ଓଡ଼ିଶାଲାଇଭ୍ ବ୍ୟୁରୋ
- ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର
- ଜବତ ଟଙ୍କା ବିଜେପି କିମ୍ବା ବିଶ୍ୱହିନ୍ଦୁ ପରିଷଦର ନୁହେଁ
- ଇଡି ଏବଂ ଇନ୍କମ୍ଟ୍ୟାକ୍ସକୁ ତଦନ୍ତ ଭାର ଦିଆଯାଉ
- ୧୮ ବର୍ଷର ଶାସନ ପରେ ବି ବିଜେପୁରର ବିକାଶ ହୋଇନି
ବିଜେପୁରରୁ ୪୦ ଲକ୍ଷ ଟଙ୍କା ଜବତ ହେବା ପରେ ବିଜେପି ଉପରକୁ ଆଙ୍ଗୁଳି ଉଠିଛି। ଏନେଇ ବରଗଡ଼ ଏସ୍ପି ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ଦେଇଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଯଦି ସତସାହସ ଅଛି ଇଡି ଏବଂ ଇନ୍କମ୍ ଟ୍ୟାକ୍ସକୁ ତଦନ୍ତଭାର ଦିଆଯାଉ ବୋଲି ଧର୍ମେନ୍ଦ୍ର ଦାବି କରିଛନ୍ତି।
ଶନିବାର ରାତିରେ ବରଗଡ଼ ଜିଲ୍ଲା ମହୁଲପାଲି ଛକରୁ ୪୦ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଥିଲା। ଟଙ୍କା ନେଇ ଆସୁଥିବା ଅଭିଯୁକ୍ତ ବିଶ୍ୱହିନ୍ଦୁ ପରିଷଦ ଏବଂ ବିଜେପିର ସକ୍ରିୟ ସଦସ୍ୟ ବୋଲି ବରଗଡ଼ ଏସ୍ପି ଏବଂ ପଦ୍ମପୁର ଏଏସ୍ଆଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ଦେଇଛନ୍ତି।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ଯେଉଁ ଟଙ୍କା ଜବତ ହୋଇଛି ତାହା ବିଶ୍ୱହିନ୍ଦୁ ପରିଷଦ କିମ୍ବା ବିଜେପିର ନୁହେଁ। ବିଜେଡିରେ ବହୁତ ଲୋକ ଅଛନ୍ତି ଯେଉଁମାନେ ଆର୍ଏଏସ୍, ବିଜେପି କିମ୍ବା ବିଶ୍ୱହିନ୍ଦୁ ପରିଷଦ ସହ ସମ୍ପର୍କ ରଖିଥିଲେ। ଶାସକ ଦଳ ତାଙ୍କ ଦୁର୍ବଳତାକୁ ଲୁଚାଇବା ପାଇଁ ଏଭଳି ଅଭିଯୋଗ କରୁଛନ୍ତି। ଯଦି ସତ୍ସାହସ ଅଛି ତାହାଲେ ସରକାର ଇଡି ଏବଂ ଇନ୍କମ୍ ଟ୍ୟାକ୍ସ ଦ୍ୱାରା ଘଟଣାର ତଦନ୍ତ କରାନ୍ତୁ।”
୧୮ ବର୍ଷର ଶାସନ ପରେ ବି ବିଜେପୁରର ବିକାଶ ହୋଇ ନଥିବା ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି। ଚାଷୀ ଓ ଚାଷ ସମସ୍ୟା ସମାଧାନ କରିବାରେ ରାଜ୍ୟ ସରକାର ବିଫଳ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
“ଅଙ୍ଗ ନଦୀ ଏହି ଅଞ୍ଚଳ ଦେଇ ବହୁଛି। ହେଲେ ଚାଷ ଜମିକୁ ଏପର୍ଯ୍ୟନ୍ତ ଜଳସେଚନର ସୁବିଧା ହୋଇ ପାରିଲାନି। ଫଳରେ ଚାଷୀ ଆତ୍ମହତ୍ୟା ଲାଗି ରହିଛି। ରବିବାର ମଧ୍ୟ ଜଣେ ଚାଷୀ ଗାଇସିଲଟ ବ୍ଲକରେ ଆତ୍ମହତ୍ୟା କରିଛନ୍ତି। ବୃନ୍ଦା ସାହୁ ଯେତେବେଳେ ଆତ୍ମହତ୍ୟା କରିଥିଲେ ସେତେବେଳେ କୌଣସି ସରକାରୀ ଅଧିକାରୀ ତାଙ୍କ ପରିବାରକୁ ଭେଟିଲେ ନାହିଁ”, କହିଛନ୍ତି ଧର୍ମେନ୍ଦ୍ର।

















