ଓଡ଼ିଶାଲାଇଭ୍ ବ୍ୟୁରୋ

ଶବାନା ଆଜମୀ, ହିନ୍ଦୀ ସିନେମାର ଜଣେ ସୁପ୍ରତିଷ୍ଠିତ ଅଭିନେତ୍ରୀ। ପ୍ରତିଟି ଭୂମିକାରେ ନିଜ ଅଭିନୟ ଦକ୍ଷତା ଦେଖାଇ ଦର୍ଶକଙ୍କ ମନ ଜିଣିପାରିଥିଲେ ସେ।

୧୮ ସେପ୍ଟେମ୍ୱର ୧୯୫୦ରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ ଶବାନା ଆଜ୍‌ମି। ତାଙ୍କ ପିତା କାଫି ଆଜ୍‌ମି ଜଣେ ପ୍ରସିଦ୍ଧ କବି ଥିଲେ। ମା’ ସୋକତ ଆଜ୍‌ମି ସେହି ସମୟରେ ଜଣେ ଥିଏଟର କଳାକାର ଥିଲେ। କଳାକାର ପରିବାରରୁ ଆସିଥିବା ଶବାନାଙ୍କ ଛୋଟ ବେଳରୁ ଅଭିନୟରେ ରୁଚି ଥିଲା।

ଶିକ୍ଷା

ଶବାନା ଆଜ୍‌ମୀ କୁଇନ୍ ମେରୀ ସ୍କୁଲ ମୁମ୍ବାଇରେ ପଢୁଥିଲେ। ମନୋବିଜ୍ଞାନରେ ସେ ସ୍ନାତକ କରିଛନ୍ତି। ଶବାନା ଫିଲ୍ମ ଆଣ୍ଡ୍ ଟେଲିଭିଜନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, ପୁନେରେ ଅଭିନୟ କୋର୍ସ କରିଥିଲେ।

ପ୍ରାଥମିକ କ୍ୟାରିୟର୍

ପ୍ରୟୋଗାତ୍ମକ ସିନେମାରେ ଶବାନା ଆଜ୍‌ମୀଙ୍କ ଯୋଗଦାନ ଉଲ୍ଲେଖନୀୟ ରହିଛି। ଶ୍ୟାମ ବେନେଗାଲଙ୍କ ଫିଲ୍ମ ‘ଅଙ୍କୁର’ ଚଳଚ୍ଚିତ୍ରରୁ କ୍ୟାରିୟର ଆରମ୍ଭ କରିଥିଲେ ଶବାନା। ଏହି ଫିଲ୍ମ ସୁପରହିଟ୍ ସାବ୍ୟସ୍ତ ହେବା ପରେ ବଲିଉଡରେ ଜଣେ ଆଗ ଧାଡ଼ି ଅଭିନେତ୍ରୀର ମାନ୍ୟତା ପାଇଥିଲେ।

ଶବାନା ଆଜ୍‌ମୀ ଓ ରାଜେଶ୍ ଖାନ ହିଟ୍ ଯୋଡ଼ି

ଶବାନା ଏବଂ ସୁପରଷ୍ଟାର ରାଜେଶ୍ ଖାନଙ୍କ ଅନସ୍କ୍ରିନ୍ କେମେଷ୍ଟ୍ରୀକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ବଲିଉଡଙ୍କୁ ଏମାନେ ୭ଟି ସୁପରହିଟ୍ ଫିଲ୍ମ ଦେଇଛନ୍ତି।  ୧୯୭୪ରେ ରିଲିଜ୍ ହୋଇଥିବା ଶବାନାଙ୍କ ପ୍ରଥମ ଫିଲ୍ମ ‘ଅଙ୍କୁର’ ପାଇଁ ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ‘ନ୍ୟାସନାଲ ଆୱାର୍ଡ’ ପାଇଥିଲେ। ୧୯୮୩ ରୁ ୧୯୮୫ ପର୍ଯ୍ୟନ୍ତ ଲଗାତାର ସର୍ବଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମ ଫେୟାର୍ ପୁରସ୍କାର ଜିଣିଥିଲେ।

ପୁରସ୍କାର

ଶ୍ରେଷ୍ଠ ଅଭିନୟ ପାଇଁ ଶବାନା ୫ ଥର ନ୍ୟାସନାଲ୍ ଆୱାର୍ଡ ପାଇଛନ୍ତି। ଏହାସହିତ ଭାରତ ସରକାର ତାଙ୍କୁ ୧୯୮୮ରେ ‘ପଦ୍ମଶ୍ରୀ’ ଏବଂ ୨୦୧୨ରେ ‘ପଦ୍ମ ଭୂଷଣ’ ସମ୍ମାନ ପ୍ରଦାନ କରିଥିଲେ ।

ଶେଖର କପୁରଙ୍କ ସହ ପ୍ରେମ ସମ୍ପର୍କ

ଦୀର୍ଘ ୭ବର୍ଷ ଧରି ଫିଲ୍ମ ମେକର୍ ଶେଖର କପୁରଙ୍କ ସହ ଶବାନାଙ୍କ ସମ୍ପର୍କ ଥିଲା। ହେଲେ ପରେ ଏହି ସମ୍ପର୍କ ଆଉ ବେଶୀ ଦିନ ଧରି ରହି ନ ଥିଲା। ପରେ ଗୀତିକାର ଓ ଲେଖକ ଜାଭେଦ୍ ଅଖତରଙ୍କ ସହ ୯ ଡିସେମ୍ୱର ୧୯୮୪ରେ ଶବାନା ବିବାହ କରିଥିଲେ। ଜାଭେଦ୍ ପୂର୍ବରୁ ହନି ଇରାନୀଙ୍କୁ ବିବାହ କରିଥିଲେ। କିନ୍ତୁ ଶବାନାଙ୍କ ପ୍ରେମ ସମ୍ପର୍କ ଯୋଡ଼ି ହେବା ପରେ ସେ ତାଙ୍କୁ ଛାଡପତ୍ର ଦେଇଥିଲେ।

ଶବାନାଙ୍କ ଚର୍ଚ୍ଚିତ ଫିଲ୍ମ

‘ଅଙ୍କୁର’, ‘ଅମର ଆକବର୍ ଆନ୍ଥୋନୀ’, ‘ସତରଞ୍ଜ୍ କେ ଖିଲାଡୀ’, ‘ଖେଲ୍ ଖିଲାଡୀ କା’, ‘ହୀରା ଔର୍ ପଥର୍’. ‘ପରବାରୀଶ୍’, ‘କିସା କୁର୍ସି କା’, ‘କର୍ମ’, ‘ଅଧା ଦିନ୍ ଅଧା ରାତ୍’, ‘ସ୍ଵାମୀ ଦେବତା’, ‘ଜଲିମ୍’, ‘ଅତିଥି’, ‘ସ୍ଵର୍ଗ-ନର୍କ’, ‘ସ୍ପର୍ଶ’, ‘ଅମରଦୀପ୍’, ‘ଅର୍ଥ’, ‘ଏକ ହି ଭୁଲ୍’, ‘ହମ୍ ପାଞ୍ଚ୍’, ‘ଅପନେ ପରାୟେ’, ‘ମାସୁମ୍’ ଭଳି ୨୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

ଶବାନା ଆଜ୍‌ମୀ ନାରୀକୈନ୍ଦ୍ରିକ ଚଳଚ୍ଚିତ୍ର କରିବାରେ ରୁଚି ରଖନ୍ତି।  ତା’ସହ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ମଧ୍ୟ ଜଡ଼ିତ ଅଛନ୍ତି।

Comment