ଓଡ଼ିଶାଲାଇଭ୍ ବ୍ୟୁରୋ

କୋଟିଆ ସୀମା ବିବାଦକୁ ନେଇ ଏବେ ଓଡ଼ିଶାରେ ରାଜନୀତି ଜୋର ଧରିଛି। ଏହାକୁ କେନ୍ଦ୍ରକରି ବିରୋଧୀମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏହା ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର କୋଟିଆ ବିବାଦକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। କୋଟିଆ ସମସ୍ୟାର ସମାଧାନ ପାଇଁ ସମସ୍ତେ ଏକାଠି ହେବାକୁ ସେ ଆହ୍ଵାନ ଦେଇଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଦିନ ଭୁବନେଶ୍ଵରରେ ଗଣମାଧ୍ୟମକୁ କୋଟିଆ ବିଷୟରେ ବୟାନ ଦେଇଥିଲେ। ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ଏହି ପ୍ରତିକ୍ରିୟା ରଖିଥିଲେ। ଏହି ଅବସରରେ ସେ ରାଜ୍ୟ ସରକାର କୋଟିଆ ବିବାଦର ସମାଧାନ ପାଇଁ ଉଦ୍ୟମ କରୁନଥିବା କହିଥିଲେ।

“ଓଡ଼ିଶାର ଭୌଗୋଳିକ ସୀମାକୁ ସୁରକ୍ଷିତ ରଖିବା ପାଇଁ ମଧୁସୂଦନ ଦାସ, ଫକୀରମୋହନ ସେନାପତି, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବଙ୍କ ଭଳି ମହାପୁରୁଷମାନେ ପୂର୍ବେ ଅନେକ ଉଦ୍ୟମ କରିଥିଲେ। ଏବେ ସେହି ଓଡ଼ିଶା ସୀମା ଭିତରେ ତେଲୁଗୁ ଭାଷାଭାଷୀ ବୋର୍ଡ ଲାଗିଛ। ଆନ୍ଧ୍ରର କୋଟିଆ ପ୍ରତି ଥିବା ଆଭିମୁଖ୍ୟକୁ ନେଇ ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କ ପାଖରେ କୌଣସି ଉତ୍ତର ନାହିଁ”, କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ସେ ଆହୁରି ମଧ୍ୟ କହିଛନ୍ତି,“୨୦୧୮ ମସିହାରେ କୋଟିଆରେ ଯେଉଁ ପରିସ୍ଥିତି ଥିଲା ସେଥିରେ କିଛି ପରିବର୍ତ୍ତନ ଆସିନି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆନ୍ଧ୍ର ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କୋଟିଆ ସମସ୍ୟା ଉପରେ ଆପୋଷ ବୁଝାମଣା କରିବା ପାଇଁ ଅନୁରୋଧ କରାଯାଇଛି। ତେଣୁ ଓଡ଼ିଶାରେ ଦଳ ମତ ନିର୍ବିଶେଷରେ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ। ରାଜନୀତିରେ ଭିନ୍ନ ମତ ରହିଲେ ମଧ୍ୟ ରାଜ୍ୟର ସୁରକ୍ଷା ପାଇଁ ସବୁ ଏକାଠି ହେବା ଦରକାର।”

୨୦୧୮ ମସିହାରୁ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟ କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମ ପୁଞ୍ଜକୁ ନେଇ ବିବାଦ ଜାରି ରହିଛି। ଏହା ଉପରେ ଆନ୍ଧ୍ର ସରକାର କ୍ରମାଗତ ଭାବେ ଆଧିପତ୍ୟ ଜାହିର କରିଆସୁଛନ୍ତି। ଏହାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ତିକ୍ତତା ଜାରି ରହିଛି।

Tags: #DharmendraPradhan #Kotia #BorderDispute #Statement #Odisha

LEAVE A REPLY

Please enter your comment!
Please enter your name here