ଓଡ଼ିଶାଲାଇଭ୍ ବ୍ୟୁରୋ

- ୧୪ରେ ଦିଲ୍ଲୀ ଯାଇଥିଲେ ମୁଖ୍ୟମନ୍ତ୍ରୀ
- ନରେନ୍ଦ୍ର ମୋଦି ଏବଂ ନରସିଂହ ମିଶ୍ରଙ୍କ ସହ ଭେଟ୍ଘାଟ୍ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଲେ
- କୁନ୍ଦୁଲି ଘଟଣାର ଉତ୍ତର ଦେଲେ
- ଅବାଧ ଓ ମୁକ୍ତ ତଦନ୍ତ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ: ନବୀନ
ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀରୁ ଫେରି ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱରରେ ପହଞ୍ଚିବା ପରେ ବିଭିନ୍ନ ପ୍ରସଙ୍ଗର ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ଦିଲ୍ଲୀରେ ସାକ୍ଷାତ, କୁନ୍ଦୁଲି ଏବଂ ଏନଡିଏ ସହ ମେଣ୍ଟ ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ନବୀନ।
ପ୍ରଧାନମନ୍ତ୍ରୀଙ୍କୁ ନୂଆଦିଲ୍ଲୀ ବାସଭବନରେ ଭେଟିଥିଲେ ମୁଖ୍ୟମନ୍ତ୍ରୀ। ୨୦ ମିନିଟର ସାକ୍ଷାତରେ ନବୀନ ବିଜୁବାବୁଙ୍କ ସମ୍ପର୍କିତ ବହି ‘ଦ ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ’ ପୁସ୍ତକ ଉପହାର ଦେଇଥିଲେ। ହେଲେ ଏହାକୁ ନେଇ ରାଜ୍ୟ ରାଜନୀତିରେ ଭିନ୍ନ ଚର୍ଚ୍ଚା ହେଉଥିଲା। ନିର୍ବାଚନ ପରେ ବିଜେଡି ଏନଡିଏରେ ମିଶିପାରେ ବୋଲି ଆଲୋଚନା ହେଉଥିଲା।
ହେଲେ ନବୀନ ଶୁକ୍ରବାର ଭୁବନେଶ୍ୱର ଫେରିବା ପରେ ଏହି ଚର୍ଚ୍ଚାର ଅନ୍ତ ଘଟାଇଛନ୍ତି। କହିଛନ୍ତି, “ବିଜେପି ଏବଂ ବିଜେଡିଠାରୁ ସମଦୂରତ୍ୱ ରକ୍ଷା କରୁଛୁ।”
ମୋଦିଙ୍କ ପରେ ନୂଆଦିଲ୍ଲୀରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ନବୀନଙ୍କୁ ଭେଟିଥିଲେ। ଏହି ଭେଟ୍ଘାଟ୍କୁ ନେଇ ଓଡ଼ିଶା ରାଜନୀତିରେ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଏ ସମ୍ପର୍କରେ ନରସିଂହ ପ୍ରତିକ୍ରିୟା ରଖି ସାରିଥିବା ବେଳେ ଆଜି ନବୀନ ମଧ୍ୟ ମନ୍ତବ୍ୟ ଦେଇଛନ୍ତି।
“ହକି ପୁରୁଷ ବିଶ୍ୱକପ୍ ପାଇଁ ଦିଲ୍ଲୀରେ ଆୟୋଜିତ ଜର୍ସି ଉନ୍ମୋଚନ କାର୍ଯ୍ୟକ୍ରମ ପୂର୍ବରୁ ବିରୋଧୀ ଦଳ ନେତାଙ୍କ ସହ ସାକ୍ଷାତ ହୋଇଥିଲା। ମାତ୍ର ୫ ମିନିଟ୍ ପାଇଁ ଆଲୋଚନା ହୋଇଥିଲା। ସେ ଏହି କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଭାବେ ଜାଣିବାକୁ ଚାହିଁଥିଲେ”, କହିଛନ୍ତି ନବୀନ ପଟ୍ଟନାୟକ।
କୁନ୍ଦୁଲି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଘଟଣାର ତଦନ୍ତ ପାଇଁ ଏସ୍ଆଇଟି ଗଠନ କରିବାକୁ ହାଇକୋର୍ଟଙ୍କୁ କୁହାଯାଇଛି। କୁନ୍ଦୁଲି ଘଟଣାର ଅବାଧ ଏବଂ ମୁକ୍ତ ତଦନ୍ତ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ।
୧୪ ତାରିଖରେ ମୁଖ୍ୟମନ୍ତ୍ରୀ ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଥିଲେ। ହକି ବିଶ୍ୱକପ୍ ପାଇଁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

















