ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ଏପ୍ରିଲ ମାସଠାରୁ ସମଗ୍ର ଦେଶରେ ଇଣ୍ଡିଆ ପୋଷ୍ଟ ମନି କାର୍ଯ୍ୟକ୍ଷମ ହେବ। ଭାରତୀୟ ଡାକ ବିଭାଗ ପକ୍ଷରୁ କୁହାଯାଇଛି ଯେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର(ଆଇ ପି ପି ବି) କାର୍ଯ୍ୟ ଜୋରସୋରରେ ଚାଲିଛି। ଆଉ ଦୁଇ ମାସ ମଧ୍ୟରେ ଏହି ସେବା ଆନୁଷ୍ଠାନିକ ଭାବେ ଆରମ୍ଭ ହେବ।
ଦେଶର ସମସ୍ତ ୧୫୫ ହଜାର ପୋଷ୍ଟ ଅଫିସରେ ଏହି ସେବା ଉପଲବ୍ଧ ହେବ। ଏହି ସବୁ ଡାକ ଘର ସହିତ ଆଇପିପିବିର ୬୫୦ ନେଟୱାର୍କ ଶାଖା ସହିତ ଯୋଡ଼ାଯିବ। ଥରେ ସେବା ଆରମ୍ଭ ହେବା ପରେ ପେମେଣ୍ଟ ବ୍ୟାଙ୍କ ହିସାବରେ ଏହା ହେବ ଦେଶର ସବୁଠାରୁ ବଡ଼ ଓ ଶକ୍ତିଶାଳୀ ନେଟୱର୍କ ବ୍ୟାଙ୍କ।ଏହା ଦ୍ୱାରା ପୋଷ୍ଟମ୍ୟାନ ଓ ପୋଷ୍ଟ ଅଫିସ ଜରିଆରେ ଆପଣ ଘରେ ବସି ଟଙ୍କା ପାଇପାରିବେ।
ଏହି ଡିଜିଟାଲ ସେବା ଜରିଆରେ ଦୂରଦୁରାନ୍ତରେ ଥିବା ଗାଁରେ ମଧ୍ୟ ଆର୍ଥିକ ଦେଣନେଣ ସମ୍ଭବ ହୋଇପାରିବ। ଉଲ୍ଲେଖଯୋଗ୍ୟ ଯେ ୨୦୧୫ ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୧୧ଟି ପେମେଣ୍ଟ ବ୍ୟାଙ୍କ ଖୋଲିବା ପାଇଁ ଲାଇସେନ୍ସ ପ୍ରଦାନ କରିଥିଲା। ଏଥିଭିତରୁ ଭାରତୀୟ ଡାକ ବିଭାଗ ଗୋଟିଏ।
ପେମେଣ୍ଟ ବ୍ୟାଙ୍କର ସୁବିଧା ହେଉଛି ଏଠି ସାଧାରଣ ଗ୍ରାହକ, ଛୋଟ ବ୍ୟବସାୟୀଙ୍କଠାରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ରାଶି ଗ୍ରହଣ କରାଯାଇପାରିବ। କିନ୍ତୁ ବ୍ୟବସାୟିକ ବ୍ୟାଙ୍କ ଭଳି ଏଠି ଋଣ ସୁବିଧା ମିଳିବ ନାହିଁ।