ଓଡ଼ିଶାଲାଇଭ୍‌ ବ୍ୟୁରୋ 

ବଲିଉଡର ଚଳଚ୍ଚିତ୍ର ‘ସିଲସିଲା’ରେ ଯେଉଁ ଭୂମିକା ରେଖା ନିଭାଇଥିଲେ ସେହି ଭୂମିକାରେ ଅଭିନୟ କରିବା ଲାଗି ୟଶ୍ ଚୋପ୍ରା ପଦ୍ମିନୀ କୋହ୍ଲାପୁରୀଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଡେଟ୍‌ସ ନ ମିଳିବାରୁ ସେ ଏହି ଫିଲ୍ମରେ ଅଭିନୟ କରିବାକୁ ମନା କରିଦେଇଥିଲେ।

ଏମିତି ବଲିଉଡରେ ଅନେକଥର ଘଟିଛି ଯେ ଜଣେ କଳାକାରଙ୍କୁ ଆଖି ଆଗରେ ରଖି ସ୍କ୍ରିପ୍ଟ ପ୍ରସ୍ତୁତ କରାଯାଇଥାଏ। ସ୍କ୍ରିପ୍ଟ କାମ ଶେଷ ହେବା ପରେ ନିର୍ଦ୍ଦେଶକ ଉକ୍ତ କଳାକାରଙ୍କୁ ତାଙ୍କ ପାଇଁ ଉଦ୍ଦିଷ୍ଟ ଭୂମିକା ଲାଗି ଆପ୍ରୋଚ୍ କରନ୍ତି, କିନ୍ତୁ ସେ ମନା କରିଥାନ୍ତି। ହୁଏତ କଳାକାରଙ୍କୁ କାହାଣୀ ପସନ୍ଦ ହୋଇନଥାଏ ବା ଭୂମିକାଟି ମନ ଲାଖି ହୋଇନଥାଏ। ଅଥବା କେତେକ କଳାକାର ଯେଉଁ ପାରିଶ୍ରମିକ ଦାବି କରନ୍ତି, ତାହା ଦେବାକୁ ପ୍ରସ୍ତୁତ ନୁହନ୍ତି ପ୍ରଯୋଜକ, ଯେଉଁ କାରଣରୁ କଳାକାର ଜଣକ ସେହି ଫିଲ୍ମ ପାଇଁ ଆଗ୍ରହ ଦେଖନ୍ତି ନାହିଁ।

ଏଭଳି ଘଟିବା ପଛରେ ଆଉ ଏକ ପ୍ରମୁଖ କାରଣ ହେଲା ଡେଟ୍‌ସ ସମସ୍ୟା। ହଁ ବଲିଉଡର ଟପ୍ ହିରୋ ହିରୋଇନମାନଙ୍କ କ୍ଷେତ୍ରରେ ଏହା ଏକ ବଡ଼ ସମସ୍ୟା ବୋଲି କୁହାଯାଏ। ଏଭଳି ସମସ୍ୟା ଅନେକଙ୍କ କ୍ଷେତ୍ରରେ ଦେଖାଦେଇଛି।

ଅଶୀ ଦଶକରେ ଜଣେ ଲୋକପ୍ରିୟ ନାୟିକା ହେଲେ ପଦ୍ମିନୀ କୋହ୍ଲାପୁରୀ। ସେ ‘ସତ୍ୟମ ଶିବମ୍ ସୁନ୍ଦରମ୍’ ଫିଲ୍ମରେ ଶିଶୁ କଳାକାର ଭାବେ ଅଭିନୟ କରି ସିନେପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ପଦ୍ମିନୀ ପୁଣି ଚର୍ଚ୍ଚିତା ହୋଇଥିଲେ ବି.ଆର.ଚୋପ୍ରାଙ୍କ ସୁପରହିଟ୍ ଫିଲ୍ମ ‘ଇନସାଫ୍ କି ତରାଜୁ’ରେ ପ୍ରଭାବଶାଳୀ ଅଭିନୟ କରି। ଏହି ଫିଲ୍ମ ପାଇଁ ତାଙ୍କୁ ମିଳିଥିଲା ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ଫିଲ୍ମ ଫେୟାର୍ ଆୱାର୍ଡ। ସେତେବେଳକୁ ତାଙ୍କର ବୟସ ହୋଇଥିଲା ମାତ୍ର ପନ୍ଦର ବର୍ଷ। ସେ ହେଉଛନ୍ତି ଦ୍ଵିତୀୟ ଅଭିନେତ୍ରୀ ଯିଏକି ମାତ୍ର ସତର ବର୍ଷ ବୟସରେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମ ଫେୟାର ଟ୍ରଫି ହାସଲ କରିଥିଲେ ହେଁ ପଦ୍ମିନୀ କୋହ୍ଲାପୁରୀ ସୋ ମ୍ୟାନ୍ ରାଜ କପୁରଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ପ୍ରେମରୋଗ’ରେ ଉଚ୍ଚକୋଟୀର ଅଭିନୟ ଲାଭ କରିଥିଲେ ଏହି ପୁରସ୍କାର।

ଆପଣ ଜାଣନ୍ତି କି ପଦ୍ମିନୀ ତାଙ୍କର କ୍ୟାରିୟର ଭିତରେ କେବେ ବି ପ୍ରଖ୍ୟାତ ନିର୍ମାତା ନିର୍ଦ୍ଦେଶକ ୟଶ୍ ଚୋପ୍ରାଙ୍କ କୌଣସି ବି ସିନେମାରେ କାମ କରିନାହାନ୍ତି। ତେବେ ୟଶ୍  ଚୋପ୍ରା ପଦ୍ମିନୀଙ୍କୁ ତାଙ୍କ ନିର୍ଦ୍ଦେଶିତ ବହୁ ଚର୍ଚ୍ଚିତ ଫିଲ୍ମ ‘ସିଲସିଲା’ରେ ଅଭିନୟ କରିବା ପାଇଁ ପ୍ରସ୍ତାବ ଦେଇଥିଲେ।

ସେହି ଫିଲ୍ମରେ ଯେଉଁ ଚରିତ୍ର ପାଇଁ ପଦ୍ମିନୀକୁ ଆପ୍ରୋଚ୍ କରାଯାଇଥିଲା ତାହାର  ପ୍ରଥମ ପସନ୍ଦଥିଲେ ରେଖା। ହେଲେ ସେତେବେଳେ ବିଗ୍ ବି ଅମିତାଭ୍ ବଚ୍ଚନ ଓ ଅଭିନେତ୍ରୀ ରେଖା ଏକାଠି ସ୍କ୍ରିନ୍ ସେଆର୍ ନ କରିବା ପାଇଁ ଆପାତତଃ ସ୍ଥିର କରିଥିଲେ। କାରଣ ଏକଦା ଅମିତାଭ ଓ ରେଖାଙ୍କ ଆଫେଆର୍‌କୁ ନେଇ ଜୋରସୋରରେ ଚର୍ଚ୍ଚା ଲାଗି ରହିଥିଲା। ଏହାକୁ ଅମିତାଭଙ୍କ ପତ୍ନୀ ଜୟା ଆଦୌ ବରଦାସ୍ତ କରିନଥିଲେ। କୁହାଯାଏ ଯେ ଜୟାଙ୍କ ପରାମର୍ଶରେ ଅମିତାଭ ଆଉ ରେଖାଙ୍କ ସହ କାମ ନ କରିବାର ନିଷ୍ପତ୍ତି ନେଇଥିଲେ। ଏହା ଅବଶ୍ୟ ଭିନ୍ନ କଥା ଯେ ପରେ ଜୟା ବଚ୍ଚନଙ୍କ ଅନୁରୋଧ କ୍ରମେ ହିଁ ରେଖା ‘ସିଲସିଲା’ରେ ଅଭିନୟ କରିଥିଲେ।

ହଁ ‘ସିଲସିଲା’ରେ ଯେଉଁ ଭୂମିକା ରେଖା ପରଦା ଉପରେ ନିଭାଇଥିଲେ ସେହି ଭୂମିକାରେ ଅଭିନୟ କରିବା ଲାଗି ୟଶ୍ ଚୋପ୍ରା ପଦ୍ମିନୀ କୋହ୍ଲାପୁରୀଙ୍କୁ ଅନୁରୋଧ କରିଥିଲେ। କାହାଣୀ ଶୁଣିବା ପରେ ପଦ୍ମିନୀ ରାଜି ହୋଇଥିଲେ। ପ୍ରଥମେ ଯେଉଁ ତାରିଖ ମାଗିଥିଲେ ତାହା ମଧ୍ୟ ସେ ଦେଇଥିଲେ। କିନ୍ତୁ ଏହି ମଲଟିଷ୍ଟାରର ଫିଲ୍ମଟି ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଫ୍ଲୋରକୁ ଯାଇପାରିନଥିଲା। ପୁଣି କଳାକାରମାନଙ୍କଠାରୁ ନୂଆ ଡେଟସ ମଗାଯାଇଥିଲା। ଅମିତାଭ୍ ବଚ୍ଚନ ଓ ଶଶିକପୁରଙ୍କ ଭଳି ବଡ଼ କଳାକାରମାନେ ଡେଟସ ଦେଲେ, କିନ୍ତୁ ପଦ୍ମିନୀଙ୍କ ପାଖରେ ସେହି ଡେଟସ ନଥିଲା। ବମ୍ବେରେ ସୁଟିଂ କରାଯିବାର ଥିଲେ, ହୁଏତ ପଦ୍ମିନୀ ସମୟ ଦେଇପାରିଥାନ୍ତେ। କିନ୍ତୁ ପ୍ରାଥମିକ ପର୍ଯ୍ୟାୟରେ ‘ସିଲସିଲା’ର ସୁଟିଂ କାଶ୍ମୀରରେ କରାଯିବାର ସ୍ଥିରୀକୃତ ହୋଇଥିଲା। ସେତେବେଳେ ପଦ୍ମିନୀଙ୍କ ଅନ୍ୟ ଫିଲ୍ମର ସୁଟିଂ ବମ୍ବେରେ ହେବାର ଥିଲା। ଏଣୁ ଡେଟସ୍‌ ଦେବା ତାଙ୍କ ପକ୍ଷରେ ସମ୍ଭବ ହୋଇନଥିଲା। ସେ ବାଧ୍ୟ ହୋଇ ୟଶ ଚୋପ୍ରାଙ୍କୁ ବିନମ୍ରତାର ସହିତ ମନା କରିଥିଲେ।

ଯଦି ଏହି ଫିଲ୍ମରେ ପଦ୍ମିନୀ ଅଭିନୟ କରିଥାନ୍ତେ, ତେବେ ସେ ଅମିତାଭ ବଚ୍ଚନଙ୍କ ବିପକ୍ଷରେ ନାୟିକା ହେବାର ସୌଭାଗ୍ୟ ପ୍ରାପ୍ତ କରିଥାନ୍ତେ, ଯାହା ତାଙ୍କୁ ପରବର୍ତ୍ତୀ ସମୟରେ କେବେ ବି ସୁଯୋଗ ମିଳିନଥିଲା। ତେବେ ୧୯୮୧ରେ ‘ସିଲସିଲା’ ମୁକ୍ତିଲାଭ କରିଥିଲା ।

Comment