ଓଡ଼ିଶାଲାଇଭ୍ ବ୍ୟୁରୋ

ନେତା ବନିଲେ ତାମିଲ ସୁପରଷ୍ଟାର କମଲ ହାସନ। ବୁଧବାର ମଦୁରାଇଠାରେ ସେ ତାଙ୍କ ରାଜନୈତିକ ଦଳର ନାଁ ଘୋଷଣା କରିଛନ୍ତି। ମାକାଲ୍ ନିଧି ମୈୟମ୍ (ଏମଏନଏମ) ନାଁରେ ଦଳ ଗଢ଼ି କମଲ ହାସନ ରାଜନୀତିରେ ପ୍ରବେଶ କରିଛନ୍ତି।
- ମଦୁରାଇରେ ଘୋଷଣା ହେଲା ପାର୍ଟିର ନାଁ
- ଦଳୀୟ ପତାକା ବି ଉନ୍ମୋଚିତ
- ଯୋଗ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ
- କମଲ ହାସନ କହିଲେ, “ମୁଁ ଲୋକଙ୍କ ନେତା ନୁହେଁ ସେବକ”
ଦକ୍ଷିଣ ଭାରତର ସୁପର ଷ୍ଟାର କମଲ ହାସନ ଗଢ଼ିଛନ୍ତି ନୂଆ ରାଜନୈତିକ ଦଳ। ବୁଧବାର ସନ୍ଧ୍ୟାରେ ମଦୁରାଇରେ ଆୟୋଜିତ ରଙ୍ଗାରଙ୍ଗ ପରିବେଶରେ କମଲ ତାଙ୍କ ନୂଆ ଦଳ ନାଁ ଘୋଷଣା କରିଛନ୍ତି। ତାଙ୍କ ଦଳର ନାଁ ରହିଛି ‘ ମାକାଲ୍ ନିଧି ମୈୟମ୍ ‘(ଏମଏନଏମ)। ଏହି ଅବସରରେ କମଲ ଦଳୀୟ ପତାକା ଉନ୍ମୋଚିତ କରିଛନ୍ତି। ଏହି ପତାକା ଶକ୍ତି ଏବଂ ଏକତାର ବାର୍ତ୍ତା ପ୍ରଦାନ କରୁଛି।
କମଲ ହାସନ ତାଙ୍କ ପାର୍ଟିର ନାଁ ଘୋଷଣା କରିବା ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଉପସ୍ଥିତ ଥିଲେ। କମଲ ହାସନ ଦଳର ନାଁ ଘୋଷଣା କରିବା ପରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ।
କମଲ ହାସନ କହିଛନ୍ତି, “ମୁଁ ତୁମମାନଙ୍କର ନେତା ନୁହେଁ। ମୁଁ ହେଉଛି ସାଧାରଣ ଲୋକଙ୍କ ସେବକ। ଏହି ସଭାରେ ଉପସ୍ଥିତ ଥିବା ପ୍ରତ୍ୟେକ ଲୋକ ହେଉଛନ୍ତି ଜଣେ ଜଣେ ନେତା। ମୁଁ ତୁମକୁ ଭାଷଣ ଦେବାକୁ ଚାହୁଁନି, ବରଂ ତୁମମାନଙ୍କ କଥା ଶୁଣିବାକୁ ମୁଁ ଆସିଛି। ଦଳକୁ ଆଗକୁ ନେବା ପାଇଁ ପ୍ରତ୍ୟେକ ଲୋକଙ୍କର ବଡ଼ ଭୂମିକା ରହିଛି।”
ଉତ୍ସବରେ ଯୋଗ ଦେଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି, “ତାମିଲନାଡୁ ଭୋଟର ଡିଏମ୍କେ ଏବଂ ଏଆଇଡିଏମ୍କେକୁ ଭୋଟ ଦେଇ ଆସୁଥିଲେ। ହେଲେ ଏବେ କମଲ ହାସନ ଏକ ବିକଳ୍ପ ରାଜନୈତିକ ଦଳ ତିଆରି କରିଛନ୍ତି।”
କେଜରିଓ୍ବାଲ ଆହୁରି କହିଛନ୍ତି ଯେ ଯଦି ତୁମେ ଦୁର୍ନୀତି ଚାହୁଁଛ ତାହାଲେ ଡିଏମ୍କେ ଏବଂ ଏଆଇଏଡିଏମ୍କେକୁ ଭୋଟ ଦିଅ। ଯଦି ତୁମେ ଉନ୍ନତି ଚାହୁଁଛ ତାହାଲେ କମଲ ହାସନଙ୍କ ଦଳକୁ ଭୋଟ ଦିଅ। କମଲ ହାସନଙ୍କ ପାର୍ଟି କ୍ଷମତାକୁ ଆସିଲେ ଲୋକମାନଙ୍କୁ ମୌଳିକ ସୁବିଧା ମିଳିବ।
ରାଜନୈତିକ ଦଳର ନାଁ ଘୋଷଣା କରିବା ପୂର୍ବରୁ କମଲ ହାସନ ପ୍ରଥମେ ରାମେଶ୍ୱର ଯାଇଥିଲେ। ସେଠାରେ ସେ ମତ୍ସ୍ୟଜୀବୀଙ୍କ ସହ ଆଲୋଚନା କରିଥିଲେ। ପରେ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ବାସଭବନକୁ ଯାଇ ତାଙ୍କ ବଡ଼ ଭାଇଙ୍କଠାରୁ ଆଶୀର୍ବାଦ ଆଣିଥିଲେ।
କ’ଣ ହେଲା ଦଳୀୟ ଚିହ୍ନ?
କମଲ ହାସନ ତାଙ୍କ ଦଳର ଚିହ୍ନ ରଖିଛନ୍ତି ୬ଟି ହାତ। ୬ଟି ରାଜ୍ୟକୁ ପ୍ରତିନିଧିତ୍ବ କରିବା ଉଦ୍ଦେଶ୍ୟରେ ଏହାକୁ ଦଳର ସାଙ୍କେତିକ ଚିହ୍ନ ଭାବେ ଗ୍ରହଣ କରାଯାଇଛି। ଏମଏନଏମ ପାର୍ଟିର ଚିହ୍ନରେ ଲାଲ, ଧଳା ଏବଂ କଳା ରଙ୍ଗର ସମ୍ମିଶ୍ରଣ ରହିଛି।














