ଓଡ଼ିଶାଲାଇଭ୍ ଏଣ୍ଟରଟେନ୍‌ମେଣ୍ଟ୍ ବ୍ୟୁରୋ

ପଚାଶ ଦଶକର ଲୋକପ୍ରିୟ ନାୟିକା ବୀଣା ରାୟ ଓ ଅଭିନେତା ପ୍ରେମ୍ ନାଥଙ୍କ ପ୍ରେମ ସର୍ମ୍ପକ ଏକଦା ବଲିଉଡରେ ଖୁବ୍ ଚର୍ଚ୍ଚାରେ ଥିଲା।

ଲାହୋର ଜଣେ ଯୁବତୀ ସେତେବେଳେ ଲକ୍ଷ୍ମୌର ଏକ କଲେଜରେ  ଆଇ.ଏ. ପଢ଼ୁଥାଆନ୍ତି। ସେତେବେଳେ ବହୁଳ ପ୍ରସାରିତ ମାଗାଜିନ୍ (ଫିଲ୍ମ ଇଣ୍ଡିଆ’ରେ ଏକ ବିଜ୍ଞାପନ ତାଙ୍କର ନଜରରେ ପଡ଼ିଥିଲା। ସେଥିରେ ପ୍ରକାଶିତ ହୋଇଥିଲା ଯେ ପ୍ରସିଦ୍ଧ ନିର୍ମାତା-ନିର୍ଦ୍ଦେଶକ କିଶୋର ସାହୁ ତାଙ୍କର ଆଗାମୀ ସିନେମା ‘କାଲିଘଟା’ ପାଇଁ ନୂତନ କଳାକାର ଆବଶ୍ୟକ କରୁଛନ୍ତି। ଯୁବତୀଟିଏ ବିଜ୍ଞାପନ ପଢ଼ିବା ପରେ କାଳ ବିଳମ୍ବ ନ କରି ଅଭିନେତ୍ରୀ ହେବା ଅଭିଳାଷ ନେଇ  ସେହି ବିଜ୍ଞାପନରେ ପ୍ରଦତ୍ତ ଠିକଣାରେ ନିଜର ଫଟୋ ସହିତ ଆବେଦନ କରିଲେ। ଏହାର କିଛି ଦିନ ପରେ ତାଙ୍କୁ ‘କାଲିଘଟା’ର ନାୟିକା ଭୂମିକା ଲାଗି ମନୋନୟନ କରାଯାଇଛି ବୋଲି ଲେଖା ଯାଇଥିବା ଏକ ଚିଠି ତାଙ୍କ ପାଖରେ ପହଞ୍ଚିଲା। ଏହି ଯୁବତୀ ଜଣକ ହେଲେ ପଚାଶ ଦଶକର ଲୋକପ୍ରିୟ ନାୟିକା ବୀଣା ରାୟ।

ବୀଣାଙ୍କ ପ୍ରଥମ ଫିଲ୍ମ ‘କାଲିଘଟା’ରେ ହିରୋ ଥିଲେ ପ୍ରେମ୍‌ନାଥ। ସେ ସମୟରେ ପ୍ରେମ୍‌ନାଥ ଜଣେ ଟପ୍‌ଷ୍ଟାର୍‌ ଆଉ ବୀଣା ଜଣେ ନ୍ୟୁକମର ଟପ୍‌ଷ୍ଟାର୍‌ ଜଣକ ଅବଶ୍ୟ ବୀଣାଙ୍କୁ ଖୁବ୍ ସହଯୋଗ କରିଥିଲେ। ଏହାପରେ ଏ ଦୁଇ କଳାକାର ଜଣାଶୁଣା ପ୍ରଯୋଜକ-ନିର୍ଦ୍ଦେଶକ ଭଗବାନ୍ ଦାସବର୍ମାଙ୍କ ପାଞ୍ଚଟି ସିନେମାରେ ଏକାଠି କାମ କରିଥିଲେ। ଭଗବାନ୍ ଦାସବର୍ମା ସେତେବେଳେ ‘ଔରତ୍’ ଶୀର୍ଷକରେ ଏକ ହିନ୍ଦୀ ସିନେମାର ନିର୍ମାଣ କରୁଥାଆନ୍ତି। ଏଥିରେ ସେ ନାୟକ ଭୂମିକାରେ ପ୍ରେମ୍‌ନାଥଙ୍କୁ ଓ ଆଗଧାଡ଼ିର ନାୟିକା ବନ୍‌ମାଲାଙ୍କୁ ନେବା ଲାଗି ନିଷ୍ପତ୍ତି ନେଇଥିଲେ। ପ୍ରେମ୍ ନାଥ ଏ କଥା ଜାଣିବା ମାତ୍ରେ ନିର୍ମାତା- ନିର୍ଦ୍ଦେଶକଙ୍କୁ ବନ୍‌ମାଲାଙ୍କ ସ୍ଥାନରେ ବୀଣା ରାୟଙ୍କୁ ନେବା ଲାଗି ପରାମର୍ଶ ଦେଲେ। ସେତେବେଳେ ବୀଣା ବିଶେଷ ଲୋକପ୍ରିୟତା ହାସଲ କରିନଥିଲେ, ହେଁ କାଳେ ତାଙ୍କୁ ନିଆନଗଲେ ପ୍ରେମ୍‌ନାଥ୍ ଫିଲ୍ମ ଛାଡ଼ି ଦେବେ, ଏଭଳି ଆଶଙ୍କା କରି ଭଗବାନ୍‌ ଦାସବର୍ମା ବୀଣା ରାୟଙ୍କୁ ଚୁକ୍ତିବଦ୍ଧ କରିଥିଲେ।

ଅଭିନେତା ପ୍ରେମ୍‌ନାଥ ଜଣେ ଉଚ୍ଚକୋଟିର କଣ୍ଠଶିଳ୍ପୀ ବି ଥିଲେ। ସେ ଗୁରୁ ଜଗନ୍ନାଥ ପ୍ରସାଦଙ୍କଠାରୁ ଶାସ୍ତ୍ରୀୟ ସଂଗୀତ ଶିକ୍ଷା କରିଥିଲେ। ତାଙ୍କର ପ୍ରିୟ ଗାୟକ ହେଲେ ମୁକେଶ। ସେ ସେଟ୍‌ରେ ଥିବାବେଳେ ମୁକେଶଙ୍କ ଗୀତଗୁଡ଼ିକ ବେଶ୍ ସାବଲୀନ୍ଦ ଢ଼ଙ୍ଗରେ ଗାଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଥିଲେ। ‘ଔରତ୍’ର ସୁଟିଂ ଚାଲିଥାଏ ମହୀଶୂରରେ ଥିବା ବୃନ୍ଦାବନ ଗାର୍ଡେନରେ, ସେତେବେଳେ ବୀଣା ରହୁଥାଆନ୍ତି ମେଟ୍ରୋ ପଲିସ୍ ହୋଟେଲରେ ଆଉ ପ୍ରେମ୍‌ନାଥ ଅବସ୍ଥାନ କରୁଥାଆନ୍ତି ବୃନ୍ଦାବନ ହୋଟେଲ୍‌ରେ । ସୁଟିଂ ପ୍ୟାକ୍ ଅପ୍ ହେବା ପରେ ଦିନେ ପ୍ରେମ୍‌ନାଥ ହାର୍‌ମୋନିୟମ୍ ଧରି ମେଟ୍ରୋ ପଲିସ ହୋଟେଲ୍‌ରେ ବୀଣାଙ୍କ ରୁମ୍‌ରେ ପହଞ୍ଚିଲେ। ସେ ପ୍ରାୟ ଘଣ୍ଟାଏ କାଳ ମୁକେଶଙ୍କ ବିଭିନ୍ନ ଲୋକପ୍ରିୟ ଗୀତ ହାର୍‌ମୋନିୟମ୍‌ ବଜାଇ ଶୁଣାଇ ଚାଲିଲେ। ସଂଯୋଗବଶତଃ ବୀଣାଙ୍କର ପ୍ରିୟ କଣ୍ଠଶିଳ୍ପୀ ମଧ୍ୟ ଥିଲେ ମୁକେଶ। ସେହି ସଂଗୀତ ଆସରରେ ହିଁ ଦୁହିଁଙ୍କ ମଧ୍ୟରେ ପ୍ରେମର ଅଙ୍ଗୁରୋଦ୍‌ଗମ ହୋଇଥିଲା। ସମୟ କ୍ରମେ ସେ ଦୁହେଁ ପରସ୍ପର ପ୍ରତି ଅଧିକ ଆକର୍ଷିତ ହୋଇଥିଲେ।

ଏହା ପରେ ବଲିଉଡ଼ରେ ପ୍ରେମ୍‌ନାଥ ଓ ବୀଣା ରାୟଙ୍କ ପ୍ରେମ ସଂପର୍କ ଚର୍ଚ୍ଚାର ବିଷୟ ପାଲଟିଗଲା। ଏ ଖବର ମଧ୍ୟ ବୀଣାଙ୍କ ବାମାମାଆଙ୍କ କାନରେ ପଡ଼ିଲା। ସେମାନେ ଚାହୁଁନଥିଲେ ଜଣେ ଅଭିନେତାଙ୍କ ସହିତ ପ୍ରେମ ସଂପର୍କ ରଖୁ। ବୀଣାଙ୍କ ବାପା ଜଣେ ରେଳବାଇ କର୍ମଚାରୀ  ଥିବା ମାଆ ଜଣେ ଶିକ୍ଷିତା ଗୃହିଣୀ ଥିଲେ। ମାଆଙ୍କ ଆକଟ ପରେ ବୀଣା ପ୍ରେମ୍‌ନାଥଙ୍କ ସହିତ ଫିଲ୍ମ ପରେ ଫିଲ୍ମ ସାଇନ୍ କରିଲେ। କିନ୍ତୁ ବ୍ୟକ୍ତିଗତ ସଂପର୍କ ରଖିଲେ ନାହିଁ। ଏଥିରେ ପ୍ରେମ୍‌ନାଥଙ୍କ ମନ ଭାଙ୍ଗି ଯାଇଥିଲା, ଆଉ ତାଙ୍କୁ ମିଳିଥିଲା ନାୟିକା ମଧୁବାଲାଙ୍କ ସାହାରା। ମଧୁ ବି ପ୍ରେମ୍‌ଙ୍କୁ ବହୁତ ଭଲ ପାଉଥିଲେ। ଖାଲି ସେତିକି ନୁହେଁ ସେ ଦୁହିଁଙ୍କର ଗୋପନରେ ଏନ୍‌ଗେଜ୍‌ମେଣ୍ଟ ବି ହୋଇଥିଲା। ପ୍ରେମ୍‌ନାଥ ସବୁବେଳେ ମଧୁବାଲା ଦେଇଥିବା ‘ମୁଦି’ଟି ଆଙ୍ଗୁଠିରେ ପିନ୍ଧୁଥିଲେ। ଏ କଥାର ସୁରାକ୍ ବି ପାଇଥିଲେ ବୀଣା।

ପ୍ରାୟ ଦୁଇ ବର୍ଷ ପରେ ଥରେ ‘ମସୌରୀ’ରେ ଏକ ଫିଲ୍ମ ସୁଟିଂ ସମୟରେ ପ୍ରେମ୍‌ନାଥ ବୀଣାଙ୍କ ପାଖକୁ ଯାଇ ବିବାହ ପ୍ରସ୍ତାବ ଦେଲେ। ବୀଣା ଖୁବ୍ ବିସ୍ମିତହୋଇ ପ୍ରଶ୍ନ କଲେ, ତମ ଜୀବନରେ ଆଉ ଜଣେ ଯୁବତୀ (ମଧୁବାଲା) ଥାଉ ଥାଉ, ତମେ ମତେ କାହିଁକି ବିବାହ କରିବାକୁ ଚାହୁଁଛ? ପ୍ରେମ୍‌ନାଥ ଏହାର ସନ୍ତୋଷଜନକ ସ୍ପଷ୍ଟୀକରଣ ଦେଇଥିଲେ ଯେସେ କେବଳ ବୀଣାଙ୍କୁ ଭଲ ପାଆନ୍ତି, ଆଉ କାହାରିକୁ ନୁହେଁ। ଏହା ପରେ ପ୍ରେମ୍‌ନାଥ ପିନ୍ଧିଥିବା ମୁଦିଟିକୁ ମଧୁବାଲାଙ୍କୁ ଫେରାଇ ଦେଲେ। ବୀଣା ମଧ୍ୟ ପ୍ରେମ୍‌ନାଥଙ୍କ ପ୍ରସ୍ତାବକୁ ସ୍ଵୀକାର କରିଲେ ଏବଂ ନିଜ ବାପାମାଆଙ୍କ ସମ୍ମତି ନେଇ ବିବାହ କରିଲେ। ଏହି ବିବାହ ଉତ୍ସବ ୧୯୫୨ ମସିହା ସେପ୍ଟେମ୍ବର ୨ ତାରିଖରେ ବେଶ୍ ଆଡମ୍ବର ସହକାରେ ଆୟୋଜିତ ହୋଇଥିଲା। ସେ ଦୁହେଁଙ୍କର ବାହାଘର ପଞ୍ଜାବୀ ରୀତିରେ ହୋଇଥିଲା। ବିବାହ ପରେ ବୀଣାରାୟଙ୍କ ଆକ୍ଟିଂ କ୍ୟାରିଅର୍ ନୂଆ ମୋଡ଼ ନେଇଥିଲା ଓ ସେ ଶୀର୍ଷରେ ପହଞ୍ଚିଥିଲେ।

Comment