ଓଡ଼ିଶାଲାଇଭ୍ ବ୍ୟୁରୋ

ମହାତ୍ମା ଗାନ୍ଧି ଥିଲେ ଦେଶର ସବୁଠୁ ଶ୍ରେଷ୍ଠ ଲୋକ ସମ୍ପର୍କ ଅଧିକାରୀ। ତାଙ୍କ ଲୋକ ସମ୍ପର୍କର ଅସ୍ତ୍ର ଥିଲା ସତ୍ୟ। ସେ ସତ କଥା ମାଧ୍ୟମରେ ଦେଶର ଲୋକଙ୍କୁ ଯୋଡ଼ି ପାରୁଥିଲେ”,  କହିଛନ୍ତି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ରମେନ୍ଦ୍ର କୁମାର।

ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି)ରେ ରୌପ୍ୟ ଜୟନ୍ତୀ ଉପଲକ୍ଷେ ‘ଡିଜିଟାଲ୍ ଯୁଗରେ ଲୋକ ସମ୍ପର୍କ’ ଶୀର୍ଷକ ଏକ ରାଉଣ୍ଡ ଟେବୁଲ୍ ଅନୁଷ୍ଠିତ ହୋଇଛି। ଏଥିରେ ରମେନ୍ଦ୍ର କୁମାର ‘ସରକାରୀ କ୍ଷେତ୍ରରେ ଲୋକ ସମ୍ପର୍କ’ ଉପରେ ନିଜର ବକ୍ତବ୍ୟ ରଖିଛନ୍ତି ।

ସେ କହିଛନ୍ତି, “ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକ ସମ୍ପର୍କ ଅଧିକାରୀଙ୍କ ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ। ସେମାନେ ଗାନ୍ଧିଙ୍କ ନୀତି, ସତ୍ୟତା ଓ ବିଶ୍ୱସନୀୟତା ଥିଓରୀକୁ ପ୍ରୟୋଗ କରିବା ଦରକାର। ଦେଶର ସ୍ୱାଧୀନତା ତଥା ସାମାଜିକ ବିକାଶ ପାଇଁ ମହାତ୍ମା ଗାନ୍ଧିଙ୍କ ବାର୍ତ୍ତା ସୁସ୍ପଷ୍ଟ ଓ ସତ୍ୟ ଥିଲା। ତେଣୁ ଗାନ୍ଧିଜୀଙ୍କ ବାର୍ତ୍ତା ସମସ୍ତଙ୍କୁ ପ୍ରଭାବିତ କରିପାରୁଥିଲା।”

ବର୍ତ୍ତମାନ ଡିଜିଟାଲ୍ ଯୁଗ। ସମସ୍ତଙ୍କ ନିକଟରେ ସ୍ମାର୍ଟ ଫୋନ୍ । ତେଣୁ ଗଣମାଧ୍ୟମକୁ ସଂସ୍ଥାର ଅନ୍ୟ କର୍ମଚାରୀମାନେ ସୂଚନା ଦେବା ପୂର୍ବରୁ ଲୋକ ସମ୍ପର୍କ ଅଧିକାରୀ ଗଣମାଧ୍ୟମ ନିକଟରେ ପହଞ୍ଚିବା ଦରକାର। ଗଣମାଧ୍ୟମକୁ ସତ୍ୟ ସୂଚନା ଦେବା ବ୍ୟତୀତ  ନିଜର ପ୍ରତ୍ୟେକ କାର୍ଯ୍ୟରେ ସ୍ପଷ୍ଟ ହେବାର ଆବଶ୍ୟକତା ରହିଛି । ଏ ପରିସ୍ଥିତିରେ ଷ୍ଟେକହୋଲ୍ଡରଙ୍କୁ ନିଜର ଭାଗିଦାରୀଭାବେ ମନେ କରିବା ଉଚିତ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ଏହି ରାଉଣ୍ଡ ଟେବୁଲ୍ କାର୍ଯ୍ୟକ୍ରମକୁ କୋଲକାତା ଭାରତୀୟ ବିଦ୍ୟାଭବନର ଅଧ୍ୟକ୍ଷ ସୁବୀର ଘୋଷ କହିଛନ୍ତି, “ବର୍ତ୍ତମାନର ଡିଜିଟାଲ୍ ଯୁଗ ଯୋଗୁଁ ସମଗ୍ର ଦୁନିଆ ଏବେ ଗୋଟିଏ ଗାଁ ପାଲଟି ଯାଇଛି। ଗୋଟିଏ ଦେଶରୁ ଅନ୍ୟ ଦେଶର ଦୂରତ୍ୱ ମଧ୍ୟ କମିଯାଇଛି। ଏଭଳି ସ୍ଥିତିରେ ଲୋକ ସମ୍ପର୍କ ଅଧିକାରୀଙ୍କୁ ବିଭିନ୍ନ ବିଭବ ଉପରେ ଦୃଷ୍ଟି ଦେବାକୁ ପଡ଼ିବ।”

ପୂର୍ବତଟ ରେଳବାଇର ପୂର୍ବତନ ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ସମୀର ଗୋସ୍ୱାମୀ ‘କ୍ରାଇସିସ୍ ମ୍ୟାନେଜମେଣ୍ଟ୍’ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଛନ୍ତି।

ସ୍ୱାଗତ ଭାଷଣ ପ୍ରଦାନ କରି ଆଇଆଇଏମ୍ସିର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ କହିଛନ୍ତି, “ଡିଜିଟାଲାଇଜେସନ୍ ଯୋଗୁଁ ଯୋଗାଯୋଗର ପରିଭାଷା ବଦଳିଯାଇଛି। ଯୋଗାଯୋଗ ପ୍ରକ୍ରିୟାରେ ଲୋକେ ସିଧାସଳଖ ଅଂଶଗ୍ରହଣ କରିପାରୁଛନ୍ତି। ଆଜିକାଲି ସମସ୍ତେ ବିଷୟବସ୍ତୁ (କଣ୍ଟେଣ୍ଟ୍) ପ୍ରସ୍ତୁତ କରିପାରୁଛନ୍ତି ଓ ଏହାକୁ ସେୟାର କରୁଛନ୍ତି। ହେଲେ ଏସବୁର ବିଶ୍ୱସନୀୟତା ଉପରେ ଅନେକ ସମୟରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ତେଣୁ ଏ କ୍ଷେତ୍ରରେ ଗଣମାଧ୍ୟମର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ।”

ଆଦିତ୍ୟ ବିର୍ଲା କମ୍ପାନିର ସାଧାରଣ ପରିଚାଳକ ରାକେଶ ମିଶ୍ର ଯୋଗଦେଇ ‘ଯୋଗାଯୋଗରେ ସୃଜନାତ୍ମକ’ ଉପରେ ଆଲୋଚନା କରିଛନ୍ତି। ଏହି ଅବସରରେ ସୁବୀର ଘୋଷଙ୍କ ପୁସ୍ତକ ‘କର୍ପୋରେଟ୍ ଇଂଲିଶ’ ଉନ୍ମୋଚନ ହୋଇଛି । ଧନ୍ୟବାଦ ଅର୍ପଣ କରିଛନ୍ତି ଇତିଶ୍ରୀ ସିଂହ ରାଠୋର।

Comment