ଓଡ଼ିଶାଲାଇଭ୍‌ ବ୍ୟୁରୋ 

Illustration Courtesy: Rabi Narayan Rath
Illustration Courtesy: Rabi Narayan Rath

ବଲିଉଡର ଚାନ୍ଦିନୀ, ହୱା ହୱାଇ ଗର୍ଲ, ରୂପକୀ ରାନି ଶ୍ରୀଦେବୀ ଆଉ ନାହାନ୍ତି। ସେ ଗତ ୨୪ ତାରିଖ ରାତିରେ ହୃଦ୍‌ଘାତରେ ପରଲୋକ ହୋଇଛି।

ଶ୍ରୀଦେବୀଙ୍କ ପ୍ରକୃତ ନାମ ହେଲା-ଶ୍ରୀ ଅମ୍ମା ୟଙ୍ଗର୍ ଆୟାପାନ୍। ୧୯୬୩ ମସିହା ଅଗଷ୍ଟ ୧୩ ତାରିଖରେ ଶିବକାଶୀଠାରେ ତାଙ୍କର ଜନ୍ମ ହୋଇଥିଲା।

ଶ୍ରୀଦେବୀ ମାତ୍ର ୪ ବର୍ଷ ବୟସରେ ତାମିଲ୍ ଫିଲ୍ମ ‘ଥୁନାଇଭାନ’ରେ ମୁରୁଗା ଭଗବାନଙ୍କ ବାଲ୍ୟ ଭୂମିକାରେ ଅଭିନୟ କରି ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ଠିକ୍ ସେହିପରି ବଲିଉଡରେ ସେ ‘ଜୁଲି’ (୧୯୭୫)ରେ ଶିଶୁ କଳାକାର ଭାବେ ପ୍ରଥମଥର ପାଇଁ ଦେଖା ଦେଇଥିଲେ। ୧୯୭୯ରେ ରିଲିଜ୍ ହୋଇଥିବା ‘ସୋଲଭା ସାୱନ’ରୁ ବଲିଉଡରେ ହିରୋଇନ୍ ଭାବେ ଡେବ୍ୟୁ କରି ଥିଲେ ଶ୍ରୀଦେବୀ।

ଏହାପରେ ତାଙ୍କୁ ହିମ୍ମତୱାଲା, ଜଷ୍ଟିସ୍ ଚୌଧୁରୀ, ତୋଫାମୱାଲି, ବଲିଦାନ, ଔଲାଦ୍, ଘରସଂସାର, ଧରମ ଅଧିକାରୀ, ସୋନେ ପେ ସୁହାଗା, ଆଗ୍ ଔର ଶୋଲା, ସରପରୋଶ, ମାଷ୍ଟରଜୀ, ଜାଗ୍ ଉଠା ଇନସାନ୍, ଗୁରୁ, ନଗୀନା, ନିଗାହେଁ, କର୍ମା, ଜାନବାଜ୍, ଚାଲ୍‌ବାଜ୍, ରୂପକୀ ରାନୀ, ଚୋରୋଁକା ରାଜା, ଚାନ୍ଦିନୀ, ଲମହେଁ, ଖୁଦାଗବାହ, ଗୁମରାହ, ଜୁଦାଇ ଓ  ମମ୍ ଓ ଇଂଲିସ୍ ବିଂଲିସ୍ ଆଦି ସମେତ ବହୁ ହିନ୍ଦୀ ସିନେମାରେ ଦେଖିବାକୁ ମିଳିଥିଲା। ତାଙ୍କୁ ଆନନ୍ଦ ଏଲ ରାୟଙ୍କ ନିର୍ଦ୍ଦେଶିତ ତଥା ଶାହାରୁଖ୍ ଖାନ, ଅନୁଷ୍କା ଶର୍ମା ଓ କ୍ୟାଟ୍ରିନା କୈଫ୍ ଷ୍ଟାରର ‘ଜିରୋ’ରେ ଦେଖିବାକୁ ପାଇବେ ଦର୍ଶକ ଏବର୍ଷ।

ଶ୍ରୀଦେବୀ ଛୋଟ ପରଦାରେ ‘ମାଲିନି ଆୟାର୍‌’ ଟାଇଟଲରେ ପ୍ରସାରିତ ହୋଇଥିବା ଏକ ମେଗା ସିରିଏଲରେ ବି ଅଭିନୟ କରିଥିଲେ। ସେ ନଗୀନା, ମିଷ୍ଟର ଇଣ୍ଡିଆ, ଚାଲବାଜ୍ ଓ ଲମହେ ଭଳି ଫିଲ୍ମ ପାଇଁ ଫିଲ୍ମ ଫେୟାର ଆୱାର୍ଡ ପାଇଥିଲେ। ୨୦୧୩ରେ ଭାରତ ସରକାର ପ୍ରଦତ୍ତ ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଶ୍ରୀ’ ରେ ସମ୍ବର୍ଦ୍ଧିତ କରିଥିଲେ ଶ୍ରୀଦେବୀ।

ମୃତ୍ୟୁର କାରଣ କ’ଣ?

କୁହାଯାଉଛି ଯେ ଶ୍ରୀଦେବୀ ନିଜର ବୟସ କମ୍ ଦେଖାଇବା ଲାଗି ଆଣ୍ଟି-ଏଜିଂ ମେଡିସିନ୍ ସେବନ କରୁଥିଲେ। ସାଉଥ୍ କାଲିଫର୍ଣ୍ଣିଆର ଜଣେ ବିଶେଷଜ୍ଞ ଡାକ୍ତରଙ୍କ ସହ ସେ ନିୟମିତ ପରାମର୍ଶ କରି ଔଷଧ ସେବନ କରୁଥିଲେ। ଏହି ଔଷଧ ସେବନ ଫଳରେ ଶ୍ରୀଦେବୀଙ୍କର ରକ୍ତ ଗାଢ଼ ହୋଇଯାଉଥିଲା। ଏହାର କୁ ପ୍ରଭାବରେ ତାଙ୍କର ମୃତ୍ୟୁ ହୋଇଥିବାର ଅଭିଯୋଗ ହେଉଛି।

ଆଉ କେତେକ ନିକଟ ସମ୍ପର୍କୀୟଙ୍କ ଅନୁଯାୟୀ ବଲିଉଡର ଏହି ଲାସ୍ୟମୟୀ ନାୟିକା ଶ୍ରୀଦେବୀ ବେଶ୍ କିଛି ଦିନ ହେବ ଖୁବ୍ ସିରିଅସ୍ ହୋଇ ରହୁଥିଲେ। ସେ କାହା ସହିତ ବିଶେଷ କଥାବାର୍ତ୍ତା ହେଉନଥିଲେ ବା ମିଶୁ ନଥିଲେ। ଏଥିରୁ ଅନୁମାନ କରାଯାଉଛି ଯେ ଶ୍ରୀଦେବୀ ନିଶ୍ଚିତ ରୂପେ ଚିନ୍ତାଗ୍ରସ୍ତ ଥିଲେ ବା କୌଣସି ପ୍ରକାରର ଆଶଙ୍କାରେ ଥିଲେ। ଏହାର ଆଉ ଏକ କାରଣ ଏହା ବି କୁହାଯାଉଛି ଯେ ସେ ତାଙ୍କର ବଡ଼ ଝିଅ ଜାହ୍ନବୀ କପୁରଙ୍କୁ ନେଇ ଚିନ୍ତିତ ଥିଲେ। ଖାସ୍ କରି ବଲିଉଡର ‘ଧଡ଼କ’ ଫିଲ୍ମରେ ନାୟିକା ହେବା ପରେ ଜାହ୍ନବୀ କୁଆଡେ ଅଧିକାଂଶ ସମୟ ବୟଫ୍ରେଣ୍ଡ ଇଶାନ୍ ଖଟ୍ଟରଙ୍କ ସହ ବିତାଉଥିଲେ, ଯାହାକୁ ପସନ୍ଦ କରୁନଥିଲେ ମାଆ ଶ୍ରୀଦେବୀ। ବାରମ୍ବାର ବାରଣ କରିବା ସତ୍ତ୍ଵେ ଜାହ୍ନବୀ ତାଙ୍କ କଥା ମାନୁନଥିଲେ। ଏହାକୁ ନେଇ ମାଆ-ଝିଅଙ୍କ ଭିତରେ ମନାନ୍ତର ଥିଲା ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ଚିନ୍ତାଗ୍ରସ୍ତ ରହୁଥିବା  ଶ୍ରୀଦେବୀ ମୃତ୍ୟୁର କିଛି ସମୟ ପୂର୍ବରୁ ଖୁବ ଖୁସି ଥିବାର କୁହାଯାଉଛି। ଆଉ କେତେକ ମିଡ଼ିଆ ରିପୋର୍ଟରେ କୁହାଯାଉଛି ଯେ ଲିପ୍ ସର୍ଜରୀ ଯୋଗୁଁ ତାଙ୍କର ପ୍ରାଣହାନି ଘଟିଛି। ସେ ୨୯ଟି ସର୍ଜରୀ କରିଥିବା କୁହାଯାଉଛି।

କିଛି ବ୍ୟକ୍ତିଗତ କଥା ଆଫେଆର୍ ଓ ବାହାଘରର ରୋଚକ ପ୍ରସଙ୍ଗ

ଶ୍ରୀଦେବୀ ସଧବା ପ୍ରାଣତ୍ୟାଗ କରିଛନ୍ତି। ତାଙ୍କର ଦୁଇ ଝିଅ ଅଛନ୍ତି। ଏଥିମଧ୍ୟରୁ ଜଣେ ହେଲେ ନାୟିକା ଜାହ୍ନବୀ ଓ ଅନ୍ୟ ଜଣକ ଖୁସି କପୁର।

ବଲିଉଡ୍ ଡିଭା ଶ୍ରୀଦେବୀ ୧୯୯୬ ମସିହା ଜୁନ୍ ୨ ତାରିଖରେ ପ୍ରଖ୍ୟାତ ପ୍ରଯୋଜକ ବୋନି କପୁରଙ୍କୁ ବିବାହ କରିଥିଲେ। ହେଲେ ବୋନି କପୁର ଥିଲେ ବିବାହିତ। ତାଙ୍କର ପତ୍ନୀ ଓ ଦୁଇ ସନ୍ତାନ ମଧ୍ୟ ଥିଲେ। ଏଭଳି ଜଣେ ବିବାହିତ ପୁରୁଷଙ୍କୁ ଶ୍ରୀଦେବୀଙ୍କ ଭଳି ସୁପରଷ୍ଟାର ହିରୋଇନ୍ ଯେ ବିବାହ କରିବେ, ତାହା କଳ୍ପନା ବାହାରେ ଥିଲ।। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ବୋନି କପୁରଙ୍କଠାରୁ ଶ୍ରୀଦେବୀ ବୟସରେ ପ୍ରାୟ ୮ବର୍ଷ ସାନ। ୧୯୯୩ ମସିହାରେ ବୋନି କପୁର ଶ୍ରୀଦେବୀଙ୍କୁ ପ୍ରପୋଜ୍ କରିଥିଲେ।

ଏହାପରେ ବୋନି ଓ ଶ୍ରୀଦେବୀ ପରସ୍ପର ପ୍ରତି ଅନ୍ତରଙ୍ଗ ହୋଇଉଠିଥିଲେ। କୁହାଯାଏ ଯେ ଶ୍ରୀଦେବୀ ବିବାହ ସମୟରେ ଗର୍ଭବତୀ ଥିଲେ। ଶ୍ରୀଦେବୀ ପୂର୍ବରୁ ଏକ ସାକ୍ଷାତକାରରେ ଘୋଷଣା କରିଥିଲେ ଯେ ସେ କୌଣସି ବିବାହିତ ପୁରୁଷର ପତ୍ନୀ ହେବାକୁ ଚାହାଁନ୍ତି ନାହିଁ, କି କୌଣସି ଲୋକର ଦ୍ୱିତୀୟ ପତ୍ନୀ ହେବେ ନାହିଁ। ହେଲେ ନିଜର ଏକଥାକୁ ଶେଷରେ ଭୁଲ ବୋଲି ପ୍ରମାଣିତ କରିଥିଲେ ଶ୍ରୀଦେବୀ। କାରଣ ସେ ବିବାହିତ ପୁରୁଷ ବୋନି କପୁରଙ୍କ ଦ୍ୱିତୀୟ ପତ୍ନୀ ବନିଥିଲେ। ଏହି ବିବାହ ଉତ୍ସବ ବେଳେ ଶ୍ରୀଦେବୀଙ୍କ ସଉତୁଣୀଙ୍କ ପୁଅ ଅର୍ଜୁନ କପୁର (ଆଜିକାର ଲୋକପ୍ରିୟ ନାୟକ) ଉପସ୍ଥିତ ଥିଲେ। ଶ୍ରୀଦେବୀଙ୍କୁ ବାହା ହେବା ପରେ ବୋନି ତାଙ୍କର ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ।

ଶ୍ରୀଦେବୀଙ୍କର କେତୋଟି ଆଫେଆର୍ ଅନେକ ସମୟରେ ଚର୍ଚ୍ଚାର ବିଷୟ ବନିଥିଲା। ସେ କ୍ୟାରିଅର ଆରମ୍ଭ କରିବା ବେଳେ ଜମ୍ପିଂ ଜ୍ୟାକ୍ ଜିତେନ୍ଦ୍ରଙ୍କ ସହ ତାଙ୍କର ଲିଙ୍କ ଅପକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ହେଲେ ଏହାକୁ ସେ ଖଣ୍ଡନ କରି କହିଥିଲେ ଯେ ଜିତେନ୍ଦ୍ର ଜଣେ ଭଲ ମଣିଷ, ସେ ତାଙ୍କୁ ସବୁ ବେଳେ ସାହାଯ୍ୟ କରିଆସିଛନ୍ତି ଓ ଜଣେ ବିବାହିତ ପୁରୁଷ ସହିତ ସେ ବା କାହିଁକି ଛନ୍ଦି ହେବେ।

‘ଜାଗ ଉଠା ଇନସାନ୍’ ଫିଲ୍ମରେ କାମ କରିବା ବେଳେ ମିଥୁନ ଚକ୍ରବର୍ତ୍ତୀଙ୍କ ସହିତ ଶ୍ରୀଦେବୀଙ୍କର ଆଫେଆର୍ ଗଢ଼ିଉଠିଥିଲା। ପରେ ‘ଗୁରୁ’ରେ କାମ କରିବା ସମୟରେ ଶ୍ରୀଦେବୀ ଓ ମିଥୁନ୍ ଗୁପ୍ତ ବିବାହ କରିଥିବା ନେଇ ମିଡ଼ିଆରେ ଚର୍ଚ୍ଚା ହୋଇଥିଲା।

Comment