ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇଏନ୍‌ଏକ୍ସ ଦୁର୍ନୀତି ମାମଲାରେ ଗିରଫ କାର୍ତ୍ତି ଚିଦାମ୍ବରମଙ୍କୁ ସିବିଆଇ ୬ ଦିନିଆ ରିମାଣ୍ଡରେ ନେଇଛି। ନୂଆଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ସିବିଆଇ ୧୪ ଦିନିଆ ରିମାଣ୍ଡ ଆବେଦନ କରିଥିଲା। ହେଲେ କୋର୍ଟ ୬ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ଆଇଏନଏକ୍ସ ଦୁର୍ନୀତି ଓ ଲାଞ୍ଚ କାରବାରରେ କାର୍ତ୍ତିଙ୍କୁ ସିବିଆଇ ବୁଧବାର ଦିନ ଗିରଫ କରିଥିଲା।

ଆଇଏନଏକ୍ସ ଦୁର୍ନୀତି ଏବଂ ମନି ଲଣ୍ଡରିଂ ମାମଲାରେ ସିବିଆଇ କାର୍ତ୍ତିଙ୍କୁ ଜେରା କରିଛି। ୧୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଛି ନା ଆହୁରି ଅଧିକ ହୋଇଛି ତାହା ଜାଣିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ସିବିଆଇ ଅଧିକାରୀ।

ବିଦେଶୀ ପୁଞ୍ଜି ନିବେଶ ପାଇଁ କାର୍ତ୍ତିଙ୍କୁ କିଏ ଭେଟିଥିଲା ଏବଂ କାର୍ତ୍ତି ତାଙ୍କୁ କାହିଁକି ୧୦ ଲକ୍ଷ ଟଙ୍କ ଲାଞ୍ଚ ମାଗିଥିଲେ ସେ ସମ୍ପର୍କରେ ସିବିଆଇ ଜେରା କରିଛି। କାର୍ତ୍ତିଙ୍କ ଘରୁ ଜବତ ହୋଇଥିବା ଏଏସ୍‌ଏମ୍‌ ଫିଗର କମ୍ପାନିର ରସିଦ କାହାର ଓ ଏହି କମ୍ପାନି ସହ କାର୍ତ୍ତି କି କାରବାର କରିଥିଲେ ତାହା ଜାଣିବାକୁ ଚେଷ୍ଟା କରିଛି ସିବିଆଇ।

କାର୍ତ୍ତିଙ୍କୁ ଆଜି କୋର୍ଟରେ ହାଜର କରିବା ବେଳେ ପି ଚିଦାମ୍ବରମ୍ ଉପସ୍ଥିତ ଥିଲେ। ହେଲେ ଏ ସମ୍ପର୍କରେ ସେ କୌଣସି ପ୍ରତିକ୍ରିୟ ଦେଇ ନଥିଲେ। ସିବିଆଇ ଗିରଫ ନେଇ ରାଜନୀତି ଜୋର୍ ଧରିଛି। ଏହା ପଛରେ ରାଜନୀତି ରହିଥିବା କଂଗ୍ରେସ ଅଭିଯୋଗ କରିଛି।

Comment