ଓଡ଼ିଶାଲାଇଭ୍ ବ୍ୟୁରୋ

- ଏଣିକି ଏମ୍ସରେ ସ୍ୱଳ୍ପ ଖର୍ଚ୍ଚରେ ରୋଗୀମାନଙ୍କୁ ଚିକିତ୍ସା ସେବା ମିଳିବ
- ମାତ୍ର ୭୫୦ ଟଙ୍କାରେ ବିକିରଣ ଚିକିତ୍ସା ଓ ୨୫୦ ଟଙ୍କାରେ ନାଭିକୀୟ ଚିକିତ୍ସା ଉପଲବ୍ଧ
- କ୍ୟାନ୍ସର ବା ଟ୍ୟୁମର ରୋଗୀଙ୍କ ପାଇଁ ଚିକିତ୍ସା ସହଜ ହେବ
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପ୍ରଥମେ ୬ଟି ଏମ୍ସ କରିବାକୁ ଘୋଷଣା କରିଥିଲେ। ଯେଉଁଥିରୁ ଗୋଟିଏ ଓଡ଼ିଶା ଭାଗରେ ପଡ଼ିଥିଲା। ଆଜି ଭୁବନେଶ୍ୱର ଏମ୍ସରେ ୪୨ଟି ବିଭାଗ ମଧ୍ୟରୁ ୪୦ ବିଭାଗ କାମ କରୁଛି। ବହୁ ଦକ୍ଷ ଡାକ୍ତର ଏଠି ଯୋଗ ଦେଲେଣି। କମ୍ ଦିନର ଅନୁଷ୍ଠାନ ହେଲେ ମଧ୍ୟ ନୂଆଦିଲ୍ଲୀ ଏମ୍ସ ପରେ ଭୁବନେଶ୍ୱର ଏମ୍ସ ହେଉଛି ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଦ୍ବିତୀୟ ପସନ୍ଦ। କମ୍ ଦିନରେ ଏହା ସ୍ବାସ୍ଥ୍ୟ ସେବାର ହବ୍ ପାଲଟିଛି। ଶୁକ୍ରବାର ଦିନ ଭୁବନେଶ୍ୱର ଏମ୍ସରେ ଷ୍ଟୁଡେଣ୍ଟ୍ ଫେଷ୍ଟ୍ ‘କଏସ୍ମା’କୁ ଉଦ୍ଘାଟନ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛିନ୍ତି।
କ୍ୟାନ୍ସର ଓ ଥାଇରଏଡ୍ ଚିକିତ୍ସା କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି। ଏଣିକି ଏଠାରେ ମାତ୍ର ୭୫୦ ଟଙ୍କାରେ ବିକିରଣ ଚିକିତ୍ସା ଓ ୨୫୦ ଟଙ୍କାରେ ନାଭିକୀୟ ଚିକିତ୍ସା ଉପଲବ୍ଧ ହେବ। ଘରୋଇ ହସ୍ପିଟାଲରେ ଏଥିପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ହେଉଥିବାବେଳେ ଏମ୍ସରେ ଏଭଳି ସୁବିଧା ସୁଲଭ ମୂଲ୍ୟରେ ମିଳିବ। ଏଠାରେ ନାଭିକୀୟ ଭେଷଜ ବିଜ୍ଞାନ କେନ୍ଦ୍ର ଓ ବିକିରଣ ଚିକିତ୍ସା କେନ୍ଦ୍ର ଉଦ୍ଘାଟିତ ହେବା ପରେ ରାଜ୍ୟବାସୀଙ୍କ ପାଇଁ ଏହା ସମ୍ଭବ ହେବାକୁ ଯାଉଛି।
କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅତିଥିଭାବେ ଯୋଗ ଦେଇ ଏହି ନୂଆ ଚିକିତ୍ସା କେନ୍ଦ୍ରଦ୍ୱୟକୁ ଲୋକାର୍ପଣ କରିଛନ୍ତି। ବିକିରଣ ଚିକିତ୍ସା (ରେଡିଏସନ୍ ଥେରାପି)କେନ୍ଦ୍ରରେ କ୍ୟାନ୍ସର ରୋଗ ଚିକିତ୍ସା ପାଇଁ ‘ହାଇ ଏନର୍ଜି ଲିନିୟର୍ ଆକ୍ସିଲେଟର୍(ହେଲା), ‘ଲୋ ଏନର୍ଜି ଲିନିୟର୍ ଅରକ୍ସିଲେଟର୍’(ଲେଲା), ସିଟି ସିମୁଲେଟର୍ ଓ ହାଇ ଡୋଜ୍ ରେଟ୍ ବ୍ରାକିଥେରାପି ଯନ୍ତ୍ରପାତି ଲାଗିଥିବାବେଳେ ନାଭିକୀୟ ଚିକିତ୍ସା(ନ୍ୟୁକ୍ଲିୟର୍ ଥେରାପି)କେନ୍ଦ୍ରେରେ ଗାମା କ୍ୟାମେରା ଭଳି ଅତ୍ୟାଧୁନିକ ଯନ୍ତ୍ରପାତି ଲଗାଯାଇଛି।
୩୦ କୋଟି ଟଙ୍କା ବ୍ୟୟରେ ବିକିରଣ କେନ୍ଦ୍ରରେ ଏହି ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତି ପ୍ରତିଷ୍ଠା କରାଯାଇଛି। ପୂର୍ବ ଭାରତ ତଥା ଓଡ଼ିଶାରେ ଏଭଳି ଯନ୍ତ୍ରପାତି ନଥିଲା। ତେଣୁ ସର୍ଜରି ପାଇଁ ସମସ୍ୟା ଦେଖା ଦେଉଥିବା ଭଳି ସ୍ଥାନରେ କ୍ୟାନ୍ସର ବା ଟ୍ୟୁମର ହୋଇଥିଲେ, ରୋଗୀମାନେ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେବା ସହ ଚିକିତ୍ସା ବାବଦରେ ବହୁ ଅର୍ଥ ବ୍ୟୟ କରୁଥିଲେ। ମାତ୍ର ଏଣିକି ସ୍ୱଳ୍ପ ବ୍ୟୟରେ ରୋଗୀମାନେ ଏହି ଚିକିତ୍ସା ସେବା ପାଇପାରିବେ। ସେହିଭଳି ଥାଇରଏଡ୍ ଚିକିତ୍ସା କ୍ଷେତ୍ରରେ ନାଭିକୀୟ କେନ୍ଦ୍ରରେ ଲଗାଯାଇଥିବା ଗାମା କ୍ୟାମେରା କିଡ୍ନି, ହାର୍ଟ, ବୋନ୍, ଲିଭର୍, ବ୍ରେନ୍ ଭଳି ଗୁରୁତ୍ୱପୂର୍ଣ ଅଙ୍ଗରେ ହେଉଥିବା ରୋଗ ନିରୂପଣ କରିବ।
ଓଡ଼ିଶାରେ ମାତ୍ର ୨ଟି କର୍ପୋରେଟ୍ ହସ୍ପିଟାଲରେ ଏହି କ୍ୟାମେରା ରହିଛି। ରୋଗୀମାନେ ଏଥିପାଇଁ ବହୁ ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ ଏଣିକି ଏମ୍ସରେ ସ୍ୱଳ୍ପ ଖର୍ଚ୍ଚରେ ରୋଗୀମାନଙ୍କୁ ଏହି ଚିକିତ୍ସା ସେବା ମିଳିବ। ସହକାରୀ ପ୍ରଫେସର କହ୍ନେୟାଲାଲ୍ ଅଗ୍ରଓ୍ଵାଲ୍ଙ୍କ ସୂଚନାନୁସାରେ ଏହି କ୍ୟାମେରାର ଦାମ୍ ୪ କୋଟି ଟଙ୍କା ଓ ଏଥିରେ ନିହାତି ସମ୍ବେଦନଶୀଳ ଅଙ୍ଗର ନିବୃତ ଅଂଶରୁ ଫଟୋ ଚିତ୍ର ଉତ୍ତୋଳନ(ମଲ୍ୟୁକୁଲାର ଇମେଜିଂ) ହୋଇପାରୁଥିବାରୁ ରୋଗ ନିରୂପଣ ପୂରାପୂରି ଠିକ୍ ହୋଇଥାଏ। ଫଳରେ ଏଭଳି ଗୁରୁତ୍ୱପୂର୍ଣ ଅଂଗରେ କ୍ୟାନ୍ସର ହେଲେ ତାହାକୁ ଚିହ୍ନଟ କରିବା ସହଜ ହୋଇଥାଏ ଓ ରୋଗ ଅନ୍ୟ ଅଂଶକୁ ବ୍ୟାପିବା ଆଗରୁ ଚିକିତ୍ସା କରାଯାଇଥାଏ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଏମ୍ସ ପରିସରରେ ସମ୍ପର୍କୀୟମାନଙ୍କ ପାଇଁ ନିର୍ମିତ ଏକ ବିଶାଳ ବିଶ୍ରାମ ଗୃହକୁ ମଧ୍ୟ ଲୋକାର୍ପଣ କରିଥିଲେ।

















