ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଫଟୋ। ବିମାନ ଯାତ୍ରା ବେଳେ ରାହୁଲ୍ ଯାତ୍ରୀଙ୍କ ଲଗେଜ୍‌ ରଖିବାରେ କରୁଥିଲେ ସହଯୋଗ।

କିଛିଦିନ ତଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସାଇକେଲ ଚଲା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କର ଏମିତି କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି, ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

ବୁଧବାର ଦିଲ୍ଲୀ-ଗୌହାଟି ଫ୍ଲାଇଟ୍‌ରେ ରାହୁଲ ଗାନ୍ଧି ଯାତ୍ରା କରୁଥିଲେ। ଯାତ୍ରା କରିବା ସମୟରେ ରାହୁଲ୍ ଯାତ୍ରୀମାନଙ୍କର ଲଗେଜ୍ ବ୍ୟାଗ୍ ରଖୁଥିବା ଦେଖିବାକୁ ମିଳିଛି। ଏହାସହ ଯାତ୍ରୀଙ୍କ ଗହଣରେ ଛିଡ଼ା ହୋଇ ରାହୁଲ କଥା ହେଉଥିବା ମଧ୍ୟ ଦେଖିବାକୁ ମିଳିଛି।

ଡାକ୍ତର ସୀତାରାମ ବାବୁ ଟୁଇଟରରେ ରାହୁଲଙ୍କ ବିମାନ ଯାତ୍ରା ଫଟୋ ସେୟାର କରି ଉଲ୍ଲେଖ କରିଛନ୍ତି ଯେ, ବିମାନରେ ଯାତ୍ରୀଙ୍କ ବ୍ୟାଗ୍ ରଖିବା ପାଇଁ ରାହୁଲ ସହଯୋଗ କରୁଛନ୍ତି।

ରାହୁଲ ଗାନ୍ଧି ଗୌହାଟିରେ ପହଞ୍ଚିବା ପରେ କିଛି ବିମାନ ଯାତ୍ରୀ ରାହୁଲଙ୍କ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। କିଛି ଲୋକ ମଧ୍ୟ ରାହୁଲଙ୍କ ଏହି ଫଟୋକୁ ପ୍ରଶଂସା କରିଛନ୍ତି।

ରାହୁଲଙ୍କୁ ପାଖରେ ପାଇ କିଛି ଲୋକ ସେଲ୍‌ଫି ମଧ୍ୟ ନେବାକୁ ଭୁଲି ନଥିଲେ।

କଂଗ୍ରେସ ଅଧ୍ୟକ୍ଷ ହେବା ପରେ ରାହୁଲ ଗାନ୍ଧି ଚର୍ଚ୍ଚାରେ ରହିଛନ୍ତି। ବିଶେଷକରି ଗୁଜରାଟ ବିଧାନସଭା ନିର୍ବାଚନ ବେଳେ ରାହୁଲଙ୍କ ନିଆରା ପ୍ରଚାରକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲ।। ପ୍ରଚାର ବେଳେ ରାହୁଲ୍ ଲୋକଙ୍କ ସହ ମିଶିବା ସହ ସେଲ୍‌ଫି ନେଇଥିଲେ। ଏବେ ବିମାନରେ ଯାତ୍ରୀଙ୍କ ବାଗ୍‌ ରଖିବାରେ ସହଯୋଗ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି।

Comment