ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପୁରୀ ଜିଲ୍ଲା କଣାସ ସ୍ଥିତ ଜଗନ୍ନାଥ ସଡ଼କର ସୁକଳ ଛକରେ ଅଟୋ ସହ ଟ୍ରକ୍ ଧକ୍କା
  • ଦୁର୍ଘଟଣାରେ ଚାଲିଗଲା ୫ ଜଣଙ୍କ ଜୀବନ, ୩ ଜଣ ଗୁରୁତର ଆହତ 
  • ଭୁବନେଶ୍ଵରରେ ପ୍ରାତଃଭ୍ରମଣରେ ବାହାରି ଜଣେ ବ୍ୟକ୍ତିଙ୍କ ଦୁର୍ଘଟଣାରେ ମୃତ୍ୟୁ

ସ୍ଵର୍ଗ ଦ୍ଵାରରେ ଆତ୍ମୀୟଙ୍କ ଶବ ଦାହ କରି ଘରକୁ ଫେରୁଥଲେ। ବାଟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୫ ଜଣଙ୍କ ଜୀବନ। ଆଉ ୩ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

ରବିବାର ମଧ୍ୟରାତ୍ରିରେ ଘଟିଛି ଏହି ହୃଦୟ ବିଦାରକ ଘଟଣା। ପୁରୀ ସ୍ଵର୍ଗଦ୍ଵାରରୁ ଶବ ଦାହ କରି ଫେରୁଥିବାବେଳେ ବାଟରେ ସତେ ଯେମିତି ମୃତ୍ୟୁ ସେମାନଙ୍କୁ ଅପେକ୍ଷା କରି ବସିଥିଲା। ପୁରୀ ଜିଲ୍ଲା କଣାସ ସ୍ଥିତ ଜଗନ୍ନାଥ ସଡ଼କର ସୁକଳ ଛକରେ ଅଟୋ ସହ ଟ୍ରକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ସୂଚନା ମିଳିଛି।

ଗତକାଲି ଅଣ୍ଡାରସିଂହ ଗାଁର ଜଣେ ବ୍ୟକ୍ତିଙ୍କ ପରଲୋକ ହୋଇଥିଲା। ଅନ୍ତିମ ସଂସ୍କାର ପାଇଁ ତାଙ୍କୁ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇଥିଲା। ଶବଦାହ ପରେ ଗୋଟିଏ ଅଟୋରେ ଡ୍ରାଇଭରଙ୍କ ସମେତ ଆଠ ଜଣ ବ୍ୟକ୍ତି ଫେରୁଥିଲେ। ରାତି ପ୍ରାୟ ୧୧ଟା ବେଳେ ଏକ ଟ୍ରକ୍‌ ସେମାନଙ୍କୁ ସାମ୍ନାରୁ ଧକ୍କା ଦେଇଥିଲେ।  ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ଉମାକାନ୍ତ ବଳିୟାରସିଂହ, କୁମର ବିଶ୍ୱାଳ ଓ ତପନ ବିଶ୍ୱାଳ (ଅଟୋ ଚାଳକ)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସୁନୀଲ ସାମନ୍ତରାୟ ନାମକ ଆଉ ଜଣେ ବ୍ୟକ୍ତିଙ୍କର ପୁରୀ ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ନାଁ ଜଣାପଡ଼ିନାହିଁ। ଘନ କୁହୁଡି ଯୋଗଁ ଏଭଳି ଘଟଣା ଘଟିଛି।

ସେପଟେ ଭୁବନେଶ୍ଵରରେ ସୋମବାର ପ୍ରାତଃଭ୍ରମଣରେ ବାହାରି ଜଣେ ବ୍ୟକ୍ତିଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଡମ୍ବରୁଧର ବେହେରା ନାମକ ଜଣେ ୫୦ ବର୍ଷୀୟ ବ୍ୟକ୍ତି ଓ ତାଙ୍କ ପତ୍ନୀଙ୍କୁ କଳିଙ୍ଗ ଷ୍ଟାଡିୟମର ୮ନମ୍ବର ଗେଟ୍  ସମ୍ମୁଖରେ ଏକ ଅଜଣା ଗାଡି ଧକ୍କା ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ଡମ୍ବରୁଧରଙ୍କ ମୃତ୍ୟୁ ହୋଇଛି। ତାଙ୍କ ପତ୍ନୀ ଗୁରୁତର ଆହତ ହୋଇ କ୍ୟାପିଟାଲ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।  ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ।

Comment