ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି)ର ରୌପ୍ୟ ଜୟନ୍ତୀ ଉପଲକ୍ଷେ ଆରମ୍ଭ ହୋଇଛି ତିନିଦିନିଆ ଚଳଚ୍ଚିତ୍ରଭିତ୍ତିକ କାର୍ଯ୍ୟକ୍ରମ ‘ଫିଲ୍ମି ଚକ୍କର। ପ୍ରଥମ ଦିନ ‘ଭାରତୀୟ ଚଳଚ୍ଚିତ୍ର: ବାସ୍ତବତାର ପ୍ରେକ୍ଷାପଟ୍ଟରେ’ ଶୀର୍ଷକ  ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହାକୁ ଉଦ୍‌ଘାଟନ କରିଥିଲେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଦେବଦାସ ଛୋଟରାୟ।

ଦେବଦାସ ଛୋଟରାୟ କହିଛନ୍ତି, “ଆଗେ ଓଡ଼ିଆ ସିନେମା ଉପରେ କଲିକତାର ପ୍ରଭାବ ଥିଲା। କିନ୍ତୁ ଏବେ ସମୟ ବଦଳିଛି। ଓଡ଼ିଶାରେ ବର୍ଷକୁ ଅନେକ ଚଳଚ୍ଚିତ୍ର ନିର୍ମାଣ ହେଉଛି। ହେଲେ କଟକରେ ହିନ୍ଦ୍, କ୍ୟାପିଟାଲ୍ ପରି ପୁରୁଣା ସିନେମା ହଲ୍ ଆଉ ନଥିବାରୁ ବହୁତ ଦୁଃଖ ଲାଗୁଛି।”

ନିଜର ସ୍ମୃତିକୁ ମନେ ପକାଇ ଶ୍ରୀ ଛୋଟରାୟ କହିଛନ୍ତି, ସେତେବେଳେ ‘ଅମଡ଼ାବାଟ’ ଭଳି ଚଳଚ୍ଚିତ୍ର ଦେଖିବା ପାଇଁ ଗାଁଗଣ୍ଡାରୁ ଲୋକେ ବଳଦଗାଡ଼ିରେ କଟକ ଆସୁଥିଲେ। ମାତ୍ର ଆଜିକାଲି ଲୋକଙ୍କ ମଧ୍ୟରେ ସେ ଉତ୍ସାହ ଆଉ ଦେଖିବାକୁ ମିଳୁନି।

ସ୍ୱାଗତ ଭାଷଣ ପ୍ରଦାନ କରି ଆଇଆଇଏମସିର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ କହିଛନ୍ତି, “ଚଳଚ୍ଚିତ୍ରରେ ବାସ୍ତବତା ଓ ଇତିହାସର ବୃତ୍ତାନ୍ତ ପ୍ରତିଫଳିତ ହୋଇଥାଏ। ବାସ୍ତବତାର ବିଭିନ୍ନ ତଥା ଅନେକ ସୂକ୍ଷ୍ମ ସ୍ତର ଥାଇପାରେ। ତେବେ ପ୍ରମାଣିକ ଚଳଚ୍ଚିତ୍ର ସିଧାସଳଖ ବାସ୍ତବତା ଉପରେ ଆଧାରିତ। ଏହା ଭୌତିକ ତଥ୍ୟ ଓ ଘଟଣା ଦେଖାଇବାକୁ ପ୍ରୟାସ କରୁଛି । ପ୍ରାମାଣିକ ଚଳଚ୍ଚିତ୍ରରେ ଅଧିକ ତଥ୍ୟ ରହୁଛି, ତେଣୁ ଏହା ଅଧିକ ଯଥାର୍ଥ ଲାଗୁଛି । ହେଲେ ମୁଖ୍ୟଧାରାର ଚଳଚ୍ଚିତ୍ର ଭିନ୍ନ ଅର୍ଥରେ ବାସ୍ତବତାର ନିକଟବର୍ତ୍ତୀ ହେଉଛି ।”

‘ଭାରତୀୟ ଉପ-ମହାଦେଶରେ ବିଭାଜନ ଚଳଚ୍ଚିତ୍ର’ ଉପରେ ଡକ୍ଟର ଚାଟାର୍ଜୀ କହିଛନ୍ତି, ଭାରତ, ପାକିସ୍ତାନ ଓ ବାଂଲାଦେଶରେ ବିଭାଜନ ସମ୍ପର୍କରେ ମାତ୍ର ତିନି ଡଜନ୍ ଚଳଚ୍ଚିତ୍ର ଓ ଟେଲିଭିଜନ ସିରିଏଲ୍ ପ୍ରସ୍ତୁତ ହୋଇଛି। ଏସବୁ ହିନ୍ଦୀ, ବଙ୍ଗଳା, ଉର୍ଦ୍ଦୁ, ପଞ୍ଜାବୀ ଓ ମାଲାୟଲମ୍ ଭାଷାରେ  ତିଆରି ହୋଇଛି। ଅନ୍ୟ ଭାଷାରେ ବିଭାଜନ ଉପରେ ଚଳଚ୍ଚିତ୍ର ନାହିଁ କହିଲେ ଚଳେ । ପୁଣି ଏଥିମଧ୍ୟରୁ ଅନେକ ଚଳଚ୍ଚିତ୍ରରେ ପ୍ରତିହିଂସା ନୁହେଁ ବରଂ ମାନବିକ ମୂଲ୍ୟବୋଧକୁ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି ଡକ୍ଟର ଚାଟାର୍ଜୀ କହିଛନ୍ତି ।

ଅନ୍ୟତମ ବକ୍ତା ଭାବେ ଚଳଚ୍ଚିତ୍ର ଗବେଷକ ପିୟୁଷ ରାୟ ‘ବିଭାଜନ ଓ ବମ୍ବେ ସିନେମାର ଆଧିପତ୍ୟ’ ଉପରେ ମତ ରଖିଥିଲେ। ସେ କହିଛନ୍ତି ଯେ ସ୍ୱାଧୀନତା ପୂର୍ବରୁ କଲିକତା, ଲାହୋର , ମାଡ୍ରାସ, ବମ୍ବେ ଓ ପୁନେରେ ଚଳଚ୍ଚିତ୍ର ନିର୍ମାଣ ହେଉଥିଲା ।  ହେଲେ ସ୍ୱାଧୀନତା ପରେ ସବୁକିଛି ବଦଳିଗଲା। ବହୁ ପ୍ରସିଦ୍ଧ ଭାରତୀୟ କଳାକାର ପାକିସ୍ତାନ ଚାଲିଯାଇଥିଲେ । ଏଥିଯୋଗୁଁ ଲାହୋର ଓ କଲିକତା ଚଳଚ୍ଚିତ୍ର ଶିଳ୍ପ ସିଧାସଳଖ ପ୍ରଭାବିତ ହେଲା। ଅନ୍ୟପକ୍ଷରେ ବମ୍ବେ ସିନେମା କମ୍ ପ୍ରଭାବିତ ହୋଇଥିଲା। ଆଉ ଚେନ୍ନାଇ ଚଳଚ୍ଚିତ୍ର ଶିଳ୍ପ ପାଇଁ ଭାଷା ପ୍ରତିବନ୍ଧକ ହୋଇନଥିବା ସେ କହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଲେଖକ ନଦୀମ୍ ଖାଁ, ଚଳଚ୍ଚିତ୍ର ଗବେଷକ ସୂର୍ଯ୍ୟ ଦେଓ, ଜିତେନ୍ଦ୍ର ଦାସ, ଜ୍ୟୋତି ପ୍ରକାଶ ମହାପାତ୍ର, ସଞ୍ଜୟ କୁମାର ସାହୁ, ଜୟନ୍ତ କର ଶର୍ମା, ଦେବସ୍ତୁତି ଦାସଗୁପ୍ତା ଓ ଶିବାନୀ ଅଗ୍ରୱାଲ, ଇତିଶ୍ରୀ ସିଂହ ରାଠୋର, ଋତୁପର୍ଣ୍ଣା ଘୋଷ ନିଜର ବକ୍ତବ୍ୟ ରଖିଥିଲେ ।

ଏହି ଅବସରରେ ଡକ୍ଟର ମୃଣାଳ ଚାଟାର୍ଜୀଙ୍କ ମନୋଗ୍ରାଫ୍ ‘ଫର୍ଗଟନ୍ ଫୁଟ୍‌ନୋଟ୍: ଭାରତୀୟ ଉପ-ମହାଦେଶରେ ବିଭାଜନ ଚଳଚ୍ଚିତ୍ର’, ‘ମନୋରଞ୍ଜନ ସାମ୍ବାଦିକତା’ ଏବଂ ଅପ୍‌ଟେଡ୍ ଆଲୁମିନି ଇଣ୍ଡେକ୍ସ ଉନ୍ମୋଚିତ ହୋଇଛି ।

Comment