ଓଡ଼ିଶାଲାଇଭ୍‍ ବ୍ୟୁରୋ

କଲର୍ସ ଚ୍ୟାନେଲରେ ପ୍ରସାରିତ ଲୋକପ୍ରିୟ ରିଏଲିଟି ସୋ ‘ବିଗ୍ ବସ୍-୧୧’ର ବିଜୟିନୀ ହୋଇଛନ୍ତି ପ୍ରଖ୍ୟାତ ଟେଲି ଅଭିନେତ୍ରୀ ଶିଳ୍ପା ସିନ୍ଦେ। ଗତ ୧୪ ତାରିଖରେ ତାଙ୍କୁ ବିଜେତା ଘୋଷଣା କରାଯାଇଛି। ଏବେ ଆସନ୍ତୁ ଶିଳ୍ପାଙ୍କ ସମ୍ପର୍କରେ ଅଧିକ ଜାଣିବା।

୧୯୭୭ ମସିହା ଅଗଷ୍ଟ ୨୮ ତାରିଖରେ ‘ବିଗବସ-୧୧’ର ବିଜୟିନୀ ଶିଳ୍ପା ସିନ୍ଦେଙ୍କ ଜନ୍ମ ମୁମ୍ବାଇଠାରେ ହୋଇଥିଲା। ଏକ ମଧ୍ୟବିତ୍ତ ପରିବାରରେ ଜନ୍ମିତା ଶିଳ୍ପାଙ୍କ ପିତା ହାଇକୋର୍ଟର ଜଣେ ଜର୍ଜ ଥିଲେ ଓ ମା’ ଜଣେ ଗୃହିଣୀ। ତାଙ୍କର ଦୁଇ ବଡ଼ ଭଉଣୀ ଓ ଜଣେ ସାନଭାଇ ଅଛନ୍ତି।

ଶିଳ୍ପା ମୁମ୍ବାଇର କେସି କଲେଜରୁ ମନସ୍ତତ୍ୱରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ପିତା ଚାହୁଁଥିଲେ ଶିଳ୍ପା ଆଇନ ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ଲାଭ କରି ସେଥିରେ କ୍ୟାରିଅର କରୁ। କିନ୍ତୁ ଶିଳ୍ପାଙ୍କର ପାଠ ପଢ଼ାରେ ଆଦୌ ମନ ନଥିଲା। ତେବେ ଶିଳ୍ପା ଅଭିନେତ୍ରୀ ହେବାର  ସ୍ୱପ୍ନ ଦେଖୁଥିଲେ ଓ ନିଜ ପିତାଙ୍କ ଇଛା ବିରୁଦ୍ଧରେ ଯାଇ ଅଭିନେତ୍ରୀ ହୋଇଥିଲେ।

୧୯୯୯ ମସିହାରେ ଶିଳ୍ପା ସିନ୍ଦେ ଟେଲିଭିଜନ ଡେବ୍ୟୁ କରିଥିଲେ। ୨୦୦୭ରୁ ୨୦୦୮ ଯାଏଁ ପ୍ରସାରିତ ହୋଇଥିବା ମେଗା ଧାରାବାହିକ ‘ଭାବି’ରେ ନେଗେଟିଭ୍ ରୋଲ୍ କରି ଚର୍ଚ୍ଚିତା ହୋଇଥିଲେ ସେ। ତା’ ପରେ ‘କଭି ଆୟେନା ଜୁଦାଇ’, ‘ସଞ୍ଜିବନୀ’ ଓ ‘ଆମ୍ରପଲ୍ଳୀ’ ଆଦି ମେଗା ଧାରାବାହିକରେ ଅଭିନୟକରି ଟେଲି ଦୁନିଆରେ ଲୋକପ୍ରିୟ ହୋଇଥିଲେ।

ଶିଳ୍ପାଙ୍କ ଅଭିନୀତ ଅନ୍ୟ ଲୋକପ୍ରିୟ ଟେଲି ଧାରାବାହିକଗୁଡ଼ିକ ହେଲା ‘ମେହେର – କାହାଣୀ ହକ୍ ଔର୍ ହକିକତ୍ କି’, ‘ମିସ ଇଣ୍ଡିଆ’, ‘ମାୟ୍‌କା’, ‘ହାତିମ୍’, ‘ରବା ଇସ୍କି ନା ହୋବେ’, ‘ବେଟିୟାଁ ଆପନି ୟା ପରାୟା ଧନ୍‌’, ‘ହରି ମିର୍ଚି ଲାଲ ମିର୍ଚି’, ‘ୱାରିସ୍’, ‘ଚିଡିଆଘର୍‌’, ‘ଦୋ ଦିଲ୍ ଏକ ଜାନ୍’, ‘ଦେବୋଁ କେ ଦେବ ମହାଦେବ’, ’ଲାପତାଗଞ୍ଜ୍’ ଓ ’ଭାବିଜି ଘର ପର ପେ ହେଁ’ ଇତ୍ୟାଦି। ତେବେ ସେ ‘ଭାବିଜୀ ଘର ପର ହେଁ’ ମେଗା ଧାରାବାହିକରେ ‘ଅଙ୍ଗୁରୀ ଭାବି’ ଭୂମିକାରେ ଅଭିନୟ କରିବା ପରେ ସେ ନାଁରେ ଘରେ ଘରେ ପରିଚିତା ହେଉଥିଲେ।

ଶିଳ୍ପା ଯେ ଜଣେ ଟେଲିତାରକା ତାହା ନୁହେଁ ବରଂ ସେ ଦୁଇଟି ତେଲୁଗୁ ଚଳଚ୍ଚିତ୍ର ‘ଚିନା’ ଓ ‘ଶିବାନୀ’ ଏବଂ ଏକ ହିନ୍ଦୀ ସିନେମା ପଟେଲଙ୍କ ପଞ୍ଜାବୀ ସାଦିରେ ମଧ୍ୟ ନଜର ଆସିଥିଲେ।

ଶିଳ୍ପା ସିନ୍ଦେ ଟିଭି ସୋ ‘ମାୟ୍‌କା’ ଫେମ୍‍ ରୋମିତ ରାଜକୁ ଡେଟ୍ କରୁଥିଲେ। ମାତ୍ର ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇପାରିନଥିଲେ।

୨୦୧୭ ଅକ୍ଟୋବରରେ ଶିଳ୍ପା ‘ବିଗବସ୍ -୧୧’ରେ ପ୍ରତିଯୋଗୀ ଭାବରେ ଅଂଶଗ୍ରହଣକରି ଶେଷରେ ଅନ୍ୟ ପ୍ରତିଯୋଗୀ ହିନା ଖାନ୍, ପୁନିତ୍‌ ଶର୍ମା  ଓ ବିକାଶ ଗୁପ୍ତାଙ୍କୁ ପଛରେ ପକାଇ ଏହି ଟାଇଟଲକୁ ପଛରେ ପକାଇଥିଲେ।

Comment