ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବାଲେଶ୍ୱରରେ ଦିନିକିଆ ସୂଚନା ଅଧିକାର କର୍ମଶାଳା ଅନୁଷ୍ଠିତ
  • ଅନଲାଇନ ସୂଚନା ପ୍ରଦାନ ଓ ଆବେଦନ ଗ୍ରହଣକୁ ଜିଲ୍ଲାପାଳଙ୍କ ଗୁରୁତ୍ୱ

ବାଲେଶ୍ୱର ସଦର ମହକୁମାଠାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ସୂଚନା ଅଧିକାର ଅଧିନିୟମ-୨୦୦୫ ଉପରେ ଏକ କର୍ମଶାଳା ସ୍ଥାନୀୟ ସଦଭାବନା ଗୃହରେ ଆୟୋଜିତ ହୋଇଯାଇଛି।

ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ପ୍ରଦୀପ ପ୍ରଜ୍ଜ୍ୱଳନ କରି କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

“ସୂଚନା ଅଧିକାର ଅଧିନିୟମ ଗଣତନ୍ତ୍ରକୁ ସୁଦୃଢ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ”, କହିଛନ୍ତି ଜିଲ୍ଲାପାଳ।

ଅନ୍ୟତମ ଅତିଥି ଭାବେ ଯୋଗ ଦେଇ

“ସୂଚନା ଅଧିକାର ଅଧିନିୟମ ଅନୁଯାୟୀ ଜନସାଧାରଣଙ୍କୁ ସୂଚନା ପ୍ରଦାନ କରିବାରେ ଯେଉଁ ସବୁ ପ୍ରତିବନ୍ଧକ ରହିଛି ସେ ସବୁ ଦୂର କରାଯାଉ”, କହିଛନ୍ତି ଉପଜିଲ୍ଲାପାଳ ଭବତାରଣ ସାହୁ।

“କିଛି ମୁଷ୍ଟିମେୟ ବ୍ୟକ୍ତି ଏହି ଅଧିନିୟମର ଦୂରୁପଯୋଗ କରୁଥିବା ଦୁର୍ଭାଗ୍ୟଜନକ”, କହିଛନ୍ତି ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରାମଚନ୍ଦ୍ର ପଳତା।

କର୍ମଶାଳାର ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁବାଷ ନିଆଲ ସ୍ୱାଗତ ଭାଷଣ ଦେଇ କର୍ମଶାଳାର ଆଭିମୁଖ୍ୟ ବିଷୟରେ ଅବଗତ କରାଇଥିଲେ।

ସୂଚନା ଅଧିକାର ଆଇନ ବିଶେଷଜ୍ଞ ଶ୍ରୀ ହର୍ଷ ପରିଚ୍ଛା ଆଲୋକଚିତ୍ର ମାଧ୍ୟମରେ ତାଙ୍କର ଉପସ୍ଥାପନା କରିଥିଲେ । ଏଥିରେ ସେ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ସୂଚନା ଅଧିକାର ଅଧିନିୟମରେ ଅନଲାଇନ୍ ଆବେଦନ କିପରି ଗ୍ରହଣ କରାଯିବ ଏବଂ ତାର ସୂଚନା ପ୍ରଦାନରେ ପ୍ରଣାଳୀ ସମ୍ବନ୍ଧରେ ସେ ବିଶଦ ଭାବେ ବୁଝାଇଥିଲେ।

ପ୍ରତ୍ୟେକ ଜନ କର୍ତ୍ତୃପକ୍ଷଙ୍କୁ ଅନଲାଇନ ସୂଚନା ପ୍ରଦାନ ନିମନ୍ତେ ବ୍ୟବହାରକାରୀ ଆଇ.ଡି. ଓ ପାସୱାର୍ଡ ଦିଆଯାଇଥିବା ଅବଗତ କରାଯାଇଥିଲା ।

ଏହି କର୍ମଶାଳାରେ ଜିଲ୍ଲାର ବିଭିନ୍ନ ଜନ ସୂଚନା ଅଧିକାରୀ, ବରିଷ୍ଠ ନାଗରିକ, ସାମ୍ବାଦିକ, ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି ପ୍ରମୁଖଙ୍କ ସହ ପ୍ରାୟ ୧୫୦ଜଣ ବ୍ୟକ୍ତି ବିଶେଷ ଅଂଶଗ୍ରହଣ କରିଥିଲେ।

Comment