ଓଡ଼ିଶାଲାଇଭ୍ ବ୍ୟୁରୋ
୭ ଦିନିଆ ଭାରତ ଗସ୍ତରେ ଆସିଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ସୋମବାର ଗୁଜୁରାଟରେ ପହଞ୍ଚିଛନ୍ତି। ଅହମ୍ମଦାବାଦର ସାବରମତି ଆଶ୍ରମ ଏବଂ ଗାନ୍ଧିନଗରରେ ଥିବା ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଛନ୍ତି ଟ୍ରୁଡୋ ଏବଂ ତାଙ୍କ ପରିବାର।
ସାବରମତି ଆଶ୍ରମରେ ଟ୍ରୁଡୋ ଏବଂ ତାଙ୍କ ପତ୍ନୀ ଚରଖାରେ ସୂତା କାଟିଛନ୍ତି। ଆଶ୍ରମର ଅନ୍ତେବାସୀମାନେ କାନାଡା ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ସ୍ଥାନ ବୁଲାଇ ଦେଖାଇଛନ୍ତି। ସେହିପରି ଅକ୍ଷରଧାମ ମନ୍ଦିର ପରିଦର୍ଶନ ବେଳେ ପୂଜକମାନେ ମନ୍ଦିରର ମହାତ୍ମ୍ୟ ସମ୍ପର୍କରେ ବୁଝାଇଛନ୍ତି। ଅକ୍ଷରଧାମ ମନ୍ଦିର ପରିସରରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଗୁଜୁରାଟ ଗସ୍ତ ଅବସରରେ ଟ୍ରୁଡୋ ଅହମ୍ମଦାବାଦସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି। ଫେବୃଆରି ୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କାନାଡା ପ୍ରଧାନମନ୍ତ୍ରୀ ଭେଟିବେ।
ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା, ସିଭିଲ ନ୍ୟୁକ୍ଲିୟର କୋ-ଅପରେସନ୍, ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରିବେ ଦୁଇ ଦେଶର ପ୍ରଧାନମନ୍ତ୍ରୀ।
ଶନିବାର ସନ୍ଧ୍ୟାରେ କାନାଡା ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ପହଞ୍ଚିଥିଲେ। କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ତାଙ୍କୁ ସ୍ୱାଗତ କରିଥିଲେ। ରବିବାର ସେ ତାଜମହଲ ପରିଦର୍ଶନରେ ଯାଇଥିଲେ।














