ଓଡ଼ିଶାଲାଇଭ୍ ବ୍ୟୁରୋ
ନିରବ ମୋଦିଙ୍କ ଜେଜେ ବାପା ଗୁଜୁରାଟର ପାଲମପୁରରେ ବିକୁଥିଲେ ପାମ୍ପଡ଼। ପରେ ତାଙ୍କ ବାପା ବେଲଜିୟମରେ ଆରମ୍ଭ କରିଥିଲେ ହୀରା ବ୍ୟବସାୟ। ଏହାର ପ୍ରଭାବ ନିରବଙ୍କ ଉପରେ ପଡ଼ିଲା। ୧୯ ବର୍ଷ ବୟସରେ କଲେଜ ପାଠ ଛାଡ଼ି ନିରବ ମୁମ୍ବାଇ ଆସି ହୀରା ବ୍ୟବସାୟ ସାମ୍ରାଜ୍ୟରେ ପାଦ ଦେଇଥିଲେ।
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ୧୧ ହଜାର ୩୦୦ କୋଟି ଟଙ୍କାର ଚୂନ ମାରି ବିଦେଶ ଫେରାର ହୋଇଛନ୍ତି ନିରବ ମୋଦି। ନିରବଙ୍କ ବ୍ୟବସାୟ ସାମ୍ରାଜ୍ୟ ଉପରେ ଇଡି ଚଢ଼ାଉ ଜାରି ରଖିଛି। ଏପଟେ ସିବିଆଇ ମଧ୍ୟ ଘଟଣାର ଖୋଳତାଡ଼ କରୁଛି। ହେଲେ ଫ୍ରଡ ମାଷ୍ଟର ନିରବ ମୋଦିଙ୍କ ପତ୍ତା ପାଉନି ତଦନ୍ତକାରୀ ସଂସ୍ଥା।
୬ ବର୍ଷ ହେଲା ବ୍ୟାଙ୍କ ଅଧିକାରୀଙ୍କୁ ଚକମା ଦେଖାଇ ୧୧ ହଜାର କୋଟି ଟଙ୍କା ଠକି ନେଇଥିବା ନିରବ ମୋଦିଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ତେବେ କିଏ ଏହି ନିରବ ମୋଦି? ତାଙ୍କ ଫ୍ୟାମିଲି ବ୍ୟାକଗ୍ରାଉଣ୍ଡ କ’ଣ? କ’ଣ କରୁଥିଲେ ନିରବଙ୍କ ପରିବାର? ମୁମ୍ବାଇରେ କେମିତି ଆଧିପତ୍ୟ ବସ୍ତାର କଲେ ଏହି ଫ୍ରଡମାଷ୍ଟର? ଏସବୁ ପ୍ରଶ୍ନ ଏବେ ବିଭିନ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି। ନିରବ ମୋଦିଙ୍କ ସମ୍ପର୍କରେ ଜାଣିବା ପାଇଁ ସବୁଠି ଉତ୍ସୁକତା ଦେଖିବାକୁ ମିଳିଛି।
ବେଲଜିୟମରେ ଜନ୍ମ ହୋଇଥିଲେ ନିରବ
ଗୁଜୁରାଟର ପାଲମପୁରରେ ରହୁଥିଲେ ନିରବ ମୋଦିଙ୍କ ପରିବାର। ନିରବଙ୍କ ଜେଜେବାପା ମୁଫତ ଲାଲ ଏବଂ ଜେଜେ ମା ପ୍ରଭାବେନ ପାଲମପୁର ବଜାରରେ ପାମ୍ପଡ଼ ବିକ୍ରି କରୁଥିଲେ। ଏଥିରୁ ଯାହା ରୋଜଗାର ହୁଏ ସେଥିରେ ତାଙ୍କ ପରିବାର ପ୍ରତିପୋଷଣ ହେଉଥିଲା। ଏବେ ବି ନିରବଙ୍କ ଘର ପାଲମପୁରରେ ରହିଛି।
ହେଲେ ନିରବଙ୍କ ବାପା ପୀୟୂଷ ମୋଦି କିଛି ଅଲଗା ବ୍ୟବସାୟ କରିବାକୁ ଚିନ୍ତା କରି ଗୁଜୁରାଟ ଛାଡ଼ିଥିଲେ। ସେ ୧୯୪୦ରେ ବେଲଜିୟମ୍ ଚାଲି ଆସିଥିଲେ। ବେଲଜିୟମ୍ରେ ଗହଣା ବ୍ୟବସାୟ ଆରମ୍ଭ କରିଥିଲେ। ଆଉ ବେଲଜିୟମରେ ହିଁ ନିରବଙ୍କର ଜନ୍ମ ହୋଇଥିଲା। ସୁନା ଗହଣା ସାଙ୍ଗକୁ ହୀରା ବ୍ୟବସାୟ କରୁଥିଲେ ନିରବଙ୍କ ବାପା। ମା’ ଇଣ୍ଟେରିଅର ଡେକୋର ଭାବେ କାମ କରୁଥିଲେ।
ନିରବଙ୍କ ଜେଜେ ଚାଲି ଆସିଥିଲେ ମୁମ୍ବାଇ
ନିରବଙ୍କୁ ଯେତେବେଳେ ବେଲଜିୟମରେ ରହୁଥିଲେ ସେତେବେଳେ ତାଙ୍କ ଜେଜେ ବାପା ମୁମ୍ବାଇ ଚାଲି ଆସିଥିଲେ। ପୂରା ପରିବାର ମୁମ୍ବାଇରେ ରହିଥିଲେ। ମୁମ୍ବାଇ ଚାଲି ଆସିବା ପରେ ଗାଁକୁ ବର୍ଷକୁ ଥରେ କିମ୍ବା ଦୁଇ ଥର ଯାଉଥିଲେ ନିରବଙ୍କ ପରିବାର। ହେଲେ ଗାଁରେ ଥିବା ଜମିବାଡ଼ି କେହି ଦେଖାଶୁଣା କରିବାକୁ ନରହିବାରୁ ନିରବଙ୍କ ଜେଜେ ସମସ୍ତ ଜମି ବିଦ୍ୟା ମନ୍ଦିର ଟ୍ରଷ୍ଟକୁ ଦାନ କରିଥିଲେ। ଏହି ଜମିରେ ଏବେ ସ୍କୁଲ ତିଆରି ହୋଇଛି।
୧୯ ବର୍ଷ ବୟସରେ ବ୍ୟବସାୟ ଦୁନିଆକୁ ଆସିଥିଲେ ନିରବ
୧୯ ବର୍ଷ ବୟସରେ ନିରବ କଲେଜ ପାଠ ଅଧାରୁ ଛାଡ଼ି ମୁମ୍ବାଇ ଚାଲି ଆସିଥିଲେ। ମାମୁ ମେହୁଲ ଚୋକ୍ସିଙ୍କ ଗହଣା ପ୍ରତିଷ୍ଠାନ ଗୀତାଞ୍ଜଳି ଜେମ୍ସରେ ପ୍ରବେଶ କରିଥିଲେ। ୧୦ ବର୍ଷ ଧରି ସେ ଏଠାରେ କାମ କରିଥିଲେ। ଗହଣା ବ୍ୟବସାୟ ସମ୍ପର୍କରେ ଜାଣିବା ପରେ ନିରବ ଖୋଲିଥିଲେ ନିଜ ସାମ୍ରାଜ୍ୟ। ୨୦୦୦ ମସିହାରେ ନିରବ ନିଜେ ଏକ ଗହଣା ଦୋକାନ କରିଥିଲେ ନିରବ। ଅନ୍ତର୍ଜାତୀୟ ବଜାରରୁ ହୀରା ଆଣି ଏହାକୁ ଭାରତରେ ବିକ୍ରି କରିଥାନ୍ତି। ୨୦୦୫ ଏବଂ ୨୦୦୭ରେ ଦୁଇଟି ଜୁଏଲାରି ଡିଷ୍ଟ୍ରିବ୍ୟୁସନ ଏବଂ ମାର୍କେଟିଂ ଫାର୍ମ କଣିଥିଲେ ନିରବ। ଏହାସହ ବିଦେଶରେ ମଧ୍ୟ ତାଙ୍କ ବ୍ୟବସାୟ ସାମ୍ରାଜ୍ୟ ଖୋଲିଥିଲେ ନିରବ।
ଦୁଇ ଜଣ ବନ୍ଧୁଙ୍କ ସହଯୋଗରେ ନିରବ ଆମେରିକାରେ ବ୍ୟବସାୟ ପ୍ରତିଷ୍ଠାନ ସ୍ଥାପନ କରିଥିଲେ। ୧୬ଟି ଦେଶରେ ନିରବ ତାଙ୍କ ବ୍ୟବସାୟ ପ୍ରତିଷ୍ଠାନ ଖୋଲିଥିଲେ। ହଙ୍ଗକଙ୍ଗ, ଜାପାନ, ବ୍ରିଟେନ, ବେଲଜିୟମ, ଫ୍ରାନ୍ସ, ୟୁଏଇ, ଋଷ, ସିଙ୍ଗାପୁରରେ ଖୋଲିଥିଲା ଗୋଟିଏ ଗୋଟିଏ ହୀରା ବ୍ୟବସାୟ ପ୍ରତିଷ୍ଠାନ।
ଠକିନେଲେ ୧୧ ହଜାର ୪୦୦ କୋଟି
୧୪ ତାରିଖରେ ଏକ ଖବର ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମୁମ୍ବାଇ ଶାଖାରୁ ୧୧ ହଜାର ୪୦୦ କୋଟି ଟଙ୍କା ଠକେଇ ହୋଇଥିବା ଜଣାପଡ଼ିଥିଲା। ଦେଶର ଚତୁର୍ଥ ବଡ଼ ବ୍ୟାଙ୍କରୁ ଏତେଗୁଡ଼ାଏ ଟଙ୍କା କେମିତି ଠକେଇ ହେଲା ତାକୁ ନେଇ ଖୋଳତାଡ଼ ଆରମ୍ଭ ହେଲା। ଆଉ ଏଥିରେ ନିରବ ମୋଦିଙ୍କ ହାତ ରହିଥିବା ଚର୍ଚ୍ଚା ହେଲା। କାରଣ ଏକ ଠକେଇ ଅଭିଯୋଗରେ ନିରବଙ୍କ ନାଁରେ ସିବିଆଇ ମାମଲା ରୁଜୁ କରିଥିଲା। ଯୋଗକୁ ନିରବ ତାଙ୍କ ପରିବାର ସହ ଜାନୁଆରୀ ୩୧ରୁ ଭାରତ ଛାଡ଼ି ଦେଇଥିବାରୁ ଏହି
ସନ୍ଦେହ ଆହୁରି ଦୃଢ଼ ହୋଇଥିଲା।
ଫଳରେ ନିରବ ମୋଦୀ ସାମ୍ରାଜ୍ୟ ଉପରେ ଚଢ଼ାଉ ଆରମ୍ଭ ହୋଇଥିଲା। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହା ଠକେଇର ମାଷ୍ଟରମାଇଣ୍ଡ ନିରବ ମୋଦିଙ୍କ ସାମ୍ରାଜ୍ୟକୁ ଖୋଳତାଡ କରି ଇଡି ଦ୍ୱିତୀୟ ଦିନରେ ଇଡି ଅଧିକାରୀ ନିରଭ ସାମ୍ରାଜ୍ୟର ଖୋଳତାଡ଼ କରିଛନ୍ତି। ସାରା ଦେଶରେ ଥିବା ୩୫ଟି ବ୍ୟବସାୟ ପ୍ରତିଷ୍ଠାନ ଉପରେ ଇଡି ରେଡ କରି ୫୪୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ହେଲେ ନିରବ ମୋଦିଙ୍କର ଏପର୍ଯ୍ୟନ୍ତ ପତ୍ତା ମିଳୁନି।ମୋଟ ୫୬୪୯ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି।








ନିରବ ମୋଦିଙ୍କ ଜେଜେ ବାପା ଗୁଜୁରାଟର ପାଲମପୁରରେ ବିକୁଥିଲେ ପାମ୍ପଡ଼। ପରେ ତାଙ୍କ ବାପା ବେଲଜିୟମରେ ଆରମ୍ଭ କରିଥିଲେ ହୀରା ବ୍ୟବସାୟ। ଏହାର ପ୍ରଭାବ ନିରବଙ୍କ ଉପରେ ପଡ଼ିଲା। ୧୯ ବର୍ଷ ବୟସରେ କଲେଜ ପାଠ ଛାଡ଼ି ନିରବ ମୁମ୍ବାଇ ଆସି ହୀରା ବ୍ୟବସାୟ ସାମ୍ରାଜ୍ୟରେ ପାଦ ଦେଇଥିଲେ।





