ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାସ୍ତବ ଜୀବନରେ ଅନେକ ବଲିଉଡ ନାୟକ, ନାୟିକାଙ୍କର ଲିଙ୍କ ଅପ୍ ଓ ବ୍ରେକ୍ ଅପ୍, ଗୁପ୍ତ ବିବାହ ଆଦି ଘଟଣା ଅନେକ ସମୟରେ ଚର୍ଚ୍ଚାକୁ ଆସେ। କେତେବେଳେ ତାହାକୁ ଗୁଜବ ବୋଲି କୁହାଯାଏ ତ ଆଉ କେତେବେଳେ ଘଟଣାଟି ସତ ହୋଇଥାଏ।

ବିଗ୍ ବି ଅମିତାଭ୍ ବଚ୍ଚନ, ଗ୍ଲାମରସ୍ ରେଖା ଓ ସିମ୍ପଲ ଜୟା ବାଦୁଡ଼ିଙ୍କ ବାସ୍ତବ ଜୀବନର ପ୍ରେମ ତ୍ରିକୋଣକୁ ଚର୍ଚ୍ଚା ସବୁବେଳେ ହୋଇଥାଏ। ତେବେ ବଲିଉଡରେ ଏଭଳି କିଛି ଚର୍ଚ୍ଚିତ କଳାକାରଙ୍କ ବ୍ୟକ୍ତିଗତ ଜୀବନର କଥା ସମ୍ପର୍କରେ ଆସନ୍ତୁ ଜାଣିବା…

ଅମିତାଭ ଓ ରେଖା ପ୍ରଥମେ ‘ଦୋ ଅନଜାନେ’ରେ ସୁଟିଂ ସେଟରେ ପରସ୍ପର ସହିତ ପରିଚିତ ହୋଇଥିଲେ। ସେ ଦୁହେଁ ପରେ ବେଶ୍ କେତୋଟି ହିନ୍ଦୀ ସିନେମାରେ ଏକାଠି କାମ କରିଥିଲେ। ତେବେ ଉଭୟଙ୍କୁ ଏକାଠି ଶେଷଥର ପାଇଁ ୟଶ ଚୋପ୍ରାଙ୍କ ବହୁ ଚର୍ଚ୍ଚିତ ସିନେମା ‘ସିଲସିଲା’ରେ ଦେଖିବାକୁ ମିଳିଥିଲା। କୁହାଯାଏ ଯେ ଜୟାକୁ ବିବାହ କରିବା ପରେ ବି ଅମିତାଭ ରେଖାଙ୍କ ସହ ସମ୍ପର୍କ ରଖିଥିଲେ। ଖାଲି ସେତିକି ନୁହେଁ, ସେ ଦୁହେଁ ଗୋପନ ବିବାହ ମଧ୍ୟ କରିଥିଲେ ବୋଲି ଶୁଣିବାକୁ ମିଳିଥିଲା ସେ ସମୟରେ। ରେଖା ସେଥିପାଇଁ ସିନେମାରେ ସବୁବେଳେ ସିନ୍ଦୂର ପିନ୍ଧିଥାନ୍ତି। ରିଷି କପୁର ଓ ନୀତୁ ସିଂହଙ୍କ ମ୍ୟାରେଜ ରିସେପସନ ପାର୍ଟିରେ ବି ରେଖାଙ୍କ ଗଳାରେ ମଙ୍ଗଳସୂତ୍ର ଓ ସିନ୍ଥିରେ ସିନ୍ଦୂର ଦେଖିବାକୁ ମିଳିଥିଲା। ତେବେ ଅମିତାଭ ଓ ରେଖା ସମ୍ପର୍କର କିଛି ଭବିଷ୍ୟତ ନାହିଁ ବୋଲି ଜାଣି ପରସ୍ପରଠୁ ଦୂରେଇ ଯାଇଥିଲେ।

ବଲିଉଡର ପ୍ରଖ୍ୟାତ ଅଭିନେତା-ନିର୍ମାତା-ନିର୍ଦ୍ଦେଶକ ସଞ୍ଜୟ ଖାନ୍ ବିବାହ କରିଥିଲେ ଜରୀନ୍ ଖାନଙ୍କୁ । ଜରୀନ ସଞ୍ଜୟଙ୍କୁ ସ୍ୱାମୀ ରୂପେ ପାଇବା ଲାଗି ମଡେଲିଂ କ୍ୟାରିଅରକୁ ଜଳାଞ୍ଜଳି ଦେଇଥିଲେ। ବିବାହ ପରେ ସଞ୍ଜୟ ଖାନ୍ ତାଙ୍କ ଅଭିନୀତ ଫିଲ୍ମ ‘ଅବଦୁଲ୍ଲା’ର ନାୟିକା ଜୀନତ ଅମାନଙ୍କ ପ୍ରେମରେ ପଡ଼ିଥିଲେ। ଏଭଳି ମଧ୍ୟ କୁହାଯାଏ ଯେ ସଞ୍ଜୟ-ଜୀନତ ଗୋପନରେ ନିକାହ କରିଥିଲେ। କିନ୍ତୁ ଏହିଭଳି ସମ୍ପର୍କକୁ ନେଇ ଖୁସି ନଥିଲେ ଜୀନତ। ଏଣୁ ସେ ସଞ୍ଜୟଙ୍କ ସାଥ୍ ଛାଡ଼ିଥିଲେ।

ଏହି ବ୍ୟାପାରର ଅନ୍ୟ ଏକ ଚର୍ଚ୍ଚିତ ପ୍ରେମ ତ୍ରିକୋଣ ଥିଲା ରାଜବବର-ସ୍ମିତା ପାଟିଲ ଓ ନାଦିରା। ରାଜ୍ ଓ ନାଦିରା ନାସନାଲ୍ ସ୍କୁଲ୍ ଅଫ୍ ଡ୍ରାମାରେ ସାଙ୍ଗ ହୋଇ ପଢ଼ୁଥିବାବେଳେ ଦୁହେଁ ପରସ୍ପର ପ୍ରେମରେ ପଡ଼ିଥିଲେ। ଅଳ୍ପଦିନର ରୋମାନ୍ସ ପରେ ରାଜ ଓ ନାଦିରା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ତେବେ ରାଜବବର ଯେତେବେଳେ ବଡ଼ ଷ୍ଟାର ହୋଇନଥିଲେ ସେତେବେଳେ ପ୍ରଖ୍ୟାତ ନିର୍ଦ୍ଦେଶକ ଶିଶିର ମିଶ୍ର ରାଜବବରଙ୍କୁ ‘ଭିଗି ପଲକେଁ’ ଫିଲ୍ମରେ ନାୟକ ଭୂମିକାରେ ନେଇଥିଲେ। ଏହି ଫିଲ୍ମରେ ପ୍ରଥମଥର ପାଇଁ ରାଜବବର ସ୍ମିତା ପାଟିଲଙ୍କ ସହ କାମ କରିବାର ସୁଯୋଗ ପାଇଥିଲେ। ଏହି ସିନେମାର ଅଧିକାଂଶ ସୁଟିଂ ଓଡ଼ିଶାରେ କରାଯାଇଥିଲା। ଏଥିଲାଗି ଉଭୟେ ଓଡ଼ିଶା ଆସିଥିଲେ। କଟକ, ଭୁବନେଶ୍ୱର, ପୁରୀ ଓ କୋଣାର୍କ ଓ ରାଉରକେଲାରେ ସୁଟିଂ କରୁଥିବା ସମୟରେ ହିଁ ରାଜବବରଙ୍କ ପ୍ରତି ଆକର୍ଷିତ ହୋଇଥିଲେ ସ୍ମିତା ପାଟିଲ। ଏହାପରେ ଉଭୟେ ବାହା ହେବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ରାଜ୍ ପ୍ରଥମ ପତ୍ନୀ ନାଦିରାଙ୍କୁ ଛାଡପତ୍ର ମଧ୍ୟ ଦେଇଥିଲେ। ରାଜ-ସ୍ମିତା ବାହା ହୋଇଥିଲେ, ହେଲେ ବିବାହର କିଛି ବର୍ଷ ପରେ ୧୯୮୬ରେ ସ୍ମିତା ପାଟିଲ ପରଲୋକ ଘଟିଥିଲା। ଏହାପରେ ରାଜବବର ନାଦିରାଙ୍କ ପାଖକୁ ଫେରିଥିଲେ।

ଅଶୀ ଦଶକର ଲୋକପ୍ରିୟ ନାୟକ ମିଥୁନ୍ ଚକ୍ରବର୍ତ୍ତୀ ଓ ନାୟିକା ଶ୍ରୀଦେବୀଙ୍କ ପ୍ରେମ କାହାଣୀ ବି ବେଶ୍ ରର୍ଚ୍ଚାରେ ଥିଲ।। ମିଥୁନ୍ ଗାୟକ କିଶୋର କୁମାରଙ୍କ ପୂର୍ବ ପତ୍ନୀ ଯୋଗିତା ବାଲକିଙ୍କୁ ବିବାହ କରିସାରିଥିଲେ। ହେଲେ ‘ଗୁରୁ’ ସିନେମାରେ ଉଭୟେ ଏକାଠି କାମ କରୁଥିବା ବେଳେ ପ୍ରେମରେ ପଡ଼ିଥିଲେ। କୁହାଯାଏ ଯେ ମିଥୁନ୍ ଓ ଶ୍ରୀଦେବୀ ଗୋପନରେ ବିବାହ ମଧ୍ୟ କରିଥିଲେ। ଶ୍ରୀଦେବୀଙ୍କୁ ମିଥୁନ୍ କୁଆଡେ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଯୋଗିତାଙ୍କୁ ଛାଡ଼ପତ୍ର ଦେଇ ତାଙ୍କୁ ବିବାହ କରିବେ, ହେଲେ ସେଭଳି କିଛି କରିନଥିଲେ ମିଥୁନ୍। ଏଥିରେ ବ୍ୟଥିତ ଓ ଉତକ୍ଷିପ୍ତ ହୋଇ ଶ୍ରୀଦେବୀ ମିଥୁନ୍ ଚକ୍ରବର୍ତ୍ତୀଙ୍କଠାରୁ ଦୂରେଇ ଯାଇଥିଲେ ବୋଲି ଚର୍ଚ୍ଚା ହୋଇଥିଲା।

Comment