀତି ପଛର ଷଡ଼ଯନ୍ତ୍ରର ସତ ଲୋକଙ୍କୁ ଜଣାଇବ ବୋଲି କେଜ୍ରିଓ୍ଵାଲ କହିଛନ୍ତି।

ବିଜେପି କିନ୍ତୁ ତା’ର ଆରୋପ ଜାରି ରଖିଛି। ବିଜେପି କହିଛି ସିସୋଦିଆ ବିଶ୍ଵର କେବଳ ଜଣେ ଶିକ୍ଷାମନ୍ତ୍ରୀ ଯିଏ ମଦ ଦୁର୍ନୀତିରେ ଅଭିଯୁକ୍ତ। ସିଏ ମଦ ବେପାରୀଙ୍କଠାରୁ କମିଶନ ଖାଇ ପାର୍ଟି ପାଇଁ ଅର୍ଥ ଯୋଗାଡ଼ କରିଛନ୍ତି। ତଦନ୍ତକାରୀ ସଂସ୍ଥା ରାଜନୀତିଠାରୁ ମୁକ୍ତ। ଏହା କୌଣସି ଭାବପ୍ରବଣତାକୁ ଆଧାର କରି ତଦନ୍ତର ମୋଡ଼ ବଦଳାଏ ନାହିଁ। ଆପ୍‌ର ଏପରି କୌଣସି ଉଦ୍ୟମ ସିସୋଦିଆଙ୍କୁ ରକ୍ଷା କରିପାରିବ ନାହିଁ ବୋଲି ବିଜେପି କହିଛି।

ସାମ୍ବାଦିକ ମନିଷ ସିସୋଦିଆ

୨୦୧୫ରେ ପ୍ରତ୍ୟକ୍ଷ ରାଜନୀତିକୁ ଆସିବା ବହୁ ପୂର୍ବରୁ ସାମ୍ବାଦିକତା କରୁଥିଲେ ସିସୋଦିଆ। ଉତ୍ତରପ୍ରଦେଶ ହାପୁର ଜିଲ୍ଲା ଫଗାଉଟା ଗାଁରେ ଜନ୍ମିତ ସିସୋଦିଆଙ୍କ ବାପା ଥିଲେ ଜଣେ ସ୍କୁଲ ଶିକ୍ଷକ। ସରକାରୀ ସ୍କୁଲ ଓ କଲେଜରୁ ପାଠପଢ଼ା ସାରିବା ପରେ ମନୀଷ ଭାରତୀୟ ବିଦ୍ୟାଭବନରୁ ସାମ୍ବାଦିକତାରେ ଡିପ୍ଲୋମା କରିଥିଲେ। ପ୍ରାଥମିକ ଭାବେ ଆକାଶବାଣୀର ଏଫଏମ ରେଡିଓରେ ସେ ରେଡିଓ ଜକି ଭାବେ କାମ ଆରମ୍ଭ କରିଥିଲେ। ୧୯୯୬ରେ ସେ ଜି ନ୍ୟୁଜରେ ରିପୋର୍ଟର ଭାବେ ଯୋଗଦେଇଥିଲେ। ପରେ ନ୍ୟୁଜ୍ ପ୍ରଡ୍ୟୁସର ଓ ଆଙ୍କର ଭାବେ କାମ କରିଥିଲେ।

ସମାଜ ସେବାରୁ ରାଜନୀତି

୨୦୦୫ରେ ସାମ୍ବାଦିକତା ଛାଡ଼ିବା ପରେ ମନୀଷ ସିସୋଦିଆ ସମାଜସେବା କ୍ଷେତ୍ରରେ ଯୋଗ ଦେଇଥିଲେ। ଦିଲ୍ଲୀରେ ବିଭିନ୍ନ ବସ୍ତିରେ ରହୁଥିବା ଲୋକଙ୍କ ଅଧିକାର ପାଇଁ ସେ କାମ କରିବା ଆରମ୍ଭ କରିଥିଲେ। ପ୍ରଥମେ ପରିବର୍ତ୍ତନ ଓ ପରେ କବିର ନାମକ ଏନଜିଓରେ କାମ କରିଥିଲେ। ଏହା ପରେ ଦୁର୍ନୀତି ବିରୋଧୀ ଅଭିଯାନରେ କେଜ୍ରିଓ୍ଵାଲଙ୍କ ସହ ସାମିଲ ହୋଇଥିଲେ। ଐତିହାସିକ ସୂଚନା ଅଧିକାରର ଚିଠା ପ୍ରସ୍ତୁତ କରିଥିବା ଟିମ୍‌ରେ ମଧ୍ୟ ସିସୋଦିଆ ସ୍ଥାନ ପାଇଥିଲେ। ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ କରିବା ପାଇଁ ଆନ୍ଦୋଳନରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

୨୦୧୧ରେ ଜନ ଲୋକପାଳ ବିଲ୍ ଆନ୍ଦୋଳନର ରଣନୀତି ପ୍ରସ୍ତୁତିରେ ବି ସେ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ନେଇଥିଲେ। ଏହାପରେ କେଜ୍ରିଓ୍ଵାଲ ଆମ୍ ଆଦ୍‌ମୀ ପାର୍ଟି ପ୍ରତିଷ୍ଠା କରିବା ପରେ ସେ ମଧ୍ୟ ଏହାର ପ୍ରତିଷ୍ଠାତା ସଦସ୍ୟ ରହିଥିଲେ। ଲଗାତର ୩ ଥର ନିର୍ବାଚନ ଜିତିବା ସହ କ୍ୟାବିନେଟ ମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ମନିଷ ସିସୋଦିଆ। ଅର୍ଥ ଓ ଶିକ୍ଷା ସମେତ ବହୁ ଗୁରୁତ୍ଵପୂର୍ଣ୍ଣ ବିଭାଗ ତାଙ୍କ ଅଧୀନରେ ରହିଥିଲା।

କେଜ୍ରିଓ୍ଵାଲ-ସିସୋଦିଆ ଯୋଡ଼ି

ସାମାଜିକ ସେବା, ସୂଚନା ଅଧିକାର ଆଇନ ଓ ଜନ ଲୋକପାଳ ବିଲ୍ ଆଇନ ଆନ୍ଦୋଳନ, ଆପ୍‌ ଗଠନ ଓ ଦିଲ୍ଲୀରେ ସରକାର ଗଠନ, ଏ ସବୁଥିରେ କେଜ୍ରିଓ୍ଵାଲଙ୍କ ସହ ସବୁବେଳେ ରହି ଆସିଛନ୍ତି ମନିଷ ସିସୋଦିଆ। କେଜ୍ରିଓ୍ଵାଲଙ୍କୁ ସୁରକ୍ଷା ଦେବା ପାଇଁ ସବୁ ବେଳେ ମନୀଷ ହିଁ ସବୁବେଳେ ସାମ୍ନାକୁ ଆସିଛନ୍ତି।

ସାମ୍ବାଦିକତା କରିବା ବେଳେ ତାଙ୍କର କେଜ୍ରିଓ୍ଵାଲଙ୍କ ସହ ପରିଚୟ ହୋଇସାରିଥିଲା। ସାମ୍ବାଦିକତା ସହ ମନୀଷ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଦ୍ଵାରା ପ୍ରତିଷ୍ଠିତ ଏନ୍‌ଜିଓ ‘ପରିବର୍ତ୍ତନ’ ପାଇଁ ମଧ୍ୟ କାମ କରୁଥିଲେ। ୨୦୦୫ରେ ସିସୋଦିଆ ସାମ୍ବାଦିକତା ଛାଡ଼ି ବିଧିବଦ୍ଧ ଭାବେ କେଜ୍ରିଓ୍ଵାଲଙ୍କ ଏନ୍‌ଜିଓ ‘କବିର’ରେ ଯୋଗ ଦେଇଥିଲେ।

ଏହି ସଂସ୍ଥା ବିଭିନ୍ନ ନାଗରିକ ସମସ୍ୟାର ସମାଧାନ ପାଇଁ ସରକାରୀ ଅଧିକାରୀ ଓ ଜନସାଧାରଣଙ୍କୁ ନେଇ ଜନଶୁଣାଣିର ଆୟୋଜନ କରୁଥିଲା। ଆଗକୁ ସିସୋଦିଆଙ୍କ ସୁରକ୍ଷା ପାଇଁ କେଜ୍ରିଓ୍ଵାଲ କ’ଣ ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।­­­­

Tags: #Politics #DelhiPolitics #CBI #ArvindKejriwal #APP #ManishSisodia

LEAVE A REPLY

Please enter your comment!
Please enter your name here