ପ୍ରଶାନ୍ତ କୁମାର ମଙ୍ଗରାଜ
ବର୍ଣ୍ଣବୋଧର ରଚୟିତା ଭକ୍ତକବି ମଧୁସୂଦନ ରାଓ ଓଡ଼ିଆ ଜାତିର ଚିର ନମସ୍ୟ। ତାଙ୍କ ସାହିତ୍ୟକୃତି ଓଡ଼ିଆ ଭାଷାଭଣ୍ଡାରକୁ କରିଛି ସମୃଦ୍ଧିଶାଳୀ। ମଧୁସୂଦନଙ୍କ ପାଇଁ ଆମେ ଗର୍ବିତ ଓ ସମ୍ମାନିତ।
ମଧୁସୂଦନ ରାଓଙ୍କ ଜନ୍ମ ୧୮୫୩ ମସିହା ଜାନୁଆରୀ ୨୯ ତାରିଖ ମାଘ ମାସ ଶ୍ରୀପଞ୍ଚମୀ ତିଥିରେ ପୁରୀ ସହରରେ। ପିତାଙ୍କ ନାମ ଭାଗୀରଥୀ ରାଓ ଓ ମାତାଙ୍କ ନାମ ଅମ୍ବିକା ବାଇ। ଜେଜେଙ୍କ ନାମ – ସଦାଶିବ ରାଓ। ତାଙ୍କୁ ଯେତେବେଳେ ଅଢ଼େଇ ବର୍ଷ, ତାଙ୍କର ସାନଭାଇ ଜଗନ୍ନାଥ ରାଓ ଜନ୍ମଗ୍ରହଣ କରିଥିଲେ।
ସେ ଜାତିରେ ମରହଟ୍ଟା ଥିଲେ ମଧ୍ୟ ଓଡ଼ିଆ ଭାଷାକୁ ନିଜର ମାତୃଭାଷା ରୂପେ ଆଦରି ନେଇଥିଲେ। ଇଂରେଜ ଶାସନ ପୂର୍ବରୁ ଓଡ଼ିଶାରେ ମରହଟ୍ଟାମାନେ ଶାସନ କରୁଥିଲେ। ମରହଟ୍ଟା ଶାସନର ପତନ ପରେ କେତେକ ଓଡ଼ିଶା ଛାଡ଼ି ଚାଲିଗଲେ। ହେଲେ ମଧୁସୂଦନଙ୍କ ପରିବାର ପୁରୀରେ ରହିଗଲେ।
ମଧୁସୂଦନଙ୍କୁ ଯେତେବେଳେ ପାଞ୍ଚବର୍ଷ ତାଙ୍କ ମାଆ ଛାଡ଼ି ଚାଲିଗଲେ। ଦୁଇ ଭାଇ ଓ ପିତା ଭାଗୀରଥୀ ରାଓଙ୍କୁ ନେଇ ମଧୁସୂଦନଙ୍କ ଜୀବନ ଅତିବାହିତ ହେଲା।
ତାଙ୍କ ପିତା ଭାଗିରଥୀ ରାଓ ପୁରୀର ଅଠରନଳା ଘାଟରେ ପୋଲିସ କାର୍ଯ୍ୟରେ ନିଯୁକ୍ତ ଥିଲେ। ମାତ୍ର ୧୮୫୮ ମସିହାରେ ସରକାର ଘାଟରୁ ଟିକସ ଆଦାୟ ବନ୍ଦ କରିଦେଲେ। ଫଳରେ ତାଙ୍କର ପିତାଙ୍କର ଚାକିରି ଚାଲିଗଲା। ଦୁରବସ୍ଥା ବଢ଼ିଗଲା।
ପିତା ଭାଗୀରଥୀ ରାଓ ମଧୁସୂଦନ ଓ ତାଙ୍କ ଭାଇ ଜଗନ୍ନାଥଙ୍କୁ ନେଇ ମାମୁଘରେ ଛାଡ଼ିଦେଲେ। କିଛି ଦିନ ପରେ ସେ ଗୋପ ଥାନାରେ ଚାକିରି ପାଇଲେ।
ମାମୁଘରେ ମଧୁସୂଦନ ଭଲ ଅବସ୍ଥାରେ ନଥା’ନ୍ତି। ଏଣୁ ତାଙ୍କର ପିତା ତାଙ୍କୁ ଓ ସାନଭାଇଙ୍କୁ ଗୋପ ନେଇଆସିଲେ। ସେତେବେଳେ ଗୋପରେ ପ୍ରାଥମିକ ବିଦ୍ୟାଳୟ ନଥିଲା। ଅତଏବ ମଧୁସୂଦନ ଗୋପରେ ଥିବା ଏକମାତ୍ର ଚାଟଶାଳୀରେ ଅଧ୍ୟୟନ କଲେ।
କିଛି ଦିନ ପରେ ପିତା ଗୋପଥାନାରୁ ଭୁବନେଶ୍ୱର ବଦଳି ହେଲେ। ସେତେବେଳେ ଭୁବନେଶ୍ୱରରେ ଥିବା ବିଦ୍ୟାଳୟରେ ଓଡ଼ିଆ ବଦଳରେ ବଙ୍ଗଳା ପଢ଼ାଯାଉଥିଲା। ମଧୁସୂଦନ ରାଓ ବାଧ୍ୟ ହୋଇ ସେହି ବିଦ୍ୟାଳୟରେ ପାଠ ପଢ଼ିଲେ।
ଥରେ ବିଦ୍ୟାଳୟ ପରିଦର୍ଶନ ଏଡ୍ରୋ ସାହେବ ବିଶ୍ୱପ୍ରସିଦ୍ଧ ଖଣ୍ଡଗିରି ବୁଲି ଆସିଥିଲେ। ଭୁବନେଶ୍ୱର ଥାନାରେ ରାତ୍ରି ରହଣି ସମୟରେ ଭାଗୀରଥୀ ରାଓଙ୍କ ଉପରେ ପ୍ରୀତ ହୋଇ ମଧୁସୂଦନଙ୍କୁ ମାଗଣାରେ ପୁରୀ ଜିଲ୍ଲା ସ୍କୁଲରେ ପଢ଼ିବାକୁ ସୁପାରିଶ୍ କରିଥିଲେ।
ପୁରୀ ଜିଲ୍ଲାରେ ମଧୁସୂଦନ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ପ୍ରଥମ ଥର ପାଇଁ ଉତ୍ତୀର୍ଣ୍ଣ ହେଲେ। ଏହା ସମସ୍ତ ଶିକ୍ଷାବିତଙ୍କ ଦୃଷ୍ଟିଗୋଚର କରିଥିଲା।
ବାଲ୍ୟବିବାହ ସହିତ ପାଠପଢ଼ା
ବାଲ୍ୟବିବାହ ଏକ କୁସଂସ୍କାର। ଏହା ସମାହର ଏକ ନିନ୍ଦନୀୟ ପ୍ରଥା। ଯଦିଓ ସେତେବେଳେ ବାଲ୍ୟବିବାହକୁ ବାରଣ କରାଯାଇଥିଲା, ତଥାପି ସମାଜରେ କଡ଼ାକଡ଼ି ଭାବେ ପାଳନ ହେଉନଥିଲା। ଅଧିକାଂଶ ପରିବାର ଏହାକୁ ମୌଳିକ ପ୍ରଥା ବୋଲି ମନେ କରି ଜାରି ରଖିଥିଲେ| ଏଭଳି ଏକ କୁସଂସ୍କାରରୁ ବାଦ ପଡିଲେନି – ମଧୁସୂଦନ ରାଓ, ଯେ ଆଜିର ଦିନରେ ଆମ ପିଲାମାନଙ୍କର ଆଦର୍ଶ। ତଥାପି ସେ ସମାଜର ଚାପରେ ବାଲ୍ୟବିବାହ କରିଥିଲେ।
ମଧୁସୂଦନଙ୍କୁ ଯେତେବେଳେ ଏଗାର ବର୍ଷ ମାତ୍ର, ସେତେବେଳେ ସେ ୯ ବର୍ଷର ବାଳିକା ପଦ୍ମାବାଇଙ୍କୁ ବିବାହ କରିଥିଲେ। ପଦ୍ମାବାଇଙ୍କ ଘର ପୁରୀ ସହରରେ ଥିଲା। ତାଙ୍କର ବଂଶର ଲୋକମାନେ କଟକରେ ବାସ କରୁଥିଲେ।
ଅଳ୍ପ ବୟସରେ ବିବାହ ମହାବିପଦ। ପାଠପଢ଼ାରୁ ବିମନା କରେ। ଜୀବନର ଗତି ବଦଳାଇ ଦିଏ। ସଂସାର କର୍ମ ନିୟନ୍ତ୍ରଣ କରେ । ହେଲେ ମଧୁସୂଦନଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁମିଳେ। ବିବାହ ବନ୍ଧନରେ ଆବଦ୍ଧ ହୋଇ ମଧ୍ୟ ସେ ବିଦ୍ୟା ଅଭ୍ୟାସରୁ ଦୂରେଇ ଯାଇନଥିଲେ। ଅଧ୍ୟୟନରେ ମନନିବେଶ କରି ସେ ଛାତ୍ର ଜୀବନରେ ସଫଳତା ଆଣିବା ପାଇଁ ପ୍ରୟାସ ଜାରି ରଖିଲେ।
ନଅଙ୍କ ଦୁର୍ଭିକ୍ଷରେ ମଧୁସୂଦନଙ୍କ ଲୋକସେବା
ଆଜକୁ ଠିକ୍ ୧୫୦ ବର୍ଷ ପୂର୍ବେ ଅର୍ଥାତ୍ ୧୮୬୬ ମସିହାରେ ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା। ୧୮୬୫ ମସିହାରେ ପ୍ରବଳ ବନ୍ୟା ଓ ୧୮୬୬ ମସିହାରେ ମରୁଡ଼ି ଯୋଗୁଁ ଏହି ଦୁର୍ଭିକ୍ଷ ଦେଖାଦେଇଥିଲା। ଏଥିରେ ଆମ ଓଡ଼ିଶାର ବାଲେଶ୍ୱରରୁ ଚେନ୍ନାଇ ଯାଏଁ ଲୋକେ ପ୍ରଭାବିତ ହୋଇଥିଲେ। ଆମ ଦେଶର ୪ କୋଟି ୭୫ ଲକ୍ଷ ଲୋକ ଏଥିରୁ ବାଦ୍ ପଡ଼ିନଥିଲେ। ଖାଦ୍ୟାଭାବରୁ ଲୋକ ତେନ୍ତୁଳି ପତ୍ର ଖାଇ ବଞ୍ଚିଲେ। ଆମ ଓଡ଼ିଶାର ଏକ ତୃତୀୟାଂଶ ଲୋକେ ମୃତ୍ୟୁବରଣ କରିଥିବାର ଜଣାପଡ଼େ।
ସାରା ଓଡ଼ିଶାରେ ହା-ଅନ୍ନ ଚିତ୍କାର ଶୁଣାଯାଉଥାଏ। ସେତେବେଳକୁ ମଧୁସୂଦନ ଏଣ୍ଟ୍ରାନ୍ସ ଶ୍ରେଣୀରେ ପଢ଼ୁଥା’ନ୍ତି। ବୟସ ମାତ୍ର ୧୪ ବର୍ଷ। ଦୁର୍ଭିକ୍ଷ ସମୟରେ ଲୋକମାନଙ୍କ ସେବା କରିବା ପାଇଁ ମନ ବ୍ୟାକୁଳ ହୋଇପଡ଼ିଲା। କିଭଳି ଭାବରେ ଦରିଦ୍ର ନାରାୟଣଙ୍କର ସେବା କରିବେ ଉପାୟ ଖୋଜି ବୁଲିଲେ।
ସେହି ସମୟରେ ପୁରୀର ମଠାଧୀଶ ମହନ୍ତ ନାରାୟଣ ଦାସ ଲୋକ ସେବାରେ ନିଜକୁ ସାମିଲ କରିଥାନ୍ତି। ଲୋକଙ୍କୁ ଦୁର୍ଦ୍ଦିନରେ ଚାଉଳ ଯୋଗାଇ ଦେଉଥିଲେ। ମଧୁସୂଦନଙ୍କ ଅନୁରୋଧ କ୍ରମେ ପୁରୀର ମାଜିଷ୍ଟ୍ରେଟ୍ ଜନ୍ ବକ୍ସ ଓଏଲ ସାହେବ ତାଙ୍କୁ ଦଳେ ସ୍ୱେଚ୍ଛାସେବକଙ୍କ ଅଗଣୀ ଭୂମିକା ଦେଲେ। ସେ ସ୍ୱେଚ୍ଛାସେବକଙ୍କୁ ଧରି ଚାଉଳ ବଣ୍ଟନ କାର୍ଯ୍ୟ ସୁଚାରୂ ରୂପେ ତୁଲାଇଲେ।
ନଅଙ୍କ ଦୁର୍ଭିକ୍ଷ ସମୟରେ ଚାଉଳ ବଣ୍ଟନ କାର୍ଯ୍ୟ ମଧୁସୂଦନଙ୍କୁ ନିଆରା ଅନୁଭୂତି ଯୋଗାଇଲା। ହା-ଅନ୍ନ ଚିତ୍କାର କରୁଥିବା ମଣିଷମାନଙ୍କୁ ଦେଖି ତାଙ୍କଠାରେ ‘ଜୀବେ ଦୟା’ ଭାବ ଉଦ୍ରେକ ହେଲା। ୧୪ ବର୍ଷ ବୟସରୁ ମତ୍ସ୍ୟ ମାଂସ ଭକ୍ଷଣ ତ୍ୟାଗ କରି ଋଷି ପରି ସାରା ଜୀବନ କଟାଇଲେ।
କଲେଜ ପାଠପଢା
୧୯୬୯ ମସିହାରେ ମଧୁସୂଦନ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣହୋଇ ପୁରୀ ଜିଲ୍ଲା ସ୍କୁଲରେ ସର୍ବପ୍ରଥମ ସ୍ଥାନ ଅଧିକାର କଲେ। ଏଣୁ ତାଙ୍କୁ ମାସିକ ଦଶ ଟଙ୍କା ଲେଖାଏଁ ବୃତ୍ତି ମିଳିଲା। ପ୍ରବେଶିକା ପରୀକ୍ଷାରେ ତାଙ୍କର ସଫଳତାର ଶ୍ରେୟ ମଧୁସୂଦନ ରାଧାନାଥ ରୟଙ୍କୁ ପ୍ରଦାନ କରିଥିଲେ|
ଉଚ୍ଚଶିକ୍ଷା ପାଇଁ ମଧୁସୂଦନ କଟକ ବାହାରିଲେ। ସାଙ୍ଗରେ ସାନଭାଇ ଜଗନ୍ନାଥ ଓ ମାଉସୀ (ସାବତ ମାଆଙ୍କ ଭଉଣୀ) ମଧ୍ୟ ଗଲେ। ସେତେବେଳେ ପିତା ଭାଗୀରଥୀ ରାଓ ଦ୍ୱିତୀୟ ବିବାହ କରିସାରିଥିଲେ। ମାଉସୀ ସେମାନଙ୍କୁ ମାଆ ପରି ସ୍ନେହ ମମତା ଦେଉଥିଲେ। ସେବା ଓ ଯତ୍ନରେ ଅବହେଳା କରୁନଥିଲେ।
ସେ ସମୟରେ କଟକରେ ରେଭେନ୍ସା କଲେଜ ହୋଇନଥାଏ। କଟକ ହାଇସ୍କୁଲ୍ (ବର୍ତ୍ତମାନର ରେଭେନ୍ସା କଲିଜିଏଟ୍ ସ୍କୁଲ)ରେ ଏଫ.ଏ. ପରୀକ୍ଷା ଦେବା ପାଇଁ ଦୁଇଗୋଟି ଅତିରିକ୍ତ ଶ୍ରେଣୀ ସଂଲଗ୍ନ ହୋଇଥାଏ।
ମଧୁସୂଦନ ରାଓ ଏଫ.ଏ. ପଢ଼ିଲେ। କଲେଜ ଅଧ୍ୟୟନ ବେଳେ ପିଲାମାନଙ୍କର ରୁଚି ଓ ଚାଲିଚଳନ ବଦଳିଯାଇଥାଏ। ହେଲେ ସେ ଥିଲେ ଖୁବ୍ ଆତ୍ମସଂଯମୀ ଓ ସରଳ ବିଶ୍ୱାସୀ। ଭକ୍ତିଭାବକୁ ସେ ଆପଣେଇଥିଲେ। ତାଙ୍କର ଆଦର୍ଶ ଛାତ୍ର ଜୀବନ ଅବ୍ୟାହତ ରହିଥିଲା।
ମଧୁସୂଦନଙ୍କର ପ୍ରଧାନ ପ୍ରଧ୍ୟାପକ ଥିଲେ ଚଣ୍ଡୀଚରଣ ବନ୍ଦୋପଧ୍ୟାୟ। ତାଙ୍କ ଅଧିନରେ ରାଜକିଶୋର ବନ୍ଦୋପଧ୍ୟାୟ ହରନାଥ ଭଟ୍ଟାଚାର୍ଯ୍ୟଙ୍କ ପରି ପଣ୍ଡିତ ଦର୍ଶନ ଅଧ୍ୟାପକ ହରନାଥ ସୁପଣ୍ଡିତ ଓ ଚରିତ୍ରବାନ ବ୍ୟକ୍ତିତ୍ୱ ଥିଲେ।
ରେଭେନ୍ସା କଲିଜିଏଟ ସ୍କୁଲରେ ପଢ଼ିଲା ବେଳେ ମଧୁସୂଦନଙ୍କର ୫ ଜଣ ମୁଖ୍ୟ ସହଯୋଗୀ ଥିଲେ। ସେମାନେ ହେଲେ ଭଗବତୀ ଚରଣ ଚାଟୁର୍ଯ୍ୟା (ଗଞ୍ଜାମର ଭୁତପୂର୍ବ ଡେପୁଟି ଇନ୍ସିପେକ୍ଟର), ବିପ୍ରଚରଣ ଚାଟୁଯ୍ୟ (ଗଞ୍ଜାମର ଭୁତପୂର୍ବ ସରକାରୀ ଓକିଲ), ଚତୃର୍ଭୁଜ ପତ୍ତନାୟକ। (ଭୁତପୂର୍ବ ଓଡ଼ିଆ ଟ୍ରାନ୍ସଲେଟର) ଓ ପ୍ୟାରିମୋହନ ଆଚାର୍ଯ୍ୟ (ପି.ଏମ୍. ଏକାଡେମୀର ପ୍ରତିଷ୍ଠାତା) ଏମାନେ ସମସ୍ତେ ଓଡ଼ିଶାର ନାମକରା ଲୋକ।
ଏଫ.ଏ. ପଢ଼ିବା ସମୟରେ ଅଧ୍ୟାପକ ରାଜକିଶୋର ରାମାୟଣ ଓ ମହାଭାରତ କାହାଣୀ ଚର୍ଚ୍ଚା କରୁଥିଲେ। ହୋମୱାର୍କ ସହିତ ବାଲ୍ମିକୀ, ବ୍ୟାସଙ୍କ ସହିତ ଭାଜିଲ୍ ଓ କାଳିଦାସଙ୍କ ସହିତ ସେକ୍ସିପିଅରଙ୍କୁ ତୁଳନା କରୁଥିଲେ। ଏହା ମଧୁସୂଦନ ଉପରେ ଗଭୀର ରେଖାପାତ କରୁଥିଲା।
ସେହିଭଳି ସେ ଦର୍ଶନ ଅଧ୍ୟାପକ ହରନାଥଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ। ହରନାଥଙ୍କ ପ୍ରଶାନ୍ତ ଭାବ ଦର୍ଶନକରି ତାଙ୍କର ସ୍ୱଚ୍ଛ ନିର୍ମଳ ଚରିତ୍ର ସାର୍ଥକ ହୋଇଥିଲା।
ହରନାଥ ଯେତେବେଳେ ଶ୍ରେଭିରେ ପ୍ରବେଶ କରିଥିଲେ ସେତେବେଳେ ଶ୍ରେଣୀଗୃହଟି ସ୍ତବ୍ଧ ହୋଇଯାଉଥିଲା। ତାଙ୍କର ଶିକ୍ଷକତା କାଳରେ ଶ୍ରେଣୀଗୃହ ପ୍ରାୟ ନୀରବ ରହୁଥିଲା।
ଏଫ.ଏ. ପଢ଼ିବା ସମୟରେ ମଧୁସୂଦନ ଗୋଟିଏ ଗୋଟିଏ ଇଂରାଜୀ କବିତା ଅନୁବାଦ କରୁଥିଲେ। ତାହାକୁ ଅନୁସରଣ କରି ବଳରାମ ଦାସ ‘କୁମାର ସମ୍ଭବ’ ଅନୁବାଦ କରିଥିଲେ। ହେଲେ ମଧୁସୂଦନଙ୍କ ଅନୁବାଦ ତାଙ୍କଠାରୁ ଉନ୍ନତ ଥିଲା।
ସେହି ସମୟରେ ତାଙ୍କ ପାଇଁ ଆଉ ଗୋଟିଏ ବଡ଼ ସୁଯୋଗ ଥିଲା ସେ ତାଳପୋଥିରୁ ହିଁ ‘ବୈହେଦୀଶ ବିଳାସ’ ଓ ‘ବିଦଗ୍ଧ ଚିନ୍ତାମଣି’ ଆଜିର ଚର୍ଚ୍ଚା କରି ପାରୁଥିଲେ।
ସେତେବେଳେ ଓଡ଼ିଆ ଭାଷାରେ ମାତ୍ର ଦୁଇଖଣ୍ଡ ବହି ‘ନିତିବୋଧ ଓ ହିତପୋଦେଶ’ ମିସନାରୀମାନଙ୍କ ଦ୍ୱାରା ମୁଦ୍ରିତ ହୋଇଥିଲା। ଏଣୁ ତାଳପତ୍ର ପୋଥୀ ହିଁ ଜ୍ଞାନ ବିକାଶର ଏକ ମାତ୍ର ସାହାଭରସା ଥିଲା।
୧୮୭୧ ମସିହାରେ ଏଫ.ଏ. ପାସ୍ କଲେ। ସେତେବେଳକୁ ତାଙ୍କୁ ମାସିକ ୨୦ ଟଙ୍କା ବୃତ୍ତି ମିଳୁଥିଲା। ପ୍ରବେଶିକା ଶ୍ରେଣୀରେ ଯେପରି ଏଫ.ଏ. ପାଠ୍ୟ ସାରିଥିଲେ ସେହିପରି ଏଫ.ଏ. ଶ୍ରେଣୀରେ ପଢ଼ିବା ବେଳେ ବିଏ ପାଠପଢ଼ା ସାରିଥିଲେ।
ବି.ଏ. ପଢ଼ିବା ପାଇଁ ଓଡ଼ିଶାରେ କଲେଜ ନାହିଁ । କଲିକତା ଯିବାକୁ ହେବ। ପିତାଙ୍କ ଅନୁମତିଲୋଡ଼ା। ହେଲେ ଅନୁମତି ମିଳିଲା ନାହିଁ। ଇଛା ବିରୁଦ୍ଧରେ କାର୍ଯ୍ୟ କରିବା ମହାପାପ। ବି.ଏ. ପାଠପଢ଼ା ହୋଇପାରିଲା ନାହିଁ।
ମନରେ କ୍ଷୋଭ ଆସିଥିଲା। ତାଙ୍କୁ ସେ ନିଜେ ପ୍ରଶମିତ କରିଥିଲେ। ପରବର୍ତ୍ତୀ କାଳରେ ନିଜର ପୁତ୍ରକନ୍ୟାମାନଙ୍କୁ ବଙ୍ଗର ସୁବିଖ୍ୟାତ ବ୍ରାହ୍ମ ପରିବାରରୁ ବିବାହ ଦେଇ ଓ ବିଶ୍ୱକବି ରବିନ୍ଦ୍ରନାଥ ଠାକୁରଙ୍କ ସହ ସମ୍ପର୍କ ସ୍ଥାପନ କରି ବଙ୍ଗୋ ଉତ୍କଳ ସଂସ୍କୃତିର ବନ୍ଧୁତା ପ୍ରତିଷ୍ଠା କରିଥିଲା।
(ଲେଖକ ଜଣେ ଶିଶୁ ସାହିତ୍ୟିକ ଓ ଶିକ୍ଷାବିତ୍)