ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ସୁପରଷ୍ଟାର୍‌ ଅକ୍ଷୟ କୁମାର ଓ ରଣବୀର ସିଂ ସାଉଥ୍ ସିନେମାର ରିମେକରେ ଖୁବ୍‌ଶୀଘ୍ର ନଜର ଆସିବେ।

ଅତୀତରେ ବହୁ ହିନ୍ଦୀ ସିନେମା ମୁକ୍ତିଲାଭ କରିଛି, ଯାହା କୌଣସି ଏକ ଦକ୍ଷିଣ ଭାରତୀୟ ସିନେମା ରିମେକ୍। ସାଉଥ୍ ରିମେକ୍ ଫିଲ୍ମଗୁଡ଼ିକ ବଲିଉଡ଼ରେ ସୁପରହିଟ୍ ହୋଇଛି। ଏମିତି କେତେକ ସାଉଥର ହିନ୍ଦୀ ରିମେକ୍ ଫିଲ୍ମ ହେଲା- ସିଂଘମ୍, ଗଜନୀ, ହିମ୍ମତୱାଲା, ଦୃଶ୍ୟମ ତୋହଫା, ଜଷ୍ଟିସ୍ ଚୌଧୁରୀ ଓ ପ୍ୟାସା ସାୱନ୍ ଇତ୍ୟାଦି। ଏବେ ବି ଏହି ଟ୍ରେଣ୍ଡ ବଜାୟ ରହିଛି। ତେବେ ଆସନ୍ତୁ ଜାଣିବା ଆଗକୁ କେଉଁସବୁ ସାଉଥ୍ ସିନେମାର ରିମେକ୍ ତିଆରି ହେଉଛି ଓ ଏଥିରେ କେଉଁମାନେ କାମ କରୁଛନ୍ତି।

୨୦୧୫ରେ ରିଲିଜ୍ ହୋଇଥିବା ଏକ ସୁପରହିଟ୍ ଦକ୍ଷିଣ ଭାରତୀୟ ସିନେମା ହେଲା “କାଁଚନା-୨’। ଏହା ଏକ ହରର୍ ଫିଲ୍ମ। ଏହି ଫିଲ୍ମରେ ରାଘବ ଲରେନ୍ସ, ତାପସୀ ପନ୍ନୁ ଓ ନିଥିୟା ମେନନ୍ ପ୍ରମୁଖ ଲିଡ ରୋଲରେ ଅଭିନୟ କରିଥିଲେ। ଏହା ମଧ୍ୟ ତାପସୀଙ୍କ କ୍ୟାରିଅରର୍ ସବୁଠୁ ବଡ଼ ହିଟ୍ ଫିଲ୍ମ ବୋଲି ବିବେଚିତ ହୁଏ। ଏବେ ଏହାର ରିମେକ୍ ନିର୍ମାଣାଧୀନ ରହିଛି। ‘କାଁଚନା-୨’ର ହିନ୍ଦୀ ରିମେକ୍‌ରେ ଏହାର ଟାଇଟଲ୍ କଣ ରଖାଯିବ, ତାହା ଏଯାବତ୍ ସ୍ଥିରୀକୃତ ହୋଇନାହିଁ। କିନ୍ତୁ ଏକଥା ଜଣାପଡ଼ିଛି ଯେ ଏହି ଫିଲ୍ମରେ ବଲିଉଡ଼ର ଖିଲାଡି କୁମାର ଅକ୍ଷୟ କୁମାର ନାୟକ ଭୂମିକାରେ ଅଭିନୟ କରିଛନ୍ତି।

୨୦୧୭ରେ ଦକ୍ଷିଣ ଭାରତରେ ବକ୍ସ ଅଫିସରେ ଜବରଦସ୍ତ ହଙ୍ଗାମା କରିଥିବା ଏକ ସିନେମା ହେଲା ‘ଅର୍ଜୁନରେଡ଼ି’। ଏଥିରେ ବିଜୟ ବେରୋକୋଣ୍ଡା ଓ ଶାଲିନୀ ପାଣ୍ଡେଙ୍କୁ ଦେଖିବାକୁ ମିଳିଥିଲା ମୁଖ୍ୟ ଭୂମିକାରେ। ଫିଲ୍ମର କଥାବସ୍ତୁ ହେଉଛି – ନାୟକ ଜଣେ ମେଡିକାଲ ଷ୍ଟୁଡେଣ୍ଟ (ଡାକ୍ତରଛାତ୍ର)। ତାଙ୍କୁ ଜଣେ ଯୁବତୀ ବିବାହ ପ୍ରସ୍ତାବ ଦିଏ, ମାତ୍ର ଛାତ୍ର ଜଣକ ତାକୁ ପ୍ରତ୍ୟାଖ୍ୟାନ କରନ୍ତି। ଏହାପରେ ଉକ୍ତ ଯୁବକ ଜଣକ ପାଗଳ ହୋଇଯାଆନ୍ତି। ତେବେ ତା’ପରେ କ’ଣ ହୁଏ ତାହା ହିଁ ଫିଲ୍ମର ମୁଖ୍ୟ ପ୍ରସଙ୍ଗ। ଇତିମଧ୍ୟରେ ‘ଅର୍ଜୁନରେଡି’ର ହିନ୍ଦୀ ରିମେକ୍ ରାଇଟ୍ସ ବିକ୍ରି କରିସାରିଛନ୍ତି ନିର୍ମାତା ମୁରୁଜ୍ ଖେତାନୀ ଓ ଅଶ୍ୱିନୀ ବର୍ଦେ। ଏହି ଫିଲ୍ମର ହିନ୍ଦୀ ରିମେକରେ ଶାହିଦ କପୁର କାମ କରିବେ ବୋଲି ଶୁଣିବାକୁ ମିଳୁଛି।

ଠିକ୍ ସେହିପରି ଆଉ ଏକ ସାଉଥ୍‌ର ସୁପରହିଟ୍ ଫିଲ୍ମ ହେଲା ‘ବିକ୍ରମବେଦା’। ଏହାର କାହାଣୀ ପୁଲିସ ଓ ଅସାମାଜିକ ବ୍ୟକ୍ତିଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ପ୍ରସ୍ତୁତ। ଏହି ଫିଲ୍ମର ଉଭୟ ଦର୍ଶକ ଓ ସମୀକ୍ଷକମାନେ ଉଚ୍ଚପ୍ରଶଂସା କରିଥିଲେ। ଏଥିରେ ଅଭିନେତା ଆର୍. ମାଧବନ୍ ଓ ବିଜୟ ସେତୁପତି ଅଭିନୟ କରିଥିଲେ ଲିଡ୍ ରୋଲ୍‌ରେ। ଏଇ ନିକଟରେ ଆର୍.ମାଧବନ ଘୋଷଣା କରିଛନ୍ତି କି ‘ବିକ୍ରମବେଦା’ର ହିନ୍ଦୀ ରିମେକ୍ ନିର୍ମିତ ହେଉଛି।

୨୦୧୬ରେ ଏକ ବ୍ଲକ୍‌ ବଷ୍ଟର୍ ସାଉଥ୍ ସିନେମା ହେଲା ‘କ୍ରିକ୍‌ପାର୍ଟି’। ଏହା ଏକ କନ୍ନଡ଼ ଭାଷାର ସିନେମା। ରିଭଷ ସେଟ୍ଟିଙ୍କ ନିର୍ଦ୍ଦେଶିତ ଏହି ରୋମାଣ୍ଟିକ୍ କମେଡିରେ ରକ୍ଷିତା ସେଟ୍ଟି ଓ ରଶ୍ମିକା ମନ୍ଦନ୍ନା ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏବେ ଏହାର ହିନ୍ଦୀ ରିମେକ୍ ହେଉଥିବା ଜଣାପଡୁଛି। ଆଉ ଏକ ବଡ଼ କଥା ହେଲା ଯେ ‘କ୍ରିକ୍‌ପାର୍ଟି’ର ହିନ୍ଦୀ ରିମେକ୍‌ରେ ସିଦ୍ଧାର୍ଥ ମାଲହୋତ୍ରା ନାୟକ ଭୂମିକାରେ ଅଭିନୟ କରିବେ।

ବଲିଉଡର ନାମୀ-ଦାମୀ ଅଭିନେତା ରଣବୀର ସିଂଙ୍କୁ ଦର୍ଶକ ଚଳିତବର୍ଷ ଶେଷରେ ‘ସିମ୍ବା’ ଟାଇଟଲରେ ନିର୍ମିତ ଏକ ହିନ୍ଦୀ ସିନେମାରେ ଦେଖିବାକୁ ପାଇବେ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ରୋହିତ ସେଟ୍ଟି। ଏହା ବି ଏକ ସାଉଥ୍ ସିନେମାର ରିମେକ୍। ‘ସିମ୍ବା’ ହେଉଛି ଜୁନିଅର୍‌ ଏନ୍‌ଟିଆର୍‌ଙ୍କ ଅଭିନୀତ ବ୍ଲକ୍‌ବଷ୍ଟର ତେଲୁଗୁ ଫିଲ୍ମ ‘ଟେମ୍ପର’ର ରିମେକ୍। ଆକସନ୍ ଓ କମେଡିରେ ଭରପୂର ମାତ୍ରାରେ ରହିଛି ଏହି ସିନେମାରେ।

Comment