ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଲିଉଡ ଅଭିନେତ୍ରୀ ଅପରାଜିତା ମହାନ୍ତି କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି।

ହାତ ଛାଡ଼ି ପଦ୍ମ ଧରିଛନ୍ତି ଓଲିଉଡର ଭେଟରାନ୍ ଅଭିନେତ୍ରୀ ଅପରାଜିତା।  ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି ଅପରାଜିତା।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୈରିକ ଟୋପି ପିନ୍ଧାଇ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି । ଏହି ଅବସରରେ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି, ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ଅନ୍ୟ ବରିଷ୍ଠ ବିଜେପି ନେତାମାନେ ମଧ୍ୟ ଉପସ୍ଥିତ ରହିଥିଲେ। ଦଳରେ ମିଶିବା ପରେ ଧର୍ମେନ୍ଦ୍ରଙ୍କୁ ପ୍ରଶଂସା କରିଛନ୍ତି ଅପରାଜିତା।

“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶ ତାଙ୍କୁ ବେଶ୍‌ ପସନ୍ଦ ଆସିଛି। ବିଜେପି ସରକାର ଲୋକଙ୍କ ପାଇଁ କାର୍ଯ୍ୟ କରୁଛି। ଏଥିପାଇଁ ବିଜେପି ଦଳରେ ସାମିଲ୍‌ ହେବାକୁ ପସନ୍ଦ କଲି”, କହିଛନ୍ତି ଅପରାଜିତା।

କିଛି ଦିନ ତଳେ କଂଗ୍ରେସରୁ ସେ ଇସ୍ତଫା ଦେଇଥିଲେ। ଏହାପରେ ସେ ବିଜେପି ଦଳରେ ମିଶିବା ନେଇ ସୂଚନା ଦେଇଥିଲେ।

ଗତ ନିର୍ବାଚନରେ ଅପରାଜିତା କଟକ ଲୋକସଭା ଆସନରୁ କଂଗ୍ରେସ ପକ୍ଷରୁ ସାଂସଦ ପଦ ପାଇଁ ଲଢିଥିଲେ। ତାଙ୍କ ବିପକ୍ଷରେ ଥିଲେ ବିଜେଡିର ଭର୍ତ୍ତୃହରି ମହତାବ। ଏଥିରେ ଅପରାଜିତାଙ୍କୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡିଥିଲା।

ପୂର୍ବରୁ ଓଲିଉଡ ଅଭିନେତା ମିହିର୍‌ ଦାସ, ଅଭିନେତ୍ରୀ ମହାଶ୍ଵେତା ରାୟ, ଅନୁ ଚୌଧୁରୀ ପ୍ରମୁଖ ବିଜେପି ଦଳରେ ସାମିଲ ହୋଇସାରିଛନ୍ତି।

ଆଉ କିଛିଦିନ ବାକି ରହିଲା ବିଜେପୁର ଉପ-ନିର୍ବାଚନ। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପି ଷ୍ଟାର୍‌ କ୍ୟାମ୍ପେପନର୍‌ଙ୍କୁ ଆଶ୍ରା କରିଛି। ନିକଟରେ ମିହିର୍‌ ଦାସ, ପିଙ୍କି ପ୍ରଧାନ, ଅନୁ ଚୌଧୁରୀ, ମହାଶ୍ଵେତା ରାୟ ପ୍ରମୁଖ ବିଜେପୁର ଯାଇ ବିଜେପି ଦଳ ପାଇଁ ପ୍ରଚାରରେ ସାମିଲ ହୋଇଛନ୍ତି।

Comment