ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର: ଫେବ୍ରୁଆରି ୨୪ ତାରିଖରୁ ବାଲେଶ୍ୱର ଜିଲ୍ଲାର ଜନସାଧାରଣ ନିଜ ଜିଲ୍ଲାରେ ପାଇବେ ପାସପୋର୍ଟ ସେବା। ପୂର୍ବରୁ ଏଥିପାଇଁ ଭୁବନେଶ୍ୱର ଦୌଡ଼ିବାକୁ ପଡ଼ୁଥିବା ବେଳେ ଏବେ ହାତ ପାଆନ୍ତାରେ ଏହି ସେବା ପାଇବେ ଜିଲ୍ଲାବାସୀ। ଏହି ମାସ ୨୪ ତାରିଖ ଠାରୁ ବିଧିବଦ୍ଧ ଭାବରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି।

ଫକୀରମୋହନ ଗୋଲେଇଠାରେ ଥିବା ମୁଖ୍ୟ ଡାକଘର ପରିସରରେ ଏହି ସେବାକେନ୍ଦ୍ର ଖୋଲିବ। ବାଲେଶ୍ୱର ସାଂସଦ ଇଂ ରବୀନ୍ଦ୍ର କୁମାର ଜେନାଙ୍କ ଉଦ୍ୟମରେ ବହୁ ପ୍ରତୀକ୍ଷିତ ଏହି ପାସପୋର୍ଟ ସେବାକେନ୍ଦ୍ର ଖୁବଶିଘ୍ର ଉଦ୍ଘାଟିତ ହେବାକୁ ଯାଉଛି।

ଆଂଚଳିକ ପାସପୋର୍ଟ ଅଧିକାରୀ ଡକ୍ଟର ଦିଗବିଜୟ ଗିରି ଓ ମନୋଜ ମିଶ୍ର ବାଲେଶ୍ୱର ଡାକଘରେ ପହଂଚି ତଦାରଖ କରିଛନ୍ତି।

ବାଲେଶ୍ୱରରେ ପାସପୋର୍ଟ ସେବାକେନ୍ଦ୍ର ଖୋଲିବା ପାଇଁ ତିନି ବର୍ଷ ହେଲା ସାଂସଦ ଉଦ୍ୟମ କରି ଆସୁଛନ୍ତି। ନିଜସ୍ୱ ଉଦ୍ୟମରେ ଦୁଇଥର ଅସ୍ଥାୟୀ ପାସପୋର୍ଟ ଶିବିର ଆୟୋଜନ କରାଇଥିଲେ। ଏଥିରେ ଏକ ହଜାରରୁ ଅଧିକ ଲୋକ ଜିଲ୍ଲାରୁ ଆସି ପାସପୋର୍ଟ ପାଇଁ ନାମ ପଞ୍ଜୀକରଣ କରିଥିଲେ। ବାଲେଶ୍ୱର ପାସପୋର୍ଟ ସେବାକେନ୍ଦ୍ର ଆରମ୍ଭ ହେଲେ ପ୍ରତିଦିନ ୪୦ ଜଣ ଆବେଦନକାରୀ ପାସପୋର୍ଟ ପାଇଁ ନାମ ପଞ୍ଜୀକରଣ କରିପାରିବେ। ପ୍ରଥମେ ଏହି କେନ୍ଦ୍ରରେ ଭୁବନେଶ୍ୱରରୁ ପାସପୋର୍ଟ କର୍ମଚାରୀ ରହିବାର ଯୋଜନା ରହିଥିବା ବେଳେ ପରେ ଡାକ କର୍ମଚାରୀଙ୍କୁ ଏଥିରେ ନିୟୋଜିତ କରାଯିବ।

ବାଲେଶ୍ୱର ସହର ଭୁବନେଶ୍ୱର ଓ କୋଲକାତାର ମଧ୍ୟସ୍ଥଳରେ ରହିଥିବା ବେଳେ ଏଠାରେ ଦ୍ରୁତ ଶିଳ୍ପାୟନ ସହିତ ସହରର କଳେବର ବୃଦ୍ଧି ହେଉଛି। ପାସପୋର୍ଟ ପାଇଁ ଜିଲ୍ଲାର ଲୋକେ ଭୁବନେଶ୍ୱର ଯାଉଥିବା ବେଳେ ଅଯଥା ସମୟ ଅପଚୟ ହେବା ସହିତ ଅଧିକ ଖର୍ଚ୍ଚାନ୍ତ ମଧ୍ୟ ହେଉଥିଲେ। ବିଶେଷକରି ବୟସ୍କ ନାଗରିକ ଓ ଶିଶୁମାନଙ୍କୁ ନେଇ ପାସପୋର୍ଟ କେନ୍ଦ୍ରରେ ଦୀର୍ଘ ସମୟ ଠିଆ ହେବା କଷ୍ଟକର ଥିଲା। ତେବେ ବାଲେଶ୍ୱର ପାସପୋର୍ଟ କେନ୍ଦ୍ର ଆରମ୍ଭ ହେବା ପରେ ଏହିସବୁ ଅସୁବିଧା ଦୂର ହେବା ସହିତ ଦୀର୍ଘଦିନର ବାଲେଶ୍ୱରବାସୀଙ୍କ ଆବଶ୍ୟକତା ପୂରଣ ହୋଇପାରିବ କୁହାଯାଉଛି।

Comment